Unknown

 

 

 

 

 

 

 

 

 

 

 

ରାହୁର ଛାୟା

ଶ୍ରୀ ଗୋପୀନାଥ ମହାନ୍ତି

 

ପ୍ରକାଶକଙ୍କ କଲମରୁ :–

 

ଓଡ଼ିଶାର ଖ୍ୟାତିପ୍ରାପ୍ତ ଔପନ୍ୟାସିକ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି, ଏମ୍‍.ଏ.ଙ୍କ ବିଶିଷ୍ଟ ଲେଖାମାନଙ୍କ ମଧ୍ୟରୁ ରାହୁର ଛାୟା ହେଉଛି ଅନ୍ୟତମ । ଲେଖକଙ୍କର ଅନ୍ୟାନ୍ୟ ବହିଭଳି ଏହାର ଆଦର ଯେ ପାଠକଙ୍କ ନିକଟରେ ଯଥେଷ୍ଟ ରହିଛି, ଏହି ଦ୍ୱିତୀୟ ସଂସ୍କରଣ ହିଁ ତା’ର ପ୍ରମାଣ । ପ୍ରଥମ ସଂସ୍କରଣଟି ବହୁଦିନରୁ ଶେଷ ହୋଇଯାଇଥିଲେ ସୁଦ୍ଧା କେତେକ ଅସୁବିଧାବଶତଃ ଦ୍ୱିତୀୟ ସଂସ୍କରଣଟି ଠିକ୍ ସମୟରେ ପ୍ରକାଶ ପାଇପାରି ନଥିଲା । ସେଥିପାଇଁ ଆମେମାନେ ଦୁଃଖିତ । ବର୍ତ୍ତମାନ ଦ୍ୱିତୀୟ ସଂସ୍କରଣଟି ପାଠକଙ୍କ ହାତରେ । ଆମର ଆଶା, ପୂର୍ବଭଳି ଏହି ସଂସ୍କରଣଟି ମଧ୍ୟ ସମସ୍ତଙ୍କର ଆଦର ଲାଭ କରିବ ।

Image

 

ଦୁନିଆଁ କହେ ସେ କଳଙ୍କିନୀ ।

 

ତେବେ ତାଠୁଁ ଚାହେଁ କ’ଣ ?

 

ଚିରଦିନ ପାଇଁ ସେ ନାଁଟା ବୁଡ଼ି ଯାଆନ୍ତା ?- ଛଳଛଳେଇ ଉଠିଛି ତା’ର ଯେଉଁ ନାଁଟା ଫମ୍ପା ମାଠିଆରେ ପାଣି ପଶିଲା ପରି ରାଜ୍ୟଯାକର ଯେତେ ନଗର-ନାହୁଲାଙ୍କ ତୁଣ୍ଡରେ, ଅପବାଦ ଚର୍ଚ୍ଚା କରିବାର ପତିଆରା ଉହାଡ଼ରେ ଯେ ନୀରସ ବୃଦ୍ଧ ଲୋକଙ୍କଠିଁ ବି ବାରମ୍ବାର ପୁରୁଷପଣର ଚେତନା ଚିଆଁଇ ଦେଇଛି, ସ୍ତ୍ରୀଜାତିଙ୍କ ମନ ଗହୀରରୁ ଝରାଇଛି ଯୌନ ଈର୍ଷାର ଗୁପ୍ତଧାରା, ଯେତେବେଳେ ସେମାନେ ଶଂଖା ସିନ୍ଦୂର ନାଇ ତୁହାଇ ତୁହାଇ ତାହାରି ନାଁ ମୁହଁରେ ନିଆଁ କୁରେହି ବୁଲିଛନ୍ତି ? ସମସ୍ତେ ଭଲ, ସେ ଖରାପ, ତେଣୁ ତା’ର ମୁହଁ ଲୁଚେଇ ମରିବାହିଁ ଉଚିତ, ଏଇଆ କ’ଣ ଚାହେଁ ଦୁନିଆଁ ?

 

ସତୀ ଚିନ୍ତାକଲା ।

 

ତାହାରି ପଛେ ପଛେ ଡାହାଳ କୁକୁର ପରି ଧାଇଁଛି ସମାଜର ଚାହାଣି । ଆଜି ବି । ଆଜିର ଖବରକାଗଜରେ କିଛି ବାହାରିଛି । ତା’ଛଡ଼ା,–ହେଡ୍‍ମିଷ୍ଟ୍ରେସ୍ କର୍ତ୍ତୃପକ୍ଷଙ୍କଠୁ ପୁଣି ଗୋଟିଏ ଦରଖାସ୍ତ ପାଇଛନ୍ତି ଇନ୍‍କ୍ୱାଇରି କରି ଲେଖିବାକୁ । ଏହି ହେଲା ନବମ ଦରଖାସ୍ତ । ନାଁ ଲୁଚେଇ ହୁଏ ତ ନାମୀ ଲୋକେ କେହି ଦରଖାସ୍ତ କରିଛନ୍ତି,–‘‘ଶ୍ରୀମତୀ ସତୀ ଦେବୀ, ଶିକ୍ଷୟିତ୍ରୀ ହେବାକୁ ତାଙ୍କର ଚରିତ୍ର ନିରାପଦ ତ ? ନା ଖାଲି ଏମ୍.ଏ. ପାଶ କରିଛନ୍ତି ବୋଲି ? ଦେଶର ଯେଉଁମାନେ ଭବିଷ୍ୟତର ଜନନୀ ହେବେ ବାଳିକା ସ୍କୁଲର କୋମଳମତୀ ଛାତ୍ରୀଗୁଡ଼ିକ–ଅବିବାହିତା ଅକୁମାରୀ ଶ୍ରୀମତୀ ସତୀ ଦେବୀଙ୍କ ବ୍ୟକ୍ତିଗତ ଜୀବନର ଛାଞ୍ଚ କେଉଁ ପରିମାଣରେ ସେମାନଙ୍କ ପାଇଁ ଆଦର୍ଶ-? ଶୀଘ୍ର ତାଙ୍କୁ ଏଠୁ ବିଦାକଲେ କ୍ଷତି ଅଛି କାହାରି ?’’

 

ୟା ପରେ ?

 

ପାପୁଲିର ସଣ୍ଡୁଆସିରେ କପାଳକୁ ଚାପି ଧରି ଟାଙ୍କି ଟାଙ୍କି ଆଖିବୁଜି ସତୀ ଭାବିଲାଗିଲା । କେଡ଼େ ତୁନିତାନି ଦିନ ଦି’ ପହର !

 

ପାଖ ଗାଧୁଆଘରୁ କଳରୁ ପାଣି ବୋହି ଯାଉଥିବାର ଶବ୍ଦ ଶୁଭୁଛି । ଏ ଶବ୍ଦ ତା’ର ମନକୁ ସହେ ନାହିଁ, ବିଶେଷତଃ ଏଇ ନିଛାଟିଆରେ ଯେତେବେଳେ ତାକୁ ଆଉ ପ୍ରକାରେ ଲାଗେ, ଚିନ୍ତାର ଖିଅକୁ ଲମ୍ବେଇ ଓଟାରି ସିଧା କରୁ କରୁ ହୁଗୁଳା ହୋଇ ସେଗୁଡ଼ିକ ଭାସି ଚାଲିଯାଏ, ମୋଡ଼ି ମୋଡ଼ିକିଆ ମେଘର ବାମ୍ଫ ପରି । ଚିତ୍ତ ଦୋହଲି ଉଠେ । ଲାଗେ ସଂସାରର ଚଳନ୍ତି ବ୍ୟବହାର ସଙ୍ଗେ ତା’ର ସମ୍ବନ୍ଧ ଗୋଟାଏ ସରୁ ଡୋରରେ ଅଟକିଛି, କଟିଗଲେ ସେ ହୁଅନ୍ତା ବଦ୍ଧ ପାଗଳ । ସେହି ପାଣି ବୋହିଯିବା ଶବ୍ଦ ଶୁଣୁଛି । ଉଠିଯାଇ ବନ୍ଦକରି ଆସି ହେଉନାହିଁ । ଗୋଡ଼ ଉଠୁ ନାହିଁ । କଳ୍ପନା ଧାଇଁଛି ଲଗାମଛିଣ୍ଡା ଘୋଡ଼ାପରି ।

 

ଗୋଟାଏ ଅଛି ସହଜ ଉପାୟ, ଆଦିମ ଉପାୟ, ଯେଉଁଥିରେ ପାର ପାଇହେବ,–ସତୀ ଭାବିଲା । ଏହି ଭାବନାଟା କବାଟକିଳା ଘରେ ଆଉ ବି କେତେଥର ଆସିଛି,–ଉଦୁଉଦିଆ ଦିପହରେ ଠିକ୍ ବର୍ତ୍ତମାନ ଯେମିତି,–କେଡ଼େ ଶୂନ୍‍ଶାନ୍, ସଞ୍ଜପହରେ ଦୂରର ନଈ ଆଡ଼କୁ ଚାହିଁ ଝରକା ବାଟେ ଆସନ୍ତା ଅନ୍ଧାରର ଦୃଶ୍ୟ ଦେଖୁ ଦେଖୁ କେତେଥର ଆପଣା ଭିତରୁ ଡାକିଛି ଦୁଃଖର ବନ୍ଧୁ ଅବସାନ ।

 

କହେ ସେତିକି–ଏଇ ତୋର ଭୁଲ୍ ଭ୍ରାନ୍ତିର ଅଡ଼ୁଆ ସୂତା ନଟି, ସଜାଡ଼ି ଦେବି ସବୁ ମୁଁ । ଏଇ ତୋର ଘୋଳି ହେଲା ଘାଉଡ଼ା ଜୀବନ, ମାଡ଼ର ନୋଳା ଚିଆଁର ପୋଡ଼ାଦାଗ, ବ୍ୟର୍ଥତାର ହାକୁହାକୁ,–ସବୁ ନିଭିଯିବ ।

 

ଅସ୍ୱାଭାବିକ ହୋଇ ଉଠିଲା ସତୀର ମୁହଁ ଆଖିର ଠାଣି । ଦିଶୁଛି–ହାତ ପାହାନ୍ତିରେ ତ-!

 

ବେଶୀଦିନ ନୁହେଁ ସେହିବାଟେ ଗଲା ତା’ର ଛାତ୍ରୀବନ୍ଧୁ ନିତମ୍ବିନୀ । ନିତମ୍ବିନୀ ତାକୁ ଭଲ ପାଉଥିଲା । ତା’ର ଅନାବିଳ ସ୍ନେହରେ ଥିଲା ଗୋଟାଏ ମଧୁରତା, ଗୋଟାଏ ସରଳ ନିଷ୍କପଟ ମମତା, ଯାହା ସତୀର ଅଭିଜ୍ଞ ମନକୁ ଥିଲା ନୂଆ ସ୍ପର୍ଶ ।

 

ସ୍ୱାଭାବିକତାର ମାନଦଣ୍ଡ ସହିତ ସଂପର୍କ ଯେପରିକି ଛିଣ୍ଡୁଥିଲା ପରି କଟ କଟ ଡାକିଲାଣି ସତୀର ମନରେ, ଚେତନାରେ ନୂଆ ଅନୁଭୂତି, ମନର ଦିଗ ସ୍ୱତନ୍ତ୍ର । ମଝିରୁ ଦୁଇଭାଗ ହୋଇଥିବା ତା’ର ନୁଖୁରା ଝାମ୍ପୁରା ବାଳକୁ ଗୋଟାଏ ଝାଙ୍କରେ ଦୋହଲେଇ ଦେଇ ବେକ ଭାଙ୍ଗି ତେର୍ଚ୍ଛା ହୋଇ ସତୀ ଅନେଇଁ ରହିଲାଣି ଝରକାବାଟେ ଦୂର ପୋଖରୀକୁ । ଗୋଟିକିଆ ଖଜୁରିଗଛ ସେ ପାଖେ ଝଲମଲ କରୁଛି ତା’ର ପାଣି ।

 

ସେଇଠି ତ– !

 

ନିତମ୍ବିନୀର ଶେଷ ନିଶ୍ୱାସରୁ କିଛି ଗୋଳିହୋଇ ରହିଥିବ ସେ ପାଣିରେ । ଆଉ ବାକି,–ଦି ଚାରିଟା ପାଣି ଭୁଟୁକା, ସେତିକି ।

 

ପର୍ବତ ଦେଶର ସହଜ ହସ ଓ ଜୀବନପ୍ରିୟତାରୁ କିଛି ଘେନି ନିତମ୍ବିନୀ ଏ ଦେଶକୁ ଆସିଥିଲା ବିଦେଶୀ ବିଦ୍ୟା ପଢ଼ି । ତା’ର ଆଖି ହସେ, ଓଠ ହସେ, ଚମ୍ପାକଢ଼ୀ ପରି ଲମ୍ବ ଲମ୍ବ ଗୋଜିଆ ଆଙ୍ଗୁଠିର ପଗ, ସେ ବି ହସିଉଠେ । ମହକି ଉଠେ ତା’ର ନିଶ୍ୱାସ, ତା’ର ସୁନ୍ଦର ଦେହର ତେଜ ଝଟକେ ।

 

କେବେ ଅଲକ୍ଷ୍ୟରେ ପବନରେ ଉଡ଼ିଆସିଲା ପରାଗ, ବଣଦେଶର ଫୁଲ ଗଢ଼ିଲା ନାରୀପଣର ଶ୍ରେଷ୍ଠ କଳା ।

 

ନିତମ୍ବିନୀ ମା ହେବାକୁ ଚାଲିଲା ।

 

ସଙ୍ଗେ ସଙ୍ଗେ ଜନସାଧାରଣର ଯୌନ-ଈର୍ଷାର ଆଦିମ କୋଳାହଳ, ସମାଜ ଚାହେଁ ନିତମ୍ବିନୀର ମାଂସକୁ ନଖରେ ଛିଣ୍ଡେଇବାକୁ । କିନ୍ତୁ କେହି ପାରିଲେ ନାହିଁ ।

 

ସତୀ ତା’ର ଉଗ୍ର କଳ୍ପନାରେ ଦେଖୁଛି ଯେପରି–ଖଜୁରୀ ଗଛ ମୂଳେ ନିତମ୍ବିନୀ ଠିଆହୋଇଛି । ହସି ହସି ତା’ର ପାହାଡ଼ ଦେଶର ଭାଷାରେ ଗୁଲୁରୁ ଗୁଲୁରୁ କରି କହୁଛି–

 

‘‘ଆମକେ ନାଇଁ ପାରଲେ ଗୋ କେହେ ।

କେ ହେଲେ କାଣା କରସନ୍ ?

ମନକେ ରସି ନାଇଁ ବାଁଧିପାରେ ଗା,

ନାଇଁ ବାଁଧି ପାରେ ।’’

ସେହି ବାଟେ ଯିବେ ସେ ?

ସତୀ ଚାହିଁ ରହିଛି, ଆଖିଦିଟା ଫାଡ଼ି ହେଲାପରି ।

କିଛି ଦେଖିପାରୁନାହିଁ ।

ମୃତ୍ୟୁ !

ଇସ୍ ! ଦେହ ଶୀତେଇ ଉଠୁଛି । ବେଁଶିରା ହାଡ଼ ତଳେ ତଳେ ଯେପରିକି କାକର ପାଣି ଝରୁଛି । ଚାରିଆଡ଼ୁ ଝରି ଝରି ଆସି ହୃତ୍‍ପିଣ୍ଡ ଉପରେ ଜମା ହେଉଛି । ଦବି ଦବି ଯାଉଛି ଛାତି । ନ ଦେଖିଲା ଆଖି ଆଗରେ କଳ୍ପନାରେ ଦିଶୁଛି ପଖିଲଗା ଅନ୍ଧାର ଉଡ଼ି ଚାଲିଛି ଶୂନ୍‍ଶାନ୍ ଟାଙ୍ଗର ଉପରେ । ଲଣ୍ଡା ଟାଙ୍ଗି, ଫାଙ୍କା, ହାଉଁ ହାଉଁଆଁ, ନିର୍ଜ୍ଜନ । ତାହାରି ଗୋଟାଏ କଣରେ ଯେପରିକି ତା’ର ଗୋଟିକିଆ କୁଡ଼ିଆ, ସଂଖୋଳିବାକୁ ଗୋଟାଏ ପୋଖରୀ, ସେ ସଞ୍ଜେ ସକାଳେ ଜଳ ଜଳ ହୋଇ ଚାହେଁ । ଆଉ ଅଜଣା କେଉଁ ପାଦଶବ୍ଦ, ସବୁବେଳେ ଶୁଭେ ପାଖେଇ ଆସୁଛି, ଆସେ ନାହିଁ-

ସେହି ପୋଖରୀରେ ଭାସି ଉଠୁଛି ନିତମ୍ବିନୀର ଶବ । ନିତମ୍ବିନୀ ନୁହେଁ, ଗୋଟାଏ କଦାକାର ଆଶ୍ଳୀଳତା ।

ମୃତ୍ୟୁ ! ଇସ୍ !

କ’ଣ ହୋଇଯାଉଛି ତା’ର ! ବନ୍ଧାଗତରେ ମୁହଁମାଡ଼ି ବାସ୍ତବତାକୁ ଟାଣ ମୁଠାରେ ଧରି ପ୍ରକୃତିସ୍ଥ ହୋଇ ଯେଉଁ ମଣିଷ ଦଳ ତା’ର ବ୍ୟବସାୟାତ୍ମିକା ଜୀବନଯାତ୍ରା ଚଳେଇ ନିଏ ସତୀର ମନ ସେ ଦଳରୁ ଫିଟିଯାଉଛି । ସତୀ ଅନୁଭବ କଲା, ଇଚ୍ଛାଶକ୍ତିର ତଳିତଳାନ୍ତି ଏକାଠି କରି ଭାବିଲା, ଏ କ’ଣ ହେଉଛି ତା’ର ? ଟାଣ ହେବାକୁ ପଡ଼ିବ । ଜୀବନର ଏତେ ଧକ୍କା ଭିତରେ ଟାଣ ହୋଇ ହୋଇ ତ ସେ ଜୀଇ ରହିଛି । ନ ହେଲେ ଜୀବନ ଅଛି,–ସେହି ବଡ଼ । ଯୌବନ ଅଛି, ରୂପ ଅଛି, ସ୍ୱାସ୍ଥ୍ୟ ଅଛି । ସେହି ବଡ଼ । ଟାଣ ହେବାକୁ ପଡ଼ିବ, ଅସଂଶ୍ଳିଷ୍ଟ ମନକୁ ଗୁନ୍ଥି ରଖିବାକୁ ପଡ଼ିବ ବିଚାର ଶକ୍ତିରେ । ସେ ଶିକ୍ଷିତା ଝିଅ, ଏମ୍.ଏ. ପାଶ୍ । ନିଜେ ରୋଜଗାର କରୁଛି, ରୋଜାଗାର କରି ପାରିବ । ସାମ୍ନାରେ ଜୀବନ ପଡ଼ିଛି, ଅଛି କେତେ ଆଶା, କେତେ ଭୋଗ । ଅତୀତକୁ ଉଢ଼ୁଆଳରେ ରଖି ଉଠୁ କାନ୍ଥ । ଯାଉ ଗଲା କଥା । ହେବ ନାହିଁ ? ସ୍କୁଲ୍ ଚାକିରିଟା,–ଯାଉ ସେ କଟି, ନିଜେ ଉପରେ ପଡ଼ି ସେ ଇସ୍ତଫା ଦେଇ ଆସିପାରେ । ଦରକାର ନାହିଁ କାହାର ଦୟାର ବୋଝ ବୋହିବା-। ‘ଏତେ ଯଦି ସନ୍ଦେହ ଏତେ ଥର ଯଦି ଇନ୍‍କ୍ୱାଇରି ରଖନ୍ତୁ ଆପଣମାନେ ପବିତ୍ର ଲୋକ ବାଛି ବାଛି । ଅହଲ୍ୟା ଦ୍ରୌପଦୀ କୁନ୍ତୀ ତାରା ମନ୍ଦୋଦରୀ ଯାହାକୁ ପାରି ତାକୁ । ନମସ୍କାର-।’

 

କାହାକୁ ଅଭିମାନ ? ମରିବ କାହାପାଇଁ ? ସଂସାରର ନିଷ୍ଠୁରତା ତେନ୍ତୁଳିଛାଟରେ ପିଟିପିଟି ସବୁ ସକ ଝଡ଼େଇଦିଏ । ସ୍ୱାର୍ଥପର ଦୁନିଆଁ । ପଇସାକର ଭିକ ଦେଇ ଟଙ୍କାକର ସୁଧ ଚାହେଁ ଅନ୍ୟ ବାଟରେ । ଯେଉଁମାନେ ନୀତିକଥା କହନ୍ତି ସେହିମାନେହିଁ ଇଙ୍ଗିତ ଦେଇ ଆଗେଇ ଆସନ୍ତି ଆଗ, ଖାଇ ସାରି ହାକୁଟି ମାରିଦେଇ ଗାଳି ଦେଇ ନୀତିର ବଡ଼େଇ କରି ଚାଲି ଯାଆନ୍ତି ବାଟେ ବାଟେ । ତାଙ୍କରି କଥାକୁ ମରିବ ?

 

ଦୁନିଆଁ ଏ ତ୍ୟାଗର ମହତ୍ତ୍ୱ ବୁଝି ନାହିଁ କେବେ, ବୁଝିବ ବି ନାହିଁ । ମରିଛନ୍ତି ଅନେକେ, ଭାବିଛନ୍ତି ଜଗତ କାଳେ ବୁଝିବ ତାଙ୍କ ମହାପ୍ରଣାର ବ୍ୟଥାତୁର ଅଭିମାନ, କାଳେ ଧରିତ୍ରୀ ଉଦ୍‍ବୁଦ୍ଧ ହେବ ତାଙ୍କ ରକ୍ତରେ ସ୍ନାନ କରି ।

 

ମରି ଭୁଲି ହୋଇଛନ୍ତି ।

 

ଗୋବିରୁ ସାହାରାଯାକେ । ଇତିହାସର ଅନ୍ଧାର ତଳେ ତଳେ କେତେଠିଁ ଜିକି ଜିକି ହୋଇ ମିଞ୍ଜି ମିଞ୍ଜି ଦିଶୁଛି ତାଙ୍କର କଙ୍କାଳ ।

 

ଦୁନିଆ ଭୁଲିଛି ।

 

କାହାର କ’ଣ ଯାଇଛି ?

 

ସତୀ ଉଠିପଡ଼ିଲା । ପାଣିକଳର ମୁହଁଟା ବନ୍ଦ କରି ଦେଇ ଆସିଲା । ଦୁଇଟା ବାଜିଛି । ସୁସ୍ଥରେ ନିଦ ପାଇଁ ମିଳିବ ଅନ୍ତତଃ ଦି’ଘଣ୍ଟା ।

 

ସ୍କୁଲ୍ ଚାକିରିଟା । ଇଚ୍ଛା କଲେ ଆଉ ଉପଦ୍ରବ ପଡ଼ନ୍ତା ନାହିଁ । ଚାରିଜଣ କର୍ତ୍ତା ଚାହାନ୍ତି ଟିକିଏ ମିଠା କଥା, ଟିକିଏ ସ୍ୱୀକାର ଏବଂ–ଟିକିଏ ସାନ୍ନିଧ୍ୟ । ସେମାନଙ୍କ ପାଖକୁ ଯାଇପାରି ଥିଲେ କେବେ କେବେ–କଥାଟା ବୋଧେ ଭିନ୍ନ ପ୍ରକାର ହୋଇଥାଆନ୍ତା ।

 

ଚକ୍ରଧର ବାବୁ, ସ୍କୁଲ୍‍ର ମୁଳଦୁଆ ପଡ଼ିବାରେ ସାହାଯ୍ୟ କରିଥିଲା ତାଙ୍କରି ଅନର୍ଜିତ ପୈତୃକ ପୁଞ୍ଜିରୁ କିଛି । ନାମୀ ଲୋକ । ସେ ସ୍କୁଲ୍‍ର ନୈତିକ ସ୍ୱାସ୍ଥ୍ୟ ବିଷୟରେ ସବୁଠୁ ଅଧିକ ସଚେଷ୍ଟ । ସେତ ସ୍ପଷ୍ଟ ଇଙ୍ଗିତ ଦେଇଛନ୍ତି,–‘‘ଆପଣ ଆସିବେ । ଆଲେଚନା ନ ହେଲେ ଆପଣ କେମିତି ବୁଝିବେ ଯେ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟ କ’ଣ ? ନାନା,–ମୋର ସମୟ ନଷ୍ଟ ହେବ ବୋଲି କହନ୍ତୁ ନାହିଁ, ସନ୍ଧ୍ୟାପରେ ମୋର ପ୍ରଚୁର ସମୟ ଥାଏ । ମୁଁ ସେତେବେଳେ କିଛି ଧର୍ମଗ୍ରନ୍ଥ ଆଲୋଚନା କରେଁ । ମୁଁ ସବୁବେଳେ ସମସ୍ତିଙ୍କଠୁଁ ଶିଖିବାକୁ ପ୍ରସ୍ତୁତ । ଆପଣ ନିର୍ଦ୍ୱନ୍ଦ୍ୱରେ ମତେ ଆପଣଙ୍କ ଛାତ୍ର କରିପାରନ୍ତି । ଆସିବେ ତା’ହେଲେ ?’’

ଯାଇ ପାରି ନାହିଁ ।

ଚକ୍ରଧରବାବୁ ! ହସ ମାଡ଼େ । କି ଆଗ୍ରହ !

ସେ ଆଗେ କୁସ୍ତି କରୁଥିଲେ କହନ୍ତି । ଦେହରେ ବଳ ଅଛି । କେତେ ବଳ ଅଛି, ବର୍ତ୍ତମାନ ସୁଦ୍ଧା ସେ କ’ଣ କରିପାରନ୍ତି । ସେ କଥା ବୁଝାଇବାକୁ ବ୍ୟାକୁଳ ।

‘‘ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପ୍ରୟୋଜନ । ସ୍ତ୍ରୀଲୋକ ମଧ୍ୟ ବ୍ୟାୟାମ କରିପାରନ୍ତି । ଦେଖନ୍ତୁ ସାହେବମାନଙ୍କୁ । ବ୍ୟାୟାମ କରିଥିଲି ବୋଲି ସିନା !

ବର୍ତ୍ତମାନ ବି ବାଡ଼ି ଖଣ୍ଡିଏ ଧରିଲେ ଶହେ ଲୋକଙ୍କୁ ରୋକି ଦେବି ।

ଏଇ ଦେଖନ୍ତୁ ପଂଝା–ଦୁଇ ହାତରେ ମୋଡ଼ନ୍ତୁ ।

ବାହାଟା ଚିପି ଦେଖନ୍ତୁ ।

କେମିତି ? ଟାଣ ନୁହେଁ ?

ମତେ ବୟସ ହେଲାଣି ଚଉବନ୍, ଆସୁ ଦେଖିବା ପଚିଶି ବର୍ଷର ଭେଣ୍ଡା ।

ବୟସରେ କ’ଣ ଥାଏ ? ଅସଲ ଶକ୍ତି ।’’

ଯାଉ ଏ ଚାକିରିଟା । ଗୋଟାଏ ବନ୍ଧନ । ଗୁରୁପଣ ଆଉ ସେ, ଆରେଇ ନାହିଁ କେବେ । ଚାକିରି କରିଥିଲା ଗୋଟାଏ ବନ୍ଧନରୁ ମୁକ୍ତି ପାଇବା ପାଇଁ, ସ୍ୱାଧୀନ ରହି ଜୀବନକୁ ଉପଭୋଗ କରିବା ପାଇଁ । କୌଣସିଟା ଘଟି ନାହିଁ ।

ଚାକିରିଟା ଗଲେ ହୁଏତ ଆର ବନ୍ଧନଟା ହୋ-ହୋ ହସି ଉଠିବ, ରାସ୍ତାଏ ରାସ୍ତାଏ ତାରି ପଛେ ପଛେ ଲାଙ୍ଗୁଡ଼ ପରି ଯେ ଗାଈ ପଛରେ ବାଛୁରୀ ପରି ବୁଲୁଥାଏ, ଆଗ ମୋଡ଼ିଲେ ପଛ ମୋଡ଼ିହୁଏ, ଚାହେଁ ତା’ର ଛାଇ ହୋଇ ରହିଥିବ, ଯାଚି ଯାଚି ଅଜାଡ଼ି ଦେବ ସବୁ ଯାହା ଅଛି ତା’ଠିଁ-। କେବେ ସେ ଥିଲା ସତୀର ଗର୍ବ, ଆଜି ତା’ର ଉପହାସର ହେତୁ ।

ମଣିଷ କାଲୁବାଲୁ ବଡ଼ ସହରର ରାସ୍ତାଏ ରାସ୍ତାଏ । ଜଣକା ପିଛା ଜଣେ-ଛୁଏଁ ନଛୁଏଁ ।

ଦମ୍ଭ ଆଶ୍ରା ନୁହେଁ, ମୂର୍ତ୍ତିମାନ୍ ମୋହ ଗୋଟାଏ । ସେ ବୟସ୍କ, ଦୁର୍ବଳ ଓ ଆଶ୍ରିତ । ତା’ର ମୁଖାପରି ମୁହଁ ଉପରେ, ଯେଉଁଠି ଆଖିତଳେ ମାଂସପେଶୀ ଶିଥିଳ ହୋଇଛି, ଗାଲ ଝୁଲି ପଡ଼ିଛି, ସାନ ସାନ ନେଳିଚା ଆଖି ଦୋଓଟି ନୀରବରେ ମିଟି ମିଟି କରେ, ମଉନ ହୋଇ କହେ ଯେପରି-‘‘ମତେ ଛାଡ଼ି ଯିବୁନାହିଁ ତ ସତୀ ?’’ ମୁକ୍ତାମାଳା ଧରି ରଖିବାକୁ ଚାହେଁ ବାନର, ନ ପିନ୍ଧୁ ପଛେ, ଖାଲି ଗଡ଼େଇ ତଡ଼େଇ ଦେଖୁଥିଲେ ସେ ଖୁସି ।

ସ୍କୁଲ ଚାକିରିଟା ଗଲେ ସାନପିଲା ପରି କୁଦା ମାରି କୋଦା ହାତରେ ତା’ର ସାନ ପାପୁଲିରେ ତାଳି ମାରି ହୁଏତ ସେ କହିବ-‘‘ଏଥର ଆଉ ଆମକୁ ଅଲଗା କରେ କାହାର ସାଧ୍ୟ ? ଭାରି ଭଲ ହେଲା ସତୀ । ଚାଲ ଆମର ଯିବା କୁଆଡ଼େ । ବମ୍ବାଇ ? ଦକ୍ଷିଣ ? ଦାର୍ଜିଲଂ ? ନ ହେଲେ ଚାଲ ଆମର ଏ ଗଡ଼ଜାତ ବୁଲି ଆସିବା ।

 

କେଉଁଠି ପର୍ବତତଳେ ଜଙ୍ଗଲ ମଝିରେ ଥିବ ଖଣ୍ଡିଏ ସାନ ପଲ୍ଲୀ । ସେଠି ଗୋଟିଏ ସାନ କୁଡ଼ିଆରେ ରହିଯାଉଁ ଆଲୁଅ ପକ୍ଷଟାଏ । ଝରଣାର ପାଣି ପିଇବା, ବଣର ମହୁ ଖାଇବା । ମୁଁ ବଜୋଉଥିବି ବେହେଲା, ତୁମେ ଗାଉଥିବ ଗୀତ । ବଣର ଚଢ଼େଇ ବେକ ଲମ୍ବେଇ ଗୀତର ପାଳି ଧରିବେ । ବଣଲଟାରୁ ଝଡ଼ୁଥିବ ଫୁଲ ଗଦା ଗଦା । ଖେଳିବା ସତେ ସତେ ସିନେମାର ଖେଳ । ଯିବ ତୁମେ ?’’ ଗଦ୍‍ଗଦ ହୋଇ ଶସ୍ତା କବିତା ପରି ଭାଷାରେ ଶିଥିଳ ମୋହ ଜଣାଏଁ ।

 

ସତେ ଯେପରି ଶସ୍ତା ଅତର, ଯୂଈ-ତେଲ ।

 

ନିଆଁ ବୃଷ୍ଟି କରି ଜାଣେ, ଜାଣେ ନାହିଁ ବରଷା କରି ।

 

ସେ ସତୀର ସମସ୍ୟା ।

 

ଚାକିରି ଛାଡ଼ିଲେ ସେ ଛାତିରେ ମାଡ଼ି ବସିବ ।

 

ଗଦାଏ ବାସି ଚମ୍ପାଫୁଲ ।

 

ପୁଣି ମୁଣ୍ଡକୁ ପାଗଳା ଧରିଛି । ସାଧାରଣପଣରୁ ସେ ଓଟାରି ହୋଇ ଚାଲି ଯାଉଛି ଅସାଧାରଣକୁ । ଦେହ ଭିତରେ ଅସ୍ୱାଭାବିକ ତାତି । ସତୀ ଗୋଡ଼ହାତ ଛାଟି ଲୁଗାପଟା ହୁଗାଳି ଦେଇ ଫୋପାଡ଼ି ଦେଲା । କେଡ଼େ ଭଲ ଲାଗେ, ପିଲାଦିନର ଖିଆଲ୍ । ନିଜକୁ ମାପି ଦେଖୁଛି ନିଜ ମାପରେ । କବାଟ ବନ୍ଦ । କେହି ନାହିଁ । ଠିଆ ହେଲା ଯାଇ ବଡ଼ ଦର୍ପଣ ସାମ୍ନାରେ । ସତୀର ଆଖିରେ ଆପଣାକୁ ଚାହିଁ ଶୋଷର ଚାହାଣି ।

 

ଏଇ ତା’ର ଦେହ । ସେ ସୁନ୍ଦର ।

 

ଚମ୍ପାଫୁଲ ପରି ଗୋରା । ତେର୍ଚ୍ଛା ଖରାଧାସରେ ଦିଶୁଛି ଜୀଅନ୍ତା ଦେହର ତେଜ । ଡେଙ୍ଗା ନୁହେଁ କି ବାଙ୍ଗର ନୁହେଁ । ଦମ୍ଭ ଅଣ୍ଟା । ଗୋଲଗାଲ ପୂରିଲା ପୂରିଲା । ତଳୁ ଉପରଯାଏ ନିଖୁଣ ସମ । ଗୋଟାଏ ପ୍ରବାହ, ଗୋଟାଏ ରାଗିଣୀ । ପୂର୍ଣ୍ଣ ଦେହରେ ମାଂସର ସମ୍ପଦ ।

 

ଆସ୍ତେ ଆଉଁସି ଆଣିଲା, ଗଡ଼େଇ ଆଣିଲା ପାପୁଲି ଚିପି ଚିପି, ରହି ରହି । ପଦ୍ମ ପାଖୁଡ଼ାପରି ଥରି ଉଠୁଛି ତା’ର ଓଠ । ଖାଡ଼ି ମଲ୍ଲୀପରି ଲମ୍ବ ଧଳା ଦାନ୍ତ ନୀରବରେ ହସ ବିଞ୍ଚି ଦେଉଛି ।

 

ମାଂସର ବର୍ତ୍ତୁଳତାର ପରିଧି ଚାରିପାଖରେ ପାପୁଲି ଅଟକି ଯାଇ ସ୍ନାୟୁର ସ୍ପନ୍ଦନ ଅନୁଭବ କରୁଛି । ଆସ୍ତେ ଗଡ଼ି ଆସୁଛି ଗଡ଼ାଣିରେ । ଛାତିରେ ଲମ୍ବିଛି ଆଂଶକଟା କାରୁକାର୍ଯ୍ୟର ତିନିସରିଆ ସୁନାହାର, ମଝିରେ ପାନପତ୍ର ପରି ନେଳି ପଥରର ପଦକ । ଦୁଇପାଖେ ଦୁଇ ଧାର ହୋଇ ବେଣୀ ଲମ୍ବି ଆସିଛି । ଏଇ ତା’ର ଦେହ ।

 

ବିଧାତାର ଶ୍ରେଷ୍ଠତମ ସୃଷ୍ଟି,–ଏଇ ଦେହ, ସତୀ ଭାବୁଥିଲା,–ଏବଂ ସୁନ୍ଦର ସ୍ଥାପତ୍ୟରୁ ହୃଦୟମନ୍ଥା ରାଗିଣୀ କରି ତାକୁ ପ୍ରକାଶିବାକୁ ଅନ୍ତରରେ କାମନା । ଅନ୍ତରରେ କାମନା, ସେ ଖାଲି ମାଟିର ଦୀପାଳିରେ ଦୀପଶଳିତା ନୁହେଁ–ଯାହାର ଧାସରେ ବାହାରର ଚର୍ମ ଜିକି ଜିକି କରେ, ଯାହାର ତାତିରେ ଖେଳେ ଦେହ ଚାରିପାଖେ ଅଦୃଶ୍ୟରେ ଜୀବନର ଉଷ୍ଣତା । ସେହି ପୁଣି ନିଭୃତର ସଙ୍ଗୀତ ଓ ସୁବାସ; ଯନ୍ତ୍ର ଉପରେ ସ୍ୱପ୍ନର ମାୟା ମରୀଚିକା । ଅଥଚ ପ୍ରାଜ୍ଞର ବିବେଚନାରେ ଉଭୟେହିଁ ହୀନ,–ଦେହ ଓ କାମନା । ଦେହ କ୍ଷଣଭଙ୍ଗୁର ବୋଲି, ରୋଗ-ଜର୍ଜର ବୋଲି, କାମନା ଅତୃପ୍ତ ଓ ଅଶାନ୍ତ ବୋଲି !

 

ସଂସାରୀ ଲୋକର ବିବେଚନାହିଁ ଏହିପରି,–ଭାବୁଥିଲା ସତୀ, ସେ ବିବେଚନାରେ ଯେ ଜିତେ ସେ ଭଲ, ତାହାରି ଜୟଜୟକାର, ଯେ ଅଳସ ସେ ଅଭିଜାତ । ଦେହ ଜିତେ ନାହିଁ, କାମନା ଜିତେ ନାହିଁ, ତେଣୁ ସେ ଘୃଣ୍ୟ । ଆଉ ନିଜେ ସେ, ସତୀ,–ସେ ଯଦି ଜିତିଥାନ୍ତା,–ତା’ର ସମସ୍ୟାହିଁ ନ ଥାନ୍ତା । ଯଦି ଆଳସ୍ୟରେ ଜୀବନ ବିତେଇ ଦେବାର ସୌଭାଗ୍ୟ ତା’ର ଥାଆନ୍ତା, ତା’ର ନାମ ହୋଇଥାନ୍ତା ଗୃହଲକ୍ଷ୍ମୀ, ରାଜଲକ୍ଷ୍ମୀ, ଲକ୍ଷ୍ମୀ–ଅଲକ୍ଷଣୀ ନୁହେଁ ।

 

ଯାହା ଦୁର୍ବଳ, ଯାହା ରୁଗ୍‍ଣ, ଯାହା ଅଳ୍ପାୟୁଷ ସବୁ ଆହା ବିଚରା ! ଅଳ୍ପକେ ଝଡ଼ିପଡ଼େ-! ସେ କ’ଣ ତାହାରି ଦୋଷ ? ଝଡ଼ିପଡ଼ିବା, ପଚିବା, ସବୁ ହଜେଇ ହେବା ମାଟି, ଅନାମିକା ମାଟି,-କେବଳ ମାଟି !

 

ସେ କ’ଣ ତାହାରି ଦୋଷ ?

 

ଦୀର୍ଘଶ୍ୟାସ ସଙ୍ଗେ ସଙ୍ଗେ ଗୋଟାଏ ବ୍ୟସ୍ତତାର ଢେଉ ଖେଳିଗଲା ସତୀର ଚିତ୍‍ହୋଇ ଖଟରେ ପଡ଼ିଥିବା ଦେହ ଉପରେ । ପ୍ରାଣ ଭିତରେ ଗୋଟାଏ ହାହାକାରର ମର୍ମର–ସେ କ’ଣ ତାହାରି ଦୋଷ ? ଯେ କ୍ଷଣଭଙ୍ଗୁର, ଯେ ଦୁର୍ବଳ, ଯେ ମରମଭାବରେ କଅଁଳ ହୋଇ ହିସାବର ପଥ ହୁଡ଼ି ମୋଟା ପେଟା ଜନ୍ତୁ–ଯୁଦ୍ଧରେ ହାରି ଭୂଇଁରେ ଲୋଟିପଡ଼େ ଗୋଠର ପାଦତଳେ ମନ୍ଥି ଚକଟି ହେବାକୁ, ସେ କ’ଣ ତାହାରି ଦୋଷ !

 

ବେକ ମୋଡ଼ି ମୁହଁର ଫାଳେ ବିଛଣାରେ ଲୁଚେଇ ସତୀ ସ୍ଥିରହୋଇ ପଡ଼ି ରହିଲା । ମୁଣ୍ଡର ବାଳ ଗହଳ ହୋଇ ବିଛେଇ ହୋଇ ପଡ଼ିଛି । ନିଦ ଆସୁନାହିଁ; କିନ୍ତୁ ଚିଆଁ ପରିସ୍ଥିତି ତାକୁ ସ୍ପର୍ଶହିଁ କରୁନାହିଁ । ତା’ର ଆପଣାର ଚେତନାରେ ଯୁକ୍ତି ଉଠୁଛି, ଯୁକ୍ତି କଟିଯାଉଛି, ଅନୁଭୂତିର ପ୍ରମାଣରେ, ବିଶ୍ୱାସରେ ।

 

ପ୍ରାଜ୍ଞ କହନ୍ତି, ଶାସ୍ତ୍ର କହେ, ଅମୁକ ପଣ୍ଡିତ କହେ, ଏପରି କହେ ବିଲାତର ଦାର୍ଶନିକ, ସେପରି କହେ ଜର୍ମାନିର କବି, ଆଉ ଭାରତର ଶାସ୍ତ୍ରକାରମାନେ, ସେମାନେ ବି କହିଛନ୍ତି ନାନାପ୍ରକାର । କିନ୍ତୁ ଜଣକର ଅନଭୂତିର କଥା କି ବୁଝିବ ଆଉ ଜଣେ ? ଜଣକର ନୀରବ ବିଶ୍ୱାସ କେତେ ଅଂଶରେ ସ୍ପର୍ଶ କରିବ ଆଉ ଜଣକୁ ? କହିଛନ୍ତି ଲୋକେ, କିଏ ବୁଝିଆସିଛ ? ଭାବର ଅନୁବାଦ ନାହିଁ ଭାଷା କେବଳ ଭାରବାହୀ ପଶୁ, ଜଣକର ଜୀବନ ଆଉ ଜଣକର ନୁହେଁ, ସମାଜର ସୂତ୍ର କେବଳ ଜଡ଼ ସଂସ୍ଥିତିର ଶିଂକୁଳି, କି ବୁଝିବ ତେବେ କିଏ ?

 

ସୂତ୍ରର ଯନ୍ତ୍ରରେ କ’ଣ ମଣିଷ ବୁଝିହୁଏ ? ଶିକ୍ଷାର ଯନ୍ତ୍ରରେ କ’ଣ ମଣିଷ ଗଢ଼ିହୁଏ ?

 

ଚଳନ୍ତି ସମାଜର ନିର୍ଦ୍ଦୟ ମାନଦଣ୍ଡ ତାକୁ ବୁଝିବାକୁ କେବେ ଚେଷ୍ଟା କରି ନାହିଁ,–କାହିଁ ତାଠିଁ ପାପ ?

 

ଆଖି ବୁଜିଲେ ହଜିଲା ସୂର୍ଯ୍ୟାସ୍ତର ସ୍ୱପ୍ନ କେତେ । କେତେ ଶିଶିର ଥପ ଥପ ଚୋରା ପାହାନ୍ତିର ଭାସିଲା ସ୍ମୃତି । ରାସ୍ତା କରରେ ଦେହ ଉପରକୁ ଲଟେଇ ଆସିଥିଲା କେଉଁ ଫୁଲନୁଆଁ ଭୀରୁ ଲତାର ଦୁର୍ବଳ ଡଙ୍କ, କଣ୍ଟାରେ ଆଞ୍ଚୁଡ଼ି ଝାଡ଼ିଦେଇଥିଲା ଝରା ପାଖୁଡ଼ା, କ୍ଷୀଣ ବାସ୍ନାର ପରଶ ବୋଳିଥିଲା, ମାତ୍ର ଅର୍ଦ୍ଧଦଣ୍ଡ ସ୍ଥାୟୀ । କେତେ ଆଲୁଅ, କେତେ ପବନ, କେତେ ଅନ୍ଧାର ବୁଣିଥିଲା ତା’ର ଜୀବନକୁ ସୂତାକୁ ସୂତା ଯୋଖି,–ସବୁ ମିଶି ସେ, ସତୀ, ଗୋଟିଏ ବିଶିଷ୍ଟ ସୃଷ୍ଟି, କ୍ଷତି କ’ଣ ?

 

ସେମାନେ ନାହାନ୍ତି । କ୍ଷତି କ’ଣ ? ଥିଲେ ତ !

 

କେତେଠି ପରଶ, କେତେଠି ପରାଶ ।

 

ମୁହୂର୍ତ୍ତକୁ ମୁହୂର୍ତ୍ତ ଝଲସି ଝଲସି ନିତି ପୁରୁଣା ମଣିଷ ସଂଜ୍ଞା ଉପରେ ନିତି ନୂଆ ବ୍ୟକ୍ତିତ୍ଵର ପ୍ରକାଶ ।

 

ଅଜଣା ଅତୀତରୁ ଜୀବନର ମଶାଲ ଛଡ଼େଇ ନେଇ ଅଶୁଣା ପ୍ରବଣତାରେ ଅଦେଖା ଭବିଷ୍ୟତକୁ ଗତି ପ୍ରାଣୀର ।

 

କାର୍ଯ୍ୟର ଫଳ, ପ୍ରଭାବର ପ୍ରକ୍ରିୟା ଓ ଦୈବର ନିର୍ଦ୍ଦେଶ ମିଶି ଗତିପଥ ବା କକ୍ଷ ।

 

ସବୁ ଏକାଠି ହେଲେ ଗୋଟାଏ ନାଁ–ସତୀ ।

 

ସେ କଳଙ୍କିନୀ !

 

କ’ଣ କରି ପାରିଥାନ୍ତା କି ପ୍ରକାରେ ?

 

କ’ଣ କରେ ପବନ ? କ’ଣ କରେ ଫୁଲ ? କ’ଣ କରେ ଶିମୁଳି ତୂଳା ଯେତେବେଳେ ତା’ର ଧଳା ଦେହର ବହର ଦେଖାଇ ଗଡ଼ି ଗଡ଼ି ଭାସି ଭାସି ସେ ଚାଲେ ପବନରେ, ଛୁଇଁ ଦେଇ ଉଡ଼ି ଚାଲିଯାଏ, ଦୁଇ ମୋଟା ଆଙ୍ଗୁଠିର ଫାଙ୍କରେ ପଶି, ଗାଲରେ ଆଉଁସି ଦେଇ, ଚୁଟିରେ ଘସି ହୋଇ, ଦେହରେ ଗୁରେଇ ହୋଇ । ଧରା ନ ଦେଲେ ଗାଳି ଖାଏ, ଫୋପଡ଼ ଖାଏ, ଧରା ଦେଲେ ଦଣ୍ଡକେ ହୁଏ ଆତ୍ମସାତ୍, ବୃତ୍ତିର ଇନ୍ଧନ ।

 

ଧରାଦେଲେ କେବଳ ଭୁକ୍ତାବଶେଷ ।

 

ଚୋବା ସରିଲେ ଖଡ଼ା ଚେପା ।

 

ସେତିକି ।

 

ତା’ର ଅପରାଧ ସେ ଧରା ଦେଇ ନାହିଁ, ପୋଷା ମାନିନାହିଁ, ସ୍ଵୀକାର କରି ନାହିଁ କାହାରିକି ତା’ର ପ୍ରଭୁ ବୋଲି ।

 

ତେଣୁ ଦୁନିଆଁ ତାକୁ କ୍ଷମା କରିନାହିଁ, ଗୁହାଳ ଘର ଖୁଣ୍ଟରେ ତାକୁ ଖଟେଇ ପାରିନାହିଁ ବୋଲି ।

ସଂସାରର ଆଉ ଦଶ ଜଣଙ୍କପରି ତା’ ପକ୍ଷରେ ବି ହୁଏତ ଉଚିତ ଥିଲା ତା’ର ବିଧି ନିର୍ଦ୍ଦିଷ୍ଟ କେଉଁ ଏକ ଖୁଣ୍ଟକୁ ଆଦରି ନେବା, ଆଖି ବୁଜି ପଘାର ଫାଶରେ ମୁଣ୍ଡ ଗଳେଇ ଦେବା । ଲୋକେ ହିପାଜିତ କରିଥାନ୍ତେ, ଦେଉନ୍ତୁ ପଛେ ପାଞ୍ଚଣ ବାଡ଼ିରେ କେବେ ଛାଟେ ଛାଟେ, ତଥାପି ସେହି ସ୍ଥାୟୀ ବନ୍ଧନରେ ତା’ର ମୂଲ କଷା ହୋଇଥାନ୍ତା, ବେପାରୀ ସମାଜ ହାଙ୍କିଥାନ୍ତା ତା’ର ଭାଉ-। ଭାତ ରାନ୍ଧି ବାସନ ମାଜି ସ୍ଵାମୀର ‘ସେବା କରି’ ପିଲା ଜନ୍ମକରି ପିଲା ପାଳି ପରିଶ୍ରମରେ ଚିନ୍ତାରେ ଧୀରେ ଧୀରେ କ୍ଷୟପାଇ ବାରମ୍ବାର ସନ୍ତାନ ଜନ୍ମ କରି ଜରାଜୀର୍ଣ୍ଣ ହୋଇ ଅକାଳରେ ଦେହ ଭାଙ୍ଗିପଡ଼ି କୌଣସି ଏକ ସାଧାରଣ ରୋଗ କବଳରେ ପଡ଼ି ଯେତେବେଳେ ସେ ‘ଅହ୍ୟ ରାଣୀ’ ହୋଇ ବୟୋଜ୍ୟେଷ୍ଠ ସ୍ଵାମୀର ଆଖି ଆଗରେ ସଂସାରରୁ ବିଦା ହୋଇଥାନ୍ତା, ସେତେବେଳେ ସେ ତା’ର କର୍ତ୍ତବ୍ୟର ପୁରସ୍କାର ସ୍ୱରୂପ ପାଇଥାନ୍ତା କାହା ଆଖିର ଲୁହ, କାହା ତୁଣ୍ଡର ପ୍ରଶଂସା, କାହାର ବର୍ଷେ ଛମାସର ସ୍ମରଣ, କାହାର ଅକାଳେ ସକାଳେ ଦୀର୍ଘଶ୍ଵାସ ଯାହା ତା’ର ବିସ୍ମୃତ ନିରୁଦ୍ଦେଶ ଆତ୍ମା ବୁଝୁ ନ ବୁଝୁ ଅନ୍ତତଃ ଘଟିଥାନ୍ତା ତାରି ଉଦ୍ଦେଶ୍ୟରେ ।

ଆଉ, ସମାଜରେ ପୁରୁଷେ ଦିପୁରୁଷ ମାଣ୍ଟେଇ ରହିଥାନ୍ତା ତା’ର ନାଁଟା । ତା’ପରେ ଭୁଲା ଲୋକେ ତା’ର ନାଁ ଭୁଲିଯାଇ ଉଚ୍ଚାରଣ କରନ୍ତେ କୌଣସି ପବିତ୍ର ନାଁ,–“ତୁଳସୀ ଦାସୀ” “ବୃନ୍ଦାବତୀ ଦାସୀ” ସେ ବି ତାହାରି ଉଦ୍ଦେଶ୍ୟରେ ।

ସବୁ ରହିଗଲା ଅସମାପ୍ତ ।

ସେ କ’ଣ ତାହାରି ଦୋଷରୁ ?

ସେ ସ୍ତ୍ରୀ ହୋଇ ନାହିଁ ।

ସେ ଘର କରି ନାହିଁ ।

ସେ ସନ୍ତାନକୁ ଗର୍ଭରେ ଧରିନାହିଁ ।

ଖୀର ଖୋଇ ନାହିଁ ।

ତାଠିଁ ନାହିଁ କାହାର ଅଧିକାରର ମୋହର, ମିସେସ୍ ଅମୁକା, ମିସେସ୍ ଧମୁକା ।

କାହାରିଠିଁ ନାହିଁ ତା’ର ଅଧିକାର । କେହି ତା’ର ଛଳ ସହିବ ନାହିଁ, କେହି ତା’ର ଅଳି ଶୁଣିବ ନାହିଁ, ଖାଲି ଦେଲାରେ ନେଲା, ନେଲାରେ ଦେଲା, ବେଭାର ସେତିକି ।

ହସ ଖୁସି ବିଞ୍ଚି କେବଳ କାଉ ରୁଣ୍ଡେଇଛି, କାଉ ଉଡ଼ି ଯାଇଛନ୍ତି, କାଉ ରାବିଛନ୍ତି ।

ଆଜି ଲାଗୁଛି, ହସର ପୁଞ୍ଜି ସରି ଆସିଛି ପରା ।

ଦେହ, ହଁ–ଦେହ ଅଛି ସତ, ସଂସାରୀର ଗଣନାରେ କିନ୍ତୁ ଯୌବନର ଯୁଗ ଆଉ ନାହିଁ-

“ସୁ ପ୍ରଭାତ !”

ନାହିଁ ଆଉ ବେଳ ବୋଧେ । ପ୍ରଭାତ ସରି ମଧ୍ୟାହ୍ନ ମଉଳି ଆସୁଛି । ବୟସ ତିରିଶି ଟପିଛି ।

 

ଅପରାହ୍ନ ସୁଶୀତଳ, ଛାୟାଶୀତଳ ।

 

କିନ୍ତୁ ଅପରାହ୍ନ ମଧ୍ୟାହ୍ନ ନୁହେଁ, ପ୍ରଭାତ ନୁହେଁ ।

 

ଯୁଦ୍ଧର ସନ୍ଧିଘଡ଼ି, ବିଜୟର ଉଲ୍ଲାସ ନାହିଁ, ପରାଜୟର ନିଶ୍ଚିତ ବିଷାଦ ନାହିଁ ।

 

ପୂର୍ଣ୍ଣବାଦର ଆନନ୍ଦ ନାହିଁ, ନେତିବାଦର ପ୍ରଶାନ୍ତି ନାହିଁ ।

 

ଆତ୍ମଦୃଷ୍ଟିର ଭେକ ପିନ୍ଧି କେବଳ ଅନ୍ଧ ସନ୍ଦେହର ଛିନ୍ନ ମେଘ,–ଜୀବନ କ’ଣ ତାକୁ ଫାଙ୍କି ଦେଇନାହିଁ ?

 

ପଛେ ପଛେ ରାହୁର ଛାଇ, କେବଳ ଛାଇ । ସେ ଘରଣୀ ହୋଇ ନାହିଁ, ସେ ମା’ ହୋଇନାହିଁ, ସେ ଖୀର ଦେଇନାହିଁ ।

 

ସତୀକୁ ନିଦ ହୋଇ ଯାଇଥିଲା ।

 

ଘନ ଧରେ,–ଯାକି ଧରେ ଟାଣ କରି, କି ଟାଣ ତା’ର ହଳକଣ୍ଟିପେଲା ମୂଲିଆ ହାତ; ଧରି ପକେଇଲେ ଛାଲ ଛାଡ଼ି ଗଲା ପରି ଲାଗେ । ଆଉ କି ଟାଣ ତା’ର ଜାବ, ଛଟପଟ ହେଲେ ଖାଲି ଦେହ ଘୋଳି ହେଲା ସାର ହୁଏ, ଝାଳ ଫିଟିଯାଏ, କଅଁଳ ହାତ ତା’ର ଅଣ୍ଟାରେ ଗୁରେଇ ଦେଇ ଛଟପଟ ହେବାର ସବୁ ପ୍ରବୃତ୍ତି ଆଡ଼େଇ ଦେଇ ତାହାରି ଅଣ୍ଟିରେ ଆଉଜି ପଡ଼ି ଆଖି ବୁଜି କହିବାକୁ ଭଲ ଲାଗେ–“ଏ ଘନିଆଁ, କ’ଣ କରିଦେଲୁ,କେଡ଼େ ଘାଏଁ କାଟୁଚିରେ ।” ଘନ ତା’ର ପିଠି ଆଉଁସେ, ଦୁଇ ହାତ ପିଠିରୁ ଚାପି ଆସେ ସଣ୍ଡୁଆସି ପରି । ଘନ ଫୁଲିଉଠେ । ଉପରେ ପଥର ତଳେ ପଥର । ପଥରର ଆବୁ କଅଁଳ ମାଂସରେ ଗେବେ । ଆଖି ବୁଜି ମନ ଅନୁଭୂତି ଘେନେ । ପାଣି କାକରଖିଆ ହଳୁଆର ଛାଲ ଗୋଧି ଛାଲପରି । ତା’ର ଟାଆଁସିଆ ଚେମେଡ଼ା ଚମ ଆଗଭରି ମନେ ପକେଇଦିଏ ତା’ର ଅସ୍ତିତ୍ଵ, ପାଶୋରି ହୁଏ ନାହିଁ । ଗନ୍ଧେଇ ଉଠେ ମଣିଷର ଦେହ, ଚିହ୍ନା ଗନ୍ଧ, କେମିତି ଆମ୍ବିଳାଟା । ନିଶ୍ଵାସ ତା’ର ଫଁ ଫଁ ହୋଇ ବଢ଼ିଉଠେ, ରାତିରେ ଘରେ ଶୋଇ ଦୂର ପବନର ସୁ ସୁ’କୁ କୁତୂହଳରେ କାନୋଉଁ କାନୋଉଁ ଯେପରି ବାରିହୁଏ ସେ ପାଖେଇ ଆସୁଛି । ଧକେଇ ହେଲା ପରି ଘନିଆଁ । ହଠାତ୍ ଢିଲା ହୋଇ ଯାଉଛି, ତା’ପରେ ଲୁହାବାଡ଼ି ପରି ଦେହର ଦିପାଖେ ଚାପି ଆସେ ତା’ର ଗୋଡ଼ ଦିଟା, ଲୁହା ଜଞ୍ଜିର ପରି ବାନ୍ଧି ପକାଏ ପିଠି ଉପରୁ ତା’ର ହାତ ଦିଟା, ଘନର ଦେହ ସେହି କୋମଳ ଶରୀରକୁ ଚାରିଆଡ଼ୁ ବେଢ଼େଇ ଯାକି ଧରି ନିଜେ ଟାଙ୍କିହୁଏ । ହାଡ଼ଗୁଡ଼ାକ କଡ଼ମଡ଼ ଡାକି ନିଶ୍ଵାସ ବନ୍ଦ ହୋଇ ଆସିଲା ବେଳକୁ ତଥାପି ଦେହ ଭିତରେ ଖେଳିଯାଏ ଉଷୁମ୍ ଓ ଖୁସି, ଗୋଟିଏ ଜୁଆର ଠେଲେଇ ଉଠେ, ତା’ପରେ ମୁଣ୍ଡ ଉପରକୁ ଯେତେବେଳେ ପାଟି ଫାଙ୍କା କରି ତା’ର ମୁହଁଟା ଝୁଙ୍କିପଡ଼େ ବୋକ ଦେବାକୁ, ଭକ୍‍ ଭକ୍ ବାହାରେ କଞ୍ଚା ପିଆଜର ଗନ୍ଧ ଘନର ଆଇଁଷିଣିଆ ଆମ୍ବିଳା ଦେହର ଗନ୍ଧକକୁ ଡୁବେଇ ଦେଇ । ଥରେ ଚୁମା ଖାଇ ଆଉ ଥରେ କାନପାଖେ ସଲସଲ ବାଳବାଳୁଆ ମୁହଁକୁ ଗେଞ୍ଜିଦେଲା ବେଳକୁ ତା’ର ଦୁଇକାନକୁ ପ୍ରାଣପଣେ ଭିଡ଼ି ଦେଇ ସେ ଆହା ଉହୁ କରୁ କରୁ ଦଶ ଅଙ୍ଗୁଳିର ନଖରେ ଘନିଆର ମୁହଁଯାକ ରାମ୍ପି ବିଦାରି ପକାଇବା କେଡ଼େ ମଜା, କି ଆନନ୍ଦ ସେଥିରେ ! ତା’ପରେ ସେ ଆଞ୍ଚୁଡ଼ା ଦାଉରୁ ଆତ୍ମରକ୍ଷା କରୁ କରୁ ଦେହର ଯନ୍ତା ହୁଗାଳି ଦେଲାମାତ୍ରେ ବିଜୁଳି ବେଗରେ ଧାଇଁ ପଳେଇ ଗଲାବେଳେ କି ଖଳ ଖଳ ହସ । ଦୂରରେ ଥାଇ ହସି ହସି ଚପଳ ଆଖିରେ ଚାହିଁ ରହିବାର ମଜା । ଘନ ତା’ର ମୁହଁ ଆଞ୍ଚୁଡ଼ାରେ କୋତରା କାନି ମାଡ଼ି କାନିକୁ ଦେଖୁଛି, ରକ୍ତ ବୋହିଲା କି ନାହିଁ; ପାଟିରୁ ଛେପ କାଢ଼ି ନୋଳାରେ ବୋଳୁଛି, ପୋଡ଼ିଲା କି ନାହିଁ ।

 

“ଯା ହୋ ସତୀ ଦେଈ, ମୁହଁଯାକ ବିଦାରି ପକେଇଲ ଫଡ଼ା ଫଡ଼ା କରି, ପାଣି ଲାଗିଲେ ପୋଡ଼ୁଚି । ବୋପାଲୋ କେଡ଼େ କେଡ଼େ ନଖ ବଢ଼େଇଚ, ସାକ୍ଷାତ୍ ବାଘୁଣୀ ଲୋ ମା । ପିଲାଟି ଦିନୁ ତ ଏମିତି, ବଡ଼ହେଲେ କାହା ଘର ଆଲୁଅ କରିବ ଲୋ ମା ! ସେ ବର ବିଚିରାକୁ ମା’ ବାସୁଳେଇ ଭରସା, ତା’ ଧିଅରେ ଛାଲ ରହିବ ନାହିଁ କି ମୁଣ୍ଡରେ ଚୁଟି ରହିବ ନାହିଁ ।”

 

ବର !

 

ତା’ର !

 

କେତେଥର ବୋହୁବୋହୁକା ଖେଳିଛି, ପଡ଼ିଶାର ଭାଇ ଉଦ ସଙ୍ଗରେ । ହେଲେ ଉଦିଆଟା ଖଣ୍ଡିଗୁଣିଆଁ, ଟିକିକ କଥାରେ ଚିଡ଼ିଯାଏ, ପିଠିରେ ବସେଇ ଦିଏ ଗୁମାଗୁମ୍ । କଳା କୋଚଟ ଧଡ଼ିଆଟା, ଛିଃ ।

 

ଆଉ ଘନ କ’ଣ କହୁଚି,–ବର,–ତା’ର, ଫଡ଼ାଫଡ଼ା ଚିରି ଦେବ,–ଚୁଟି ଧରି ଓଟାରି ନେବ,–ଉଁ କି ଚୁଁ କହିବ ନାହିଁ,–ବରଂ କହୁଥିବ ଆହୁରି ଭିଣିଭିଣା କର୍, ଆହୁରି ଓଟାର । ବିଚିରା ବର !

 

ପୁଣି ଖିଲି ଖିଲି ହସେ । ହଠାତ୍ ହସ ଥପ୍ କରି ବନ୍ଦ ହୋଇଯାଏ । ଘନିଆଁର ମୁହଁ ବିଷଣ୍ଣ । ତା’ର ଢେବା ଢେବା ଆଖିରେ କଳା ଡୋଳା ଟଳଟଳ କରୁଛି । ବାଇଗବା ଡାଙ୍ଗ ଭାଙ୍ଗି ଧରି ଗାଲଯାକ ରଗଡ଼ି ଲାଗିଛି । ବେକ ଢଳି ପଡ଼ିଛି ।

 

ବିଜୟର ଆନନ୍ଦକୁ ବିଜିତର ଦୁଃଖ ପରାଭୂତ କରୁଛି ସତୀର ମନରେ । ପୁଣି ନିରାଶାର ଆଶଙ୍କା ସୃଷ୍ଟି କରି ଘନିଆଁ ବିବ୍ରତ ବିରକ୍ତ ହେଲାପରି କହେ,–“ଆଉ ଦିନେ ତମ ସାଙ୍ଗେ ଖେଳିବି ନାଇଁ; ଦେଖିବ ରଇଥା ସତୀ ଦେଈ, ଆଉ ଦିନେ ନାଇଁ ।”

 

ତା’ର ମୁହଁକୁ ଅନେଇଁ ଅନେଇଁ ପାଖକୁ ଚାଲି ଚାଲିକା ଯାଇ ସତୀ କହେ,-“କ’ଣ ହେଲା କିରେ ଘନିଆଁ ?”

 

ମୁହୂର୍ତ୍ତକେ ଘନର ମୁହଁରୁ ବଉଦ ଘୁଞ୍ଚି ଯାଇ ଉଦୁଉଦିଆ ଖରାରେ ନଈପାଣି ପରି ସେ ଜିକି ଜିକି ହୋଇ ହସି ଉଠେ, ପୁଣି ଯାବୁଡ଼ି ଧରି ପକେଇ ଶୂନ୍ୟେ ଶୂନ୍ୟେ ମୁଣ୍ଡ ଉପରକୁ ଟେକି ନେଇ ହୋ ହୋ ହସି ଅରମା ଆଡ଼କୁ ଘନ ଧାଇଁ ପଳାଏ, ସତୀ ବି ଉଲ୍ଲାସରେ ହସେ, ହସରେ ହସ ମିଶିଯାଏ ।

 

ତୋଟା ଉହାଡ଼ରେ ଅରମା । କିଆ ବାଡ଼ । ଟୁବି ଗାଡ଼ିଆ । ଆତ ଗଛରେ କାଇଁଚ ଲଟା ମାଡ଼ିଛି । କାଇଁଚ ଫଳ ଫାଟି ଫାଟି ସବୁଜା ଉପରେ ଦିଶୁଛି ନାଲି ଟୋପି ଟୋପି ।

 

“ଆଣି ଦବୁ କାଇଁଚ ପୁଞ୍ଜାଏ ? ଘନିଆଁ–”

 

ତଳେ ଥୋଇ ଦେଇ ଘନିଆଁ ଗଲାଣି କାଇଁଚ ତୋଳି । ଲୁଗାରେ କଣ୍ଟା କଣ୍ଟା କିଆପତ୍ର ଲାଗିଯାଉଛି । ହେଇ, ନଇଁ ପଡ଼ିଲାଣି, ପାଦରେ ମେଞ୍ଚାଏ କୋଇଲିଖିଆ କଣ୍ଟା ବିନ୍ଧିଛି । ଆସ୍ତେ ଓଟାରି ଦେଇ ସାପେଇ ବଙ୍କେଇ ଘନିଆଁ ହାତ ବଢ଼ୋଉଚି ।

 

ଏତିକି ବେଳିଆ ଯଦି, କିଆବୁଦାରୁ ଫଁ କିନା ଉଠି ଚୋଟ ମାରିବ ଗୋଖର ସାପ । ଗୋଖର ସାପ ସେ ଦେଖିଛି, କେଳା ଖେଲାଉଥିଲା, ପୁଞ୍ଚି ଖେଳିଲା ପରି ଆଣ୍ଠୁ ହଲେଇ ହଲେଇ “ଭା’ଲିଆ,ଭା’ଲିଆ ବୁଢ଼ା-"

 

ଯଦି ଘନିଆଁକୁ ମାରେ ସାପ ?

 

ନା, ଘନିଆଁ କାଇଁଚ ତୋଳୁଛି, ତା’ର କିଛି କେହି କରୁନାହାନ୍ତି । ଏଇ ଦୂରରେ ଥାଇ ଘନିଆଠିଁ ଦେଖୁଛି ସେ ବୀରତ୍ଵ ।

 

“ନିଅ କାଇଁଚ ।”

 

ପୁଣି ଘନିଆଁ ସାଧାରଣ ଚାକରହିଁ ।

 

କ’ଣ ଯାଉଛି ? ନେଉଳ !

 

ପୁଣି ଉତ୍ତେଜନା । “ଧର୍ ଧର୍ ଘନିଆଁ, ଗୋଡ଼ା ଗୋଡ଼ା ନେଉଳ ପଳେଇଲା ।” ଅଳି,‘‘ଯା ତୁ, ମୋପେଇଁ ନେଉଳ ଧରି ଆଣ୍ । ଆମର ପୋଷିବା । ଯାଉନୁଁ?’’

 

“ଏଗୁଡ଼ାକ ବୁଢ଼ା ନେଉଳ ସତୀ ଦେଈ, ପୋଷା ମାନିବେ ନାଇଁ, କାମୁଡ଼ି ପଳେଇବେ । ମୁଁ ନେଉଳଛୁଆ ଧରିଆଣି ଦେବି । ଏଇ ଏଡ଼େ ଏଡ଼ୁଟିମାନ । ଦେଖିବ କେଡ଼େ ସୁନ୍ଦର ।”

 

“ସତେରେ ।”

 

“ଦେଖିବ ନାଇଁ ।”

 

“କେବେ ଦବୁ ?”

 

“ହେଇ ପନ୍ଦର ଦିନ ଗଲେ ।”

 

“ମୋ ରାଣ ପକେଇଲୁ ।”

 

“ନାଇଁ ମୋ ରାଣ ପକାଉଚି ମତେ ଠାକୁରଙ୍କ ଦେହି ।”

 

“ନାଇଁ ମୋ ରାଣ ପକା ।”

 

“ଛି, ତମେ ପରା ଆମ ସୁନା ଦେଈ, ତମ ରାଣ ପକାନ୍ତି ନା ।”

 

“ଭୁଲିବୁ ନାଇଁଟି ?"

 

“ହେଇ ଦେଖ କାନିରେ ଗଣ୍ଠି ପକେଇଲି ।”

 

ଖରାର ତେଜ ଝାଉଁଳିଲାଣି, ଗଛର ଫାଳେ ଫାଳେକେ ତେର୍ଚ୍ଛା ଖରା ନିଶବଦ ଛାଇ ଛାଇଆ ।

 

“ତୁମକୁ ଏଠିକି ଆଣିଥିଲି ବୋଲି କହିବ ନାଇଁଟି କାହାକୁ?"

 

“ନା ।”

 

ଲୁଚେଇବ । ଲୁଚାଚୋରାରେ ନୂଆ ଆନନ୍ଦ । ପୁଣି ଘନିଆଁ ଚାପି ଧରୁଛି । ‘‘ଛାଡ୍‍ ଛାଡ୍‍-।’’ ଗଛର ଠେଙ୍ଗ ଉପରେ ଭରା ଦେଇ ଠିଆହୋଇଛି ଘନିଆଁ । ଟିକି ଟିକି ଫୁଲ ଛିଣ୍ଡେଇ ତା’ ମୁଣ୍ଡବାଳରେ ଗେଞ୍ଜି ଦେଉଛି ।

 

“ସତୀ ଦେଈ, କିଏ ତମ ବର ହବ କହିଲ ।”

 

“ନାଇଁ ।”

 

“ମୁଁ କାହାକୁ କହିବି ନାଇଁ, ମତେ ତୁନିତୁନି କୁହ ।”

 

“କାହା–ରିକି କହିବୁ ନାଇଁ ?’’

 

“ନା ।”

 

“ମୋ ବର,–ମୋ ବର ତୁ,–ତୁତୁତୁ–ତୁତୁତୁ ଡାକିଲି ମୁହିଁ ଦଉଡ଼ି ଆଇଲୁ କୁକୁର ତୁହି, ତୁତୁ–ଆ’ ତୁ–”

 

ବଣରେ ହରିଣଛୁଆ ଧାଇଁଲା ପରି ଦୌଡ଼ି ପଳୋଉଛି, ପଛେ ପଛେ ଦୌଡ଼ିଛି ଘନିଆଁ ।

 

ଅରମାର ଧଡ଼ି । ସତୀର ଝାଡ଼ା ଯିବାକୁ ମନ ହେଲା ।

 

“କୂଅମୂଳୁ ଲୋଟାଟା ଆଣ ଘନିଆଁ ।”

 

ଘର ପାଖ । ସତୀ ଓଠରେ ଆଙ୍ଗୁଠି ମାଡ଼ିଛି । ଚୁପ୍ ଚୁପ୍ । ଘନିଆଁ ଚାଲିଯାଉଛି ।

 

ବୋଉ !

 

ଦେଖିଲା ମାତ୍ରେ ମନର ଯେପରିକି ଭିନେ ଭେକ ।

 

“କିଲୋ ଏତେ ଡେରି ? କୁଆଡ଼େ ଯାଇଥିଲୁ ସତୀ ?”

 

“ପଡ଼ିଆକୁ ?’’

 

ସ୍ପର୍ଶର ଜୀବନ ଅନୁଭୂତିର ଜୀବନ ବଢ଼ି ବଢ଼ି ଉଠିଛି ପାଟ ପାଣି ପରି, ଛାଇ ତଳେ ତଳେ ଆଲୁଅ ତଳେ ତଳେ ଛାପିଛାପିକା ମାଡ଼ିଯାଇଛି କେତେ ଦୂର, ଜଣାନାହିଁ କେଉ ଘଡ଼ିରେ, କେତେ ବେଳେ । ତା’ର ଅବୟବ ସ୍ପଷ୍ଟ ନୁହେଁ, ଦାଢ଼ ଜଣାନାହିଁ । ଶୋଇଲା ସତୀର ଅଧା-ଜଣା ସ୍ଵପ୍ନ ଭିତରକୁ ଛପି ଛପିକା ମାଡ଼ି ଆସିଛି ଅସ୍ପଷ୍ଟ ପରିସୀମାର ପାଟପାଣି ଅରାଏ, ତା’ ଉପରେ ରାତିର ଆଲୁଅ, ଉପରେ ଅନ୍ଧାରର ବିସ୍ତୃତି, ସତେକି ଶୂନ୍ୟର ପୂର୍ଣ୍ଣଚ୍ଛେଦ ।

 

କେତେଥର ପୂର୍ଣ୍ଣାବୟବା ସତୀ ଭାବି ଭାବି ଆଶ୍ଚର୍ଯ୍ୟ ହୁଏ,–ଜୀବନ ! ସେ କ’ଣ ଅନ୍ଧାରର ପ୍ରତିଚ୍ଛବି ?

 

ଦୁଃଖରେ ନିରାଶାରେ ଆକାଶକୁ ଚାହିଁ ମନର କନ୍ଦରାରୁ ଜ୍ଞାନମାର୍ଗରେ ଏହି ପ୍ରଶ୍ନହିଁ ଉଠେ ବାରମ୍ବାର ।

 

ଫେର୍ ଆନନ୍ଦର ତଳିତଳାନ୍ତ ସାଉଣ୍ଟି ସନ୍ଦେହ ଉପୁଜାଇ ଆପଣାକୁ ଆପେ ଖଣ୍ଡନ କରେ–“ଜୀବନ ଯଦି ଅନ୍ଧାରର ପ୍ରତିଚ୍ଛବି, ତେବେ କାହାର ଆଲୁଅ ଘେରି ରହେ ତାକୁ?”

 

ସେଇ–ପାଟିପାଣି ପରି ଜୀବନ, ପଛକୁ ଅନେଇଁଲେ ଦିଶେ ନାହିଁ ସବୁଯାକ, ଦିଶେ ନାହିଁ ହିଡ଼ବାଡ଼, ଦିଶେ ନାହିଁ ଚିହ୍ନଟ । ଜୀବନ ସେ ବଞ୍ଚିଛି ମାତ୍ର, କଳି ପାରିବ କାହିଁ । କାହିଁକି ଏପରି ହେଲା ? କ’ଣ କହିବ ସେ ?

 

ନିଗିଡ଼ି ଆସିଛି ପାଣିଧାର, ସବୁ ମିଶି ଗୋଳି ହୋଇ ଏକାଠି ହୋଇଛି, କୂଳ ଯକେଇଛି, ପାଣି ବୋହି ଯାଇଛି ଏଣେ ତେଣେ । ସେହି ଜୀବନ, ଆୟ ଜଣାନାହିଁ ବ୍ୟୟ ଜଣାନାହିଁ, ଗଲା କଥା ଯାଇ ବି ଯାଇନାହିଁ, ଆଗତକଥା ନ ଆସି ବି ତା’ର ସତ୍ତା ଅଛି, ସବୁ ଗୋଳିଆ ଗୋଳି ମିଶା ମିଶି ଅଡ଼ୁଆ ଖିଅ ଯାଃ– ଭାବିଲେ ଖାଲି ଭାବନାର ପତିଆରା ।
 

ତଥାପି, ଭାବିଛି ତ ! ମସ୍ତିଷ୍କର ଶିରା ଝଣଝଣେଇଁ ଝଣଝଣେଇଁ ମୁଣ୍ଡବଥେଇଲେ ବି ମୁଣ୍ଡକୁ ଚିପି ଧରି ମୁହଁମାଡ଼ି ଭାବି ଲାଗିଛି ସବୁ ଭାବନାର ଯନ୍ତ୍ର ନିଶିହ୍ନ ହେବାଯାକେ । ସଁ ସଁ ହୋଇ ଦିର୍ଘଶ୍ଵାସରେ ଆପଣାକୁ ଫୁଲେଇ ପୁଣି ସରୁ କରି କେତେ ସେ ଭାବୁଛି ଆପଣା ବିଷୟରେ । ପୁଣି ସାତ ପାଞ୍ଚ ପାଞ୍ଚିଛି ପୋଥିବିଦ୍ୟାର ନିର୍ଦ୍ଦେଶ, ଅଭିଜ୍ଞତାର ବୁଦ୍ଧି ସବୁ ମିଶେଇ ଯୋଜନା ମାପିଚୁପି ଝାଳନାଳ ହୋଇ ପରିଶ୍ରମ କରିଛି । କେତେବେଳେ ତାକୁ ଲାଗିଛି,–ତା’ର ବଡ଼ତି ହୋଇଛି । ତା’ପରେ ପୁଣି ସେହି ଅଲକ୍ଷଣା ନଗଣ୍ୟ-ଚେତନା,–କାହିଁ କିଛି ?

 

କେବଳ ପରାଜୟର କାନ୍ତି ଅବସାଦ, କ୍ଷତ-ଶୁଶ୍ରୂଷା–ଆପଣା ଉପରେ ଅନୁକମ୍ପା କରି କରି ଯେତେବେଳେ ଦୁର୍ବଳ ଲୁହ ଗାଲ ତିନ୍ତାଏ ।

 

ସେତେବେଳେ ସେ ଭାବେ, ଏଇ ଯେଉଁ ପତ୍ରଟି ଗଛ ଡାଳରୁ ଝଡ଼ିପଡ଼ିଲା ଟପ୍ କରି, କେଉଁ ଗୁଣେ ତା’ଠୁ ଅଧିକ ତା’ର କାହାଣୀ, ତା’ର ସଂଗ୍ରାମ, ତା’ର କଳ୍ପନାଜଳ୍ପନା, ତା’ର ପରିଶ୍ରମ-?

 

ଝଡ଼ି ପଡ଼ିଲା ପତ୍ର ମାଟିରେ ମିଶିବ ।

 

ସେ ବି ହେବ ନିଶ୍ଚିହ୍ନ ।

 

ସେ ବି ନିଶ୍ଚୟ ଭାବିଥିଲା ଗଛରେ ଥାଇ ସୁଖରେ ଝଟକୁ ଥିବ ସବୁଦିନେ । ତା’ର ଶିରାରେ ବି ଥିଲା ଅମରପଣର ଜୀବନକଣିକା ପ୍ରଟୋପ୍ଳାଜ୍ମ୍ । ସେ ବି ନିଶ୍ଚୟ ଯାବୁଡ଼ି ଧରିଥିଲା ତା’ର ଡାଳକୁ । ପରାଜୟକୁ ପ୍ରତିବାଦଛଳରେ ହସି ଉଠିଥିଲା ସୌନ୍ଦର୍ଯ୍ୟର ସମ୍ଭାରରେ, ଭୋର୍ ଆଲୁଅରେ ଚହଟିଥିଲା, ତା’ର ଶ୍ୟାମଳିମା, ସନ୍ଧ୍ୟାରେ ଜଳିଥିଲା ଆଉଟା ସୁନାର ବର୍ଣ୍ଣରେ, ଜହ୍ନ ଆଲୁଅରେ ମାଖିଥିଲା କେବେ ରୂପାର ପାଣି, ତରାଫୁଟା ଆଲୁଅରେ ହୋଇଥିଲା ସ୍ଵପ୍ନିଳ ବିସ୍ମୟ ।

 

ପତ୍ରଟିଏ ।

 

ଅନ୍ଧାର ବିରୁଦ୍ଧରେ ଆଲୁଅର ପ୍ରତିକ୍ରିୟାର ଅଭିଯାନ, ତା’ର ପ୍ରକାଶ ବର୍ଣ୍ଣପ୍ରକର୍ଷରେ, ତା’ର ପ୍ରକାଶ ଉଦ୍ଦାମ ଉଲ୍ଲାସରେ ।

 

ସେ ବି ଏହି ପ୍ରତିକ୍ରିୟାରେ ମାତି ନାଚିଛି ପ୍ରଚୁର, ଗୀତ ଗାଇଛି, ଆପଣାକୁ ସଜେଇଛି, ଗାଲ ରଙ୍ଗେଇଛି, ଓଠ ନଖ ରଙ୍ଗେଇଛି, ରଙ୍ଗେଇଛି । ଆପଣାକୁ ବିଶିଷ୍ଟ କରିବାକୁ ଯାଇ ବେଶରେ ଭୂଷଣରେ ଖୋଜିଛି ବିଭ୍ରାଟ ସୃଷ୍ଟିକରିବାକୁ । ବାଘଛାଲର ଚଟି ଜୋତା ମାଡ଼ିଛି, ହରିଣ ଛାଲର ଗୋଲ୍‍ବଟୁଆ କରି କାନ୍ଧରେ ଝୁଲେଇଛି, ଦେଖାଇ ଦେଖାଇ ସିଗାରେଟ୍ ଶୋଷିଛି, ମଟର ସାଇକଲ୍ ଛୁଟେଇଛି, ସବୁ କରିଛି ଲୋକେ ଚାହିଁବେ ବୋଲି, ଦୁନିଆଁ ତା’ର ବିଶିଷ୍ଟତା ବୁଝିବ ବୋଲି,–ତାହାହେଲେ ନିଜଠିଁ ସେ ତଳ ପାଇବ, ଅନୁଭବ କରିବ ‘ମୁଁ’ ପଣର ବଡ଼ିମା । ପ୍ରଚେଷ୍ଟା କରି କରି ଉତୁରି ପଡ଼ୁଛି, ବୋହିଯାଇଛି ।

 

ଲୋକେ ଚାହିଁଛନ୍ତି ତ ।

ତଥାପି ତା’ର ଉଡ଼ାଜାହାଜ କ୍ର୍ୟାଶ୍ କରିଛି ।

ତଥାପି ଅନୁଭବ କରିଛି ପତ୍ରଠିଁ ଝଡ଼ିବାର କ୍ରମ ପଦେ ପଦେ ।

ସାମାନ୍ୟ ପତ୍ର ।

କରୁଣା ପତ୍ରଟିଏ ।

ଝଡ଼ି ପଡ଼ିବ ।

ନିଶ୍ଚିହ୍ନ ହେବ ।

ପାଟପାଣିରେ ଆଲୁଅ–କେତେ ଦିନ ?

ସତୀ ଶୋଇରହିଛି ।

କବାଟ ଆଉଜା ।

ଝରକା ବାଟେ ଚାହିଁଲେ ଆଲୁଳାୟିତା ନାରୀଦେହ,–ପର୍ବତ ଉପତ୍ୟକା ଓ ବିସ୍ତୃତି, ଏବଂ ଅଦୃଶ୍ୟ ତେଜ,–କାମନାର, କ୍ଷୁଧାର । ଆଖି ବାନ୍ଧି ରଖେ, ସ୍ନାୟୁରେ ଖେଳାଏ ତଡ଼ିତ୍‍ ପ୍ରବାହ-। ବାନ୍ଧି ପକାଏ, ଝାଙ୍କ ଓଟାରି ଆଣେ ମାଟି ।

 

ସତୀ ଜୀବନରେ କାହାରିକି ବାନ୍ଧି ପାରିନାହିଁ । ନୁଆଁଇଦେଲେ ମାଟି ବୋଳି ହୋଇ ଡାଳ ପୁଣି ଉପରକୁ ଉଠିଯାଇଛି ।

 

ଓଟାରିବା ଓ ଓଟାରି ହେବାର ସଂଘର୍ଷରେ କ୍ଳାନ୍ତ ଗୋଟାଏ ନାରୀଦେହ । ଆଉ ଦୁଷ୍ଟିରୁ ଚାହିଁଲେ ଦୟା ଆସେ । ନିଷ୍ଫଳ ଦୟା, ଯେଉଁଥିରେ ଶାଗ ସିଝେନାହିଁ ।

 

ସେହି ଦୁର୍ବଳ ଦେହ ଉପରେ ଦୂର ଶାଗୁଣାର ଦୃଷ୍ଟି, କେତେ ଉଞ୍ଚରେ ଉଡ଼ୁଛି ସେ, ଆକାଶର କେଉଁ କଣରେ ଗୋଟାଏ ବିନ୍ଦୁ । ବଡ଼ ହେଉଛି, ସାନ ହେଉଛି, ଉଭେଇ ଯାଉଛି, ପୁଣି ପାଖକୁ ଆସି ଦିଶୁଛି ପରିଷ୍କାର । ଅନ୍ୟମନସ୍କ ଜଣାପଡ଼ିଲେ ବି ସଦା ଜାଗ୍ରତ ତା’ର ଦୃଷ୍ଟି ମନୁଷ୍ୟ ଦେହ ଉପରେ । ଅପେକ୍ଷା କରି ରହିଛି ।

 

କେବେ ? କେତେ ଡେରି?

 

ତଥାପି ସେହି ଦେହଟା ବି ଥିଲା ତା’ର କାମ୍ୟ ।

 

ତା’ର ବାପାର ନୁହେଁ, ମା’ର ।

 

କାଚରେ ବନ୍ଧାହୋଇ ତା’ର ପଢ଼ା ଟେବୁଲ୍‍ ଉପରେ ମା’ର ଶେଷ ଚିଠି ରହିଛି । ଫଟୋ ନାହିଁ, ଛବି ନାହିଁ, ଖାଲି ହାତଲେଖା ଖଣ୍ଡେ କାଗଜ ହଳଦିଆ ପଡ଼ିଆସିଲାଣି, ଅକ୍ଷରର ସେହି ଫିକା ପଡ଼ି ଆସିଲାଣି ।

 

ସେହି ତାକୁ ଭଲ ପାଇଥିଲା । ବାରମ୍ବାର ଗର୍ଭକଷ୍ଟ ବହନ କରି ପୁଅ ଜନ୍ମ କରି ଜନନ କ୍ରିୟାରେ ରକ୍ତମାଂସ ନ୍ନିଃଶେଷ କରି ନଅମାସର କଷ୍ଟର ଅବସାନ ପରେ ଆଚ୍ଛନ୍ନପଣ କଟିଯାଇ ଫିଟିଥିଲା ଉଷା, ସତୀ ଜନ୍ମ ହୋଇଥିଲା । କଇଁଫୁଲିଆ ନରମ ବୁଜୁଳିଟିକି ଛାତିରେ ଯାକି ଧରି ଦୁଇ ଶୀର୍ଣ୍ଣ ହାତରେ ତା’ର କଅଁଳ ମୁଣ୍ଡଟି ବେଢ଼େଇ ଧରି ମଣିଷର ଉଷୁମ ନିଶ୍ଵାସରେ ପୃଥିବୀକୁ ଆସିବାରେ ସ୍ଵାଗତ କରିଥିଲା ସେ ।

 

ତା’ର ମା ।

 

ପୃଥିବୀ ଉଷୁମ୍, ପୃଥିବୀ ସୁନ୍ଦର ।

 

ପୁଣି ମା–

 

ଯେତେ ବାଣ୍ଟିଲେ ବି ଯାହାର ସ୍ନେହ ସରେନାହିଁ ।

 

ଯେ ଦେହରେ ବିଶିଷ୍ଟ ନୁହେଁ, ଅବୟବରେ ବଡ଼ ନୁହେଁ ଯାହାର ପରିଚୟ,–ସେ ମା, ତା’ର ହୃଦୟ ଅଛି, ସ୍ତନ୍ୟ ଅଛି ।

 

କ୍ରମେ ସତୀ ହସି ଶିଖିଥିଲା, ସ୍ନେହର ଦାନକୁ ଦେଇ ଶିଖିଥିଲା ଶିଶୁର ପ୍ରଥମ ପ୍ରତିଦାନ–ମଳ-ମୂତ୍ର ।

 

ତା’ର ମୂତ ସୁରୁସୁରୁ ଅସନା ଲଟପଟ ଦେହକୁ ବି ସ୍ନେହରେ ସାଉଣ୍ଟି ଧରିଥିଲା ଜଣେ । ସେଥିରେ ଉଦ୍ଦେଶ୍ୟ ନ ଥିଲା, କେବଳ ଥିଲା ସରଳ ଆନନ୍ଦ, ନିଜ ପାଇଁ କିଛି ଚାହେଁନାହିଁ ।

 

ରାତି ରାତି ଉଜାଗର ରହି ଚାହିଁରହିଥିଲା ସେହି ଦେହକୁ, ରୋଗରେ, ରୋଦନରେ, ନିଦରେ ।

 

ଆଉ, ବାପା–ତା’ର ଦେହକୁ ଭଲ ପାଇଥିଲେ ବୋଧହୁଏ ସେ ବି, ଯଦିଚ ସେହି ଦେହର ଜନ୍ମ ନୁହେଁ ତାଙ୍କର ଇଚ୍ଛାରୁ ।

 

କପା ଫାଟି ମେଞ୍ଚାଏ ମଞ୍ଜି ଏଣେ ତେଣେ ଛିଞ୍ଚାଡ଼ି ହୁଏ, ଉଡ଼ିଯାଏ । କେଉଁ ଗୋଟାଏ ହୁଏ ଗଛ, ସେଥିରେ ଯୋଜନା ନାହିଁ, ମିଶାଣ ନାହିଁ ।

 

ଫାଟି ପଡ଼ି ମଞ୍ଜି ଛିଞ୍ଚାଡ଼ିବାହିଁ କପାର ବିଧିନିର୍ଦ୍ଦିଷ୍ଟ ବିଧାନ, ସେ ନିମିତ୍ତ ମାତ୍ର ।

 

ନଖ ପଚେଇବାକୁ ନାଲି ଟୁକୁଟୁକୁ ହଜରା ଫୁଲ ତୋଳି ଅଣ୍ଟିରେ ପୂରେଇଲା ବେଳେ ହଳଦିଆ ଗୋଜିଆ ହଜରା ଫଳ ଉପରେ ଆଙ୍ଗୁଠି ଛୋଇଁଦେଲେ ସେ ଦେଖିଛି, ହଜରା ଫଳ ଫାଟିଯାଏ । ଆଉ ସେହିପରି ଗୋଟାଏ ଘାସ ଅଗଛିଆର ସରୁ ମଞ୍ଜି, ଛେପ ବୋଳିଦେଇ ଅପେକ୍ଷା କଲେ ସେ ବି ଫାଟେ । ଫାଟିବ ବୋଲି ଅପେକ୍ଷା କଲେ ଉତ୍ସାହରେ କୁତୂହଳରେ ବେଳ କଟିଯାଏ, ପିଲାଦିନର ଖେଳ କେଡ଼େ ମଜା !

 

ସବୁ ସ୍ନାୟୁର ଶକ୍ତି କେନ୍ଦ୍ରୀଭୂତ କରି ପ୍ରକୃତିର ଉଦ୍ଦାମ କାମନାରେ ଫାଟି ଯାଇ ମଞ୍ଜି ବିଞ୍ଚିଦେବାହିଁ ହୁଏତ ପୁରୁଷ-ପ୍ରକୃତିମୟ ସୃଷ୍ଟିର ଲୀଳା ।

 

ଆକାଶ ଢାଳେ ମେଘ, ବଜ୍ର ବିଜୁଳି ବାଆ ବତାସର ବିଷ୍ଫୋରଣ ପ୍ରୟୋଜନ ହୁଏ, ଅଚିହ୍ନା ଅପନ୍ତରାରେ ରୁଆଏ ଘାସ ଗଜୁରେଇବାକୁ ।

 

ଆକାଶ ତାକୁ ଚିହ୍ନେ ନାହିଁ ।

 

ମାଟିର ଖୀର ସରେ ନାହିଁ, ମାଟି ଚିହ୍ନେ ।

 

ଯାକି ଧରେ ଅଗଣିତ ଯେତେ ଅଯାଚିତ ଶିଶୁମାନଙ୍କୁ ।

 

ରୁଆଏ ଘାସ ।

 

ଆକାଶ ତାକୁ ଚିହ୍ନେ ନାହିଁ ।

 

ତଥାପି ଆକାଶକୁ ସେ ମୁଣ୍ଡ ଟେକେ । ଆକାଶ ଭେଦି ବଢ଼ିଉଠେ ମାଟି ପତ୍ତନରୁ ।

 

ଦୂର ଆକାଶରୁ ଦେବଦାରୁ ବି ନଗଣ୍ୟ, ମଣିଷ ବି ନଗଣ୍ୟ ।

 

ଦୂର ଆକାଶକୁ ଅନାବନା ଘାସ ମୁଣ୍ଡ ଟେକେ ।

 

“ବାପା–କାଖି–କାଖ ହେବି ବାପା ।”

 

“ଗୋ’ଲା–ଗୋ’ଲା–ଆଣ୍ଠୁରେ ବସି ଘୋଡ଼ା ଚଢ଼ିବି ବାପା ।”

 

“କାନ୍ଧରେ ଲାଉ ହେବି ।”

 

“ଆଣିଦେ, ଆଣିଦେ ବାପା ! ତାରାର ଚାଙ୍ଗୁଡ଼ି ଆଉ ଜହ୍ନର ଥାଳିଆ ।”

 

ହସି ଦେଇ ବାପା ଟେକି ନିଅନ୍ତି, କଣ୍ଟାଳିଆ ରୁଢ଼ର ଦାଢ଼ ଲାଗି ନରମ ଗାଲ ଜଳେ, ତଥାପି ସେ ବାନ୍ଧିଧରେ ତା’ର ଦୁଇ କଅଁଳ ଡଙ୍କରେ ବାପାଙ୍କର ବେକ ।

ଏଇ ଦେହଟାକୁ ବାପା ବି ଭଲ ପାଉଥିଲେ ହୁଏତ, ଭଲ ପାଉଥିଲେ ଛଦ୍ମବେଶିନୀ ମାତୃମୂର୍ତ୍ତିକୁ କନ୍ୟାଦେହରେ ।

ସେ ବି ଥିଲା ସ୍ପର୍ଶ ଅନୁଭୂତି ।

ଆଉ ବି ଘନିଆଁର, ଆଉ ଉଦିଆର, ଆଉ ବିପ୍ରର, ହେମନ୍ତର, ଶିବର, ନିରଞ୍ଜନର, ପ୍ରତାପର, ନିକୁଞ୍ଜର, କେତେ,–କେତେ,–କେତେ,–ଅସଂଖ୍ୟ ।

ଦେହ ଆଉ ପ୍ରାଣ ମିଶି ଜୀବନଟା ଗୋଟାଏ କବିତା, ଗୋଟାଏ ରାଗିଣୀ, ଗୋଟାଏ ସ୍ଥାପତ୍ୟ,–ନା, ଆକାଶ ଆଉ ରଙ୍ଗ ମିଶିମାଶି ଗୋଟାଏ କିଛି ନୁହେଁର କ୍ଷଣିକ ସ୍ପନ୍ଦନ, ରାତିରେ ପର୍ବତ ଉପରେ ବଣର ନିଆଁ, ଦୂରରୁ ଗୌତମ ବୁଦ୍ଧ ଦେଖି ବାରିଥିଲେ କେବେ–

“ଶୁଣ ଭିକ୍ଷୁ, ଏ ଜୀବନ ଜ୍ଵଳନ୍ତ ଚିତା ସମ ।”

ଜୀବନ ଜଳୁଛି ।

ସତୀ ଶୋଇ ଶୋଇ ଜଳୁଛି ।

ଆଉଜା କବାଟ ସେପାଖେ ନାକେଇ ରହିଛି ଆଉ ଜଣେ, ସେ ମୃଣ୍ମୟୀ ।

ସମ୍ବାଦଟା ଦେବ ତା’ହେଲେ ?

ସେହି କଥାହିଁ ଭାବୁଛି ।

ଆସିଥିଲା ତ ସେହି ଉଦ୍ଦେଶ୍ୟରେ,“ସତୀ ଅପା, ଗୋଟିଏ ଖବର ଅଛି ।” ତା’ର ମାଉଁସିଆ ଗୋଲ ମୁହଁରେ ଝିଲିଝିଲିଆ ଲହଡ଼ି ଖେଳାଇ ତୁହାଇ ତୁହାଇ ହସ ଛୁଟିଯାଉଛି, କବାଟ ଆଡ଼କୁ ମୁହଁ ବୁଲେଇଲେ ବି ଯଥେଷ୍ଟ ନୁହେଁ, ଅତି-ଧୋବ ଶାଢ଼ୀରୁ ମେଞ୍ଚାଏ ମୁହଁରେ ମାଡ଼ି ପାଟିରେ ଭିଜେଇ ବହୁ କଷ୍ଟରେ ସେ ହସର ଶବ୍ଦ ରୋକିନେଉଛି, ପୁଣି ଏଣିକି ତେଣିକି ଦୃଷ୍ଟି, କିଏ–ଦେଖିଲା କି ?

ସତୀ ଅପା,ଗୋଟିଏ ଖବର ଅଛି ।

ଚକିତରେ ତା’ର ଚାହାଣୀରେ ବିଜୟର ଗର୍ବ, ସୁନ୍ଦର ଆଖି ଦିଓଟି, ସେ ଶ୍ୟାମଳୀ, ସେ ଫୁଲୁକୀ, ସେ ଧୁସ୍କୀ; କିନ୍ତୁ ସୁନ୍ଦର ଦିଓଟି ଆଖି, ଦିଓଟି ଆୟତ, ଗଭୀର ଦୃଷ୍ଟି, କି ଗଭୀର ମାୟା ଭାବରେ ଆଚ୍ଛନ୍ନ ଢଳ ଢଳ । ନାରୀର ଗର୍ବ ତାକୁ ଆହୁରି ସୁନ୍ଦର କରେ, ଆଶାରେ କରେ ବଳିଷ୍ଠ, କଳ୍ପନା ସେଠି ତୂଳିରେ ରଙ୍ଗ ବୋଳେ ।

କି ଖବର ?

ଜିଭର ଅଗ ଦାନ୍ତରେ କାମୁଡ଼ି ପକାଉଛି, ଲଜ୍ଜାରେ ଉଷୁମ୍ ହୋଇ ଉଠୁଛି ମୁହଁ, ବେକର ପଛଆଡ଼ । ସେ ଗୋରା ନୁହେଁ, ସେ ସତୀ ପରି ନୁହେଁ ଯେ ଟିକିକ କଥାରେ ତା’ର ମୁହଁ କାନ ମନ୍ଦାର ଫୁଲ ପରି ରଙ୍ଗା ପଡ଼ିଯିବ ।

ତଥାପି-ଓଃ, କି ଲଜ୍ଜା– । କ’ଣ କହିବ ସେ !

ସେହି ଲଜ୍ଜା ତଳେ ତଳେ ମୂର୍ତ୍ତିମନ୍ତ ହୁଏ ଜୀବନର ଅପୂରଣ ଆଶା, ଦେହର କ୍ଷୁଧା, ଆଖି ଆଗେ ଆଗେ ସେ ତା’ର ଶୋଷ ମେଣ୍ଟାଇ ଠିଆହୁଏ ମନ୍ଦିର ଦେହରେ ଅଶ୍ଳୀଳ ମୂର୍ତ୍ତି ପରି,–ନିଶ୍ଚଳ, ପରିଷ୍ଫୁଟ, ନିଦା, ଲୁଚାଛପା ନୁହେଁ, ହାଟରେ ଢୋଲ ପିଟି ଜଗତର ଅଗଣତି କୁତୂହଳୀ ଆଖି ଆଗରେ । ଅତି ଗୋପନ ଅତି ଆପଣାର ଆତ୍ମଚରିତାର୍ଥତାର କାହାଣୀ, କବାଟ ଫାଙ୍କ କଲେ ଲାଜ ମାଡ଼େ । ମନର ଏହି ଅବସ୍ଥାରେ ସତେକି ବୁଝି ହୁଏ,–ଲୋକେ ଖାଇବସିଲାବେଳେ କାହିଁକି କବାଟ ଆଉଜାନ୍ତି ।

 

କହିଦେବ ସେ ?

 

କବାଟ ଉପରେ ଆଉଜି ରହି ଆହୁରି ମନେ ପଡ଼େ ଗୋଟିଏ ରୂପ, ଗୋଟିଏ ବ୍ୟକ୍ତିତ୍ଵ । କୁଆଡ଼ୁ କିଛି ନ ହେଉଣୁ ସେଇଠି ତା’ର ପ୍ରାଣଟା ଅଟକି ରହିଛି, ନିର୍ମୂଳୀ ଲଟାର ଛନ୍ଦାଛନ୍ଦି ଜାଲ ପରି ଝିଙ୍କି ଧରିଛି ସେହି ବ୍ୟକ୍ତିତ୍ଵକୁ ପ୍ରାଣପଣେ, ତୁଷାର୍ତ୍ତ ବାସନାର ଅସଂଖ୍ୟ ଗୋପନ ଶୋଷାମୁହଁ ଠେଂସି ଧରିଛି ଏ ପାପୁଲିର ଆଙ୍ଗୁଠି ସନ୍ଧିରେ ଆର ପାପୁଲିର ଆଙ୍ଗୁଠି ମିଶେଇଲା ପରି । ଏମିତି ଶୋଷି ଶୋଷି ସେ ଆହୁରି ଫୁଲିବାକୁ ଆଶା ପୋଷେ ପ୍ରାଣ ପ୍ରାଚୁର୍ଯ୍ୟରେ, ସେହି ତା’ର ଗର୍ବ । ଏହି ପରିଣତ ପାଇଁ ତା’ର ଜୀବନବ୍ୟାପୀ ସାଧନା, ସେଇଥି ପାଇଁତ ଆନନ୍ଦର ଉନ୍ମାଦନାରେ ଧାଇଁ ଆସିଛି ସେ ସମ୍ବାଦଟା ପ୍ରଚାର କରିବାକୁ,–ଶୁଣୁ ଦୁନିଆଁ, ମୃଣ୍ମୟୀ ଭାଗ୍ୟବତୀ ।

 

ତେଣୁ ଆଖି ଆଗରେ ଦିଶିଯାଉଛି ସେ ଆର ଜଣକ ବି, ଯେ ତା’ର ଗର୍ବର ହେତୁ, ଯେ ତାକୁ ତ୍ରାଣ କରିବ ।

 

ହୁଏତ ସରୁ ଓଠ ଦିପାଳି ଦାଢ଼ କଇଁଚି ପରି ଜାବି ଦେଇ ଧାର ବଙ୍କେଇ ସତୀ ଦେବୀ ହାଣି ବସିବେ ତାଙ୍କ ଚିର ଅଭ୍ୟସ୍ତ ଶାଣୁଆ ମନ୍ତବ୍ୟ କିଛି, ସେହି ତ ମଣିଷର ଚିରାଚରିତ ବ୍ୟକ୍ତିତ୍ଵର ଚେହେରା । ସିଧା ଚାହିଁଲେ ସ୍ପଷ୍ଟ ବାରି ହୁଏନାହିଁ ସିନା, ତାକୁ ଚିହ୍ନି ହୁଏ ଅନ୍ୟମାନଙ୍କଠି ପଡ଼ିଥିବା ତା’ର ଛାଇ ସବୁ ଏକାଠି କରି ।

 

ଅତଏବ ସତୀ ଦେବୀ ହାଣିବେ ଏକ ଶାଣିତ ମନ୍ତବ୍ୟ,–“ମୃଣ୍ମୟୀ, ଶେଷରେ ତୁମେ ବି-!’’

 

ଦେହକୁ ଚାଉଁକିନା ଲାଗିବ, ଅବିକଳ ଶୀତଦିନେ କୁହୁଡ଼ିଆ ପାହାନ୍ତିରେ ଗଡ଼ିଆପାଣିରେ ପହିଲି ବୁଡ଼ ପରି ।

 

ତା’ପରେ ? –ସହଜ ତ ସବୁ !

 

ସେହି ପହିଲି ଚମକ ଟିକିକ, ତା’ର ବି ସୁଆଦ ଅଛି,–ମୃଣ୍ମୟୀ ମନକୁ ମନ ହସିଲା । ଆତ୍ମତୃପ୍ତିରେ ପୂରିଗଲା ଅନ୍ତରସାରା, ତା’ର ସୁନ୍ଦର ଆଖିରେ ଗାଈର ଚାହାଣି, ଆସୁ ଯାହା, ଯେ ଯାହା କହୁ, ଜୀବନ ସୁନ୍ଦର । ତା’ର ତ୍ୟାଗର ସାଧନା ଶେଷ, ଏହି ତ ସେ, ଆନନ୍ଦର ଦ୍ଵାରଦେଶରେ ।

 

କବାଟରେ ହାତମାରି ଧୀରେ ପେଲି ଦେଲା, ତା’ର ଶିକ୍ଷୟିତ୍ରୀ ମନ ଭାବିଲାଗିଲା ପଢ଼ା ସାହିତ୍ୟର ଭାଷାରେ, ମନେ ପଡ଼ିଗଲା, ମହାଦେବ ଆତ୍ମପ୍ରକାଶ କରୁଛନ୍ତି, ପାର୍ବତୀ ଗୋଟିଏ ପାଦ ଟେକି ଅଟକି ରହିଛନ୍ତି, ଶୈଳାଧିରାଜାତନୟା ନ ଯଯୌ ନ ତସ୍ଥୌ ।

 

ସେ ବି ଗୋଟିଏ ପାଦ ଅଳ୍ପେ ଟେକି ଅପେକ୍ଷା କଲା ଟିକିଏ ।

 

“ସତୀ ଦେଈ !”

 

କବାଟ ପେଲି ଭିତରକୁ ପଶିଗଲା ।

 

‘‘ତୁମେ ବି ମୃଣ୍ମୟୀ !”

 

“ହଁ ସତୀ ଅପା”

 

ଲଜ୍ଜାରେ ମୃଣ୍ମୟୀ ମୁହଁକୁ ତଳକୁ ପୋତି ଠିଆହୋଇଛି, ସେ ଅପରାଧିନୀ, ବିଚାରକ ତା’ର ସାମ୍ନାରେ ।

 

ସେ ଅପରାଧିନୀ, ଗତାନୁଗତିକ ଚିରାଚରିତ ନୀତି ଭଙ୍ଗ କରିବାହିଁ ତ ଅପରାଧ, ଅପରାଧର ସଂଜ୍ଞା ସମାଜିକତାର ସଂଜ୍ଞାରେ ସୁସିଦ୍ଧ, କାହିଁ ଏଠି ତା’ର ସମର୍ଥନ ! ସାମ୍ନାରେ ସତୀ ଅପା ।

 

ସତୀ କିଛି କହିଲା ନାହିଁ, ଚୁପ୍‍ଚାପ୍ କଟିଲା ତିନି ମିନିଟ୍ , ଏହି ତିନି ମିନିଟରେ ଦୁହିଙ୍କ ମନରେ ବୋହି ଚାଲିଲା ଯେପରିକି ଗୋଟାଏ ଯୁଗ,-ଦୁହିଙ୍କ ସମ୍ବନ୍ଧରେ ଇତିହାସ, ଆଉ,–ଚଳନ୍ତି ସମୁଦ୍ରର ଲହଡ଼ି ସେକରେ ଉଇଁ ଉଠୁଛି ଯେପରିକି ଦୁଇଟି ନୂଆ ମୁହଁ, ଦୁହେଁ ନୂଆ ହୋଇ ପରସ୍ପରଙ୍କ ଏ ଦୁଇ ମୁହଁକୁ ଚିହ୍ନା ଚିହ୍ନି ହେଉଛନ୍ତି, କାହିଁ, ଏତେ ଦିନର ପରିଚୟ, କେବେ ତ ନ ଥିଲା ଏ ମୁହଁ ?

 

ସତୀର ଉତ୍ସୁକ ଚାହାଣି, କ୍ରମେ ଆପଣା ଅନୁଭୂତି ଆଉଣ୍ଡି ଦେଖୁଛି ନିଜ ଅଭିଜ୍ଞତାରେ ମୃଣ୍ମୟୀର ନୂଆ ରୂପ, ଆପଣାକୁ ଚାହୁଁ ଚାହୁଁ କେତେଠିଁ କେତେ ନୂଆ ଝରକା ଫିଟିଯାଉଛି, ସତୀ ହୋଇଯାଉଛି ସ୍ଵପ୍ନାବିଷ୍ଟା । ଡହ ଡହ ହାହାକାରର ଆଳାପ ଚାଲିଛି ଆପଣାଠିଁ ଗମ୍ଭୀର ଉଦାରା ପର୍ଦ୍ଦାରେ,–

 

ନେଡ଼ିଗୁଡ଼ କହୁଣୀକୁ ବୋହିଯାଇଛି ପରା, ଚାହିଁଥିଲେ ସେ ବି ତ’–।

 

ତା’ର ସହାନୁଭୂତିହୀନତାରେ ଆଘାତ ପାଇ ମୃଣ୍ମୟୀର ଲଜ୍ଜା କଟିଯାଇଛି, ଆସିଛି ଶତ୍ରୁତା, ସେ ନୁହେଁ ସଦା କୁହାର ବୋଲର କଅଁଳକହୀ ବାଧ୍ୟ ଝିଅଟି ସବୁ ଦିନର, ନାରୀର ସ୍ଵଭାବସୁଲଭ ନଖଦାନ୍ତ ଯେପରିକି କଅଁଳ ଢାଙ୍କୁଣୀ ପେଲି ପଦାକୁ ବାହାରିବାକୁ ଉଚ୍ଛନ୍ନ ହେଲାଣି, ତମତମ ହୋଇ ଭାବୁଛି–କାହିଁକି ଏଠିକି ଧାଇଁ ଆସିଥିଲା ସେ ? ସତୀ ଅପା ତେବେ ଅବୁଝା ପଥର ?

 

ଖାଲି ଚିରିଗୁଣୀ ନିଆଁ ?

 

ଲୋକେ ଯେ କହନ୍ତି କେତେ,–ଜୀବନଯାକ ମଣିଷଙ୍କୁ ଓଟାରି ଓଟାରି ସେ ଖାଲି ପଙ୍କରେ ପକାଇଛନ୍ତି, ହନ୍ତସନ୍ତ କରି ମାରିଛନ୍ତି, ସତ ସେ ବୋଧହୁଏ ।

 

ଓଃ, କି ନିଷ୍ଠୁର, ଖୁର ପରି ହୃଦୟ, ଥଣ୍ଡା ନେଳି, ମୁଣ୍ଡା ବରଫ । ଭଗବାନ୍ ଏପରି ମଣିଷଙ୍କୁ କାହିଁକି ଜନ୍ମ ଦିଏ ?

 

ସତୀ ଅପା !

 

କାହାର ଅପା ସେ ?

 

କାହାର ଗାତଚୁଲି ?

 

ନୀରବତା ଭାଙ୍ଗି ହୋ ହୋ ହୋଇ ସତୀ ହସି ଉଠିଲା, କହିଲା-‘‘ବାଃ, ବେଶ୍‍ତ ମୁଁ ! ତୁମୁକୁ ସମ୍ବର୍ଦ୍ଧନା ଜଣାଇବାକୁ ହେବ ଯେ ମୃଣ୍ମୟୀ, ସେତେବେଳୁ ଠିଆ କରେଇ ରଖିଚି । ବସ ବସ ମ–”

 

“ନା, ମୁଁ ଯାଏଁ, କେତେ କାମ–”

 

ଆହୁରି ହସି ସତୀ କହିଲା–“କାମ ! ଅଜିଠୁଁ ! ବସ,ବସ । ଅଭିମାନ ହେଲା ପରା ? ଦେଖେଁ, ମୁହଁଟି–।

 

ସତୀର ଝାଙ୍କରେ ମୃଣ୍ମୟୀ ତା’ର ବିଛଣାରେ ବସିପଡ଼ିଲା, ତା’ର ବେକକୁ ବେଢ଼େଇଧରି ମୁହଁରେ ଗେଲ କରି ସତୀ କହିଲା,–“ଠିକ୍ ଏମିତିଆ, ନାଁ ? ...ଆହୁରି ଦେଖେଁ ମୁହଁଟି ? ଜୀବନର ଲହଡ଼ି ଯାହାଠିଁ ବାଜେ ସେ ଏମିତି ଦିଶେ । କେମିତି ? କହିବି ? ଫୁଲରେ ମୁହଁ ଗେଞ୍ଜିଲେ ମୁହଁରେ ଗାଲରେ ଯେପରି ଫୁଲର ରେଣୁ ଲାଗିଯାଏ । ମୁଁ ନମସ୍କାର କରୁଛି ତୁମକୁ ମୃଣ୍ମୟୀ–”

 

“ଛି,ଏ କ’ଣ କରୁଛ ସତୀ ଅପା-”

 

“ନମସ୍କାର ତୁମକୁ ନୁହେଁ ମୃଣ୍ମୟୀ, ତୁମ ମୁହଁରେ ସେ ଫୁଲର ରେଣୁକୁ, ଭଗବାନ୍ କରନ୍ତୁ ତୁମେ ଶାନ୍ତି ପାଅ, କହ ହେ ଇଶ୍ଵର, ଅତୁଟ ରଖ ଆମର ଭ୍ରାନ୍ତି, ଆମର ମାୟା, ଆମର ସ୍ଵପ୍ନ, ଶାନ୍ତି ଦିଅ ।”

 

“ତୁମ ମୁହଁରେ ଈଶ୍ଵର କାହିଁକି ସତୀ ଅପା ?’’

 

ଆଘାତ ଚୋଟରେ ପାଉଁଶିଆ ପଡ଼ିଯାଇ ନିଜକୁ ସମ୍ଭାଳି ନେଇ ସତୀ କହିଲା, “କାରଣ ଈଶ୍ଵର ଭ୍ରାନ୍ତିରୂପୀ ଏବଂ ମୁଁ ଭ୍ରାନ୍ତ, ଠିକ୍ ହେଲା ? ମୁଁ ଆଲୁଅ ଚାହେଁ ନାହିଁ, ମୁଁ ଚାହେଁ ଅନ୍ଧାର । ଆହୁରି ହେଲା ?”

 

“ଈଶ୍ଵର ସତ୍ୟରୂପୀ, ମୁଁ ଈଶ୍ଵରଙ୍କଠିଁ ବିଶ୍ଵାସ କରେଁ ।’’

 

“ତେବେ ତୁମେ ଚା’କପେ ଖାଇ ଦେଇ ଯିବ ଏବଂ ବିସ୍କୁଟ୍ ଦିଖଣ୍ଡ, ସେ ଉଭୟେ ସତ୍ୟ, ବିଶ୍ୱାସ କର ।’’

 

“ସତେ ସତୀ ଅପା, ମୁଁ ଈଶ୍ଵରଙ୍କୁ ବିଶ୍ୱାସ କରେଁ, ଆଉ,–”

 

“ସେତ’ ଦେଖି ପାରୁଛି ପରିଣତିରୁ, ଈଶ୍ଵରଙ୍କ ଦୟା ବି ପାଇଛି, ତୁମେ ଈଶ୍ଵରଙ୍କର ଆପଣା ମଣିଷ, ବିଶିଷ୍ଟ, God’s chosen people, Herren volk.’’

 

“ଯାଃ, ତୁମେ ଥଟ୍ଟା କରୁଛ, ଥଟ୍ଟାର ବସ୍ତୁ ମଣିଷ, ଈଶ୍ଵର ନୁହନ୍ତି–’’

 

“ଥଟ୍ଟାର ବସ୍ତୁ ମଣିଷ ବି ନୁହନ୍ତି, ଏକଥା ତୁମର ବେଶୀ ଜାଣିବା ଦରକାର ମୃଣ୍ମୟୀ, ନାଁ ଧରିବ ନହିଁ, ଗାଧୋଇସାରି ଗୋଡ଼ଧୋଇ ପାଣି ପିଇବ, କାନ୍ଧ ଉପରେ ମରାହୋଇଥିବ ଗୋଟାଏ ମାର୍କା, ଗୋଟାଏ ବ୍ରୁଚ୍, ସେଥିରେ ଲେଖା ହୋଇଥିବ ନାମବ୍ରହ୍ମ–ପତି ପରମଗୁରୁ–”

 

“ଧ୍ୟାତ୍– ।”

 

ଲାଜରେ ହସି ଦେଇ ମୃଣ୍ମୟୀ ଉଠି ପଳେଇଲା, ଦୁଆରମୁହଁରେ ଧରି ପକେଇ ପୁଣି ଘିଡ଼ିଘିଡ଼ା କରି ଖଟକୁ ଘୋସାରି ଆଣୁ ଆଣୁ ସତୀ କହିଲା–

 

“ଏତିକି ସତ୍ୟର ତେଜ ସହି ପାରୁନ ମୃଣ୍ମୟୀ, କେମିତି ସହିବ ସତ୍ୟର ବାରମ୍ବାର ଆଘାତ ? ସତ୍ୟର ତେଜର ଦାହ ଆପଣା ଉପରେ ? ସତ୍ୟର ସଂଘର୍ଷ, ସତ୍ୟର ଆଘାତ ?’’

 

“କ’ଣ ?”

 

“ନାରୀ ଉପରେ ସତ୍ୟର ପ୍ରଦାହ ମାତୃତ୍ଵ ।”

 

“ଧ୍ୟାତ୍ । ଛାଡ଼ ମୁଁ ଯାଏ ସତୀ ଅପା । ଫେର୍ ଆସିବି ।”

 

ପାଗଳ ପରି ସତୀ ତା’ର ଶାଢ଼ୀରୁ ମେଞ୍ଚାଏ ମୁଠେଇ ଧରିଛି, ପିନ୍ଧା ଅସ୍ତବ୍ୟସ୍ତ । ପାଗଳ ପରି ଆଖିର ଜ୍ୟୋତି, ହାତର ଜାବ । ଥଟ୍ଟା କଲାପରି ହସୁଛି ପ୍ରଚୁର, କିନ୍ତୁ ସେ ତୁହାଇ ତୁହାଇ ଫାଇଁ ଫାଇଁ ହସ, ପାଗଳର । ତା’ର ଥଟ୍ଟା ଓ ପାଗଳାମି ଉହାଡ଼ରେ କଷ୍ଟ ଦେଇ ଆନନ୍ଦ ଅରଜିବାର ଦୃଢ଼ ପ୍ରତିଜ୍ଞା, ଉଙ୍କି ମାରୁଛି ତା’ର ବଙ୍କା ଓଠର ଭଙ୍ଗୀରେ, ଚିବୁକର ରହି ରହିକା କଠିନ ଦାଢ଼ରେ । ମୃଣ୍ମୟୀ ଆତ୍ମସମପର୍ଣ କଲା । ମନରେ ଚକିତ ଚକିତ ଭାବ-କ’ଣ ଏ? ସ୍ନେହ ନା ଆଉ କିଛି !

 

ସତୀ ତା’ର ହାତରେ ହାତ ରଖି ଝରକାବାଟେ ଦୂରକୁ ଅନେଇଁ ରହିଲା, ଫମ୍ପା ଆକାଶରେ ଶେଷ ସୂର୍ଯ୍ୟର ରଙ୍ଗରେ କି ସୁନ୍ଦର ରଙ୍ଗସରସର ହୋଇଉଠୁଛି । ମନରେ ଉତୁରା ଢେଉକୁ ଆସ୍ତେ ଦାବି ଦେଇ ନିଜକୁ ଆୟତ୍ତ କଲା, ଏ କ’ଣ ? ଅଭିନୟ ମାତ୍ରା ବଳେଇ ଯାଉଛି ଯେ ! ଚାଲିଲା ମୃଣ୍ମୟୀ, ଏଣିକି ତା’ର ଜୀବନର ଭିନେ ପତ୍ତନ, ନୂଆ ସ୍ତର, ଏମିତି ତ କେତେ–କାହାର କାହା ସହିତ କ’ଣ ଆସେ ଯାଏ ?

 

ଅତି ମିଠା ହସ ହସି ମୁହଁ ହଲେଇ ଆଖିପତାରୁ ମୋହିନୀ ବିଞ୍ଚି ବିଞ୍ଚି ସତୀ କହିଲା–

 

“ଆନନ୍ଦର ତୋଫାନ । ସେ କ’ଣ ରୋକି ହୁଏ ? ଟାଇଫୁନ୍ ତୋଫାନ ପରି ଆସି ଭିଣିଭିଣା କରିଦେଇ ଯାଏ,’’ ମୁଣ୍ଡ ଆଉଁସି ଆଉଁସି ମୃଣ୍ମୟୀର ମୁହଁକୁ ଛାତିଉପରକୁ ଓଟାରି ନେଇ କହିଲା, ‘‘ତୁମର ଶୁଭବିବାହ, କିନ୍ତୁ ଆନନ୍ଦ ମୋଚି ବେଶୀ ।’’

 

ଈଶ୍ଵର କରନ୍ତୁ ଜୀବନରେ ଖୁବ୍ ସୁଖୀ ହୁଅ, ଜୀବନ ହେଉ ତୁମର ସ୍ଥିର ଗଭୀର ପାଣିରେ ଶାନ୍ତ ଜହ୍ନରାତି, ପ୍ରେମବିମୁଗ୍ଧ ।

 

ଖୁବ୍ ଭାଗ୍ୟବାନ୍ ସେ, ନା ? କହ ଟିକିଏ ତାଙ୍କ କଥା ।

 

ଆଉ କାନେ କାନେ କହିବି ଗୋଟାଏ ଗୁପ୍ତ କଥା, ଗୋଟାଏ ବର ମାଗିବି, ଦବ ମତେ-? ତୁମର ଝିଅ ହେଲେ ମତେ ଦେଇ ଦେବ, ସେ ହବ ମୋର ଝିଅ । କଥା ରହିଲା, ଏଁ ?’’

 

ମୃଣ୍ମୟୀର ମୁହଁ ଟେକି ଦେଲା ।

 

ସତୀର ଛାତିର ଧୁକ୍ ଧୁକ୍, ମଣିଷ କଅଁଳ କଥା, ମୁଣ୍ଡ ଉପରେ ତା’ର ଗେଲ-ଆଉଁସା । ମାଟି ତରଳି ଥିଲା । ମୃଣ୍ମୟୀ ଆଖିବୁଜି ହସୁଥିଲା ଆଖିପତାରୁ ଧୀରି ଧୀରି ଝରୁଥିଲା କେରା କେରା ଲୁହ ।

 

“କାନ୍ଦୁଛ ତୁମେ ? କ’ଣ, ବର ମାଗିଲି ବୋଲି ? ଛି–ପିଲା ମଣିଷ । ଏଥିରୁ କ’ଣ ପ୍ରମାଣ ହେଉଛି ଜାଣ ? ଅନର୍ସ ନେଇ ବି.ଏ. ପାଶ୍ କଲେ ବି ସ୍ତ୍ରୀଲୋକ ସ୍ତ୍ରୀଲୋକହିଁ, ଗୃହିତ-ଆଗମା, ରୋରୁଦ୍ୟମାନା, ମାଷ୍ଟରାଣୀ ହେଲ ବି ।”

 

ଫାଇଁକିନା ହସି ଦେଇ ମୃଣ୍ମୟୀ ମୁହଁ ପୋଛି ପକେଇଲା । କହିଲା, ‘‘ମୁଁ ଚା’କରେଁ ।”

 

“କର, କିନ୍ତୁ ହୁସିଆର, ବେଶୀ ମିଠା ହୋଇଯିବ ।”

 

ଆଶ୍ଚର୍ଯ୍ୟ ହୋଇ ମୃଣ୍ମୟୀ ଅନେଇଁଲା, ସତୀ ଶ୍ଳୋକ ପଢ଼ିଲା–“ଓଁ ମଧୁ, ମଧୁ,

 

ମଧୁବାତା ଋତାୟନ୍ତେ, ମଧୁ କ୍ଷରନ୍ତି ତରବଃ–”

 

“ଯାଃ–”

 

“ତୁମେ ଚା’–କର ।”

 

ମୃଣ୍ମୟୀ ବିଭା ହେଉଛି ।

 

ଫାଙ୍କା ଆଖିରେ ଦୂର କ୍ଷେତ ସେପାଖକୁ ନଈ ସେପାରିକୁ ସବୁ ଟପିଯାଇ ହଜିଲା ପାହାଡ଼ର ନେଳି-ବେଣୀକୁ ଅନେଇଁ ରହି ସତୀ ଘେନୁଛି ଏ ସମ୍ବାଦର ଅର୍ଥ ।

 

ଖରା ଧାସ ମାରି ଆସୁଛି ।

 

ମୃଣ୍ମୟୀ ବିଭା ହେଉଛି ।

 

କୁଆଁର ପୁନେଇଁ ଆଉ କେତେ ଦିନ ?

 

ଦଶରାଟା ଗଲେ ।

 

ଦଶହରା–ଗୋଟାଏ ସୃତି ମନେପଡ଼େ ।

 

ଯାଉ ସବୁ ।

 

ଭଲ ପାଇଲେ କ’ଣ ବିଭାହେବା ବାଧ୍ୟତାମୂଳକ ?

 

ବିବାହ,–ଅକାରଣେ ମନେ ପଡ଼େ ପିଢ଼ାଭର୍ତ୍ତି କଖାରୁ ଫଳ । କଖାରୁ ଗଛ ଶୁଖି ଶୁଖି ଆସୁଛି । ତଥାପି ମନଟା ସାନ୍ତ୍ଵନା ଘେନୁନାହିଁ ।

 

ଲୋକେ ବିଭା ହେଉଛନ୍ତି । ଦୂର କ୍ଷେତ ଆଉ ନଈ ସେପାରି ଉପରେ ଭାସି ଭାସି ଆସୁଛି ସତେକି ଢୋଲ ମହୁରିର ଶବ୍ଦ ।

 

ପଦାରେ ଚହଳ ଯେତେ ପ୍ରକାର, ଅସ୍ତ୍ୟବ୍ୟସ୍ତ ଜନତା । ଫାଳେ ଫାଳେ ଓଢ଼ଣା, ଅଳଙ୍କାରର ଚେନାଏଁ ଚେନାଏଁ, ଖାଲି ଦେହ, ଚାଦର, ଗାମୁଛା, କାମିଜ୍, ଏକାଠି ଦେହ ଘସାଘସି । କଦଳୀଗଛ । ଛାମୁଡ଼ିଆ । ବେଦୀ ଉପରେ ମୁରୁଜ । ହୋମନିଆଁ । ମୁହଁ ଘୋରି ହୋଇ ମୁକୁଟ ନାଇ ଆଉଜି ରହି ମେଞ୍ଚା ହୋଇ ବସି ରହିଛି ଜଣେ । ଆଉ ଜଣେ ତା’ର ହାତକୁ ଓଟାରି ଧରିଛି ।

 

ମନ୍ତ୍ରର ଗର୍ଜନ ଶୁଭୁଛି ।

 

ଦେହରେ ଲାଗିଛି ହୋମନିଆଁର ତାତି, ନାକରେ ପୋଡ଼ା ଘିଅର ବାସ୍ନା । ଓଃ, କି ଗରମ-!

 

ବିଭାଘର ।

 

ସେତିକି ଖାଲି ?

 

ମୃଣ୍ମୟୀ ଚା’ କରୁଛି ।

 

ପଡ଼ିଶାଘର ବୋହୂ ସୁଲୋଚନା ମୁହଁରେ ଲମ୍ବ ଓଢ଼ଣା ପକେଇ ନଇଁ ନଇଁ ବାଟ ଚାଲେ ଖୋଜ ଗଣି ଗଣି, ଅଟକି ଅଟକି ଏଣିକି ତେଣିକି ଚାହେଁ, ଲମ୍ବ ଓଢ଼ଣା ଛେଳିଖିଆ କଦଳୀପତ୍ର ପରି ଏପାଖ ସେପାଖ ହଲିଯାଏ, ମୁହଁଟି ଦିଶେ ନାହିଁ । ଡଉଲ ଡାଉଲ ମଣିଷଟିର ଦେହ ଗାଢ଼ ନେଳିକସ୍ତା ଘୋରିପୂରି ହୋଇ ବଙ୍କା ହୋଇ ବାରିହୁଏ ।

 

ଗବପତ୍ର ଉପରେ ଚାଲେ କଳା ମିଶ୍ ମିଶ୍ ମୋଟା ବଙ୍କା ପୋକଟି, ତୁନିତାନି ଚିରିଯାଏ, ପାଟି ଫିଟାଏ ନାହିଁ । କ’ଣ ଚରେ ? ଆଜି ମନେପଡ଼େ ପତ୍ରରେ ରସ ଅଛି, ଜୀବନରେ ଅଛି ଅନ୍ଧାରି ସୁଆଦ ।

 

ପଡ଼ିଶାଘର ବୋହୂ ବଢ଼େଇଦିଏ ଦୋ’ଟି ବଳିଲା ବଳିଲା ହାତ-କେତେ ଧଳା, ପଇଁଚ ବଟଫଳ ଖଡ଼ୁ କାଚ, ମୋଟା ମୋଟା ଆଙ୍ଗୁଠିରେ ମୁଦି ଗଣ୍ଠି କି ଗଣ୍ଠି, କଳା କସ୍ତାତଳେ ପୁରିଲା ପୁରିଲା ପାଦ ଦୋଟି ଦିଶେ–କେଡ଼େ ଗୋରା ! ଆଉ ସେଠି ରୂପାର ପା’ ପଦ୍ମ ପାଉଞ୍ଜ, ସକାଳର ଖରା ଲାଗିଲେ ଚିକ୍, ଚିକ୍, ଜଳି ଉଠେ ମନ୍ଦାର ଫୁଲ ପରି ନାଲି ଅଳତା । ଘାସ ଉପରେ ପାଦକୁ ପାଦ ପକେଇ ପଡ଼ିଶାଘର ବୋହୂ ଚାଲିଯାଏ ।

 

ଅନ୍ଧାରୁଆ ଗମ୍ଭୀରି ଘରେ କବାଟ କୋଣରେ ଠିଆହୋଇ ପାଟିରେ ଟାକରା ଫୁଟାଇ ସଙ୍କେତ ଧ୍ୱନି କରି ପଡ଼ିଶାଘର ବୋହୂ ଡାକ ପକାଏ, କହେ ଚୁ-ଚୁ-ଚୁ । କତିକି ଗଲେ ବେକରେ ହାତ ଗୁରେଇ ଦେହକୁ ଘୋସାରି ନିଏ, ମୁହଁଟି ନଇଁଆସେ ଧୀରେ । ମେଥି ବାସ୍ନା, ସଜ ନଡ଼ିଆ ତେଲ ବାସ୍ନା–ସବୁ ଡୁବେଇ ଦେଇ କଇଁଫୁଲ ପରି ମଣିଷ ଦେହର ବାସ୍ନା । ବେକରେ କଇଁ ନାଡ଼, ଦେହରେ ନରମ ଉଷୁମ୍ । ଫୁସ୍ ଫୁସ୍ କରି କହେ, ‘‘ଆସ ସତି, ଖଣ୍ଡେ ଛୁଞ୍ଚୁପତର ଖାଇବ । ତୁମକୁ ମୋ ରାଣ, ମୋ ମୁଣ୍ଡ ଖାଇବ, ଛୁଞ୍ଚୁପତର ଖାଇବ, ସୁନାଟି ପରା–”

 

ବୋହୂ ତା’ର ହାତକାମ ଦେଖାଏ, ଗୋଟିଏ ଖାତାରେ ନାନାଜାତି ରଙ୍ଗରେ ଚିତ୍ରହୋଇ ନାନାଜାତିରେ ‘ବନ୍ଧ’, ନାନାଜାତି ଚିତ୍ର ଛୁଞ୍ଚିକାମ, ସଙ୍କେତ ଛବି, ଘରେ ଘରେ ପୁରୁଣା ଓଡ଼ଶୀ କଳାର ଶେଷାବଶେଷ, ଦେଖାଏ ଗରଡ଼-ମାଳି କାଚ-ମାଳିରେ ବୁଣା ଫୁଲ ଚାଙ୍ଗୁଡ଼ି, କଣ୍ଢେଇ ବାକ୍ସ, ଅଳଙ୍କାର, ପୁଣି କଣ୍ଢେଇ କେତେ ପ୍ରକାର, କାଇଁଶକାମ, ସିଲେଇକାମ । ଲୁଚେଇ ଲୁଚେଇ ଦେଖାଏ, ଅଳ୍ପେ ଅଳ୍ପେ, ଗଳା ବସେଇ ‘ତାରାଦେଈ କାନ୍ଦ’ ବୋଲେ ଅତି ସନ୍ତର୍ପଣରେ,–ଯେପରିକି କେଡ଼େ ବଡ଼ ଖରାପ କାମଟାଏ କରୁଛି, କିଏ ଦେଖିପକେଇବ ।

 

ପଡ଼ିଶାଘର ବୋହୂ ।

 

ସୁନ୍ଦର ନାଁଟି, ସୁଲୋଚନା ।

 

ଅନ୍ଧାର ଘରେ ଭଅଁରକଳା ଜିକ୍ ଜିକ୍ ହୋଇ ଦୋଟି ଆଖି ଲାଜ ଢୁଳୁଢୁଳୁ ହସ, ସାବୁଜା ପାଖୁଡ଼ା ଫକ୍କା ପାଖୁଡ଼ା ଉପରେ ଯେପରି ପଦ୍ମର ହସ । ତା’ର ନାଁ ଶୁଣିଲେ ମନଭିତରୁ ହସ ଉଠିଆସେ । ସମସ୍ତେ କହନ୍ତି ପଡ଼ିଶାଘର ବୋହୂ କେଡ଼େ ସୁନ୍ଦର ।

 

‘‘ବୋଉ, କଳା ନାଇ ଦେ, ଚନ୍ଦନପାଟି ନାଇ ଦେ, ଖଡ଼ୁ ନାଇ ଦେ, ମୁଁ ବି ବୋହୂ ହେବି ଲୋ ବୋଉ–’’

 

‘‘ଶୁଣ ମଁ ଫାଙ୍ଗୁଳୀଟା କଥା ।’’

 

‘‘ନାଇଁ ବୋଉ ସତରେ,’’ ବୋଉର କାନି ଧରି ଚାରି କରେ ଗୁରେଇ ହୋଇ ବୁଲେ,

 

‘‘ମୁଁ ବି ବୋହୂ ହେବି ଲୋ ବୋଉ ।’’

 

‘‘ତୋର ମୋର ବୋହୂ ବୋହୂକା ଖେଳିବା ସତୀ, ତୁ ହବୁ କନିଆଁ ମୁଁ ହେବି ବର ଏଁ ? ଏଇ ଦେଖ କେଡ଼େ ପାକଲା ପିଜୁଳିଟେ ଆଣିଚି ।’’

 

‘‘ଦେ, ଦେ, ଉଦିଆ’ଇ, ଦେ–’’

 

‘‘ଦେଖ କେଡ଼େ ପିଜୁଳି ।’’

 

‘‘କୋଉଠୁ ପାଇଲୁ ଉଦିଆ’ଇ,–’’

 

ଜଟିଆ ଓଝା ବାଇରେ । ବୁଲି ବୁଲି ଦେଖିଲି ନଅରକୋଳି ଗଛପାଖେ ଗୋଦା ମେଲା ଅଛି ।’’

 

‘‘ୟେ ମାଲୋ, ସେଠି ହୁଙ୍କା ପୁଞ୍ଜା ପୁଞ୍ଜା, ଆରପାଖେ କିଆବୁଦା, ସାପ ବାହାରିଥାନ୍ତା ଯଦି ?’’

 

‘‘ହୁଁ, ଏମିତି ସାପନା ? ପିଜୁଳି ପେଟେ ଖାଇଲି,–’’

 

‘‘ମତେ ଦେ ସେଇଟା–’’

 

‘‘ମୁଁ ହେବି ବର, ତୁ ହବୁ କନିଆଁ ।’’

 

‘‘ନାଇଁ ମୁଁ ହେବି ବର ।’’

 

‘‘ନଇଲେ ଦେବି ନାଇଁ ।’’

 

‘‘ହଉ, ମୁଁ ହେବି କନିଆଁ,–ଆରେ, ଖାଇ ଦଉଚୁ ?’’

 

‘‘ହଉ ନେ । ମୋ ହାତ ଧରି । ନଇଁ ପଡ଼ । ଚାଲ ସେ ଭଙ୍ଗା ଚାଳିକି ।’’

 

‘‘ମୁଁ ମିଛି ମିଛିକିଆ ଭାତ ରାନ୍ଧିବି ।’’

 

‘‘ମୁଁ ଖାଇବି ନାଇଁ, ମିଛି ମିଛିକିଆ ରୁଷିବି ।’’

 

‘‘ତେବେ ମୁଁ ଖାଇ ଦେବି, ପଳେଇବି ।’’

 

‘‘ଧେତ୍ ପେଟୁ, ହାଣ୍ଡିଖାଈ ।’’

 

‘‘ତୁ ହାଣ୍ଡିଖିଆ ।’’

 

ଗୁମ୍ ।

 

ଥୁଃ । ଥୁଃ । ଥୁଃ । ଆମ୍ପୁଢ଼ା ଆମ୍ପୁଡ଼ି ।

 

ଗୁମ୍ ଗାମ୍ ।

 

ପୁଣି ଥୁଃ । ଗାଲରେ ଭିଣିଭିଣା ।

 

ଗୁମ୍-ଗାମ୍-ଚଟ୍-ଠାଇ ।

 

ଇଁ-ଇଁ-ଇଁ-ଇଁ ।

 

ମୁହଁଟା ପଲମ ପରି କରି ଉଦିଆ’ଇ ଚାଲିଯାଉଚି ଦୂରରେ । ଅଇଣ୍ଠା ପିଜୁଳି ଖଣ୍ଡେ ଧୂଳିରେ ଗଡ଼ୁଛି ।

 

ଇଁ-ଇଁ-ଇଁ-ଇଁ-

 

ମିଛି ମିଛିକିଆ ଘରକରଣା ସତ ସତକିଆ ଘରକରଣା ।

 

ଉଦୁଉଦିଆ ଦି’ପହର । ସତେକି ରାଉ ରାଉ ନିଶା । ଯାହେଉ, ଶୋଇଛନ୍ତି ସମସ୍ତେ । ବଡ଼ବଡ଼ିଆ ଚେତା ଥିଲେ ପିଲା ଖେଳ ଖେଳିବାକୁ କେମିତି ମାଡ଼ିପଡ଼େ । ସତୀ ଦୁଆର ମୁହଁବାଟେ ବେକ ବଢ଼େଇଲା । ଦିଟା ବିଲେଇ ଗୋଡ଼ିଆ ଗୋଡ଼ି ହୋଇ ଗଲେ । ଗୋଟାଏ କେମିତି ତଣ୍ଟି ବସେଇ ବସେଇ ଘାଗଡ଼ା ଗଳାରେ ବୋବୋଉଛି । ଖଣ୍ଡେ କଳା କନା ପରି ପାରିହୋଇ ଶୋଇଥିଲା ଭାଲୁ କୁକୁର, ଭୁଷ୍‍କରି ଉଠିପଡ଼ି ଚିଲପରି ଧାଇଁଲା ତାଙ୍କ ପଛେ ପଛେ । କେଡ଼େ ସୁନ୍ଦର ଗୁଣ୍ଡୁଚିମୂଷାଟିଏ ଖେଳୁଥିଲା, ଧାଇଁ ପଳେଇଲା । ଫଡ଼୍‍ଫାଡ଼୍ ଉଡ଼ିଗଲେ ପାରାଗୁଡ଼ିକ, କେଡ଼େ ସୁନ୍ଦର ବସି ବସି ଧାନ ଟୋକୁଥିଲେ । କାଳିଆ ବଳଦ ବଡ଼ି କୁଲା ଉପରେ ମୋଟା ମୁଗୁରା ଜିଭଟା ଲହ ଲହ କରି ବୁଲେଇ ଲାଗିଛି । ପାଖକୁ ଗଲେ ମାରିବ, ମାରଣାଟା । ଶୋଇଛନ୍ତି ସମସ୍ତେ, ଶୋଇ ଥାନ୍ତୁ । ଏକାଡିଆଁକେ ପଦାକୁ । ଖରା ତାଉରେ ସବୁ ଆଉଟା ଆଉଟି । କେଡ଼େ ଜିକ୍ ଜିକ୍ । ସବୁ ଖାଲି ଆଲୁଅ, ସବୁ ଖାଲି ଆଲୁଅ, ଘାସ, ବାଡ଼, ଗଛ, ସବୁ ।

 

ବୁଢ଼ା ତେନ୍ତୁଳିଗଛର ସବା ଆଗରେ ବସିଯାଇଛନ୍ତି ଧଳାବଗ ଧାଡ଼ିକି ଧାଡ଼ି । ଓଃ, କେତେ ବଗ । କେଡ଼େ ଧଳା । ମୁହଁଟିମାନ ଉପରକୁ, ହଲ ନାହିଁ ଚଲ ନାହିଁ । ମନେ ପଡ଼ନ୍ତି ପୁରୋହିତ ଆପଣେ । ତା’ପରେ ମନେପଡ଼େ ଖଇ, କାକୁଡ଼ି । ଆମ୍ବଗଛରୁ ଆମ୍ବଗଛ କୁଦା ମାରି ମାଙ୍କଡ଼ ଖଖଃଖେଁ–ହୁଂ–ହାଂ–କେଡ଼େ ଲମ୍ବା ହୋଇ ଓହଳିଛି ବୁଢ଼ାଗେଧର ଲାଙ୍ଗୁଡ଼ । ସେପାଖେ ଖେତରେ ଦିଶୁଛି ଭୋଦେଇ ଧାନ ହଳଦି ଗରଗର । ପ୍ରଜାପତି ଉଡ଼ୁଛନ୍ତି । ଓଃ, କେତେ ! ତା’ ତଳେ କଅଁଳା ବାଛୁରୀ ପରି କୁଦା ମାରି ବୁଲୁଛି ଝିଅଟା ।

 

‘‘ଆ-ନେ–ଦେଖିଲୁ ସତେ ସତେ ଧାନ, ଚାଉଳ କରିବା, ଆଉ ସତେ ସତେ ମାଛ, ଏ କଉଫାସି, ଏଇଟା ଚେଙ୍ଗଛୁଆ–’’

 

‘‘ଉଦିଆ’ଇ ! ଆଃ !’’ ଗୋଟାଏ ଆନନ୍ଦର ଚିତ୍କାର, ଉଦିଆ’ଇକୁ ସତୀ କୁଣ୍ଢେଇ ପକେଇଥାଏ ।

 

‘‘ଏଇ ଦେଖ୍–ଧର୍–ଡେଇଁଗଲା–’’

 

‘‘ବଞ୍ଚିବ ନାଇଁ ?’’

 

‘‘କଂସାରେ ପାଣି ଆଣ୍, ଛାଡ଼ିବା,–ନଇଲେ ଗିଲାସରେ ଆଣ୍,–ଖେଳିବେ, ଦେଖିବୁ ।’’

 

ଉଦୁମୁଦା ହୋଇ ରୋଷେଇ ଘରକୁ । ମଜାମଜି ହୋଇ ବାସନ ଥୁଆ ହୋଇଥିବ । ଓଃ-! ଏତେ ଆନନ୍ଦ ! କୋଉଠି ରଖିବ ସେ ! ମାଛ ! ଖେଳିବ ! ଜୀଇଛି !

 

‘‘କଂସା ବି ଆଣିଚି ଗିଲାସ ବି ଆଣିଚି, ହେଇ ନେ, ଉଦିଆ’ଇ । ଆରେ ! ଏଇଟା ଏମିତି ଶୋଇଲାପରି ପଇଲା କାହିଁକି ? କଉଫାସି ଖେଳୁନାହିଁ କାହିଁକି ଉଦିଆ’ଇ ?’’

 

‘‘ମରିଗଲାଣି । ଦେ, କାଢ଼ି ଫୋପାଡ଼ି ଦେ ।’’

 

‘‘ନାଇଁ ଥାଉ, କାଳେ ଜୀଇବ ।’’

 

‘‘ମରିଗଲେ ଆଉ ଜୀଅନ୍ତି ନାହିଁ ।’’

 

‘‘ଆହା !’’

 

ଛାତି କମ୍ପେଇ ଗୋଟାଏ ଦୀର୍ଘଶ୍ୱାସ ।

 

‘‘ଚେଙ୍ଗ ଛୁଆ ବି ଜମା ଖେଳୁ ନାଇଁ ।’’

 

‘‘ତାକୁ ବାଧା ଲାଗିଚି । ଦେଖୁନୁ, ଭୁଟୁକି ମାରୁଚି ?’’

 

‘‘ଆଉ ଭୁଟୁକି ମାରୁ ନାଇଁ ହେଇ ଦେଖୁନୁ ।’’

 

‘‘ଆରେ, ଏଇଟା ଓଲଟିଗଲା କ’ଣ ?’’

 

‘‘ଥାଉ କେଞ୍ଚ୍‍ନା ; ଏଇଟା ବି ମରିଗଲାଣି ।’’

 

ଆଙ୍ଗୁଠି କାମୁଡ଼ି କାମୁଡ଼ି ମାଛକୁ ଅନେଇଁ ସତୀ ଠିଆ ହୋଇଛି । କି ଦୁଃଖ, ସେଥିକି ଭାଷା ପାଏନାହିଁ ।

 

ସତେ ଅବା ଏଇ ଦୋ’ଟି ଥିଲେ ତା’ର ସନ୍ତାନ, ଗୋଟିଏ ଚେଙ୍ଗଛୁଆ ଗୋଟିଏ କଉଫାସି ।

 

କାନ୍ଧରେ ହାତ ଥୋଇ ଉଦିଆ’ଇ କାନପାଖେ କହିଲା–‘‘ଚାଲ ସତୀ ଟୁଙ୍ଗିଘରକୁ ବୋହୂ ବୋହୂକା ଖେଳିବା । କେହି ନାହାନ୍ତି ମ, ଚାଲୁନୁ । ଆଜି ନୂଆଖେଳ ବତେଇ ଦେବି ।

 

‘‘କେମିତିଆ ?’’

 

‘‘ଚାଲ–’’

 

ଘିଡ଼ିଘାଡ଼ିଆ ଓଟାରି ନେଇ ଉଦିଆ’ଇ ଚାଲିଛି, ତର ସହୁ ନାଇଁ ।

 

‘‘ମାଛ ଦିଟା ମରିଗଲେ ।’’

 

‘‘ମରନ୍ତୁ । ଆହୁରି ମାଛ ଅଛନ୍ତି । କେତେ ଧରିଆଣି ଦେବି । ଧାନବିଲରେ ସାଲୁ ସାଲୁ-। ଆ, ଚାଲିଆ ।’’

 

କଂସା, ଗିଲାସ ପଡ଼ି ରହିଲା ଦାଣ୍ଡ ମଝିରେ ।

 

‘‘ଶୋଇପଡ଼ ସତୀ ଏ ଚଟେଇ ଉପରେ । ଆଖି ବୁଜିଦେ । ମୁଁ ତୋ ବର ଏଁ । ତୁ ମୋ କନିଆଁ । ମିଛିମିଛିକିଆ । ଶୋଇଥା, ମୁଁ ନ କହିଲେ ଉଠିବୁ ନାଇଁ ଜାଣିଥା ।’’

 

ଧାତ୍ ବିରକ୍ତ ଲାଗେ ।

 

‘‘ନାଇଁ ମୁଁ ଖେଳିବି ନାଇଁ ଯା ଭାକ୍ ।’’

 

“ଏଇ ସତୀ ଶୁଣ୍–”

 

ଜବାବ୍ ନାଇଁ । ସତୀ ଛୁ ।

 

ଏଇ, ବିଲେଇଟା, ଅଧାକାନ୍ଥ ଉପରେ ଚଢ଼ିଛି, ଲାଙ୍ଗୁଡ଼ ଧରି ଓଟାରିଦେଲେ କେମିତି ମଜା !

 

ଯାଃ, ଆଞ୍ଚୁଡ଼ି ଦେଲା । ଉଃ ।

 

ଆରଦିନ ପୁଣି ଉଦିଆ’ଇ ଫୁସୁଲେଇ ଡାକେ–‘‘ଆ ଖେଳିବା ସତୀ ।’’

 

ପଣି !

 

ଜୀବନଟା କେଡ଼େ ମଜା !

 

‘‘ଚାଲ ଯାଉଚି ।’’

 

ବୋହୂବୋହୂକା ନା ଛେନାଗୁଡ଼ ? ଧାତ୍ ବିରକ୍ତ ଲାଗେ । ଉଦିଆ’ଇଟା ଗୋଟାଏ ଜନ୍ତୁ-

 

ମୃଣ୍ମୟୀ ଚା’ କରୁଚି, ବାହା ହଉଚି ସେ ।

 

‘‘ଯାଉଚି ସତୀ ଅପା ।’’

 

‘‘ଭୁଲିଯିବ, ନିଶ୍ଚୟ ।’’

 

Unknown

‘‘ଆରେ, ଭୁଲେ କିଏ ?’’

 

‘‘ଭୁଲିଯିବ, ତମକୁ ମୋ ରାଣ୍ ।’’

 

‘‘ଇସ୍ତଫା ଲେଖି ଦେଇ ଦେଇଚି । ୟା ପରେ ତ’–’’

 

‘‘ଠିକ୍-ଠିକ୍-ସେତ ନିଶ୍ଚୟ କଥା,’’ ଦୁଷ୍ଟାମି କରି ଗଳା ଖଙ୍କାରି ସତୀ କହିଲା, ‘‘ବିଭାହୋଇ ଝିଅପିଲା ଚାକିରି କରିବା ଅନ୍ୟାୟ, ଦିଟା ଚାକିରି ଏକା ସାଙ୍ଗକେ ହୁଏନାହିଁ ! ତେବେ ତମର ଫେଆରୱେଲ ହେଲା ନାଇଁ ତ ! କାହିଁକି–’’

 

‘‘ନାଇଁ ଥାଉ, ରକ୍ଷାକର ସତୀ ଅପା–’’

 

‘‘ସ୍କୁଲରୁ ମାଷ୍ଟରାଣୀ ବିଦାହୋଇ ଯିବେ, କେହି ଅଧିକାର ପାଇବେ ନାହିଁ ଦି’ପଦ କହିବାକୁ ? ପିଲାଏ ଟିକିଏ କାନ୍ଦିବା ସୁଯୋଗ ପାଇବେ ନାଇଁ ?’’

 

‘‘ତୁମେ ଆଉ ବିଦାବିଦି କଥା ଉଠାନାଇଁ ସତୀ ଅପା ହଉ ମୁଁ ଯାଉଚି । ନମସ୍କାର ।’’

 

‘‘ଅହ୍ୟ ସୁଲକ୍ଷଣୀ ହୋଇଥା ।’’

 

‘‘ଗଲାବେଳେ କେମିତି ଲାଗୁଚି ଜାଣ ସତୀ ଅପା ?’’

 

‘‘କେମିତି ଜାଣିବି ? ଯାଇନାହିଁ ତ ? ହଉ ଯା–’’

 

ମୃଣ୍ମୟୀ ଚାଲିଯାଇଛି ।

 

ତା’ ସହିତ ଜୀବନର କିଛି ଅଂଶ ।

 

ଖାଲି ପଡ଼ିଥିବା ଜାଗାଟା ଧକ୍ ଧକ୍ କରୁଛି । ଏଇ ଫମ୍ପା ପଣର ଧକ୍ ଧକ୍ ଗୋଟାଏ ପାଖରୁ ଆରମ୍ଭ କରି ଖେଳିଯାଉଛି ଦେହସାରା, ମନସାରା । କେଉଁଠି କେତେ ଥିଲା ଫାଙ୍କ, ଦାବିଦେଲେ ଉପରର ଖୋଳ ଚାଲିଯିବ କେଉଁ ତଳକୁ ।

 

ବର୍ତ୍ତମାନ ସେ ଦଦରା ପଖୋଉଜ ।

 

ଢପ୍‍ଢପ୍–ଢପ୍‍ଢପ୍–ଢପ୍‍ଢପ୍

 

ଓଁ !

 

ଆକାଶରେ ମିଟି ମିଟି ତାରା, ଗୋଟିକି ଗୋଟି ଡକାଡକି ।

 

‘‘ବୋହୂ ବୋହୂକା ଖେଳିବୁ ନାଇଁ ସତୀ ।’’

 

‘‘ଆମର ମିଛିମିଛିକା ଭାତ ତୂଣ, ମିଛିମିଛିକା ଘର ।’’

 

‘‘ଓ, ନମସ୍କାର, ମତେ କେମିତି ଲାଗିଥିଲା, ଆପଣ ବୁଲି ବୁଲି ଏ ସୀଟ୍‍କୁ ଆସିବେ, ତେଣୁ ତ ତିନିଘଣ୍ଟା ହେଲା ବସିଥିଲି, ଦିନ ଅଢ଼େଇଟା ବେଳୁ.....ନା, ମାନେ ଆପଣ ଆସିବେ ବୋଲି ଖରାଯାକ ବସିଥିଲି କହିଲିକି ? ଏଇ, ଏମିତି ବସିଥିଲି ଘାସ କି କଅଁଳ, ପୋଖରୀରେ ହଂସ ଖେଳୁଥିଲେ କି ଚମତ୍କାର, ଖରାବେଳେ ଛାଇତଳେ ବସି ପବନ ଖାଇବା ମୋର ଯେମିତିକି ପିଲାଦିନର ଅଭ୍ୟାସ । ଗାଁ-ତୋଟାରୁ ଅଭ୍ୟାସ । ଆଚ୍ଛା, ଆପଣଙ୍କୁ କଞ୍ଚାସୁଆଦି ଆମ୍ବ ଭଲ ଲାଗେ-? ମତେ ଭାରି ଭଲ ଲାଗେ, ଦୁଃଖର କଥା ସବୁ କଞ୍ଚାଆମ୍ବ କଞ୍ଚାସୁଆଦି ନୁହେଁ । ନା କ’ଣ ଆପଣଙ୍କ ମତ ? ବସନ୍ତୁ ଏଠି, ରହନ୍ତୁ ମୁଁ କାନିରେ ଝାଡ଼ି ଦିଏଁ–’’

 

‘‘ସତୀ ! ମୁଁ–ମୁଁ–’’

 

‘‘ଦେଖନ୍ତୁ, ସଂସ୍କୃତରେ ମୋ ନାଁର ଅର୍ଥ ହେଉଛି–

 

‘ହେଲେ’ ‘ଯଦି’–ମୁଁ ଅସମ୍ପୂର୍ଣ୍ଣା–’’

 

‘‘ସତୀ, ମୁଁ ତୁମକୁ–ମୁଁ ତୁମକୁ–ଓଃ–ଭଲପାଏଁ । ଆମର ବିଭା ହେବା ସତୀ–’’

 

‘‘କଣ୍ ନେବେ ?’’

 

‘‘ଏଁ ?’’

 

‘‘ଯୌତୁକ କେତେ ?’’

 

‘‘ମତେ ଏତେ ଛୋଟ ଲୋକ ଭାବୁଚ ସତୀ ?’’

 

‘‘ନା, ଆପଣ ବଡ଼ଲୋକ । ବଡ଼ଲୋକ ନେବେ ବଡ଼ ଯୌତୁକ । କେତେ ?’’

 

‘‘ଯୌତୁକ ଯେ ଆଦୌ ନାହିଁ ସତୀ, ତୁମେ କ’ଣ ପାଗଳ ହେଲ ?’’

 

‘‘ତେବେ ଜାତକଟା ? ମୋର ୨୩ରେ ୧୧, ଆପଣଙ୍କର କ’ଣ ? ନାଗନାଡ଼ି ? ଷଡ଼ାଷ୍ଟକ ? ନରରାକ୍ଷସ ?’’

 

‘‘ଏଗୁଡ଼ା କ’ଣ କହୁଚ ସତୀ ? ସର୍ବସଙ୍ଗଳ–’’

 

‘‘ଜଗନ୍ନାଥ । ଆପଣଙ୍କ ବାପାଙ୍କୁ ମୋ ବାପାଙ୍କ ପାଖକୁ ପଠାଇଦିଅନ୍ତୁ । ତାଙ୍କର ଦିନେ ବିଭାଘର ହେବ, ଆଉ ଆପଣ ସବୁଦିନେ ଏମିତି ମତେ କହୁଥିବେ, ଆମର ସବୁଦିନେ ।’’

 

‘‘ସତୀ–’’

 

‘‘ଓଃ ହ୍ୱାଟେ ବ୍ରୁଟ୍–’’

 

‘‘ଲୁଗାଟା ଆଉ ଟିକିଏ ଆଣ୍ଠୁ ଆଡ଼କୁ ଟେକିଦେ ନା, ବେଲା, ଏଇ ଦେଖ୍, ଏମିତି ବସ-।’’

 

‘‘ଧେତ୍ ।’’

 

‘‘ଏକ୍‍ଦମ୍ ନେଗ୍ଳିଜେ, ଦେସାଭିଲେ,–’’

 

‘‘ଦୁର୍ ।’’

 

‘‘ଚୁପ୍‍ଚାପ୍ ବସିଥା ।’’

 

ଏଇ ଆସିଲେ, ଏଇ, ଏଇ, ଏଥର ଏଇଟା ହେଇଗଲା ଯିବା ବାଟ ।

 

ଅନାନା ମୋଟେ ।

 

ଆସ-ଯାଅ-ଆସ-ଯାଅ–ରେସ୍ ଅନ୍-ବାଃ, କି ମଜା–’’

 

‘‘କଣ୍‍ କହିବି ? ସେ ତ ଏକ୍‍ଦମ୍ ଉଦ୍‍ଗ୍ରୀବ ହୋଇ ବସିଛନ୍ତି ଉପରକୁ ଚାହିଁ–’’

 

‘‘ହୁଅନ୍ତୁ ହୟଗ୍ରୀବ ବା ଚିତ୍ରଗ୍ରୀବ–’’

 

‘‘ଆପଣ ଉପହାସ କରୁଛନ୍ତି ।’’

 

‘‘ଆଦୌ ନୁହେଁ ।’’

 

‘‘ସେ ଉତ୍ତରକୁ ଚାହିଁଛନ୍ତି ।’’

 

‘‘କ’ଣ ଏକଦମ୍ କୁମ୍ପାସ୍ କଣ୍ଟା, ମ୍ୟାଗ୍ନେଟିକ୍ ନର୍ଥ ।’’

 

‘‘ଆପଣ ବିଶ୍ୱାସ କରନ୍ତୁ -’’

 

‘‘କରୁଛି, ଉତ୍ତରକୁ ନୁହେଁ ଉପରକୁ ଚାହିଁଛନ୍ତି, ଏକଦମ୍ ବିରହୀ ଯକ୍ଷ । ରାମଗିର୍ଯ୍ୟାଶ୍ରମେଷୁ ।”

 

‘‘କଣ୍‍ କହିବି ?’’

 

‘‘କହିଦେବେ ମେଘ, ଚିତ୍ରଲେଖା ଉତ୍ତରିଲେ,–ନିତ୍ୟାନନ୍ଦବାବୁଙ୍କୁ ଭକ୍ତି କରାଯାଇପାରେ ସିନା, ପ୍ରେମ କରାଯାଇ ପାରିବ ନାହିଁ ବା ବିବାହ ହୋଇପରିବ ନାହିଁ ।’’

 

‘‘ଏଇ ସବୁ ଫଟୋ ? –ହାଃ, ଏଇ ପିଲାଟିର ଡାକ୍ତରୀ ଶେଷ ବର୍ଷ ବୋଧେ-? ମନଦେଇ ପାଠ ପଢ଼ ବାବୁ, ମନ ଦେଇ ପାଠ ପଢ଼ । ହାର୍ଟ୍‍ଟା ଦେଖି ପାରିବ ? କୋଉଠି ଅଛି କହିଲ ? ଏ କିଏ ଶ୍ରୀମନ୍ତବାବୁ ନା ? ଆଉ ଟିକିଏ ପରିଶ୍ରମ କଲେ ଦିଫାଳ ଯାକ ଗାଲ ଏକାଠି ଲାଗିଯିବ, ତା’ପରେ ତ ଚୋଖା ଶାସନକର୍ତ୍ତା, ଅଟକାଏ କିଏ ? ଦେଖ୍ ରେବା ଏ ପାଖ ଫଟୋଟିକୁ-। ଦୟା ହେଉନାଇଁ ? କି ବିକଳ ଆଖି ! ନାକ ଦେଖିଚୁ ? ଜାଣିଛୁ ନାକ କାହାକୁ କହନ୍ତି-? ହେଇ ଦେଖ୍ ଏ ଜଣକୁ, ମୁହଁ ଗୋଟାଯାକ ନାକ । ଆଉ ଏ ଉପରେ ଦେଖ୍ ନିଶ, ସଲ ସଲ ଲାଗୁଥିବ, ଏକାଠି ଗଁଠେଇ ଦେଲେ କେମିତି ଦିଶନ୍ତା କହିଲୁ ? ମଝିରେ ଏକ ଗଣ୍ଠି, ଫାଷ୍ଟ୍‍କ୍ଲାସ୍-। ଲୋକେ ନିଶ ରଖିଲେ ଭୁଲି ଯାଆନ୍ତି ମୁହଁର ସାଇଜ୍ କେତେ, ସେଇତ ଅଭାବ, ଯୁଗଯାତ୍ରିଗଣ, ଭ୍ରାତୃବୃନ୍ଦ, ତୁମର ଅଭାବ ସେନ୍‍ସ ଅଫ୍ ପ୍ରପୋର୍ସନ, ଦି ପିଟି ଅଭ୍ ଇଟ୍ ଇଆଗୋ, ଦି ଟ୍ରାଜେଡି ଅପ୍ ଇଟ୍ ଅଲ୍ !’’

 

ସେମାନେ ଆଉ ଆସିବେ ନାହିଁ ।

 

ଆସିବେ ନାହିଁ !

 

ତେବେ ?

 

୧-୨-୩-୪-୫-୬-୭-୮-୦୦୦୦ ।

 

ଆସିବେ ନାହିଁ ।

 

ମୃଣ୍ମୟୀ ତା’ର ଘୋଡ଼ାଗାଡ଼ି କବାଟ ଫାଙ୍କରେ ଇସ୍କୁଲଟାକୁ ଦେଖିଲା, ମାଛିଅନ୍ଧାର ପଡ଼ି ପଡ଼ି ଆସୁଛି । ଉଞ୍ଚ ପାଚିରି ଘେରି ରହିଛି, ମଝିରେ ଦୋମାହାଲା କୋଠା, ସ୍କୁଲ ଘର, ଛାଡ଼ି ଛାଡ଼ିକା ପିଲା ରହିବା କୋଠି, ମାଷ୍ଟରାଣୀମାନଙ୍କ ବସା, ଗହଳି ଗଛ । ପାଚିରି ଏ ପାଖେ ଦି’ କେନିଆଁ ସରୁ ସଡ଼କ, ଖାଇ ଉପରେ ଟୋଲାପିଠିଆ କୋଚଟକଳା କାଠପୋଲ, ଦାନ୍ତ ପରି ଜୋରଖାଇକୁ ଲମ୍ବିଯାଇଛି ତା’ର କାଠଖମ୍ବମାନ । ଷ୍ଟାଇକ୍‍ସ ଜଗୁଆଳି ସେରବେରସ୍,–ଜଗୁଆଳି କୁକୁର, ଜହ୍ନ ରାତିରେ ସେ ହୁଏ ଚୀନ୍‍ଦେଶର ଡ୍ରାଗନ୍‍, ମାୟାପୁରୀର ରାଜକୁମାରୀମାନଙ୍କୁ ଜଗିରହେ । ପହିଲି ଅନ୍ଧାରରେ ଇସ୍କୁଲ ଘର ଗୋଟାଏ ବିକଟ ବନ୍ଦୀଶାଳା ଦୁର୍ଗ, କାଠପୋଲ ଗୋଟାଏ ଜନ୍ତୁ । ବାହାରେ ହାଉଁ ହାଉଁଆ ପଡ଼ିଆ, ରାସ୍ତା କରେ କରେ ଗୁଣିଆଣୀ ବୁଢ଼ୀ ପରି ବୁଢ଼ୀ ଗଛ ଗୋଟିଏ ଗୋଟିଏ, ବାଳ ମୁକୁଳା କରି ନଇଁ ପଡ଼ିଛନ୍ତି । ଗାଡ଼ିର ଘଡ଼ର ଘଡ଼ର ଶ୍ରୁତିକଟୁ ଲାଗୁନାହିଁ । ସେ ଚାଲି ଯାଉଛି । ପ୍ରତି ଥର ଚକ ଘୂରିଲେ ଆହୁରି ଚାରି ଚାରି ହାତ ସେ ଦୂରେଇ ଯାଉଛି । ସେ ଚାଲି ଯାଉଛି । ତା’ପରେ ଟ୍ରେନ୍ । ତା’ପରେ– ।

 

ଏଇ ବନ୍ଦୀଶାଳାରେ ଥାଆନ୍ତି ସେମାନେ,– ସତୀ ଅପା, ତନିମା’ଦି, ହାମିଦା, ଦୀପାଳି, ସନ୍ଧ୍ୟାତାରା..... ।

 

ଆହା !

 

ସତୀ ଅପା, - କ’ଣ ତାଙ୍କର ଅଭାବ ?

 

ହାଡ଼କଙ୍କାଳ ହୋଇ ତନିମା’ଦି, ମୋଟା କାଚର ଚଷମା, ପିଲାଙ୍କ ହ୍ୱିସ୍‍ଲ୍‍ ପରି ସ୍ୱର, ଖଣ୍ଡିଆଭୂତ ପରି ଚାଲି, ପିଲାଙ୍କ ଭୟ । ମୁହଁରେ ବଡ଼ ବଡ଼ କଥା, ହାତରେ ଗୋଟାଏ ମୋଟା ମହମବତୀ, ଘାଇର କାଦୁଅ, ଆଶା ମେଣ୍ଟେ ତହିଁରେ ?

 

ରବୀନ୍ଦ୍ରନାଥଙ୍କର ସବୁ ସଙ୍ଗୀତ ସେ ମୁହେଁ ମୁହେଁ ବୋଲି ପାରନ୍ତି ହ୍ଵିସ୍‍ଲ୍‍ ଗଳାରେ ।

 

ନହଁ ମାତା, ନହଁ କନ୍ୟା,......

 

ହେ ଉର୍ବଶି !

 

ଗମ୍ଭୀର ହାମିଦା, ମିଶେ ନାହିଁ ।

 

ସ୍ଥିର ଅନ୍ଧାର ଉହାଡ଼ରୁ ମିଠା ହସର ପରିଚୟ ।

 

ଭଣ୍ଡାର ଅଛି, ଖର୍ଚ୍ଚ ନାହିଁ ।

 

କବାଟ କିଳି ଧର୍ମଗ୍ରନ୍ଥ ପଢ଼େ, କହେ ଭଗବାନଙ୍କ ରାଜ୍ୟ ଆସିବ ।

 

ପ୍ରତୀକ୍ଷା କରେ ।

 

ଦୀପାଳି, ସନ୍ଧ୍ୟାତାରା, ଦୁହେଁ ଏକାଠି ।

 

ଏକା ଥାଳିକେ, ଏକା ଖଟରେ ।

 

ଯେମିତି ପରସ୍ପରକୁ କୁଣ୍ଢେଇ ଧରି ଫଁ ଫଁ ନିଶ୍ୱାସ ଛାଡ଼ନ୍ତି, ଦେଖିଲେ ଦୟା ହୁଏ ।

 

କେତେ ଖେଳ, କେତେ ଭେକ, କେତେ ମାନ ଅଭିମାନ, କେତେ ସ୍ନେହ । କେବେ ସ୍ୱାମୀ ସ୍ତ୍ରୀ, କେବେ ମା’ ଝିଅ କେବେ ଖାଲି ଦୁଇ ବନ୍ଧୁ ।

 

ମାୟାର ବୁଢ଼ୀଆଣୀ ଜାଲରେ ଗୁରିଆଗୁରି ଦୁଇଟି ପ୍ରାଣୀ ।

 

ଉର୍ଣ୍ଣନାଭ ।

 

ସିମ୍ବିଓସିସ୍ ।

 

ତେଣିକି ଆଉ ନାହିଁ ।

 

ଏଇ କ’ଣ ଜୀବନ ।

 

ଆଃ, ଦୀପାଳିରେ ସନ୍ଧ୍ୟାତାରା, ସନ୍ଧ୍ୟାତାରାରେ ଦୀପାଳି !

 

ନୀରିମାଖି ସେମାନେ, ଦୟାର ପାତ୍ର । ପ୍ରାଣପଣେ ଚେଷ୍ଟା କରି ହସି ପାରନ୍ତି ସତ; କିନ୍ତୁ କାନ ଦେଲେ ବାରିହୁଏ, ହସ ଶବ୍ଦରେ କ୍ଳାନ୍ତିର ଧଇଁସଇଁ, ପ୍ରତିକ୍ରିୟା ସେପାଖେ କ୍ରିୟାର ଉତ୍ପତ୍ତିସ୍ଥଳ-। ସେମାନେ ଭିକ୍ଷୁଣୀ, ଜାଯମକିଆ ଭେକ ଉହାଡ଼ରେ ତଥାପି ଦିଶେ ଭିକ୍ଷାପାତ୍ର, ପ୍ରବ୍ରଜିକାର ପରିହାସ ତଳେ ତଳେ ବୈରାଗ୍ୟର ପୀତାଭା । ହୁଏତ ଓଲଟା ବି ହୋଇପାରେ, ଫଳ ଏକା ।

 

ମୃଣ୍ମୟୀର ପ୍ରାଣ ସେମାନଙ୍କ ପାଇଁକି ଧକ୍ ଧକ୍ କରେ, ତାଙ୍କ ସଙ୍ଗେ ସଙ୍ଗେ ନିଜର ଗୈରିକ ଅତୀତ ପାଇଁ । ପ୍ରାଣ ପ୍ରାଚୁର୍ଯ୍ୟରେ ସେମାନଙ୍କ ପାଇଁ ସେ ମଙ୍ଗଳଭିକ୍ଷା କରେ ।

 

ଦୂରରେ ରହିଲେଣି । ମଙ୍ଗଳ ଜାଳି ଚିନ୍ତାର ରାଗିଣି ତୁଟିଛି ।

 

ତା’ପରେ ‘ସେ’ । କ’ଣ ଭାବୁଥିବେ ? ନିଶ୍ଚୟ ତାଆରି କଥା । ଗର୍ବରେ ମନ ଉଲୁସି ଉଠେ,–ତା’ର ସ୍ୱାମୀ ।

 

ପରିଚୟ ନାହିଁ, ପ୍ରୟୋଜନ ପଡ଼ିନାହିଁ । ପରୀକ୍ଷା ଦେଇ ନାହିଁ, ସେ ଖୋଜି ନାହାନ୍ତି । ଥରେ ମୋଟେ ଦେଖା, ସେ ନିଷ୍ପତ୍ତି କରି ସାରିଥାନ୍ତି, ତେଣୁ ଲାଜରେ କଥା କହିହେଲା ନାହିଁ ।

 

ଆସିଥିଲେ ଗୋଟିଏ ସାନ ଅନୁରୋଧ କରିବା ପାଇଁ–ମାଷ୍ଟରାଣୀ ଚାକିରିଟା ଇସ୍ତଫା ଦେବାକୁ ହେବ । ଆଉ ସେଥିରେ କ’ଣ ପ୍ରୟୋଜନ ?

 

ତଳକୁ ଥିଲା ମୁହଁ, ମୁଣ୍ଡ ମଝିରେ ଚନ୍ଦା ଅରାକ ଚକ୍ ଚକ୍ ଦିଶୁଥିଲା ପ୍ରୌଢ଼ତ୍ୱର ଗମ୍ଭୀର ଗରିମାରେ । ନିରେଖିବାକୁ କଥା ଲମ୍ବେଇବାକୁ ଅଟକେଇବାକୁ ଚେଷ୍ଟା କରି ନାହାନ୍ତି । କଥାଭାଷା ମନେ ମନେ । ସତେକି ସେହି ଅକୁହା ପ୍ରଶ୍ନୋତ୍ତର ଖିଅ ଧରି ଧରି ଗଲାବେଳେ କହିଦେଇ ଗଲେ–

 

‘‘ମୁଁ ବି ଜଣେ ମାଷ୍ଟର,–ସ୍ୱଜାତି ।’’

 

ସେତିକିରେ ସତେକି ହାତରେ ହାତ ଥୋଇ ଗଲେ, ଦେଇ ଗଲେ ଯାହା ଥିଲା ଲୋଡ଼ା– ଭରସା, ବିଶ୍ୱାସ । ସେ ଯେପରିକି ଆସିଥିଲେ ଖାସ୍ ପ୍ରତିଶ୍ରୁତି ଦେଇ ଯିବାକୁ ।

 

ସେ ଶିଷ୍ଟାଚାର ରଖିଛନ୍ତି, ଉପଯାଚକ ପୁରୁଷ, ନାରୀ ନୁହେଁ । ଯେଉଁ ଦେବତା ନିଜେ ଆସି ଯାଚି ବର ଦେଇଯାଏ ସେ ଦୈବ । ତା’ପାଇଁ ଦୈବ ସେହି ଜଣେ– ଅନୁପମବାବୁ ।

 

ଯେଉଁ ଲୋକ ଛତିଶି ବର୍ଷଯାକେ ଅଭିଆଡ଼ା ରହି ହଠାତ୍ ବିଭା ହୋଇପଡ଼େ ସାଧାରଣ ଲୋକେ ତା’ ଆଡ଼କୁ ଆଖି ମଳି ମଳି ଅନାନ୍ତି ।

 

ଅନେଇବେ ଅନାନ୍ତୁ ସେମାନେ, ସେତେବେଳକୁ ଡେରି ହୋଇ ଯାଇଥିବ । ସେମାନଙ୍କୁ ସେ ବିବରଣ ଦେଇ ନାହିଁ, ଜୀବନ ବଞ୍ଚିବାକୁ ପ୍ରଚାରର ପ୍ରୟୋଜନ ଭାବି ନାହିଁ । କିନ୍ତୁ ନିଜେ ନ ଭାବି ରହି ପାରୁନାହିଁ, ଯେତେ ଥର ଭାବିଲେ ଗୋଟାଏ ସିଦ୍ଧାନ୍ତରେ ପହଞ୍ଚି ସେ ମନକୁ ମନ ଫୁଲିଉଠେ । ଅନୁପମବାବୁ ଛତିଶି ବର୍ଷର କୁମାର ବ୍ରତ ଭାଙ୍ଗିଲେ ତାକୁହିଁ ବିଭା ହେବାକୁ । ଏହି ଆତ୍ମଶ୍ଳାଘାରେ ତା’ର ମନ ଅନାୟାସରେ ବାରବର୍ଷର ବ୍ୟବଧାନ ଡେଇଁ ପାଖକୁ ପାଖ ମିଶିଯାଏ, ନିଜକୁ ତାଙ୍କର କତିରେ କତିରେ ସେ ଦେଖିପାରେ ଜନ୍ମଜନ୍ମାନ୍ତରରୁ ।

 

ମୃଣ୍ମୟୀ ବିବାହ ସମ୍ବନ୍ଧରେ ତା’ର ଦର୍ଶନଶାସ୍ତ୍ରର ସୂତ୍ର ଗଢ଼ୁଥାଏ,–ସବୁ ବିଧିନିର୍ଦ୍ଦିଷ୍ଟ, ସବୁ ଜନ୍ମଜନ୍ମାନ୍ତରର ସମ୍ବନ୍ଧ । ତେଣୁ ଫାଳକୁ ଖୋଜିବା ଲାଗି ହଜାରେ ମାଇଲ ଦୂରରୁ ଛୁଟିଆସେ ଆଉ ଫାଳେ, ପଲକ ନ ପଡ଼ୁଣୁ ସେମାନେ ଚିହ୍ନାଚିହ୍ନି ହୁଅନ୍ତି, ତା’ପରେ ଦୁଇ ଫାଳ ମିଶି ଗୋଟାଏ ।

 

ଆପଣାର ଅତୀତକୁ ସେ ଦେଖେ, ନିଜକୁ ଦେଖେ ବ୍ୟାପକ ଭାବେ । ସୃଷ୍ଟିର କାଳ ସମୁଦ୍ରରେ ଚବିଶିଟା ବର୍ଷ ଛତିଶିଟା ବର୍ଷ ବିନ୍ଦୁଏ ବି ନୁହେଁ । ସେହି ସମୁଦ୍ରରେ ପହଁରି ପହଁରି ପାଖକୁ ପାଖକୁ ଚାଲିଛନ୍ତି ଦୁଇଟି ଆତ୍ମା,–ସେ ମୃଣ୍ମୟୀ ଓ ଅନୁପମ । ଆଦିମ ପ୍ରସ୍ତର ଯୁଗ, ନୂତନ ପ୍ରସ୍ତର ଯୁଗ, ବ୍ରନ୍‍ଜ ଯୁଗ, ତାମ୍ର ଯୁଗରୁ ତାମ୍ରକୂଟ ଯୁଗଯାକେ, ପ୍ରାକ୍-ବୈଦିକ ଯୁଗ, ବୈଦିକ ଯୁଗ, ରାମାୟଣ ଯୁଗ, ମହାଭାରତ ଯୁଗରୁ କଳିଯୁଗର ସ୍ତରେ ସ୍ତରେ,– ସେ ଓ ଅନୁପମବାବୁ,–ବର, କନ୍ୟା । କେଉଁ ଯୁଗରେ ଯେଉଁ ବେଶରେ କେତେଥର ସେ କେଉଁ ଦେଶରେ ଚୁଲି ଫୁଙ୍କିଛି, କଷ୍ଟ ପାଇଛି, ସନ୍ତାନ ଜନ୍ମ କରିଛି, ଖୀର ଖୋଇଛି । କେବେ କଞ୍ଚାଖାଇ ଜଂଲୀ, କେବେ ନିଗ୍ରୋ ଘରଣୀ, କେବେ ବେଦୁଇନ୍, କେବେ ଚୀନା, କେବେ ଆଜଟେକ୍, କେବେ ଇଂରେଜ, କେବେ ଭାରତୀୟା, କେବେ କ’ଣ । କେତେ ଥର ଘର ତୋଳିଛନ୍ତି ଦୁହେଁ, କେତେ ଥର ଘର ଭାଙ୍ଗି ପଡ଼ିଛି, ପୁଣି ଲାଗିଛନ୍ତି ନୂଆଘର ତୋଳିବାରେ । କେତେ ସନ୍ତାନ ଉପୁଜେଇଛନ୍ତି, କେତେ ସନ୍ତାନଙ୍କୁ ଶୁଆଇଦେଇ ଆସିଛନ୍ତି ଅପନ୍ତରାରେ, ପୁଣି ନୂଆ ସନ୍ତାନର ମୁହଁ ଦେଖିଛନ୍ତି । କେତେ ଥର କାନ୍ଦି କାନ୍ଦି ଆଖିରୁ ପାଣି ମରିଛି, ପୁଣି ଆଖିରେ ଅଛିଣ୍ଡା ନଈସୁଅର ସମ୍ଭାର କିଏ ସମ୍ପାଦିଛି ଆହୁରି କାନ୍ଦିବାକୁ ।

 

ଦୁଇଟି ଆତ୍ମା,–ଦୁଇଟି ପକ୍ଷୀ,–ପରସ୍ପରକୁ ଖୋଜି ଖୋଜି ପାଇଛନ୍ତି ସବୁ ଯୁଗରେ । ଆଉ ଚିହ୍ନା କ’ଣ ବା ପ୍ରୟୋଜନ ?

 

ପୁଣି ଅନୁପମବାବୁ ଆସିଛନ୍ତି ।

 

ସେ ମାଷ୍ଟର, ଆୟ ଅଳ୍ପ,–କ୍ଷତି କ’ଣ ? ନିଜେ ସେ ନାରୀ, ନାରୀ ଜଳ ପରି, ଯେପରି ପାତ୍ର ସେପରି ଆକାର ଧରିପାରେ । ଯେପରି ଘର ସେପରି ଘରଣୀ ସେ ହୋଇପାରେ । ସବୁ ପ୍ରକାର ଘରେ ସେ ଆନନ୍ଦ ଦେଇପାରେ । ଆନନ୍ଦ ଆୟର ଆଶ୍ରା ଖୋଜେ ନାହିଁ, ଆନନ୍ଦ ନାରୀର ତ୍ୟାଗର ତପୋଫଳ ।

 

ସତୀ ଭାବୁଥିଲା–

 

ଥମ୍ବିଲା ପୋଖରୀରେ ଟେକା ପଡ଼ିଛି, ଖେଳୁଛି ଲହଡ଼ି । ବିଭା ହେବ ବୋଲି ମୃଣ୍ମୟୀ ଇସ୍ତଫା ଦାଖଲ କରି ଚାଲିଯାଇଛି ।

 

ଥିର ପାଣିର ଚଦର କୁଞ୍ଚୁକୁଞ୍ଚିଆ କରି ଲହଡ଼ି ଖେଳୁଛି । ଉଠିବା ପଡ଼ିବା ଅନୁଭୂତି କ୍ରମରେ ସମସ୍ତେ ଜୀବନକୁ ଅନୁଭବ କରୁଛନ୍ତି, ଲହଡ଼ି ଖେଳୁଛି, ଆକାଶରେ ଶାନ୍ତ ଜହ୍ନ, ଯେଝା ଘରେ ଯେଝା ।

 

ଏଇ ଜହ୍ନର ଆଖି ଆଗରେ ନିତି ପୃଥିବୀ ଝଲସି ଉଠି ନିତି ନିଭିଯାଏ, ମୋଟାମୋଟି ଆଲୁଅ ଜକ ଜକ କିଛି ବିସ୍ତୃତି, ନିଜର ଆଲୁଅରେ ସବୁ ଆଲୁଅ ଦିଶେ, ନିଜର ସୁସ୍ଥି ଆନନ୍ଦରେ ସବୁ ଲାଗେ ସୁସ୍ଥ ଶାନ୍ତ ଖୁସି ଖୁସି, ଅଥଚ ତା’ର ତଳେ ତଳେ, କେତେ ଅନ୍ଧାର ଗହ୍ୱର, କେତେ ଗହୀର ଦୁଃଖର ମୁଣି, ସମସ୍ୟାର ଅକାତ ଗଣ୍ଡ, କେତେ ପ୍ରବଳ ସଂଘର୍ଷ, କେତେ ନିଆଁ, କେତେ ପାଣି, କେତେ ହାହା ହୁହୁ ପବନ ।

 

ଆଉ ଏ ପାଖରୁ ଦୂରର ସେହି ଜହ୍ନ,–କବିର କଳ୍ପନା–ବୈଜ୍ଞାନିକର ଦୂରନିରିଖା ନଳିମୁହଁରେ ଗୋଟାଏ ବରଫ ଶୀତଳ ମଲା ଉପଗ୍ରହ । ସତେ କ’ଣ ଜନପ୍ରାଣିହୀନ ସେ ? ହୁଏତ ସେଠି ବି ଜନ୍ତୁ ଥିବେ, ସେମାନଙ୍କର ହୃଦୟ ଥିବ, ସୁଖଦୁଃଖ ଥିବ, ଦୈବର ଅନ୍ଧ ଘୋସରାରେ କଲବଲ ଜନ୍ତୁହୃଦୟ । ମିଞ୍ଜିମିଞ୍ଜି ହେଉଥିବ ମୁହୂର୍ତ୍ତେ ଅମିତ ସୂର୍ଯ୍ୟତେଜରେ ଯଦି ମୁହୂର୍ତ୍ତେ ଗଭୀର ବିଷାଦରେ, ଗୋଟାଏ ମଲା ଦୁନିଆଁର ଧୂଳିରେ ଧୂଳିରେ ଅକଳନ୍ତି ଜୀବନର ଧୂପ, କିଏ ବୁଝେ ? ଚିହ୍ନେ କିଏ ? ହୁଣ୍ଡାମୂଲରେ ହଡ଼ାବେପାରୀ ଗୋଷ୍ଠିର ସଂଜ୍ଞା, ତା’ର ବିଜ୍ଞାନର ସୂତ୍ର ବି ଲ-ଅଫ୍ ଆଭରେଜେସ୍, ଧୂଆ ମୂଳା ଅଧୂଆ ମୂଳା ମିଶି, କାହିଁ ସେଠି ବ୍ୟକ୍ତିକୁ ବୁଝାମଣା ପାଇଁ ସୂକ୍ଷ୍ମ ସହାନୁଭୂତି ! କାରଣ ପାଇଁ ଫଳ ପାଇଁ ! ଦୁନିଆର ମୋଟା ବିଚାର ମୋଟା ଅକ୍ଷରରେ ଶିରୋନାମା ହୋଇ ଛପା ହୋଇଛି,–ସେ କଳଙ୍କିନୀ ।

 

ଝରକା ଖୋଲି ଜହ୍ନଆଡ଼କୁ ମୁହଁ କରି ଖଟଉପରେ ପଡ଼ି ପଡ଼ି ସତୀ ଭାବିଯାଉଥିଲା, ଜହ୍ନ ଆଲୁଅ ସତେକି ତା’ ମନରେ ଜୁଆର ଖେଳାଇଛି, ନିଜକୁ ଆଶ୍ଚର୍ଯ୍ୟ ଲାଗୁଛି,–ସେ ସହୁଛି କିପରି ?

 

ମୃଣ୍ମୟୀର ବିବାହ ସମ୍ବାଦ, ସେ ଯେପରିକି ଚୂଡ଼ାନ୍ତ ।

 

ସେଇ ତ ମୃଣ୍ମୟୀ,–କ’ଣ ଚିହ୍ନେ ଜୀବନକୁ ସେ ? କ’ଣ ଜାଣେ ବିବାହ କ’ଣ, ପ୍ରେମ କ’ଣ ? ଗଭୀର ଅନୁଭୂତି ଧରିବାପାଇଁ ବୁଝିବାପାଇଁ କାହିଁ ଅଛି ତା’ର ମନରେ ପାତ୍ର ? କାହିଁ ତା’ର ବିଶିଷ୍ଟତା ? ତଥାପି ଜୀବନ ତାକୁ ନିଜର କରିଛି, ସେ ହେବ ସୀମନ୍ତିନୀ । ରୂପରେ ସୌଷ୍ଠବ ନାହିଁ, ଶ୍ୟାମଳୀ, ଧୁସ୍କି, ଭାରି, ମୁଣ୍ଡରୁ ଦେହଯାକ କେବଳ ଗୋଲ, କେବଳ ଗୋଲ । ପୀନ ନୁହେଁ ତା’ର ସ୍ତନ, ପୃଥୁଳ, ବିଶାଳ, ସେଥିରେ ସୂକ୍ଷ୍ମତା ନାହିଁ, ଶିଳ୍ପକଳା ନାହିଁ, କେବଳ ବିସ୍ତୃତି । ସତେ ଅବା ଜନ୍ତୁ, ଗୋମାତା । ସେହି ବର୍ଣ୍ଣନାରେ ଖାପିଯାଏ ତା’ର ଗାଈଆଳି ଆଖି ଦିଓଟି, ସେଠି ପ୍ରତିଭା ନାହିଁ, କେବଳ ଶାନ୍ତ ବିଶ୍ୱାସ, ଜଳିବା ଜାଳିବା ପାଇଁ ଦୁର୍ଦ୍ଧର୍ଷ ତେଜ ନାହିଁ, ଖାଲି ପଘାରେ ବାନ୍ଧି ହୋଇ ଓଟାରି ହେବା ପାଇଁ ଗୋଟାଏ ନରମ ବାଧ୍ୟତା । ରୁଚିରେ ବିଶିଷ୍ଟତା ନାହିଁ, ସବୁ ସମାନ, ଯାହା ଆସୁ, ମାର୍ଜିତ ସୂକ୍ଷ୍ମ ଭେଦବୋଧ ନାହିଁ, ଯାହା ଆସେ କେବଳ ସଂସ୍କୃତିରୁ । ସରଳ ନରମ ବୋଲକରା ମାଟିମେଞ୍ଚା, ମାଟିର ପ୍ରତୀକ, ସଂସାରରେ ଏପରି ଅଗଣିତ ମୃଣ୍ମୟୀ, ଖାଦ୍ୟରେ ପିମ୍ପୁଡ଼ି ପଡ଼ିଥିଲେ ନଈପହଁରିବାର କଳ୍ପିତ ଆଶ୍ୱାସ ଘେନି ସେମାନେ ଖାଇଚାଲିଯିବେ, ପୋକ ପଡ଼ିଥିଲେ ବାଛି ଦେଇ କାଢ଼ିଦେଇ ଖାଇଚାଲିଯିବେ–ବାରିବେ ନାହିଁ । ହୁଏତ ସେହିମାନଙ୍କପାଇଁ ଏ ସଂସାର, ମାଟିର ପୋକମାନଙ୍କପାଇଁ ମାଟିର ସର୍ଜନ, ସତୀ ପାଇଁ ନୁହେଁ ।

 

ସେହି ମୃଣ୍ମୟୀ ବିଭା ହେଉଛି, ପାଞ୍ଚ ବର୍ଷର ଚାକିରିରୁ ନିଜକୁ ଓଟାରି ନେଇପାରିଛି କଲମର ଏକା ଝାଙ୍କରେ । ଦୁନିଆଁ ତାକୁ ଆଦର୍ଶ କରିଛି ସତୀକୁ ହିଁ ଛିଗୁଲେଇବା ପାଇଁ ।

 

–ବଞ୍ଚ୍ ଏଥର ସତୀ, ପାରୁ ଯଦି ।

 

ଜହ୍ନର ହସ ହସୁଛି । ପାରୁ ଯଦି ।

ଆଜି ଯେପରିକି ଚରମ କ୍ଳାନ୍ତି,–ସେ ନିର୍ବିକାର । ଭାବୁଛି,–ତା’ପରେ ଆସିବ ‘ସେ’, ତା’ର ଦରବୁଢ଼ା ଉପାସକ, ତା’ର ଜୀଅନ୍ତା ଶବଟାକୁ ଦାବିକରିବି ନିଜପାଇଁ, ସତୀ ବି ହେବ ମୃଣ୍ମୟୀ,–ଖାଲି ମାଟି ।

ନା–ନା–ନା–

ଦାନ୍ତ ଚିପି ଚିପି ସଁ ସଁ ହୋଇ ସେ ଗୁଣୁଗୁଣେଇ ଉଠିଲା, ନିଜ ଶବ୍ଦରେ ନିଜେ ଚମକି ଉଠିଲା । ତା’ପରେ ଆପଣା ଭୁଲା ହୋଇ ଦୁଇ ଗୋଡ଼ ହଲେଇ ଲାଗିଲା ତା’ର ବିଛଣା ଉପରେ, ଯେପରିକି ସେ ପ୍ରାଗୈତିହାସିକ ଯୁଗର ମାଂସଭୋଜୀ ଝିଟିପିଟି, ଦୂରକୁ ଚାହିଁ ଛକିରହି ଲାଙ୍ଗୁଡ଼ ହଲୋଉଛି ଆକ୍ରମଣ କରିବା ପୂର୍ବରୁ ।

ପତ୍ରସନ୍ଧିରୁ ଝରିପଡ଼ୁଛି ଝୁରୁଝୁରୁ ଜହ୍ନ ଆଲୁଅ, ସେ ଘରେ–ତନିମା ଆଉଜି ପଡ଼ି ବସିଛି, ଗୋଡ଼ ଦି’ଟା ଲଦି ଦେଇଛି ସାମ୍ନାର ଟେବୁଲ୍ ଉପରେ । ଘର ଅନ୍ଧାର । ଅବଶ ଦେହ ଭିତରେ ଯେପରିକି ଧିକି ଧିକି ହୋଇ ନିଆଁ ଜଳୁଛି, ମରି ମରି ଆସୁଛି, ଚାଇଁ ଚାଇଁ ହୋଇ ବିଛେଇ ହୋଇପଡ଼ୁଛି ଏପାଖ ସେପାଖ । ଦହି ହେଉଛି ଡାଙ୍ଗ ସରସର କ୍ଷୀଣ ଦେହଯଷ୍ଟି, ଗୋଟାଏ ପ୍ରକମ୍ପ ଲାଗିରହିଥିଲା, ତା’ର ବେଗ ଧିମେଇଲାଣି, ସରି ନାହିଁ ।

ମୃଣ୍ମୟୀ ବିଭା ହେଉଛି । କଳ୍ପନାରେ ସତେକି ସେ ନିଜେ ବିଭା ହେଉଥିଲା । ସଞ୍ଜର ଅନ୍ଧାର ଘର ଅଦେଖା ଆଖି ସବୁ ତରଳିଯାଇ ଯେପରିକି ନୂଆ ଦୃଶ୍ୟରେ ପର୍ଦ୍ଦା ଉଠିଥିଲା, ଛାତର ଚୋରା ନିଅନ୍ ଆଲୁଅରେ ଅଧ ରାତିରେ ଫିଟିଥିଲା ଉଷାର ପୂର୍ବରାଗ । ସେପାଖ ବଡ଼ ଡ୍ରଇଂରୁମରେ ଏଇ ତ ବର୍ତ୍ତମାନ ସଙ୍ଗୀତ ସରିଥିଲା, ପବନରେ ଯେପରିକି ତା’ର ଗୁଞ୍ଜନ ରହିଯାଇଛି । ପଲଙ୍କ ପାଖେ ଚୌକିରେ ବସି ଏମିତି ଝୁଲିଲା ପରି ସେ ପଡ଼ିରହିଥିଲା । ଆସ୍ତେ ଟିକିଏ ଖୁଡ଼୍‍ଖାଡ଼୍, ସାମ୍ନାରେ ଠିଆ ହୋଇଛନ୍ତି ସୁକୁମାରବାବୁ । ‘‘ତନିମା, ଯାଇ ପାରିଲି ନାହିଁ । ତନିମା, ମୁଁ ଅତିଥି ।’’

ମନେପଡ଼େ ଗୋଟାଏ ଦୀର୍ଘବପୁ, ତନିମାର ବିହ୍ଵଳ ଆଖିରେ ଦିଶେ ମିରାଣ୍ଡାର ଆବିଷ୍କାର,–କି ସୁନ୍ଦର ମଣିଷ ଜାତି ! କି ସୁନ୍ଦର ! ମନେପଡ଼େ ଗୋଟାଏ ଓସାର କପାଳ, ଗୋଟାଏ ଶୁଆଥଣ୍ଟିଆ ବଡ଼ ନାକ, ମୁଣ୍ଡ ଉପରେ ପରିପାଟି ହୋଇ ଭଙ୍ଗାହୋଇଥିବା ମପାଚୁପା ଫିରେଇ, ଆଉ ଦିଶିଯାଏ ସେହି ଆଖି ଦୁଇଟା, ତା’ପରେ ଖାଲି ଉତ୍ତେଜନାରେ ଦେହ ଥରେ, କେବଳ ଅନାୟତ୍ତ ଭୂମିକମ୍ପ ।

ମୃଣ୍ମୟୀ ବିଭା ହେଉଛି ।

କାହିଁକି ଚାଲିଗଲା ସୁକୁମାର ? –ଅପଦାର୍ଥ ଅକୃତଜ୍ଞ ସ୍ୱାର୍ଥପର ସୁକୁମାର ? ଯାଉ, ତା’ର ଚିଠିତାଡ଼ା ସେ ରେଜିଷ୍ଟ୍ରି କରି ଫେରେଇ ଦେଇଛି, ଚିରି ଫୋପାଡ଼ି ଦେଇଛି ନଳାରେ ତା’ର ପୋଷ୍ଟକାର୍ଡ଼ ଫଟୋ, ତା’ର ସାନ ସାନ ଦାନ ଭିଣି ବିଦାରି ଛେଚି ଚୂରି ଫୋପାଡ଼ି ମାରିଛି ଝରକାବାଟେ ।

 

ମା’ ଚିଡ଼ିଛି, ସେଇତ ତା’ର ଆନନ୍ଦ, ସେତିକି ସାନ୍ତ୍ୱନା,–ମା’ ବିରକ୍ତ ହୋଇ ଗର୍ଜିଛି–‘‘ତୋଫାନ ନ ସମ୍ଭାଳିଲେ ଭୂତ ହୋଇ ଉଡ଼ିଯିବୁ କୁଆଡ଼େ ମା, ସବୁଦିନେ ତ ମୁଁ ନ ଥିବି, ନିଜର ବୋକାମି ପାଇଁ, ହାତ ପିଠିରେ ଲୁହ ପୋଛି ପୋଛି ମଣିଷର ଦିନଯାଏ ।’’

 

ଦରକାର ନାହିଁ ମଣିଷର ସହାନୁଭୂତି, ତା’ ଭିତରେ ବାଘୁଣୀ ଗର୍ଜି ଉଠିଛି । ଚଞ୍ଚଳ ଉଠି ତନିମା ତା’ର ଟେବୁଲ୍‍ ଆଲୁଅର ସ୍ୱିଚ୍ ଟିପିଦେଲା । ଟେବୁଲ୍‍ରୁ ଗୋଟାଏ ମହମ୍‍ବତୀ ଉଠେଇ ନେଇ ଫୋପାଡ଼ି ମାରିଲା ସେପାଖ କାନ୍ଥକୁ । ଠିକ୍ ଏମିତିଆ, ଏମିତି ଫୋପାଡ଼ି ଭାଙ୍ଗନ୍ତା ଜଗତର ସବୁ ସୁକୁମାରଙ୍କୁ ।

 

ଓଃ-ଓଃ-ଓଃ- । ଆଲୁଅଟା କାଟୁଛି ସତେକି । ଶାଗୁଆ ଘୋଡ଼ଣିବାଟେ ଯେଉଁତକ ଫିକା ଆଲୁଅ ଆସୁଛି ସେ ବି ଯେପରିକି ଛୁଞ୍ଚିପରି ଫୋଡ଼ି ହେଉଛି ମର୍ମେ ମର୍ମେ ।

 

ତନିମା ପୁଣି ଆଲୁଅ ନିଭେଇ ଦେଲା । ଶାଢ଼ୀର ପଣତ ବେକରେ ଗୁରେଇ ଆସ୍ତେ ଆସ୍ତେ ଟାଙ୍କି ଟାଙ୍କି ଆଣିଲା । ଆପଣା ହସ୍ତରେ ବେକରେ ଫାଶ ପକାଇ ସେ ଚିପି ଦେବାକୁ ଚାହେଁ-। କଟକଟ କରି ଭିଡ଼ୁଛି, ହଠାତ୍ ହାତ ଅବଶ ହୋଇଗଲା । ବିଛଣାକୁ ଦୌଡ଼ିଯାଇ ମୁହଁମାଡ଼ି ପଡ଼ି ରହି ନିଜକୁ ଢେଉ ହେବାକୁ ଛାଡ଼ିଦେଲା ଦୁର୍ବଳ ଶୋକରେ ।

 

ମଝିରେ ମଝିରେ ବିଛଣା ଠେଲି ପଦାକୁ ଶୁଭୁଛି ତା’ର କ୍ଷୀଣ ଆର୍ତ୍ତ ଚିତ୍କାର । ଭିଡ଼ିମୋଡ଼ି ହେଉଛି, ଛଟପଟ ହେଉଛି, ହାତଗୋଡ଼ ଛାଟୁଛି, ପିନ୍ଧାଲୁଗା ଓଟାରି ପକାଉଛି, କେରା କେରା ବାଳ ମୁଠେଇ ଭିଡ଼ୁଛି ।

 

ତଥାପି ସମୁଦାୟ ପ୍ରକାଶ ପାଉନାହିଁ ତା’ର ଦୁଃଖଉନ୍ମାଦ, ତଥାପି ଅମୁହାଁ ସେ, ବାଟ ନାହିଁ । ମନ ଗହୀରରେ ମେଘ ମେଘ ଲଢ଼ାଲଢ଼ି ଲଦାଲଦି, ପାଦକୁ ବାଟ ନାହିଁ ।

 

ଆପଣା ପାଟିର ସକେଇ ହେବା ଶବ୍ଦରେ କେତେବେଳେକେ ତା’ର ଚେତା ଆସିଥିଲା, ହଠାତ୍ ନିଜକୁ ନିଜେ ପ୍ରଶ୍ନ କରିବସିଲା,–କାହିଁକି ? ଏ କ’ଣ ହେଉଛି ତା’ର ? କେତେବେଳୁ ଦେହ ମୁଣ୍ଡ କସ୍‍ମସ୍ ଲାଗୁଥିଲା, ଭୋକ ନାହିଁ, ଆପେ ଚେଷ୍ଟା କରି ସାମାନ୍ୟ ଉତ୍ତେଜନା, ତା’ପରେ ଏହି ଫଳ । ପୁଣି ବୋଧେ ଲିଭର୍ ଏକ୍‍ସଟ୍ର୍ୟାକ୍‍ଟ ଇଞ୍ଜେକ୍‍ସନ୍ ଦରକାର ହେଲାଣି; ଅଥବା ଭିଟାମିନ୍ ‘ବି’ କିଛି ।

 

ହଠାତ୍ ମନେ ପଡ଼ିଲା,–ଯଦି ତା’ର ଦେହ ଅସୁସ୍ଥ ହୁଏ ତେବେ ? ତା’ର କେହି ନାହାନ୍ତି-। ‘କେହି ନାହାନ୍ତି’ ଉପରେ ଜୋର୍ ଦେଉ ଦେଉ ପୁଣି ଚିନ୍ତାଶକ୍ତି ହୁଗୁଳା ହୋଇ ଏଣେତେଣେ ହୋଇଗଲା । ସେ ଉଦାସୀନା, ଯାହା ପଛେ ହେଉ ତା’ ଦେହର । ଏହି ଭାବନାରେ ଧୀରେ ଧୀରେ ମିଶିଗଲା ଆତ୍ମଘାତୀ ଅନାସ୍ଥାପଣ,–ଯେପରିକି କେହି ନିଜେ ଦୁର୍ବଳ ଥିବାରୁ ହାତରେ ନମାରି ଅଯତ୍ନ ଅନାଦରରେ ଅପନ୍ତରାରେ ପଡ଼ି ମରିବାକୁ ଛାଡ଼ିଦିଏ, ପ୍ରୟୋଗ କରେ ପ୍ରବଳ ଇଚ୍ଛାଶକ୍ତି, ମରୁ ସେ ମରୁ ।

 

ମରୁ ସେ ମରୁ,–ହଠାତ୍ ଯେପରି ତା’ର କ୍ଷୀଣ ଦେହରେ ଚେତନା ପଶିଛି, ମରୁ ସେ ମରୁ । ଦେହଟା ଶୀତେଇ ଉଠିଲା, ଅନ୍ଧାରରେ ଥଣ୍ଡା ଦେହ ସତେକି ଝାଳେଇ ପଡ଼ୁଛି, କାହାର ହିମକାକର ସ୍ପର୍ଶ ଯେପରିକି ଥରେ ଲାଗିଯାଇ ଥରେ ଆଡ଼େଇ ଯାଇ ଏକର ସେକର ହେଉଛି ଅନ୍ଧାରେ ଅନ୍ଧାରେ ।

 

ଭୟ, ବଡ଼ ଭୟ । ଥିରି କରି ମୁଣ୍ଡଟି ଟେକି ଏକର ସେକର ଅନେଇଁଲା । ହେଇତ ଜହ୍ନ, ଗଛ ଉହାଡ଼ରେ । ରାତି କେତେ ? ଆଠଟା ବି ହେବ ନାହିଁ । ବିଛଣାରୁ ଉଠିଗଲା, ଥର ଥର ଆଙ୍ଗୁଠିରେ ସ୍ୱିଚ ଟିପିଦେଲା । ଟେବୁଲ୍ ଉପରେ ମୃଣ୍ମୟୀର ବିବାହ ନିମନ୍ତ୍ରଣ, ଶଙ୍ଖ ନାହିଁ, ପ୍ରଜାପତି ନାହାନ୍ତି, ଫୁଲମାଳ ନାହିଁ, ସାଧା କାଗଜରେ ନିଜ ହାତରେ ଲେଖି ଦେଇଛି ଦୁଇଧାଡ଼ି ।

 

ମୁହଁରେ କ୍ରୂର କଠିନ ଛଇ ଫୁଟାଇ ସେ ଦୃଢ଼ ପ୍ରତିଜ୍ଞା ସଂପାଦିବାକୁ ଚେଷ୍ଟା କଲା, ସ୍ଥିର ଭଙ୍ଗୀରେ କାଗଜଟିକି ଗୋଟେଇ ନେଇ ଟିକିଟିକି କରି ଚିରି ଫୋପାଡ଼ି ଦେଲା । ସେ ଇତିହାସ ପଢ଼ାଏ । ମନେ ମନେ କହିଲାଗିଛି ସମ୍ରାଟ ଆଓରଙ୍ଗଜେବଙ୍କର ସଙ୍ଗୀତ ବିଷୟରେ ଉକ୍ତି–‘‘ପୋତ ତାକୁ, ଗହୀର କରି ପୋତି କବର ଦିଅ, ଯେପରିକି ମରି ବି, ସେ ଆଉ ଦିନେ ଗାତରୁ ଉଠି ପାରିବ ନାହିଁ ।’’

 

ହାଃ ବିବାହ !

 

ତନିମା ଇତିହାସ ବହି ଖୋଲିଲା, ଆଖି ବୁଲେଇ ଆଣିଲା ଘରଯାକ ତା’ର ଥାକ ଥାକ ବହିଉପରେ । ଚଷମା ନାଇ କଠିନ ପ୍ରଶ୍ନ ଭାବି ଭାବି କାଗଜରେ ଟିପିବାକୁ ଲାଗିଲା । ସେ ଜାଣେ, ପିଲାଏ ତାକୁ ଘୃଣା କରନ୍ତି, କଅଁଳିଆ ମୁହଁରେ ହିଂସ୍ରକ ଚାହାଣୀ ଖଞ୍ଜା ହୋଇ ରହିଛି ଯେପରିକି ଧାଡ଼ିକି ଧାଡ଼ି । ମାଡ଼ି ମାଡ଼ି ଲେଖିଲା ଦାନ୍ତଭଙ୍ଗା ପ୍ରଶ୍ନ । ପଥରରେ ଖୋଳାହୋଇଛି ବାଂକ ଓଠ, ଚଷମାପିନ୍ଧା ଗାଡ଼ୁଆ ଆଖି । ଝରକା ସେପାଖେ ଦୃଷ୍ଟି ପଡ଼ିଗଲେ ମାଡ଼ିପଡ଼େ, ଛାତି ଦବିଯାଏ । ଏହି ଆସନରେ ସୁଷମ ହୋଇ ଉଡ଼େ ତନିମାର ଘୁଡ଼ି ।

 

ତନିମା କାଲିକା ପାଠ ପ୍ରସ୍ତୁତି କରୁଛି । ଏହି ତା’ର ସ୍ତର, ତା’ର ରାଜ୍ୟ ।

 

ଝରକାପାଖେ ହାମିଦା ଚୁପ୍‍ଚାପ୍ ବସି ରହିଛି ଆଲୁଅ ନିଭେଇ । ବାହାରେ ପାତଳ ଜହ୍ନରାତି, କି ସ୍ନିଗ୍ଧ, କି ଶାନ୍ତ, କି ଉଦାସ ! ଶାନ୍ତ, ଉଦାର ଗମ୍ଭୀର ନ ହେଲେ ଯେପରିକି ସୌନ୍ଦର୍ଯ୍ୟର ଅର୍ଥ ନାହିଁ । ପଛରେ କୋଠରିର ଅନ୍ଧାର ଘେରି ରହିଛି, ସେ ବି ଶାନ୍ତ, ଉଦାସ । ଲୋବାନ୍‍ବତୀର ବାସ୍ନା ଆସୁଛି, ଆଉ ଏ ନିର୍ଜନତା । ସତେକି କବର୍ । ହେଉ କବର୍, ମୃତ୍ୟୁକୁ ସେ ଡରେ ନାହିଁ । ମୃତ୍ୟୁର ଅଧେ ଅନ୍ଧାର ଅଧେ ଆଲୁଅ ଧଡ଼ିରେ ଯେପରିକି ତା’ର ବସା, ଛାଇ ଆଲୁଅ ମିଶାମିଶି କେଉଁ ଛାୟା ପଥରେ–ସେହି ଅଗଣତି ଅସ୍ପଷ୍ଟ ଆଲୋକ ବିନ୍ଦୁ ଗୋଟିଏ, ହୁଏତ ସେହି ସେ ନିଜେ, ଗୋଟିଏ ଭଗବତ୍-ବିଶ୍ୱାସୀ ପ୍ରାଣ ।

 

ଏହି ନିତି ଚିହ୍ନା ବିସ୍ମୟର ରାଜ୍ୟ ଛାୟାପଥ–ସତେ ଯେପରି ସ୍ୱର୍ଗ । କେତେ ମହାନ୍ ଆତ୍ମା ଏଥି, କେତେ ପୀର୍ ପୈଗମ୍ବର, କେତେ ଫକୀର୍, କେତେ ଦର୍ବେଶ୍, କେତେ ପୁଣ୍ୟକର୍ମା ଧର୍ମବୀର କେତେ ଯୁଗର । ଏହି ସଭାରେ କେଉଁଠି ପରାତ୍ପର ପରମେଶ୍ୱର ଯେ ଏକ, ଯାହାଙ୍କର ଦୁଇ ନାହିଁ, ଯାହାଙ୍କର ଦୂତ ମହମ୍ମଦ ।

 

ମହମ୍ମଦ !

 

କି ମଧୁର ସେ ନାମ ।

 

‘‘ଗାଅ ବିଶ୍ୱବାସି, ଏକ ଈଶ୍ୱର ଆଲ୍ଲାଙ୍କର ଯଶ ଗାଅ । ସୃଷ୍ଟିର କାରଣ, ପ୍ରଭୁ, ପରମ ଦୟାଳୁ ଶେଷ ବିଚାରର ରାଜା, ତୁମ୍ଭଙ୍କୁହିଁ ଆମେ ପୂଜାକରୁଁ, ତୁମ୍ଭଙ୍କୁହିଁ ଆମେ ମାଗୁ ସାହାଯ୍ୟ, ସିଧାବାଟରେ ଆଗେଇ ନେଇ ଯାଅ ପ୍ରଭୁ ! ତୁମ୍ଭେ ଯାହାଙ୍କ ପ୍ରତି ଦୟାଳୁ ତାଙ୍କରି ଯିବାବାଟରେ ଘେନିଯାଅ, ତୁମେ ଯାହାଙ୍କ ପ୍ରତି ରୁଷ୍ଟ ତାଙ୍କ ବାଟରେ ନିଅନା, ଭୁଲ୍‍ବାଟରେ ଚାଲନ୍ତି ଯେଉଁମାନେ ତାଙ୍କ ବାଟରେ ନିଅନା, ସିଧା ବାଟରେ ନିଅ ପ୍ରଭୁ !’’

ଏଇ ତେଜହିଁ ତାଙ୍କର ଯଶୋଗାନ, ଏଇ ଛାୟା-ପଥ । ତଳେ ଶୂନ୍ୟର ଅନ୍ଧାର, ତା’ ତଳେ କମ୍ବଳ ଘୋରି ହୋଇ ଶୋଇ ରହିଛି ଯେପରି ମରୁଭୂମିର ବାଲି, ଏକ ଈଶ୍ୱରଙ୍କ କରୁଣାର ବାରି ପଡ଼ି ଯେ ଉଲୁସି ଉଠିଥିଲା ଦିନେ, ଈଶ୍ୱରଙ୍କ ରାଜ୍ୟ ଆସିବ, ଅପେକ୍ଷା କରିଛି ।

ବାପାଙ୍କର ମୁହଁ ମନେପଡ଼ୁଛି, ହଠାତ୍ ମନେପଡ଼ୁଛି ସମୁଦ୍ରକୂଳ, ଯାହା ଥିଲା ତା’ର ପିଲାଦିନର ଘର, ଦୋମାହାଲା କୋଠାର ଛାତ ଯେଉଁଠି ସଞ୍ଜବୁଡ଼େ ବସି ସେ ସମୁଦ୍ର ଦେଖେ । ଘର ସଙ୍ଗେ ସଙ୍ଗେ ବୋଉ ମନେପଡ଼ୁଛି । ଘରର ପ୍ରାଣ । ଦୁଇଟି ପ୍ରାଣୀଙ୍କର ସ୍ନେହର ଗଣ୍ଠି ଏକା ସେ ।

ହଠାତ୍ ଦିହେଁ ଡକାଡକି ହୋଇ ହଇଜାରେ ଚାଲିଗଲେ ।

ଆଜି ଲାଗୁଛି, ସେ ବି ହେଲା ଭଲ, କାହିଁକି ଜଣକୁ ଆଉ ଜଣେ ଝୁରିବାକୁ ପଡ଼ିଥାନ୍ତା । ନିଜ ପାଇଁ ଏତେଗୁଡ଼ିଏ ସ୍ନେହର ବନ୍ଧନ ଡୋରି–ପରମାର୍ଥ ପଥରେ ପ୍ରମାଦ ଉପୁଜେଇଥାନ୍ତା ଖାଲି, ଈଶ୍ୱରଙ୍କ ଉଦ୍ଦେଶ୍ୟ ମଙ୍ଗଳମୟ, ତା’ର କେହି ନାହିଁ । କିଛି ମଧ୍ୟ ନାହିଁ–କୁହୁକ ପରି ମିଳେଇଗଲା କାହିଁ ଭୋଗର ଜୀବନ, କୋଠାବାଡ଼ି ଜିନିଷପତ୍ର ସବୁ । ବାପା ଦିଲ୍‍ଦାରିଆ ମଣିଷ, ଅଏସ୍‍ପ୍ରିୟ, ଅମୀର ମନ, କହନ୍ତି ତ ଦେହରେ ଅମୀର ରକ୍ତ ବି, ଚେହେରାଟା କଥାର ସା’ ଦିଏ । ଅମୀର୍ ମନ, କରଜ ବହୁତ । ହଠାତ୍ ଏଭଳି ଅନ୍ତର୍ଦ୍ଧାନ ହେବେ ବୋଲି ତ ଜାଣି ନ ଥିଲେ ! କିନ୍ତୁ ତା’ପାଇଁ କରଜ ଶୁଝିବା ବାକି ରଖି ନାହାନ୍ତି, କରଜ ଶୁଝି ହେଲା ଆପେ ଆପେ । ତା’ର ପାଠପଢ଼ା ପାଇଁ ଏତେ କାଳ ଭରଣପୋଷଣ ପାଇଁ ସୁଖେ ଦୁଖେ ଏକପ୍ରକାର ବନ୍ଦୋବସ୍ତ ଥିଲା, ମନ ନୁଆଁଇଲେ ସେତିକି ତା’ପାଇଁ ଯଥେଷ୍ଟ । ଚାକିରି–ସେ ବି ଈଶ୍ୱରଙ୍କ ଦୟା, ସଞ୍ଚୟ ନ ହେଉ, କାମ ଅଟକି ନାହିଁ ତ ! କ’ଣ ଏତେ ତା’ର ଦରକାର ?

ସବୁ ସଞ୍ଜପରି ଆଜି ବି ନିଜକୁ ସେ ଜୀବନର ନୀତିରେ ତଉଲି ଦେଖୁଛି, ସେଇ ଯଦି ଚରମ, କ’ଣ ଆଉ ଅଧିକା ତା’ର ଦରକାର ? ପ୍ରଭୁ, କ’ଣ ଆପଣଙ୍କର ସୁନ୍ନାହ୍ ? ମନ ଭିତରେ ଆବୁତାଲିବ ପ୍ରଶ୍ନ କରୁଛନ୍ତି । ଅନ୍ତର ଭିତରୁ ଆଜି ବି ମହମ୍ମଦ ଉତ୍ତର ଦେଉଛନ୍ତି–

ମୋର ସୁନ୍ନାହ୍ ?

ଈଶ୍ୱର-ଅନୁଭୂତି ମୋର ରାଜଧାନୀ,

ବିଚାର ମୋର ବିଶ୍ୱାସର ଭିତ୍ତି,

ପ୍ରେମ ମୋର ମୂଳୁଦୁଆ,

ଉତ୍ସାହ ମୋର ଅଶ୍ୱ,

ଈଶ୍ୱର-ସ୍ମରଣ ମୋର ବନ୍ଧୁ,

ଅଟଳପଣ ମୋର ସମ୍ପତ୍ତି,

ଦୁଃଖହିଁ ମୋର ସହଚର,

ବିଜ୍ଞାନ ମୋର ଅସ୍ତ୍ର,

ଧୈର୍ଯ୍ୟ ମୋର ପୋଷାକ,

ସନ୍ତୋଷହିଁ ମୋର ଜିଣା ସମ୍ପତ୍ତି,

ଦାରିଦ୍ର୍ୟ ମୋର ଗର୍ବ,

ଭକ୍ତିହିଁ ମୋର ଶିଳ୍ପକଳା,

ଭଗବତ୍-ଉପଲବ୍ଧ ମୋର ଶକ୍ତି,

ସତ୍ୟହିଁ ମୋର ତ୍ରାଣକର୍ତ୍ତା,

ଆଜ୍ଞାନୁବର୍ତ୍ତିତା ମୋର ପ୍ରାଚୁର୍ଯ୍ୟ,

ବିପ୍ଳବ ମୋର ଉପାୟ,

ପ୍ରାର୍ଥନାରେ ମୋର ଆନନ୍ଦ,

ବାରମ୍ବାର ଗୁଞ୍ଜରି ଉଠୁଛି ତା’ର ମନରେ–

ଅଟଳପଣ ମୋର ସମ୍ପତ୍ତି,

ଦୁଃଖହିଁ ମୋର ସହଚର,

ଦାରିଦ୍ର୍ୟ ମୋର ଗର୍ବ,

ଭକ୍ତିହିଁ ମୋର ଶିଳ୍ପକଳା–’’

 

ମୃଣ୍ମୟୀ ବିଭା ହେଉଛି, ମନେ ନ ଥିଲା, ମନେ ପଡ଼ିଲା । ଜନ୍ତୁର ଘରକରଣା, ଦେହୀର, ସେ କ’ଣ ଈଶ୍ୱର–ସୁଖ ଦେବ ?

 

ତା’ର ଯୌବନ ନୁହେଁ ପଶୁର ଖାଦ୍ୟ, ସେ ଈଶ୍ୱରଙ୍କୁ ନିବେଦିତା ।

 

ହାମିଦା ବେଗମ୍ ହେବ ନାହିଁ, ହାମିଦାହିଁ ରହିବ । ମୃଣ୍ମୟୀ ବିଭା ହେଉଛି, ଆଲ୍ଲାହ୍ ତା’ର ମଙ୍ଗଳ କରନ୍ତୁ, ସେ ସୁଖୀ ହେଉ ।

 

ଜହ୍ନରାତି ଆଲ୍ଲାଙ୍କର ଯଶୋଗାନ କରୁଛି । ଆହା, କି ସୁଖ ! କଳ୍ପନା କରିପାରିଲେ କି ସୁଖ !

 

ସକାଳ ସାଢ଼େ ଦଶଟା । ଇସ୍ତଫା କାଗଜଟି ବଢ଼େଇ ଧରି ସତୀ ହେଡ଼୍‍ମିଷ୍ଟ୍ରେସ୍‍ଙ୍କୁ କହିଲା–‘‘ନମସ୍କାର । ଏଇ ନିଅନ୍ତୁ ।’’

 

ପରିପାଟୀ କରି ବେଶ୍‍ ପିନ୍ଧିଛି, ସତେ ଯେପରି ବ୍ରତ ଉଜୁଆଁ ବିଶିଷ୍ଟ ଆନନ୍ଦର ଦିନଟିଏ-। ପୂର୍ଣ୍ଣ ମେକପରେ ଚିକ୍କଣ ମୁହଁ, ଓଠ ରଙ୍ଗେଇବାକୁ ଭୁଲିନାହିଁ । ଦର୍‍ହଫୁଟା ରକ୍ତକଇଁର ହସ, କାଗଜଟି ବଢ଼େଇ ଦେଉ ଦେଉ ତା’ର ବ୍ୟକ୍ତିତ୍ୱ ବିକଶି ଉଠୁଛି, ସଂଶୟ ଛିଣ୍ଡିଛି, ଡୋର କଟିଛି, ସେ ଜିତିଛି ।

 

ପ୍ରୌଢ଼ା ଗଙ୍ଗାମ୍ମା ସ୍ୱାମୀନାଥନ୍ ଟେବୁଲ୍‍ ଉପରୁ ବଡ଼ ଗୋଲ ମୁହଁଟି ନ ଟେକି ଅଭ୍ୟସ୍ତ ହାତରେ କାଗଜଟି ଧରି ନେଲେ । କାଗଜ ମୁଣ୍ଡରେ ବାଁ କୋଣରେ ଆପେ ବସେଇ ହୋଇଗଲା ତାଙ୍କର ସଂକ୍ଷିପ୍ତ ସ୍ୱାକ୍ଷର–ଜି.ଏସ୍ । ତା’ ତଳେ ତାରିଖ ଓ ମାସ । ଏଥର ?

 

ଔତ୍ସୁକ୍ୟରେ ସତୀ ଅନେଇଁ ରହିଛି, ଚଞ୍ଚଳ ଆଖିରେ ହସର ଛିଲିକା ଧୀରେ ଗମ୍ଭୀର ହୋଇ ଆସୁଛି ସେହି ବଡ଼ ଗୋଲ୍ ମୁଣ୍ଡକୁ ଚାହିଁ । ସେଠି ଓସାର ସୁନ୍ଥାରୁ ଦୁଇଭାଗ ହୋଇ କହରା ବାଳ ପଛଆଡ଼ ବଡ଼ ଗଣ୍ଠିକି ଓଟାରି ହୋଇଛି, ସେଥିରେ ସରିଏ ସରିଏ ଝୋଟ ଧଳା । ଜୁଡ଼ାଗଣ୍ଠି ଉପରୁ ମଉଳା ଶାଗୁଆ ‘ମରୁଆ’ ଡାଳ ଓ ହଳଦିଆ ସେବତୀ ଫୁଲ ଉଙ୍କି ମାରୁଛି । ତଳ କାନରେ ଗୋଲ୍ ସୁନା ସେବତୀ । ପିଟା ସୁନାର ପଟିକିଆ ହାତକଡ଼ିପିନ୍ଧା ମୋଟା କଚଟି ଧୀରେ ବୁଲିଯାଉଛି କାଗଜର ଧାଡ଼ି ତଳେ ତଳେ, ଉଦ୍ୟତ କଲମ ମୁନ ଅକ୍ଷର ତଳେ ତଳେ ଶୂନ୍ୟରେ ଯେପରିକି ଗାର କାଟୁଛି । ଗଙ୍ଗାମ୍ମା ସ୍ୱାମୀନାଥନ୍ ମୁହଁ ଉଠେଇଲେ, ଏକାଥରକେ ସତୀର ଆଖିରେ ବିନ୍ଧିଲା ତାଙ୍କ ମୁହଁର ତେଜ, ମୋଟା ଫ୍ରେମ୍‍ର ସୁନା ଚଷମାର, କଳା କଳା କାଚପରି ସ୍ଥିର ବିହ୍ୱଳକାରୀ ଆଖିଡୋଳାର, ଯେ ବୁଝେ, ଯାହାକୁ ବୁଝି ହୁଏ ନାହିଁ, କପାଳ ମଝିରେ ଗୋଲ କୁଙ୍କୁମ ଟିକାର, ଫାଙ୍କ ପଡ଼ିଯାଇଥିବା ଓସାର ସୁନ୍ଥା-ସିଅର, ଆରମ୍ଭରେ ଯାହାର ମୋଟା ସିନ୍ଦୂର ଗାର ସତେ ଯେପରି ସେଇଠି ମୁଣ୍ଡ ଫାଟି ରକ୍ତ ଶୁଖି ଯାଇଛି । ସବୁ ସତେକି ଏକାଠି ଏକସଙ୍ଗରେ ପ୍ରଶ୍ନ ପଚାରି ବସିଲେ, ସବୁର ଯୌଥରୂପରେ ସମ୍ଭ୍ରାନ୍ତା କୁଳୀନା ଜୀବନ ଅଭିଜ୍ଞା ଗଙ୍ଗାମ୍ମା ସ୍ୱାମୀନାଥନ୍, ପଦେ କଥା–‘‘ଉଁ ?’’

 

‘‘ଏଇ ମୋର ଇସ୍ତଫା କାଗଜ, ମଞ୍ଜୁର କରେଇ ନେବେ–ହଉ, ଏଥର ମୋର ଛୁଟି, ଏଁ-?’’

 

‘‘ୟା ମାନେ ?’’

 

ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି ଗଙ୍ଗାମ୍ମା ସ୍ୱାମୀନାଥନ୍, ଏ ଦେଶର ଏଇ ଆଧୁନିକା ଦଳ, ସେମାନେ ସତେକି ତାଙ୍କ ବୋଧଶକ୍ତିର ବାହାରେ, କି ଛାତ୍ରୀ କି ଶିକ୍ଷୟିତ୍ରୀ ସମସ୍ତେ ।

 

ଭିକ୍ଟୋରିଆ ଯୁଗର ଛେଚାପିଟା ଆଦର୍ଶର ନିଦା ଧାରଣା ତାଙ୍କର, ସେଠି ଜୀବନରେ ପ୍ରଶ୍ନ ନାହିଁ, ବାଟ ପରିଷ୍କାର, ଜୀବନର ନୀତି ସଂଜ୍ଞାରେ ଆବଦ୍ଧ, ଭିତରେ ଯେ ଯାହା ଭାବୁ ଉପରେ ଘୋଡ଼ଣି ଖୁବ୍ ଟାଣ, ଅନ୍ୟଥା ହେଲେ ମର୍ଯ୍ୟାଦାହାନିର ଭୟ, ସେ ଭୟ ମୃତ୍ୟୁ ଭୟଠୁ ବି ବଡ଼, ତେଣୁ ଦାବୀର ପ୍ରଶ୍ନ ନ ଉଠାଇ ମନୁଷ୍ୟ ସବୁ ସହି ‘କର୍ତ୍ତବ୍ୟ’ କରିଯାଏ, ଯେ ଶୋଷି ଖାଏ ସେ ‘ଭାଗ୍ୟ’ ବଳରୁ ଖାଏ, ଯେ ଶୋଷା ହୁଏ ସେ ‘ଭାଗ୍ୟ’ ହୀନତାରୁ ଶୋଷା ହୁଏ, ଭାଗ୍ୟ ଓ ଈଶ୍ୱରଙ୍କ ବିଧାନରେ ସମସ୍ତେ ନିଜ ନିଜ ସ୍ତରରେ ନିଜ ନିଜ ଆସନରେ ଶାନ୍ତିରେହିଁ ଜୀବନ କଟାନ୍ତି ଭଦ୍ରତା ଓ ଶିଷ୍ଟାଚାରକୁ ଜଗି; ‘ମୁଁ ଅଶାନ୍ତ’ କହି ଶିଷ୍ଟାଚାର ଲଂଘିବା ଅପେକ୍ଷା ଫଟାଭୂଇଁର ଗହ୍ୱରରେ ଛପିଯିବାହିଁ କାମ୍ୟ ।

 

ଅଥଚ, ଏମାନେ–ରାତି ରାତି ଗଜୁରି ଉଠେ ଏମାନଙ୍କର ‘ଦାବୀ’ ‘କର୍ତ୍ତବ୍ୟ’ ବେଳକୁହିଁ ବେଶି, କଳ୍ପନାରେ ଭାସି ଆସେ ଏମାନଙ୍କ ଅଶାନ୍ତି, ଜୀବନ-ବିମୁଖ ପରିଶ୍ରମ-କାତର ଆପଣା-ବିଭୋର କସ୍ତୁରୀମୃଗ ଦଳ, ହାଫ୍‍ଷ୍ଟାଣ୍ଡାର୍ଡ଼ ଗୋଲାପ, ଖାଲି ଦୁର୍ବଳ ଉତ୍ତେଜନା, ଲକ୍ଷ୍ୟଭ୍ରଷ୍ଟ କକ୍ଷଚ୍ୟୁତ ଡିକେଡେଣ୍ଟସ୍‍-ନିଉରୋଟିକ୍‍ସ୍‍–

 

ଅସମ୍ଭବ ।

 

ସେହି କଥା କହୁଛି ତାଙ୍କ ନୀରବ ଚାହାଣୀ ।

 

ଜାଠଦଳର ନେତ୍ରୀ ବାମପନ୍ଥୀକୁ କର୍ତ୍ତବ୍ୟ ସ୍ମରଣ କରାଇ ଦେଲା ପରି ଗଙ୍ଗାମ୍ମା ସ୍ୱାମୀନାଥନ୍ ଗମ୍ଭୀର ହୋଇ କହିଲେ–

 

‘‘ଏ ତ’ ଇସ୍ତଫା–’’

 

‘‘ଆଜ୍ଞା ହଁ ।’’

 

‘‘କଣ୍ଟ୍ର୍ୟାକ୍ଟଟା ଥିଲା ପାଞ୍ଚବର୍ଷ ପାଇଁ ବୋଧହୁଏ, ନା ମୋର ଭୁଲ୍‍ ହେଉଛି ?’’

 

ହସ ରୋକି ସତୀ କହିଲା–‘‘ନା, ଠିକ୍ ।’’

 

‘‘ତେବେ ଆହୁରି ଯେ ରହିଲା ଦେଢ଼ବର୍ଷ ବାକି ?’’

 

‘‘ସତ କଥା ।’’

 

‘‘ତେବେ ଆପଣ କ’ଣ– ? କାହିଁ, କ୍ଷତିପୂରଣ ଦେବା କଥା ଆପଣ ଲେଖି ନାହାନ୍ତି ତ କେଉଁଠି ଏ ଇସ୍ତଫା ପତ୍ରରେ ? ନା ଭୁଲରେ ଛାଡ଼ି ଯାଇଛନ୍ତି ?’’

 

‘‘କ୍ଷତିପୂରଣ ମୁଁ ଦେବି ନାହିଁ ।’’

 

‘‘ତେବେ ତ ମୁଁ ଇସ୍ତଫା ଗ୍ରହଣ କରିବାପାଇଁ ଆପଣ ବାଟ ରଖି ନାହାନ୍ତି, ଆପଣଙ୍କ ଇସ୍ତଫା ନାମଞ୍ଜୁର କରିବାପାଇଁ ମୁଁ ବାଧ୍ୟ ହେବି ।’’

 

‘‘ଆପଣଙ୍କର ଯାହା ଇଚ୍ଛା ।’’

 

ହେଡ଼୍‍ମିଷ୍ଟ୍ରେସ ହସିଲେ । କହିଲେ, ‘‘ଅନେକ ସମୟରେ ଏପରି ଇଚ୍ଛା ହୁଏ । ମୋର ବି ହୋଇଛି । ଯାହା କହନ୍ତୁ, ଆମେ ଯେତେହେଲେ ସ୍ତ୍ରୀଜାତି ତ, ମନକୁ ବାଧେ । ଛାଡ଼ନ୍ତୁ, ଫେରେଇ ଦେଲି ଆପଣଙ୍କ କାଗଜଟି । ନା ଚିରିଦେବି ? କାଳେ କିଏ ଜାଣିବ, ସେଉଠୁ, ମାନେ–ଅନର୍ଥକ ଗୋଟାଏ ଚର୍ଚ୍ଚା, ସେଗୁଡ଼ା ମୁଁ ଭଲ ପାଏ ନାହିଁ, ଦେଖନ୍ତୁ କାନ୍ଥ ବାଡ଼ର ବି କାନ ଅଛି ନଉନ୍ତୁ ।’’

 

‘‘ନେଇ ଆଉ କ’ଣ କରିବି କହନ୍ତୁ ? ମୁଁ ତ ଇସ୍ତଫା ଦାଖଲ କଲି, ଆପଣ ଯାହା ଅଡ଼ର ଦେବେ ଆପଣଙ୍କ ଇଚ୍ଛା । ମୁଁ ତ ଆଉ କାମ କରିବି ନାହିଁ; ଆଜି ଚାଲିଯାଉଛି ।’’

 

‘‘ଏଁ !’’

 

‘‘ନିଶ୍ଚୟ ।’’

 

‘‘କି ମୁସ୍କିଲ୍ ! ସେମାନେ କ୍ଳେମ୍ ଫାଇଲ୍ କରି କ୍ଷତିପୂରଣ ଆଦାୟ କରିବେ ଯେ ।’’

 

‘‘କରନ୍ତୁ । କାଉଣ୍ଟର୍ କ୍ଳେମ୍ କିଛି ବେଶୀ ହେବ; ସୁତରାଂ ଡରିବାର କିଛି ନାହିଁ । ମୁଁ ବି ଟିକିଏ ଟିକିଏ ଭାବୁଛି ଅଦାଲତରେ ଗୋଟାଏ ମକଦମା ଦାୟର୍ କରିଦେଲେ ମନ୍ଦ ହୁଏ ନାହିଁ । ତୁଣ୍ଡରେ ପ୍ରତିଶ୍ରୁତିଗୁଡ଼ାକ ଥିଲା, ତା’ଛଡ଼ା ଦାଣ୍ଡ ଦରରେ ଦେଖନ୍ତୁ ।

 

ତା’ଛଡ଼ା ହଇରାଣ, ଅପମାନ, ଏଗୁଡ଼ାକର ବି କ୍ଷତିପୂରଣ ସତ୍ତ୍ୱେ କିଛି ଆର୍ଥିକ ମୂଲ୍ୟ ଥାଇପାରେ, ଅନ୍ତତଃ ମୋର ଜଣେ ଓକିଲ ବନ୍ଧୁ ପରାମର୍ଶ ଦେଉଥିଲେ । ଆଉ ଧନ, ତା’ର ପ୍ରୟୋଜନ ସମସ୍ତିଙ୍କର ।’’

 

ଗଙ୍ଗାମ୍ମା ସ୍ୱାମୀନାଥନ୍‍ ଲଜ୍ଜାରେ ମୁହଁ ବୁଲାଇ ଦେଲେ, କହିଲେ, ‘‘ସୁଟ୍ ଫାଇଲ କରିବେ ? –ୟେ ମା, କି ସ୍କ୍ୟାଣ୍ଡାଲ୍ !’’

 

‘‘ସେଇ ସ୍କ୍ୟାଣ୍ଡାଲ୍ ସେମାନେ କରିବେ ବୋଲି ତ ଆପଣ କହିଛନ୍ତି । ତା’ଛଡ଼ା ମୋ ବିଷୟରେ ଅନେକ ସ୍କ୍ୟାଣ୍ଡାଲ୍ ତ ଆପଣ ଇନ୍‍କ୍ୱାଇରି କରୁଛନ୍ତି । ସେଥିରେ ଲାଜ କ’ଣ ଅଛି ?’’

 

ଗଙ୍ଗାମ୍ମା ସ୍ୱାମୀନାଥନ୍ ପାଟି ଫିଟାଇଲେ ନାହିଁ, ଏ ଭାଷାରେ ତାଙ୍କଠୁଁ ଉତ୍ତର ସମ୍ଭବିବ ନାହିଁ ।

 

‘‘ଆପଣଙ୍କ କାର୍ଯ୍ୟରେ ବାଧା ଦେଲି’’ ସତୀ କହିଲା, ‘‘ବେଳ ଯାଉଛି । ହଉ ମୁଁ ଯାଉଛି । ନମସ୍କାର ।’’

 

ସେ ଉତ୍ତର ଦେଲେ ନାହିଁ, ସତୀ ତାଙ୍କ ଆଖିରେ କେତେ ତଳକୁ ଖସି ପଡ଼ିଛି । ପ୍ରତି ନମସ୍କାର କଲେ ବି ସମ୍ଭ୍ରମ ହାନି ହେବ । ସେହିପରି ବସି ରହିଲେ । ସତୀ ଚାଲିଗଲା ।

 

ଗଙ୍ଗାମ୍ମା ସ୍ୱାମୀନାଥନ୍ ସେହିପରି ବସି ବସି ଭାବୁଥିଲେ ।

 

ତା’ପରେ ?

 

ଗାଡ଼ି ଡକେଇ ଜିନିଷ ଲଦିଲାବେଳେ ଗନ୍ତବ୍ୟ ସ୍ଥାନ ବିଷୟରେ ସୁସ୍ପଷ୍ଟ ଧାରଣା ଯେ ନ ଥିଲା ତା’ ନୁହେଁ, ତାହା ସହିତ ଯାହା ଯାହା ସମସ୍ୟା ଓ ଅସୁବିଧା ରହିଛି ଘର ସଙ୍ଗେ ସଙ୍ଗେ ସେ ବି ମନେ ପଡ଼ିଯାଉଥିଲା; କିନ୍ତୁ ଭବିଷ୍ୟତ୍ ଚିନ୍ତା ଅପେକ୍ଷା ବେଶୀ ପ୍ରଭାବଶାଳୀ ହୋଇଥିଲା ବର୍ତ୍ତମାନର କର୍ତ୍ତବ୍ୟ ଓ ନୂଆ ଘର କରିବାଠୁଁ ପୁରୁଣାଘର ଶୀଘ୍ର ଛାଡ଼ିବାର ଆଗ୍ରହ ଥିଲା ବହୁତ ବେଶୀ । ତେଣୁ ଭବିଷ୍ୟତ୍ ଡରେଇ ନାହିଁ, ସତେକି ତଣ୍ଟିଆ ମାରି ମାରି ପଦାକୁ ପେଲି ଦେଇଛି ଉପସ୍ଥିତ ପରିସ୍ଥିତି । ଏ ବେଷ୍ଟନୀ ଛାଡ଼ିବାକୁ ସତୀକୁ ତର ସହିନାହିଁ ।

 

ବିଦାବିଦିରେ ଘନଘଟା କରିବାକୁ ସତୀର ଘୋର ଅନିଚ୍ଛା, ସେ ଖୋଜିଥିଲା ସରଳ ସଂକ୍ଷିପ୍ତ ନିଷ୍କୃତି, ନିରାଡ଼ମ୍ବର । ବେଶ ଉତାରି ପକେଇଛି, ପିନ୍ଧିଛି ଖଣ୍ଡେ ପୁରୁଣା ଧଳା ଶାଢ଼ୀ । ପଛକୁ ନ ଚାହିଁ ହାତମୁଣିଟି ଧରି ଗାଡ଼ିଆଡକୁ ଆଗେଇ ଯାଉ ଯାଉ ଅଧବାଟରେ ବନ୍ଧାପଡ଼ିଗଲା । ସେମାନେ ତାଙ୍କ ମନକୁ ଆସିଛନ୍ତି, ତନିମା, ଦୀପାଳୀ, ହାମିଦା, ସନ୍ଧ୍ୟାତାରା, ଅସିତା, କୁଙ୍କୁମ, ହରପ୍ରିୟା, ମହାମାୟା, ବିଦ୍ୟାସୁନ୍ଦରୀ ଆଦି ସହକର୍ମିଣୀ ଶିକ୍ଷୟିତ୍ରୀମାନେ,–ଦୂରରେ ଦିଶୁଛି ଲାଗିଛନ୍ତି ଧାର, ଥାଟପରି ସ୍କୁଲ ପିଲାମାନେ, ପଢ଼ାଘଣ୍ଟା ତୃତୀୟ ଯାମ ଟାଇଁ ଟାଇଁ ପିଟାହେଲା, ତଥାପି ଥାଟ ଆଗୁଆ ହେଉଛି । ଦୂରରୁ ସେ ଦଳକୁ ଚାହିଁ ସତୀର ଛାତି ଚାଉଁକଲା । ସେମାନେ ସ୍ନେହରେ ଆସିଛନ୍ତି, କେହି ତାଙ୍କୁ ସମ୍ବାଦ ବାଣ୍ଟି ଯାଇନାହିଁ । ଯଦି ଅଟକାନ୍ତି, ପାରିବ ସେ ଏଡ଼ି ? ଗଙ୍ଗାମ୍ମା ସ୍ୱାମୀନାଥନ୍‍ଙ୍କ ସଙ୍ଗେ ତର୍କ ଚଳିପାରେ, କିନ୍ତୁ ସ୍ନେହର ବନ୍ଧନ କ’ଣ ଏଡ଼ିହୁଏ ? ଯଦି ପଚାରନ୍ତି,–କି କୈଫିୟତ୍ ଦେଇ ପାରିବ ସେ ? ବରଂ, ସେମାନେ ରାଗନ୍ତୁ, ଗାଳି ଦିଅନ୍ତୁ, ତା ବି ସହିହେବ,–ସ୍ନେହର ଅନୁଯୋଗ ନୁହେଁ ।

 

ଚଞ୍ଚଳ ଭାବିନେଲା । ଆଗଭରସି ଶିକ୍ଷୟିତ୍ରୀମାନଙ୍କ ପାଖକୁ ଯାଇ ଜଣ ଜଣ କରି କୁଣ୍ଢେଇ ପକେଇ ନମସ୍କାର କରି ବିଦାହେଲା, ଚିଠି ଲେଖିବାକୁ ପ୍ରତିଶ୍ରୁତି ଜଣାଇଁ ସମସ୍ତିଙ୍କି ବିଦା କରିଦେଇ ତରତର ହୋଇ ଗାଡ଼ିକି ଚାଲିଗଲା, କହିଲା–‘‘ଗାଡ଼ି ଚଲାଅ ।’’ ଗାଡ଼ି କବାଟ ପାଖେ ନମସ୍କାର ଉଞ୍ଚେଇ ଠିଆହୋଇ ରହିଲା ।

 

‘‘ଧୀରେ ନିଅ ଗାଡ଼ି ।’’ ରାସ୍ତା କରରେ ଦଳ ଦଳ ହୋଇ ଛାତ୍ରୀମାନେ ଠିଆହୋଇ ରହିଛନ୍ତି । ପାଟିତୁଣ୍ଡ ନାହିଁ, କେବଳ ନମସ୍କାର, ନମସ୍କାର ।

 

ଗହଳ ହୋଇ ଯୋଡ଼ା ପାପୁଲି ଠିଆହୋଇଛି, କେବଳ ପଦ୍ମକଢ଼, କଇଁ-କଢ଼ ।

 

ପାଖବାଟେ ଗାଡ଼ି ଗଲାବେଳେ ସତୀ ସେମାନଙ୍କର ବାସ୍ନା ପାଉଛି ।

 

କେବଳ ଛାତ୍ରୀ ନୁହନ୍ତି, ସେମାନଙ୍କର ନାଁ ଅଛି, ପରିଚୟ ଅଛି, ପୃଷ୍ଠଭୂମିରେ ଗୋଷ୍ଠୀ ଅଛନ୍ତି, ସାମ୍ନାରେ ଭବିଷ୍ୟତ୍ ଅଛି ।

 

ନମସ୍କାର, ନମସ୍କାର,–ଏଇ ଗୋଟିକାଗୋଟି କଅଁଳ ମୁହଁ, ପ୍ରତି ମୁହଁ ଉପରେ ତା’ର ମମତା ବିଞ୍ଚି ହୋଇ ପଡ଼ିଥିଲା, ପ୍ରତି ମୁହଁ ସଞ୍ଚି ହୋଇ ରହିଥିଲା ତା’ର ଜୀବନର ସମ୍ବନ୍ଧଶୀଳ ମନର ଗନ୍ତାଘରେ, ହୃଦୟର ଅଜସ୍ର ମୁହୂର୍ତ୍ତରେ ଅଜସ୍ର ତନ୍ତ୍ରୀ, ନମସ୍କାର, ନମସ୍କାର ।

 

ଫାଟକ ଟପି ଗାଡ଼ି ପଦାକୁ ବଡ଼ ରାସ୍ତାକୁ ବାହାରି ଆସିଲା ।

 

ପଛରେ ରହିଯାଇଛି ସବୁ–ସବୁ କଅଁଳ ମୁହଁ, ସବୁ କଅଁଳ କଥା । ଏତେ ସ୍ନେହ ଥିଲା ଏଗୁଡ଼ାଙ୍କ ପାଇଁ । ସତୀ ଆଶ୍ଚର୍ଯ୍ୟ ହେଉଛି ନିଜ ମନର ଅସ୍ୱାଭାବିକ ନରମପଣ ଲାଗି । ଗଲାବେଳେ ଏତେ ବାଧିବ, ଏ ତା’ର ଯୋଜନା ଭିତରେ ନ ଥିଲା । କିଏ କାହାର ? କିଏ କାହାର-? ତଥାପି ଅବୁଝା ମନ ବୁଝୁନାହିଁ । ସତୀ ମୁହଁ ପୋଛୁଛି ।

କିଏ କାହାର ? କିଏ କାହାର ? ଦି’ଦିନ ପାଇଁ ତ ସବୁ ଘରକରଣା, ଦି’ଦିନର ବାଟୋଇ । ଆଖିପତା ପୁଣି ଓଦା ହେଲାଣି । ନିଷ୍ଠୁର ଦୁନିଆଁ, ସବୁ ଖାଲି ସ୍ୱାର୍ଥର ଡୋରି,–‘‘ଏକେଲା ଚଲୋରେ–’’ ତଥାପି ପୁଣି ଝରୁଛି ପାଣି । ଅତି ତୀବ୍ର ବିଦାୟର ଯାତନା, ସତେ ଅବା ଆପଣାଠୁଁ ପର ହୋଇଯାଉଛି, ଦୂର ହୋଇଯାଉଛି । ରାସ୍ତାକରର ଗଛ, ପଡ଼ିଆର କୁଦ, କେଉଁଠି ସାନ ସାନ ବୁଦାଲଟାର ବଣ–ସେଠି ବି ଆଖି ମାଣ୍ଟେଇ ଯାଉଛି । କେତେଥର ବୁଲି ଆସିଥିବ ସେ ୟାଡ଼େ । ଉଦୁଉଦିଆ ଖରାରେ ଇସ୍କୁଲ୍ ଆଖପାଖର ଦୃଶ୍ୟକୁ ଯେପରି ସେ ପିଇଯାଉଛି ଲୁହର ଲୁଣ ଗୋଳି ।

ଖଣ୍ଡେ ଦୂର ହେଲା, ନିଜକୁ ପଦାରୁ ଓଟାରିନେବାକୁ ଚେଷ୍ଟା କରି ସତୀ ନିଜଠିଁ ମନ ଦେଲା । ବିଚ୍ଛେଦର ତୋଫାନି ବେଗ ଧୀମେଇଁ ଆସିଲାଣି, ଏଥର ସେ ନିଜ ମନକୁ ଘାଣ୍ଟି ଦେଖୁଛି, କାରଣ ଖୋଜୁଛି । ଅନର୍ଥକ ବହୁତ ଶୋକ କଲାଣି, ଭାବୁଛି, କାହିଁକି ଏପରି ହୁଏ ? ବିଚାର ବୁଦ୍ଧି ଯେଉଁଠି ଦେଖେ କୌଣସି ସମ୍ବନ୍ଧ ନାହିଁ ମରମର ଅନୁଭୂତି ସେଇଠି ଆଉଜି ପଡ଼ି ସକେଇ ହୁଏ କାହିଁକି ? ନିଶ୍ଚୟ ଗୋଟାଏ ଠିକ୍ ଆଉ ଗୋଟାଏ ଭୁଲ୍ । କେଉଁଟା ଭୁଲ୍ ? ବିଚାର ବୁଦ୍ଧିର ଅହମିକା ବାରମ୍ବାର ହୃଦୟ ଅନଭୂତିରେ ସମ୍ବନ୍ଧରେ ବୁଡ଼ି ବିହ୍ଵଳ ହୋଇ ହଜି ପୁଣି ଅହଂପଣରେ ମୁଣ୍ଡଟେକେ, ପୁଣି ଯାଏ ସୁଅ ତୋଡ଼ରେ ତଡ଼ିହୋଇ । ଅତଏବ ସ୍ଥୂଳ ଇନ୍ଦ୍ରିୟଙ୍କୁ ଚରମ ଯନ୍ତ୍ର ବୋଲି ଭାବି ଯନ୍ତ୍ର-ପ୍ରମାଦରେ ଆହୃତ ମୋଟା ତଥ୍ୟକୁ ଏକାଠି କରି ଯେ ସୂତ୍ର ଖଞ୍ଜେ କେହି କାହାର ନୁହେଁ, ‘‘ଏକେଲା ଚଲୋ ରେ’’ ସେହି ଶାସ୍ତ୍ର ହିଁ ଭୁଲ୍‍ ।

ସମସ୍ତେ ସମସ୍ତିଙ୍କର, ସବୁ ସମସ୍ତିଙ୍କର, ସମଷ୍ଟିଚ୍ୟୁତ ହୋଇ ଆତ୍ମନିର୍ଦ୍ଧାରଣ ଅସମ୍ଭବ, ଏକଲାର ସ୍ଥାନ ନାହିଁ ଏ ସୃଷ୍ଟିରେ ଏବଂ ଭଗବାନ–ସେ ସମଷ୍ଟିର ଗୁନ୍ଥା ଡୋରି, ସେ ଏହି ସମଷ୍ଟିର ବିପୁଳ ଆକୁଳ କ୍ରନ୍ଦନ, ଏକର ବହୁପାଇଁ, ବହୁର ଏକପାଇଁ, ନ ହେଲେ ଭଗବାନଙ୍କର ଅର୍ଥ ନାହିଁ । ଯେ ୟାକୁ ଅସ୍ୱୀକାର କରେ ସେ ଅସ୍ୱାଭାବିକ, ତେଣୁ ଅସତ୍ୟ । ଯେଉଁ ସମାଜ ଏ ସମଷ୍ଟିତଥ୍ୟକୁ ଅସ୍ୱୀକାର କରେ ସେ ଅସ୍ୱାଭାବିକ, ତେଣୁ ଅସତ୍ୟ । ଅସମତା ଅସତ୍ୟ, ଅହମିକା ଅସତ୍ୟ, ପରାଧୀନତା ଅସତ୍ୟ, ଶୋଷଣ ଅସତ୍ୟ । ତେଣୁ ବିକ୍ଷୋଭ ସ୍ୱାଭାବିକ, ସଂଘର୍ଷ ସ୍ୱାଭାବିକ, ଚାଲିଥିବ ସେ ଯେତେଦିନ ଅସତ୍ୟ ଦୂର ହୋଇନାହିଁ, ଅନ୍ଧାର କଟିନାହିଁ ।

ହୁଏତ ସେଇ ଥିଲା ତା’ର ପନ୍ଥା– ।

ମନ ଭୁଲେଇ ପିଲାଦିନର ସ୍ୱପ୍ନ ମନେପଡ଼େ । ଚଉଦବର୍ଷ ବୟସରେ ଷୋଳବର୍ଷ ବୟସରେ ଖବର କାଗଜ ପଢ଼ି ରାସ୍ତାରେ ପଟୁଆର ଦେଖି ସେ ବି କେବେ କେବେ ସମଷ୍ଟି ସାଥିରେ ତାଳ ଦେଇ ଭାବୁଥିଲା ବଡ଼ ହେଲେ ଜୀବନଟା କଟେଇ ଦେବ ବିପ୍ଳବ କରି କରି । ଆରସି ପାଖେ ବସି ନିଜଠିଁ ବିପ୍ଳବିଣୀର ଠାଣି ଦେଖୁଥିଲା, ଛୋଟ ଫ୍ୟାସିଷ୍ଟ ହୋଇ ସମଷ୍ଟି ନାଁରେ ଗଣ-ସଂଗ୍ରାମ କରୁଥିଲା ମନେ ମନେ, ରକ୍ଷଣଶୀଳତାର ନିର୍ଜୀବ ମାନ୍ଦା ବୋଝ ଓଲଟେଇବାକୁ ପଡ଼ିବ, ଯେତେ ମଶା ଛାରପୋକ, ବୁଢ଼ା ଆଙ୍ଗୁଠିରେ ବିଶି ଆଙ୍ଗୁଠି ରଗଡ଼ି ଚିପି ଚିପି ମାରିବାକୁ ପଡ଼ିବ । ମଶାରି କଣରେ ଛାରପୋକ ମାରେ । ମନେପଡ଼େ ବିପ୍ଳବ ।

ହଠାତ୍ ମନେପଡ଼ୁଛି ଅତୀତ, ମନେପଡ଼ୁଛି ତା’ର ବି ସ୍କୁଲ ଦିନ, ପୁଣି ପାଖର କଥା ମନେପଡ଼ୁଛି–ଯେଉଁ ସ୍କୁଲ ସେ ଛାଡ଼ି ଆସିଲା, ଗଙ୍ଗାମ୍ମା ସ୍ୱାମୀନାଥନ୍, ଏନ୍‍କ୍ୱାଇରି, କର୍ତ୍ତୃପକ୍ଷ ଦଳ, ଚକ୍ରଧରବାବୁ, ଯାହାଙ୍କର ଅସରନ୍ତି ଆଗ୍ରହ । ସବୁ ଗଣ୍ଠି ପଡ଼ିଯାଇଛି ସ୍କୁଲଠିଁ ।

ସ୍କୁଲଟା ଯେପେରିକି ଆପଣା ଭିତରେ ସାଇତି କରି ନେଇ ଚାଲିଛି ଯୁଆଡ଼େ ଯାଉପଛେ ।

ହେଇ ଷ୍ଟେସନ୍ ।

ଆରେ !

କେଉଁଠୁ କେଉଁଯାକେ ଆସିଛି ? କାହିଁକି ? ଚିନ୍ତାରେ କେଉଁବାଟେ କେତେ ଦୂର ! ଦୈହିକ ଗତିରେ କେଉଁଯାକେ କେତେ ଦୂର !

ହଠାତ୍ ଲାଗୁଛି, ଅତୀତରୁ ବର୍ତ୍ତମାନକୁ ଗତିପଥ ଅଳ୍ପେ ଅଳ୍ପେ ଦେଖି ହେଉଛି ବାରି ହେଉଛି । ଧୀରେ ଧୀରେ ଖିଅ ହଜି ଯାଉଛି, ରହିଯାଉଛି କେବଳ ବର୍ତ୍ତମାନ ଓ ତା’ ପୂର୍ବର ଆସନ୍ନ ଅତୀତ, ସେ ବି ରୂପାନ୍ତରିତ ହୋଇଯାଉଛି ବର୍ତ୍ତମାନ ସହିତ ଖାପ ରଖିବାପାଇଁ । ହଠାତ୍ ଯେପରିକି ଆଖି ମଳିମଳି ନିଦରୁ ଉଠିଛି, ମନେପଡ଼ୁଛି ସେ କ’ଣ ଗୋଟାଏ ସ୍ୱପ୍ନ ଦେଖିଥିଲା, ଛିଣ୍ଡାଛିଣ୍ଡା ଅନୁଭୂତି ସ୍ମରଣରେ ଭାସି ଉଠୁଛି, ପୁଣି ବୁଡ଼ି ଯାଉଛି । ସ୍ୱପ୍ନର ପଟ୍ଟଭୂମି ଉପରେ ଢାଙ୍କୁଣୀ ପଡ଼ିଯାଇଛି, ନୂଆ ରଙ୍ଗ ବୋଳି ହୋଇଯାଉଛି, ଚାହୁଁ ଚାହୁଁ ରଙ୍ଗ ବଦଳି ବଦଳି ନିଜର ଅନୁଭୂତି ପୁଣି ପାଶୋରି ହୋଇଯାଉଛି, ନିଜର ଅଚିହ୍ନା ହୋଇ ନୂଆ ରୂପରେ ଦିଶୁଛି ଅତି ଚିହ୍ନା, ଅତି ବାସ୍ତବ, ଅତି ଜାଗ୍ରତ, କାହିଁ କ’ଣ ଥିଲା ସ୍ୱପ୍ନ, ଏଇତ ସକାଳ । ଅବିଶ୍ୱାସ ଆସୁଛି, ଏ ତା’ ନୁହେଁ, ଅବିଶ୍ୱାସ ପଛରେ ଧାଇଁ ମୁଣ୍ଡ ଘୋଳେଇବାକୁ ସେ ଚାହୁଁନାହିଁ, ହୁଏତ ସ୍ୱପ୍ନ ନ ଥିଲା । ସେ ଥିଲା, ସେ ଅଛି, ମଝିରେ କିଛି ନାହିଁ, ମଝିରେ ଫାଙ୍କା, ମଝିରେ ଗ୍ୟାପ୍ । ମୁଣ୍ଡ ପରିଶ୍ରମ ନ କରି ମଝିରେ ଗୋଟାଏ ସରଳରେଖା ଯୋଡ଼ିଦେଲେ ଯଥେଷ୍ଟ ହେବ ।

 

ଆପଣାବିଭୋରା ସତୀ ରେଲ୍ ଷ୍ଟେସନ୍‍କୁ ଥରେ ଚାହିଁ ଦେଲା । ମନକୁ ମନ ହସି ଉଠିଲା–ଭାବିବାର ସାର ଖାଲି ଗୋଲକଧନ୍ଦାରେ ଭୁଆଁବୁଲିବା । ମନେ ପଡ଼ିଲା କଲେଜ ଦିନର ପଢ଼ାପାଠ, ଶୁଣାପାଠ । ଆଇ.ଏସ୍‍ସି.ରେ ପଢ଼ାହୁଏ ଆଲୁଅ ଚାଲେ ସଳଖ ଗାରରେ, ଆଲୁଅର ସଳଖ ମୁନ ପେନ୍‍ସିଲ୍ ପରି ଫୋକ୍‍ସରେ ଭେଟେ, ବି.ଏସ୍‍ସି.ରେ ଆଲୁଅ ଦିଶେ ବଙ୍କା ଗାର, ବିଜ୍ଞାନର ଆଖିରେ ଆଷ୍ଟିଗ୍‍ମାଟିଜ୍ମ୍‍, ଏମ୍.ଏସ୍‍ସି. ବେଳକୁ ଆଲୁଅର ଗତି ଗାରରେ ଆଉ ନୁହେଁ, କେବଳ ତରଙ୍ଗ ।

 

ଥାଉ ତା’ର ସୂକ୍ଷ୍ମ ବିଚାର । ଚାକିରି ଛାଡ଼ିଦେଇ ଆସିଛି, ଗୋଟାଏ ଝୁଙ୍କରେ ଶୂନ୍ୟ ତରଙ୍ଗର ସାମୟିକ ଝୁଙ୍କହିଁ ହୁଏତ ସୃଷ୍ଟିର କାରଣ । ଝୁଙ୍କ ହେଉ ଯାହା ହେଉ, ଚାକିରି ସେ ଛାଡ଼ିଛି-

 

ଗାଡ଼ି ଛାଡ଼ିଦେଇଛି । ଏଇ, ଷ୍ଟେସନ୍‍, ଏଇ ରେଲ୍, ଲାଇନ୍ ଏଇବାଟେ ରେଲ୍ ଆସିବ, ତାକୁ ଘେନିଯିବ ଦୂରକୁ । ବର୍ତ୍ତମାନ ପାଇଁ ଏଇତ ସତ ।

 

ଜଣେ ପ୍ରକାଣ୍ଡକାୟ ଯୁବକ, ଅନ୍ତତଃ ଦୃଷ୍ଟରୁ ଯୁବକ, ବୋଲି ବିଶ୍ୱାସ ହୁଏ, ସୁଟ୍‍ସାଟ୍ ବେଶରେ ସିଗାରେଟ୍ ଟାଣି ସୁଟକେଶ୍ ଧରି ତାଆରି କରଦେଇ ତିନି ଚାରି ଥର ଯା’ ଆସ କଲେଣି କଣେଇଁ କଣେଇଁ ଚାହିଁ ଚାହିଁ । ବର୍ତ୍ତମାନ ପାଇଁ ସେ ବି ସତ, ଟିକିଏ ବେଳ ବଙ୍କେଇ ଦୃଷ୍ଟି ଢାଳି ଠାଣିର ମୋହିନୀ ଉଞ୍ଚେଇଲେ ହୁଏତ ଆବିଷ୍କାର କରାଯିବ ସେ ଜଣେ ସ୍ୱାଭାବସିଦ୍ଧ ଧରମବେଠିଆ, ୟୋର୍ସ୍ ମୋଷ୍ଟ୍ ଫେଇଥ୍‍ଫୁଲି–ବୋଲ କରିବାକୁ, ଜିନିଷ ଟେକିବାକୁ, ରେଲରେ ଜାଗା କରିଦେବାକୁ, ଶୋଇରହିଲେ ସିଗାରେଟ୍ ଅଗରେ ସିଗାରେଟ୍ ଲାଞ୍ଜ ଲଗାଇ ଧୂଆଁ ଛାଡ଼ି ଛାଡ଼ି ଅନିଦ୍ରା ହୋଇ ବସିରହି ଜଗି ରହିବାକୁ ।

 

‘‘ଓଃ ! ବଡ଼ ବିରକ୍ତିକର–ନା ଆପଣ କ’ଣ ଭାବୁଛନ୍ତି ?’’ ସତୀ କହିଲା, ‘‘ଅପେକ୍ଷା କରି ଠିଆହୋଇ ରହିବାଠୁଁ ବୋଧେ ଆଉ କିଛି ବିରକ୍ତିକର ନାହିଁ ।’’

 

‘‘ଠିକ୍ କଥା, ଠିକ୍–’’ ଭଦ୍ରଲୋକ ତରତର ହୋଇ କହିଲେ, ‘‘ଇସ୍, ଆପଣ ଠିଆହୋଇ ରହିଲେ ଯେ ! ରହନ୍ତୁ ମୁଁ ଗୋଟାଏ ଚେଆର୍ ଉଠେଇଆଣେ । ନା ଭିତରକୁ ଯିବେ ?’’

 

‘‘ନା ନା, ଆପଣ କଷ୍ଟ କରନ୍ତୁ ନାହିଁ, ମୁଁ ଏଠି ବେଶ୍ ଠିଆ ହୋଇଛି ଗଛ ଛାଇରେ ।’’

 

‘‘ୟା ଗୋଟାଏ କଥା ? ରହନ୍ତୁ ମୁଁ ଏଇଠିକି ଚେଆର୍ ନେଇଆସୁଛି ।’’

 

ଉତ୍ତରକୁ ସେ ଅପେକ୍ଷା କଲେ ନାହିଁ । ଏଇ ଜାଗ୍ରତ ପୃଥିବୀ ବର୍ତ୍ତମାନର ପୃଥିବୀ ଖବ୍ ସୁନ୍ଦର, ସତୀ ଭାବିଲା । ରେଲ୍ ଆସୁ, ରେଲ୍ ନ ଆସୁ, ସେ ଅଛି ।

 

ସବୁ ଚାଲିଯାଉଛି–

 

ରେଲ୍ ଡବାର ଝରକାବାଟେ ଚାହିଁ ସତୀ ଦେଖୁଥିଲା । ରେଲ୍ ତାକୁ ରୁଚେ ନାହିଁ, ଯଦିଚ ଆଠବର୍ଷଦିନୁଁ ରେଲ୍ ସଙ୍ଗେ ପରିଚୟ, ବାପା ଗାଁମାଟି ଛାଡ଼ି ସମସ୍ତିଙ୍କି କନ୍ଦାଇ ବୋଉକୁ ଛୁଆପିଲାଙ୍କୁ କାନିରେ ବାନ୍ଧି ଚାକିରି ଗାଁକୁ ଗୋଡ଼ ଟେକିଲା ଦିନୁଁ ।

 

ତାଙ୍କର ଥିଲା ରକ୍ଷଣଶୀଳ ସମାଜ, ସେ ସମାଜରେ ସମ୍ଭ୍ରମର ଖୁଣ୍ଟ ଅତି ପୁରାତନ, ଆଧୁନିକ ଦୁନିଆଁ ତାକୁ ମରହଟ୍ଟି କହୁ, ଅଶିକ୍ଷିତ କହୁ, ମୂର୍ଖ କହୁ । ଗାଁଲୋକେ ତାକୁହିଁ ମାନି ନେଇଛନ୍ତି ଆପଣା ପ୍ରାଚୀନ ସମାଜକୁ ଟେକି ଧରିବାକୁ । ସେଠି ସାଧାରଣ ନିର୍ଦ୍ଦୋଷ କଥାରେ ଦେହରେ ପାତକ ଲାଗେ, ସମ୍ଭ୍ରମରେ ମାଡ଼ ବସେ । ବାରିଆଡ଼ ପିଣ୍ଡାତଳକୁ ଓହ୍ଲେଇଲେ ଲୁଗା ମାରା ହୁଏ, ଝିଅପିଲା ଦାଣ୍ଡକୁ ବାହାରିଲେ ସାତ ଛିଆଛିକର ଉଠେ, ବୋହୂ-ପିଲା ବଡ଼ ପାଟିରେ ହସିଲେ ସାହିରେ ନିଶାପ ବସେ, ଜଣେ କିଏ ଦୋକାନ ଖଣ୍ଡିଏ ପକେଇଲେ ତା’ର ମାନ ତଳକୁ ଯାଏ । ତା’ର ମୂଲ୍ୟ ସବୁ ବିଷୟରେ ନିଆରା, ସେ ଗାଁ, ସହରଠୁଁ ଭିନେ । ସହରର ବିଜୁଳିବତୀକୁ ଚାରିଆଡ଼ୁ ଘେରି ରହି ସେ ମାଟିର ସଞ୍ଜବତୀ ମାଳ ମାଳ ପ୍ରାଚୀନତାର ଆଭିଜାତ୍ୟ ଦେଖାଇ ଯେପରିକି ଉପହାସ କରି ହସେ ।

 

ସହରର ଅତି ଆଧୁନିକ ବଡ଼ ବକ୍ତୃତାର ସମାଲୋଚନା ଶୁଣିବାକୁ ମିଳେ ଗାଁ ଆଖଡ଼ାଘରେ ଅପାଠୁଆଙ୍କ ତୁଣ୍ଡରେ ।

 

ଜଣକର ଖିଆଲ୍ ପାଇଁ କାହିଁକି ନଇଁବ ସେ ଗାଁ ? ଯାଉ ଯେ ଯିବ ଯେଉଁବାଟେ । ସେ ହିସାବ ରଖେ ନାହିଁ, କେତେଜଣ ହିନ୍ଦୁ ମୁସଲମାନ ହେଲେ, ଖ୍ରିଷ୍ଟ୍ୟାନ୍ ହେଲେ, କେତେଜଣ ଲୋକ ବିଲାତ ଗଲେ, ବଡ଼ଲୋକ ହେଲେ, କିଏ ଗଲା ଛତରକୁ । ଗାଁ-ଗତରୁ ଯେ ଗଲା ଗାଁଲୋକର ଆଖିରେ ସେ ମରିଗଲା । ଯେ ମରିଗଲା ତା’ପାଇଁ ଶୋକ ନାହିଁ; କାରଣ ଭାଗବତ କହିଛି–

 

ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହୋଇଲେ ମରଇ । ତଥାପି ସେହି ମରଣର ବେଳଟା, ମରିନାହିଁ, ମରୁଛି, ଯାଇନାହିଁ, ଯାଉଛି,–ଗାଁ ସେତିକିବେଳେ ଆକ୍ରମଣ କରି ରୋକିବସେ ତା’ର ସମଗ୍ର ଆଖିପାଣିର ବଳ ଖର୍ଚ୍ଚ କରି, କାନ୍ଦେ, କନ୍ଦାଏ, ଗଗନଭେଦୀ ଆର୍ତ୍ତ ଚିତ୍କାରରେ ପବନ ଥରାଏ, ଗଛରୁ ପତ୍ର ଝଡ଼ାଏ ।

 

ତା’ପରେ ହରିବୋଲ ଦିଏ ।

 

ନିଜକୁ ଆଶ୍ୱାସ ଦିଏ,–‘ଘଟ ଛୁଟିଲେ ତୋତେ ବୋଲିବେ ଭୂତରେ’–।

 

କ୍ରମେ ଦୁଃଖ ନିଭିଯାଏ, ଗଛରେ ନୂଆପତ୍ର ଗଜୁରି ଉଠେ, କ୍ଷେତରେ ନୂଆ ଫସଲ, ସେହି ପୁରୁଣା ଚାଳବାଟେ ସନାତନ ଆକାଶକୁ ଧୂପ ପରି ଉଠୁଥାଏ ମଣିଷ ରୋଷଘରର ଅତି ଚିହ୍ନା ଧୂଆଁ,–ମଠେଇ ମଠେଇ, ସକ ନାହିଁ ଅନୁଶୋଚନା ନାହିଁ ବେପରୁଆ ମାଟିଆ କାଉନ୍ଦା ଗାଁଗତ-

 

ସତୀର ବାପା ଚନ୍ଦ୍ରିକାବାବୁ ସେହି ସନ୍ଧିଘଡ଼ିରେ ଗାଁ ସଂଘର୍ଷର ମୁହାଁମୁହିଁ ହୋଇଥିଲେ,–ସମସ୍ତିଙ୍କ ଇଚ୍ଛା ବିରୁଦ୍ଧରେ ବେକରେ ଅଣ୍ଟାରେ ଚମଡ଼ା ପଟି ଭିଡ଼ି ଚାକିରି କରି ଯେତେ ନୁହେଁ, ସ୍ତ୍ରୀ ଓ ସନ୍ତାନମାନଙ୍କୁ ସାଙ୍ଗରେ ବାନ୍ଧି ଚାକିରିଗାଁକୁ ଘେନିଯିବାକୁ ଜିଦି କରି, ସତକୁ ସତ ସେମାନଙ୍କୁ ଶଗଡ଼ ଗାଡ଼ିରେ ଲଦି । ସେହି ଯେପରିକି ଗାଁ ଓ ସହରର ସଂଘର୍ଷ, ପ୍ରାଚୀନ ଶୃଙ୍ଖଳାର ଶାନ୍ତି ଓ ଉତ୍କଟ କ୍ରାନ୍ତିକାରୀ ଚାକ୍‍ଚକ୍ୟମୟ ବେଗମୟ ଅସ୍ଥିର ଆଧୁନିକତାର ସଂଘର୍ଷ, ସେଥିରେ ଜୟୀ ହେଲା ଏଇଟା ଯେଉଁଟା ନୂଆ ଯୁଗର ରୂପ ସତୀର ଜୀବନରେ ମୂଳହୁଁ ତତଲା ଛାପା ମାରିଦେଲା ବିଜୟଟୀକା କରି ।

 

ଆଉ ସେପାଖଟା,–ଅଦ୍ୟାପି ଦିଶିଯାଏ । ସ୍ନେହ ଡୋରି ଛିଣ୍ଡିଯିବାର ଆର୍ତ୍ତ ଚିତ୍କାର, ତାରଯନ୍ତ୍ରର ତା’ର ଛିଣ୍ଡିଲା ପରି,–ମନେପଡ଼େ, ଗୁଡ଼ାଏ ମୁହଁ କାନ୍ଦଣାରେ ଚେପାଚେପି, ଆଉ ବୁଢ଼ୀମାର ମୁହଁ,–‘‘ଯାଉଚୁ ସତୀ, ଯାଉଚୁ ମୋ ମା, ମୋ ସୁନା, ମୋ ରାଣି, ବାପା ନେଇଯାଉଚି-?’’

ତା’ର ଆରମ୍ଭ ଏଇ ରେଲ୍‍ ଚଢ଼ାରୁ । ତେଣୁ ରେଲ୍ ମନେ ପକାଏ, ସବୁ ଚାଲିଯାଉଛି ।

ବହୁଦିନର ଗୋଟାଏ ଛବି ମନେପଡ଼େ,–

ଡେଙ୍ଗା, ଗୋରା, ଅଳ୍ପ ବଙ୍କା ପାକଲା ବୁଢ଼ା ଜଣେ, ପାକୁଆ ପାଟି ଅଳ୍ପ ଆଁ କରି ବେକ ଲମ୍ବେଇ ଚାହିଁ ରହିଛି, ବେକରେ ପରସ୍ତ ପରସ୍ତ ଚମ ଚାଦରର ଭାଙ୍ଗପରି, ଧଳା ଆଖିପତା ତଳେ ଧୂଆଁ ବର୍ଣ୍ଣର ଆଖିରୁ ମନର ଭାବ ବୁଝିହୁଏ ନାହିଁ । ସିଅ ସିଅ ଓସାର କପାଳରେ ଚିତା, କାନ୍ଧରେ ନାମାବଳି, ଝୋଟ ପରି ମୁଣ୍ଡବାଳ ପଛଆଡ଼କୁ ଓଟରା ହୋଇ ଗଣ୍ଠି ପଡ଼ିଛି, ଛଡ଼ା ହୋଇଥିବା ନଡ଼ିଆର ଭୁଣ୍ଡିପରି ।

ପାଖରେ ଗୋଟିଏ ବୁଢ଼ୀ, ଡବଡବ ଆଖି ଉତୁରି ଗଙ୍ଗା ବୋହିଯାଉଛି ।

ରେଲ୍ ଛାଡ଼ି ଦେଉଛି ।

ସେହି ଥିଲେ ଜେଜେ ବାପା ଓ ଜେଜେ ମା ।

ସତୀକୁ ଭାରି କାଟିଥିଲା, ଆଜି ବି ମନେପଡ଼େ ।

ନିଶୁଆ ହୋଇ ଗୋଲ୍ ମୁହଁ, ନାଲିଚା ଆଖି, ବଳିଲାପରି କୁନ୍ଦିଲାପରି ଦେହ । ଗର୍ଜ୍ଜନ କରିଥିଲେ,–‘‘ରେଲରେ କାନ୍ଦନ୍ତି ନାହିଁ । ଝରକା ପାଖରୁ ଚାଲିଆ । ଆଇଲୁ ନା ଦେଖିବୁ ପୁଣି ।’’ ସେ ବାପା ।

ଆଉ ବୋଉ,–କେଡ଼େ ଭଲପାଏ ସେ ତା’ ବୋଉକୁ ! ଭାବିଲେ ଅନ୍ତର ପୂରି ଉଠେ । ଅତି ସ୍ନେହରେ ଅତି ଦୁଃଖରେ ଭାବିଲା ବେଳକୁ ମନେପଡ଼ୁଛି ଖାଲି ପଦିଏ କଥା,–‘ବୋଉ’, ଚେହେରା ମନେ ପଡ଼ୁ ନାହିଁ ।

କାହାନ୍ତି ସେମାନେ ଆଜି ?

କେହି ନାହିଁ । କେବଳ ରେଲ୍ ଚାଲିଯାଉଛି, ସବୁ ଚାଲି ଯାଉଛି । ପାଖର ଦୂରର ମିଶି ଚକାଚକା ଭଉଁରି ଖେଳି ସବୁ ଅପସରି ଯାଉଛି ।

ମନେପଡ଼ୁଛି ନଈବଢ଼ିର ଦୃଶ୍ୟ, ଦିକୂଳଖିଆ ନଈ, ଯୁଆଡ଼େ ଚାହିଁଲେ ହଳଦିଆ ପାଣି । ଆଖି ଆଗରେ ଗୋଟାଏ ଭଉଁରି ଖେଳୁଛି, ଭଉଁରି କରେ କରେ ଲମ୍ବି ଯାଇଛି ସୁଅର ଗତି, ଯାହା ଆସୁଛି ତା’ ଘୂରୁଛି, ତା’ପରେ ସୁଅ ତୋଡ଼ରେ ତଳକୁ ତଳକୁ,–ଆଉ ଫେରୁନାହିଁ ।

 

ହଠାତ୍ ଲାଗୁଛି,–ଏତେ ପାଣି ଅଛି ତା’ ନିଜ ଭିତରେ ? ଥାଇ କ’ଣ ହେବ ? କାହିଁ କାହାର ପରିଣତି ? ଚେକାଚେକା ଭଉଁରି, ଚେକାଚେକା ଭଉଁରି, କାନେଁଇଲେ ରେଲ୍‍ର ଗତିରେ କେବଳ ସେହି ବାଜା । କିଏ ଖେଳୁଛି ? କିଏ ଖେଳୋଉଛି ? ଉଢ଼ୁଆଳରୁ କାହାର ଏ ଅଟ୍ଟହାସ୍ୟ !

 

ସତୀ ମୁହଁ ଟେକିଲା, ସେତେବେଳୁ ଝରକା ବାଟେ ମୁହଁଟା ଝଲେଇ ଦେଇ ସେ ଗାଲେଇ ପଡ଼ିଥିଲା, ଦେଖିଲା ଗାଡ଼ି ସେ ମୁଣ୍ଡରେ ଦି’ଜଣ ଯୁବକ ଭଦ୍ରଲୋକ ବଡ଼ ପାଟିରେ ହସାହାସି ହେଉଛନ୍ତି । ତା’ ମୁହଁପଟେ ଆରପାଖ ବର୍ଥରେ ବସିରହିଛି ତା’ର ନୂଆଚିହ୍ନା ସହଯାତ୍ରୀ, ପ୍ରକାଣ୍ଡ ଆକାର । ବସି ବସି ତାକୁହିଁ ଚାହିଁଛି । ଭୋକିଲା ଆଖି ନୀରବରେ ଚରିଯାଉଛି । ହୁଏତ ଭୋଜନରେ ବସିଲାଣି କେତେବେଳୁ । ଭଦ୍ରଲୋକ ଟିକିଏ ଅପ୍ରସ୍ତୁତ ହେଲା ପରି ଚମକି ପଡ଼ିଲେ । କିଛି ନ ଘଟିଥିଲେ ବି ସତୀର ହାତ ଆପଣା ଆପେ ଚାଲିଗଲା ତା’ର ଶାଢ଼ୀ ଓଟାରି ବିଛେଇବାକୁ । ତଳ ଓଠ କାମୁଡ଼ି ସେ ମୁହଁକୁ ତଳକୁ କଲା । ଶୁଣିଲା, ସେ କହୁଛନ୍ତି,–

 

‘‘ଆପଣ ଟିକିଏ ଶୋଇପଡ଼ି ବିଶ୍ରାମ ନେଲେ ଭଲ ହୁଅନ୍ତା ପରା, ବହୁତ ବାଟ ଯିବେ କି ନା ! ଏଇତ ଆପଣଙ୍କୁ କେଡ଼େ କ୍ଳାନ୍ତ ଲାଗିଲାଣି ।’’

 

‘‘କାହିଁ ନାଇଁ ତ !’’ ସତୀ କହିଲା ।

 

‘‘ଲୁଚେଇଲେ ଆଉ ହବ ? ଆପଣ ପରା ବସି ବସି ଢୁଳୋଉଥିଲେ । ରାସ୍ତାରେ ବହୁତ ଦୁଃଖ, ତେଣୁ ସୁବିଧା ଥିଲେ ଯେତେ ଇଚ୍ଛା ସେତେ ସୁଖ କରିନେବା ଉଚିତ, ଆରାମ କରି ନେବା ଉଚିତ, ନା ଆପଣ କ’ଣ ଭାବୁଛନ୍ତି ?’’

 

‘‘ହବାର ଯାହା ହୋଇଯାଏ,’’ ସତୀ କହିଲା, ‘‘ମୁଁ ଏତେ କଥା ଭାବି ନାହିଁ । ରାସ୍ତା, ତା’ର ତତ୍ତ୍ୱ, ସୁଖ ଆଉ ଦୁଃଖ, ଏଗୁଡ଼ା ଏତେ ଗୁଡ଼ାଏ ଭାବି ଭାବି କାମ କଲେ ହୁଏ ?’’

 

‘‘ନ ଭାବିଲେ ଅସୁବିଧା ହୁଏ,’’ ଭଦ୍ରଲୋକ ହସି ହସି କହିଲେ । ସତୀ କାନ୍ଧ ନଚେଇଲା ଚାଇଁ ଖରାପରି ଚାହିଁଦେଇ ହସିଦେଇ କହିଲା–‘‘ଏତେ ଭାବିଚିନ୍ତି ସୁଖ କଲେ ସୁଖ ହୁଏ ଭାବନାର ଯନ୍ତ୍ରଣା, ବରଂ ଯାହା ଆସୁ ସୁଖ କି ଦୁଃଖ ଭାବନାର ଜଞ୍ଜାଳ ଆଡ଼େଇ ଦେଇ ଝାମ୍ପିନେବା, ସେହିଆକୁ ମୁଁ ଜୀବନ କହେଁ । ନିଦ ମାଡ଼ୁ ନାହିଁ ଅଥଚ ଢୁଳେଇବାକୁ ଇଚ୍ଛା ହେଉଛି, ସେଠି ଢୁଳେଇବାହିଁ ଭଲ, ହାଲୁକା ଆରାମ, ଗରଜ ନାହିଁ ବୋଝ ନାହିଁ ଦାୟିତ୍ୱ ନାହିଁ । ଯାହାକୁ ଆପଣ କହିବେ ଫେଦର୍‍ ଟଚ୍ । ସେ ସୁଖ ଛାଡ଼ି ଏକ ଚିରସ୍ଥାୟୀ ପଟ୍ଟାର ବ୍ୟବସ୍ଥା କରି ମାଡ଼ିମୁଡ଼ି ହୋଇ ଶୋଇବାକୁ ଚେଷ୍ଟା କରିବା ମାନେ ଶରୀରକୁ କଷ୍ଟ ଦେବା । ନା ଆପଣ ନିହାତି ନିଦା-ପନ୍ଥୀ ? ହେଃ-ହେଃ-ହେଃ ।’’

 

ସତୀ ହଠାତ୍ ହସ ରୋକିନେଇ ଝରକା ଆଡ଼କୁ ମୁହଁ ବୁଲେଇଦେଲା । ବାହାରେ ଲାଲ୍ ସୂର୍ଯ୍ୟାସ୍ତ । କ୍ଷେତରୁ ହଳ ଫିଟେଇ ଚାଷୀ ଫେରୁଛି । ବଙ୍କା ବିଲ ରାସ୍ତାରେ ଦୂର ବାଟର ବାଟୋଇ । ହିଡ଼ ତଳେ ତଳେ ଲୁଗା ଟେକି ଦେଇ ରେଲ୍‍କୁ ଚାହିଁ ପୁରୁଷ ସ୍ତ୍ରୀ ବସି ପଡ଼ିଛନ୍ତି ପଂଝା ପଂଝା ହୋଇ-। ପୋଖରୀ ତୁଠରେ ଅଣ୍ଟାପାଣି କରୁଛନ୍ତି । କୂଅରୁ ପାଣି କାଢ଼ୁଛନ୍ତି । ଗାଁ ତଳିଆ ରେଲ୍‍ କରେ କରେ ଲଙ୍ଗଳା ପିଲା ଦଳ ହୋଇ ନାଚୁଛନ୍ତି । ଲାଲ ସୂର୍ଯ୍ୟାସ୍ତ ମଉଳି ଆସୁଛି । ଆକାଶରେ ଛାଇ ପରି ଚଢ଼େଇ ପଲ ପଲ ।

 

ଏମାନେ ବି କେହି ରହିବେ ନାହିଁ । ଦିନ ନିଭିଯିବ । ହଠାତ୍ ଝଲକି ଉଠୁଛି ଚଟା-ବଣ ମଝିରେ ସେହି ନୂଆ ସହରଟି, ସେଠା ଗାର୍ଲ ସ୍କୁଲ, ଯେଉଁଠି ସେ ଥିଲା । ମନେ ପଡ଼ୁଛନ୍ତି ଦଳ ଦଳ ଛାତ୍ରୀ । ସେମାନେ କେତେବେଳୁ ଘରକୁ ଯିବେଣି । ହାମିଦା, ଦୀପାଳୀ, ସନ୍ଧ୍ୟାତାରା, ଅମିତା ପଡ଼ିଆରେ ବୁଲୁଥିବେ ।

 

ଲାଗୁଛି, ପାଖ ହୋଇଗଲା, ଏଥର ସେ ପହଞ୍ଚିବ, ସେମାନେ ଅପେକ୍ଷା କରିଥିବେ । ଆର ଷ୍ଟେସନ୍‍ଟା ନା ?

 

ସେପାଖ ଲୋକଟି ଗଳାଖଙ୍କାରୁଛି ।

 

ଖିଅ ଛାଡ଼ିଗଲା । କ’ଣ ଭାବୁଛି ସେ ନିଜେ ! କେତେଦୂରରେ ରହିଲାଣି ସ୍କୁଲ୍ । ସେ ତ ସ୍କୁଲ୍ ଛାଡ଼ି ଚାଲିଆସିଛି ।

 

ଏଥର ଗୋଟାଏ ଦୀର୍ଘଶ୍ୱାସ । ସତୀ ପୁଣି ଚିନ୍ତାର ମଙ୍ଗ ବୁଲେଇ ଦେଲା ପରିସ୍ଥିତି ଆଡ଼କୁ । କଣେଇଁ ଚାହିଁଲା, ସେହିପରି ଧ୍ୟାନସ୍ଥ ସହଯାତ୍ରୀ । ଖେଳର ହସ ଓଠକୁ ଉଠି ନ ଆସୁଣୁ ଧୀରେ ଦବିଗଲା । ଗୋଟାଏ ଉଦାସ ଗମ୍ଭୀର ଭାବ । ଏ ବି ଯିବ । ସମସ୍ତେ ଯିବେ । କପାଳରେ ଲେଖା ଅଛି ।

 

କେଡ଼େ ଚଞ୍ଚଳ ମୁହଁସଞ୍ଜ ପହଞ୍ଚିଲାଣି । ଗାଡ଼ିରେ ଆଲୁଅ । ପୁଣି ଏକ ଷ୍ଟେସନ୍ ପାଖ । ଗାଡ଼ି ଧୀମେଇ ଆସୁଛି ।

 

ପୁଣି ମୋହିଁଦେବ ସେ ଚା’ ।

 

ଲୋକଟା କ’ଣ ? ତାକୁ ଚା’ ତେଣ୍ଡେଇବାରେ ଏତେ ସୁଖ ପାଏ କାହିଁକି ?

 

ନିଜକଥା ସେ କହି ସାରିଛି ବହୁତ ବେଳୁ । ବାପା ପେନ୍‍ସନ୍ ପ୍ରାପ୍ତ ବଡ଼ କର୍ମଚାରୀ । ନିଜେ ବି.ଏ. ଫେଲ ହୋଇ ସାରି ତା’ପରେ ବି ବହୁବର୍ଷ ଫୁଟ୍‍ବଲ୍, ହକିବଲ୍, ଟେନିସ୍‍ବଲ ସଙ୍ଗେ ଯୁଦ୍ଧ କରି କରି କୃତିତ୍ୱ ଦେଖାଇ ଦେଖାଇ ଯେଉଁଦିନୁ ମନେ ପଡ଼ିଲାଣି ଯେ ବାପାଙ୍କ ପ୍ରତି ଗୋଟାଏ କର୍ତ୍ତବ୍ୟ ଅଛି,–ଅନ୍ତତଃ ତାଙ୍କୁ ଭଣ୍ଡେଇ ତାଙ୍କର ବାର୍ଦ୍ଧକ୍ୟରେ ଆଶ୍ୱାସ ଦେବାକୁ ହେବ ଯେ ପୁଅର ଗୋଟାଏ ଅର୍ଥଙ୍କରୀ ବୃତ୍ତି ଅଛି, ସେଇଦିନୁ ସେ ଜଣେ ଇନ୍‍ସ୍ୟୁରେନ୍‍ସ ଏଜେଣ୍ଟ୍, ଖେଳରେ ଖେଳରେ ହୁଏ ବି କିଛି । ବାପାଙ୍କ ପ୍ରତି ଦ୍ୱିତୀୟ କର୍ତ୍ତବ୍ୟଟି ସେ କର୍ତ୍ତବ୍ୟ ଭିତରେ ସୁମାରି କରେ ନାହିଁ, ଯୁକ୍ତି କରିବାକୁ ପ୍ରସ୍ତୁତ ଯେ ବୁଢ଼ାଲୋକ ଏ ଯୁଗର ଭାବଧାରା ଏ ଯୁଗର ସମସ୍ୟା ବୁଝିବାକୁ ଅସମର୍ଥ । ବାପାଙ୍କ ପାଇଁ ସେ ବିଭା ହୋଇପାରିବ ନାହିଁ, କହେ ଭାରିଯା ଥିଲେ ହୋଇଥାନ୍ତା ଏକ Boa Constrictor, [ବୋଡ଼ାସାପ] ବାର୍ଣ୍ଣାଡ଼ ଶ’ଙ୍କ ଭାଷାରେ । ୟା ଆଗକୁ ତା’ ଲାଞ୍ଜ ଗୋଟାକ ପରେ ଗୋଟାଏ ସିଗାରେଟ୍, ବନ୍ଧୁ କ୍ଳବ୍ ଓ ଇନ୍‍ସ୍ୟୁରେନ୍‍ସ–କିଛି ଖେଳ କିଛି ବୁଲାବୁଲି, ଜୀପ୍ ଚଢ଼ି ଦ୍ରୁତ ଗତିରେ ଥୋଡ଼ାଏ ଡ୍ରାଇଭ, ଶୀତଦିନେ ଦି ଚାରିଥର ବାଘ ଶୀକାର, ଖରାଦିନେ ଚଢ଼େଇ, ଏଇ ତା’ର ଖୋଲା ଜୀବନ । ସେ ଅବିବାହିତ ।

 

ଏଇ ପଦେ କଥାରେ ସତୀ ମନରେ କୁତୂହଳ ଆସେ, ଆହୁରି ଜାଣିବାକୁ ମନ ହୁଏ । ବଢ଼ି ବଢ଼ି ଉଠେ କଳ୍ପନା । ତା’ର ମୁହଁକୁ ଚାହିଁ ପୁଣି ମୁହଁ ନୁଆଁଏଁ ।

 

ନାଁଟି ସୁନ୍ଦର, ନବେନ୍ଦୁ ।

 

ତା’ର ବଳ ପରଖିବାକୁ ମନ ହୁଏ । ସେ କୁଆଡ଼େ ଖେଳୁଆଡ଼ । କ’ଣ ସେ ଖେଳିଛି ? କାହା ସାଙ୍ଗରେ । ପଡ଼ିଆରେ ଦୌଡ଼ିଛି ଡେଇଁଛି । ପରିପୁଷ୍ଟ କରିଛି ତା’ର ଦେହ । ଜୀବନର ଖେଳର ବାହାରେ ବାହାରେ ରହିଆସିଛି ସବୁଦିନେ । ବଲ୍‍ ଗୋଟେଇ ଦେବ, ବୋଲହାକ କରିଦେବ । ଆଣି ପାରିବ ଚା’ ।

 

କିନ୍ତୁ ମୁହାଁମୁହିଁ ? କଳିଛି କେବେ ?

 

ତଥାପି ଆତ୍ମାଭିମାନ, ଶିଶୁର ଆତ୍ମାଭିମାନ, ସେ ବଡ଼, ସେ ପ୍ରକାଣ୍ଡ, ସେ ବଳୁଆ, ସେ ଭଲ ଖେଳେ, ଲୋକେ ତାକୁ ପ୍ରଶଂସା କରନ୍ତି । ସେ ବୀର ।

 

ଭଲ ନାଁଟିଏ, ନବେନ୍ଦୁ । ଶାନ୍ତ ପିଲାଟିଏ । କୁହାର ବୋଲାର । ଇଛା ହୁଏ କୋଡ଼ରେ ତା’ର ବେକଟି ଥୋଇ ଗୋଡ଼ ହଲେଇ ହଲେଇ କପାଳ ଆଉଁସି ଆଉଁସି ଶୁଆଇ ପକାନ୍ତା, ତା’ର ମା ହୁଅନ୍ତା । ନବେନ୍ଦୁ, ତୁମେ ଶୋଇପଡ଼, ଭଲ ପିଲାମାନେ ଆଖିବୁଜି ଶୋଇପଡ଼ନ୍ତି । ଖରାରେ ବୁଲନ୍ତି ନାହିଁ । ବାରିଆଡ଼େ କକ ଅଛିଟି ! ରାସ୍ତାରେ ଛୁଆଧରା ବୁଲନ୍ତି, ମୁଣିରେ ପୂରାଇ ପିଲାଙ୍କୁ ଚୋରେଇ ନେଇ ପଳାନ୍ତି । ଶୋଇପଡ଼ ନବେନ୍ଦୁ, ସୁନାଟି ପରା । ଧୁଅ ଲୋ ବାୟା ଧୁଅ । ଯେଉଁ କିଆରିରେ କଅଁଳ ମାଣ୍ଡିଆ ସେହି କିଆରରେ ଶୁଅ । ଆ ଜହ୍ନମାମୁଁ ସରଗଶଶୀ ।

 

–ଛି, ଉଠନାଇଁ, ଶୋଇପଡ଼ ନବେନ୍ଦୁ ।

 

ନବେନ୍ଦୁ ଆଖିବୁଜି ଶୋଇପଡ଼ନ୍ତା ।

 

ତଥାପି ସ୍ୱପ୍ନରେ ଦେଖନ୍ତା,–ସେ ବୀର ।

 

‘‘ନଉନ୍ତୁ କପେ ଚା–ନା, ନାହିଁ କରନ୍ତୁ ନାହିଁ, ଦିଖଣ୍ଡ ମୋଟେ ବିସ୍କୁଟ୍ । ବାଟର ପବନ ବାଜି ସର୍ଦ୍ଦି ହୁଏ, ତାକୁ ଔଷଧ ଗରମ ଚା–’’

 

‘‘ଦେଖନ୍ତୁ, ବାଟରେ ପବନ ଲାଗି ଗରମ ହୁଏ, ମୋର ତ ମନେ ହେଉଛି ମୋ ଦେହ ତାତିଲାଣି । ଦେଖିଲେ, ତାତି ନାହିଁ ?’’

 

ଆଁ ! ଦେହ ତାତିଛି ! ସେଇଥିପାଇଁ ତ କହୁଥିଲି ବାଟରେ ନ ଚେଇଁ ଶୋଇ ଶୋଇ ବିଶ୍ରାମ କରନ୍ତୁ । କାଇଁ, ଦେଖେଁ ଦେଖେଁ !’’

 

ଯାଃ, ଚା’ଗୁଡ଼ାକ ଢାଳିଗଲାଣି ନବେନ୍ଦୁର ପୋଷାକ ଉପରେ ।

 

‘‘ଚା’ରେ ଗାଧୋଇଲେ ଭଲ କରି ସର୍ଦ୍ଦି ଛାଡ଼େ, ନାଁ ?’’ ସତୀ ହସିଲା ।

 

–‘‘କ’ଣ ଦେଖୁଛନ୍ତି ? ହାତଟା ତାତିଛି ନା ?’’

 

ନବେନ୍ଦୁ ଗମ୍ଭୀର ହୋଇ ତା’ର ପ୍ରକାଣ୍ଡ ପଂଝାରେ ସତୀର ସରୁ କଚଟି ବେଢ଼େଇ ଧରି ରଖିଛି । ନବେନ୍ଦୁର ହାତ ତାତିଛି, ଧୀରେ ଥରିଉଠୁଛି ।

 

‘‘କ’ଣ ଦେଖିଲେ ?’’

 

‘‘ଚା’ କପେ ଖାଇ ଦିଅନ୍ତୁ । ରହନ୍ତୁ ମୁଁ ଆଣେ ।’’

 

‘‘ତାତି ଅଛି ତ ?’’

 

‘‘ମାନ୍ଦା ନାଡ଼ି, ଜର ହୋଇପାରେ ପଛେ । ରହନ୍ତୁ ମୁଁ ଚା’ ନେଇଆସେଁ ?

 

ସତୀ ହସୁଥିଲା । ନବେନ୍ଦୁ ବୀର ।

 

ହଠାତ୍ ହସ ମଝିରେ ତଣ୍ଟିରୁ ଚିପି ଧରିଲା ପରି ମନୋଭାବ ।

 

ଏ ବି ଚାଲିଯିବ । ସବୁ ଚାଲିଯାଏ, ଚାଲି ଯାଉଛି ।

 

ଚେକାଚେକା ଭଉଁରି–ଚେକାଚେକା ଭଉଁରି ।

 

ରୂପ ରସଗନ୍ଧ-ସବୁ ମିଶି କାଉଁରି ।

 

ସତୀ ହସ ରୋକିଲା । ହେମନ୍ତର ଗୀତଗୁନ୍ଥା, ବହୁଦିନ ତଳର କଥା । ସେ ନିଜେ ନିଶ୍ଚୟ ବୁଝିନାହିଁ କାହିଁକି ରୂପ ରସ ଗନ୍ଧ ମିଶି ଚେକାଚେକା ଭଉଁରି, କିପରି ସେ ପୁଣି କାଉଁରି । ମ୍ୟାଟ୍ରିକୁଲେସନ୍ ସେକେଣ୍ଡ କ୍ଲାସ୍, ଭାବାର୍ଥ ନୁହେଁ କେବଳ ଉଚ୍ଛ୍ୱାସ ।

 

ଭଉଁରି ତଳକୁ କାଉଁରି ଭଲ ଶୁଭେ ।

 

କାହିଁର ପଢ଼ା କଥା, କାହିଁର ଶୁଣା କଥା, ଗୁନ୍ଥିବାକୁ ତା’ର ଉଚ୍ଛ୍ୱାସ । ଚିକ୍ ଚିକ୍ ଆଖି, କପାଳ ଉପରୁ ଅରଣା ବାଳ ଏକା ଝାଙ୍କକେ ଦୋହଲେଇ ଦେଇ ଧାର ମୁହଁରେ ହସ ଉଛୁଳେଇ କାନ ପାଖେ କହେ, ‘‘ହେଇ ଦେଖ, ମୁଁ ଲେଖିଛି, ଚେକାଚେକା ଭଉଁରି, ଚେକାଚେକା ଭଉଁରି, ରୂପ ରସ ଗନ୍ଧ, ସବୁ ମିଶି କାଉଁରି ।’’ ଭାବାର୍ଥ ପାଇଁ ସତୀର ମୁହଁକୁ ଚାହେଁ, ସେ କାଳର କିଶୋରୀ ସେ କାଳର କିଶୋରର କାନକୁ ଧରି ତାଳ ଦେଇ ଝାଙ୍କି କହେ–

 

‘‘ଗା ଏଥର, ଚେକାଚେକା ଭଉଁରି ।’’

 

ରେଲ୍ ଚାଲିଛି । ପଦାରେ ଅନ୍ଧାର । ଶବ୍ଦ ଅଛି, ଦୃଶ୍ୟ ନାହିଁ । କାଉଁରି ନାହିଁ, କାଉଁରି ନାହିଁ, କେବଳ ଉଦାସ ।

 

ସତୀ ଚୁପ୍ ହୋଇ ପଦାକୁ ଅନେଇଁ ରହିଲା ।

 

ସେ ତା’ର ପ୍ରିୟ ସହରକୁ ଫେରୁଛି । ହେମନ୍ତ ପାଛୋଟି ଆସିଥାନ୍ତା । ଦୀର୍ଘଶ୍ୱାସ ପକାଇ ଭାବିଲା, ହୁଏତ ସେ ଏପରିଭାବେ ଫେରିବା ଦରକାର ପଡ଼ି ନ ଥାନ୍ତା । ହେମନ୍ତ ମଣିଷ ହୋଇଥାନ୍ତା, ହେମନ୍ତ ତା’ର ପାଖେ ପାଖେ ଥାନ୍ତା ।

 

ସେ ଆାଉ ହେମନ୍ତ, ଚେକାଚେକା ଭଉଁରି ।

 

ଛି । କ’ଣ ଭାବୁଛି ସେ !

 

ସେପରି ଜୀବନ ପ୍ରୟୋଜନ ଥିଲେ କେଉଁ ଦିନୁ କ’ଣ ହୁଅନ୍ତାଣି । ହେମନ୍ତ ମନେପଡ଼ୁଛି-

 

ଏଇ ନିରୋଳାରେ ନିରୀହ ସାଥୀ, ସେ କିଛି ମାଗିନାହିଁ । ଅଜାଡ଼ି ଦେଇଛି ତା’ର ସମୟ ଓ ତା’ର ଝାଳ ସତୀ ପାଇଁ, ବୋଲହାକ କରେ, ଫରମାସି ମେଣ୍ଟାଏ, ଚାହେଁ କେବଳ ଟିକିଏ ଆଁସୁ ଆଁସିଆ, ଆଉ ଟିକିଏ ପ୍ରଶଂସା,–‘‘ସତୀ, ଏଇଟା ଭଲ ହେଲା ତ ? ମନକୁ ପାଇଲା ତ ?’’ ହଁ କହିଦେଲେ ସ୍ୱର୍ଗ ଦିଆଙ୍ଗୁଳି, ପୁଣି ସାଇକଲ ଚଢ଼ି ନୂଆ ଫରମାସି ମେଣ୍ଟାଇବାକୁ ସେ ଧାଇଁଯିବ ପବନପରି । ତା’ର ସମୟର ଭଣ୍ଡାର ଅକ୍ଷୟ ।

 

ଏଠୁ ସେଠୁ ଛିଣ୍ଡାଇ ଆଣି ଫୁଲଗୁନ୍ଥି ମାଳା କରେ, ଛିଣ୍ଡା ଛିଣ୍ଡା କବିତା ଗୁନ୍ଥି କରେ ପଦ୍ୟ । କେଡ଼େ ସଉକ ! ଏଇ ଅପରୂପ ବ୍ୟକ୍ତିତ୍ୱ ତଳେ ଚୋରା ହସର ମହକ । ମାଡ଼ ମୁଲାଏ । ମାଡ଼ ଖାଇଲେ ତା’ର କି ଆନନ୍ଦ । ତା’ର ଅଙ୍ଗଭଙ୍ଗୀ ବ୍ୟକ୍ତ କରେ ସେ ଆନନ୍ଦ ପାଉଛି । ଆହୁରି–ଆହୁରି–ଆଁ ଆଉ ବୁଜେ ନାହିଁ ।

 

ହେମନ୍ତ ବଢ଼ିଲା ନାହିଁ, ମଣିଷ ହେଲା ନାହିଁ । ସବୁ ଦିନେ ସେହି ଗଦ୍‍ଗଦ୍ ଭାଷା, ସେହି ଉଚ୍ଛ୍ୱାସ । କେବେ ନିଜେ ନିଜର ଭାଷା ବୁଝିଥିଲା ? ହୁଏତ ତାହାହିଁ ସତ, ସେ ସ୍ୱଭାବରେ କଥା କହେ, ସ୍ୱଭାବରେ ବ୍ୟବହାର କରେ, ଇଛାରେ ନୁହେଁ । ଇଛାଶକ୍ତି ତା’ର ନୁଆଁଣିଆ, ତେଣୁ ସେ ମାଡ଼ ଖାଇଲେ ବି ହସିପାରେ, ତା’ର ଆଣ୍ଟ ନାହିଁ, ଛଳ ନାହିଁ, ତେଣୁ ହୁଏ ତ ଦୁଃଖ ବି ନ ଥିବ ।

 

ସତୀ ନାଁ କରି ପାଶ୍ କଲା, କ୍ଲାସରୁ କ୍ଲାସ, ସ୍କୁଲରୁ କଲେଜ୍ । ହେମନ୍ତ ବାରମ୍ବାର ଫେଲ୍ ହେଲା, ମ୍ୟାଟ୍ରିକୁଲେସନ୍ ଟପିପାରିଲା ନାହିଁ । କ୍ରମେ ସେ ହେଲା ସମସ୍ତିଙ୍କ ଅବଜ୍ଞାର ପାତ୍ର, ଆଖିସହା ହୋଇଥିବାରୁ ତା’ର ଯିବା ଆସିବାକୁ ବାପା ଆପତ୍ତି କରନ୍ତି ନାହିଁ, ଆଗପରି ବି ତାକୁ ଦେଖିଲାମାତ୍ରେ ବୋଉଙ୍କର କାମ ମନେ ପଡ଼େ,–‘‘ଆସିଚୁ କି ବାପା, ହଁତ, କ’ଣ କହୁଥିଲି–’’ । କ୍ରମେ ସତୀର ବୁଦ୍ଧିମାନ୍ ବନ୍ଧୁମାନଙ୍କ ଦଳରୁ ହେମନ୍ତ ପଦାକୁ ଫୋପଡ଼ା ହେଲା, କାହାପାଇଁ ସିଗାରେଟ୍ ପ୍ୟାକେଟେ କିଣି ଆଣିବା, କାହା ଚିଠି ଡାକରେ ପକେଇବା ଇତ୍ୟାଦି କାର୍ଯ୍ୟ ଛଡ଼ା ତା’ର ସେ ହଂସମେଳର କାମ ନାହିଁ । ଅପଦାର୍ଥ ବୋଲି ଆପଣା ଘରେ ସେ ବହୁତ ଗଞ୍ଜଣା ଖାଏ; କିନ୍ତୁ ହିସାବୀ କାମ ତା’ ଦେଇ କିଛି ହୁଏ ନାହିଁ, ସେ ପିଠେଇ ଦେଇ ଦିନ ଟାଳିଯାଏ । ଏମିତି ଦିନେ ସେ ବିଭା ହୋଇପଡ଼ିଲା, ସେଥିଲାଗି ବି ଇଛାଶକ୍ତି ପ୍ରୟୋଜନ ପଡ଼ିନାହିଁ, କେବଳ ପଛରୁ ଠେଲା ଖାଇ ଖାଇ ବେଦିକି ଯିବା । ବିଭା ହୋଇପଡ଼ି ସେ କାହାରି ଈର୍ଷା ଉପୁଜେଇ ନାହିଁ, କାହାରି ମନରେ ଦୁଃଖ ଦେଇନାହିଁ । ସେଇ ତ ତା’ର ସ୍ତ୍ରୀ, କି କି ଫୁଲର ଶୋଭା ପାଇଛି ହେମନ୍ତ ତାଠିଁ ? କି କବିତା ଆବିଷ୍କାର କରିଛି ତା’ର ଭାଷାରେ ? ପଚାରିଲେ ପାନବୋଳା ପାଟିରେ ଆଁ କରି ହସେ-

 

ହେମନ୍ତ ପ୍ରଚୁର ପାନ ଚୋବାଏ, ଟାଇପ୍ କରେ ।

 

କାନ୍ଧ ଝାଙ୍କି ଆସିଲାଣି, ଦାରିଦ୍ର୍ୟ ବୁଲେଇ ଦେଇଛି ତା’ର କଳାକନା; ଆଜିବି ହେମନ୍ତ ଅଛି, ସେ ହେମନ୍ତ ନାହିଁ ।

 

ପଦାର ଉଆସ ଛାଇକୁ ଆଖି ରଖି ସତୀ ଭାବିଯାଉଛି, କାହିଁକି ହେମନ୍ତ ଏପରି ହେଲା-? ଯଦି ସେ ତାକୁ ନ ଭେଟିଥାନ୍ତା, ତେବେ କ’ଣ ହେମନ୍ତ ମ୍ୟାଟ୍ରିକୁଲେସନରେ ବୁଢ଼ା ହୋଇ ଟାଇପ୍ ଠୁକୁ ଠୁକୁ କରିଥାନ୍ତା ? ମନେପଡ଼େ ପ୍ରଥମେ ତା’ ସହିତ ପରିଚୟ,–ହେମନ୍ତ ବିଚକ୍ଷଣ ମେଧାବୀ ଛାତ୍ର ବୋଲି । ‘‘ଏଇ ପିଲାଟି ସତୀ;–ପରମାନନ୍ଦବାବୁଙ୍କ ପୁଅ, ଫାଷ୍ଟ୍‍ ତ ହୁଏ, ସବୁ ସବଯେକ୍‍ଟରେ ଫାଷ୍ଟ୍‍ ହୁଏ । ଗୋଟିଏ ରତ୍ନ । ସବୁ ବହି ମୁଖସ୍ଥ, ବହି ଛଡ଼ା ଆଉ କିଛି ଜାଣେ ନାହିଁ । ପାରିବୁ ଏମିତି ପାଠ ପଢ଼ି ? ଆସୁଥିବ ବାପା, ସତୀକି ଟିକିଏ ଟିକିଏ ବତେଇ ଦେଉଥିବ । ସବୁଥିରେ ୟେ ଗଧ । ଏଃ, ଲାଜ ଲାଗୁ ନାଇଁ ? ଦେଖିଲୁ କେଡ଼େ ଟିକିଏ ପିଲା ?’’ ବାପା କହିଥିଲେ ।

 

ସତୀ ସେଦିନ ତାକୁ ଦାନ୍ତ ଦେଖାଇ ଖତେଇ ହୋଇଥିଲା । ଭାରି ତ ପିଲା ? ୟେ ଫେର୍ ଏତେ ନାଁ ଡାକ୍ ।

 

‘‘ଡିଡକ୍‍ସନ୍‍ଟା ଆସୁନାହିଁ କହୁଚ ? କାହିଁ ଏତ ଭାରି ସହଜ ।

 

ହେଇ ଦେଖ ଏ ଦୁଇଟି ସରଳରେଖା ସମାନ୍ତରାଳ, ଅତଏବ ଏ କୋଣ ଏ କୋଣ ସାଙ୍ଗେ ସମାନ–’’

 

‘‘ସେଇଟା କୋଉଠୁ ପାଇଲ ?’’

 

‘‘ତାକୁ ବି ଭୁଲିଯାଇଛି ସତୀ ?’’

 

‘‘ମୋଟେ ଭୁଲି ନାହିଁ । କୋଣ କାହାକୁ କହନ୍ତି କହିଲ ? ହେଁ ତମେ କିଛି ଜାଣିନା । ଥାଉ ଆମର ଆଉ ଡିଡକ୍‍ସନ୍‍ କସିବା ଦରକାର ନାହିଁ । ବରଂ ଖଣ୍ଡେ ପିଠା ଖାଅ, ବୋଉ କଲାଣି-। ତୁମେ ବସିଥା ମୁଁ ଆଣେ ।’’

 

ହେମନ୍ତ ଟାଇପ୍ କରୁଛି ।

 

କାହିଁକି ? କିଏ ଦାୟୀ ? ଖାଲି ଭାଗ୍ୟ ?

 

ଦୀର୍ଘଶ୍ୱାସ ପକେଇ ସତୀ ଝରକାର କାଚ ଟେକି ଦେଲା, ଥଣ୍ଡା ଆସୁଛି ।

 

ହେମନ୍ତ–

 

ଜୀବନର ଟିପାଖାତାରୁ ଗୋଟିଏ ପୃଷ୍ଠା ମୋଟେ । ତଥାପି, ଏମିତି ବେଳେ ବେଳେ ଗୋଟାଏ ଗୋଟାଏ ପୃଷ୍ଠା ପ୍ରତି ଲୋଭ ବଳିପଡ଼େ, ଲାଗେ ଏହି ସବୁ, ଜୀବନର ସବୁଯାକ,–ଥାଆନ୍ତି କି ! ନିତି ଦେଖା ନିତି ଚିହ୍ନା ମଣିଷ, ଭାବି ନ ଦେଖିଲେ ସବୁବେଳେ ହାତପାଆନ୍ତି ବାହାରେ । ଅନୁଭୂତିର ଘୂର୍ଣ୍ଣନ ଭିତରେ ଜୀବନର ବକ୍ରଗତି, ନଟୁପରି ଘୂରି ଘୂରିକା ଚାଲିଛି ପୃଥିବୀ ତା’ର ଗତିପଥରେ । ଚାରି ପାଖେ ରାଉ ରାଉ ଶୂନ୍ୟ, ସେ ଅନାଇଁ ଦେଖେ ନାହିଁ, ଶୁଣି ଭାବେ ନାହିଁ ମନେ ରଖେ ନାହିଁ । କିଏ କାହାର ରଖେ ସୁମାରି ?

 

ହଠାତ୍ ସେହି ଶୂନ୍ୟରୁ ଛିରିକି ଆସି ମରମରେ ବିନ୍ଧେ ଗୋଟାଏ ସ୍ମୃତି, ଅନୁଭୂତିର ସେହି ମୁହୂର୍ତ୍ତରେ ସେତିକି ଏକୁଟିଆ, ସେ ବିଶିଷ୍ଟ ।

 

ହେମନ୍ତ–ଆଃ ।

 

ଆପଣା ଭିତରେ ଗୋଟାଏ ତୀବ୍ର ଦଂଶନ– ।

 

ତୁଣ୍ଡରେ ଧରି ହେବ ନାହିଁ, ଶୁଣିଲେ ସେ ହେବ ହସର ଉପାଦାନ; କିନ୍ତୁ ମରମଭାବରେ ସତୀ ଦେଖିପାରୁଛି, ହେମନ୍ତ ସତେକି ଜଣେ ତ୍ୟାଗୀ ତପସ୍ୱୀ, ଜୀବନଯାକ କେବଳ ତ୍ୟାଗହିଁ ଦେଇ ଆସିଛି,–ତା’ର ତେଜ, ବୁଦ୍ଧି, ପ୍ରଜ୍ଞା, ଭବିଷ୍ୟତ ଆଶା, ସରଳଭାବେ ବଢ଼ିଥିଲେ ଯାହା ସେ ହୋଇଥାନ୍ତା, ଯାହା ପାଇଥାନ୍ତା, ସବୁ ଜଳାଞ୍ଜଳି ଦେଇ ବରିନେଇଛି ଗୋଟାଏ ପରିଣତି,–ଅଖ୍ୟାତ ଦାରିଦ୍ର୍ୟ, ପାନ ଓ ଟାଇପ୍‍ ରାଇଟର୍‍ର ଭେକ ।

 

ଦାୟୀ ସେ ନିଜେ, ସତୀ ।

 

ତା’ର ପଥୁରିଆ ବ୍ୟକ୍ତିତ୍ୱ ଫାଟିଯାଇ ପାଣି ଉଛୁଳିପଡ଼ୁଛି, ଆଉ ଟିକିଏ ତ, ତା’ପରେ ସେ ପାଣି ହେବ ବଢ଼ି, ଆଖିଦରଶା ହେବ, ସହାନୁଭୂତିର ବାଲିବସ୍ତା ଲଦିଦେବାକୁ ଲୋକେ ଧରାପରା ହେବେ, ସତୀର ନିଘା ପଡ଼ିଗଲା, ସହଯାତ୍ରୀ ନିବିଷ୍ଟ ଦୃଷ୍ଟିରେ ଚାହିଁ ରହିଛି ।

 

ପଥରର ଫାଟ ଯୋଡ଼ିଗଲା, ଗୋଟାଏ ପ୍ରଶ୍ନର ତାତି ଆସିଗଲା ମନେ ମନେ,–ଦାୟୀ ସେ କାହିଁକି ହେବ ? ସଂସାର ବଡ଼, ନାନା ପ୍ରକାର, ନାନା ପ୍ରଭାବ, କେହି କାହାରି ପାଇଁ ଦାୟୀ ନୁହେଁ, ସେ ଯଦି ଦାୟୀ ହେବ ହେମନ୍ତପାଇଁ ତେବେ ତା’ର ଏ ପରିଣତି ପାଇଁ ଦାୟୀ କିଏ ?

 

ପରିଣତି ବା କ’ଣ ? ଜୀବନ ଅଛି । ଆଖି ନୂଆ କଥା ଦେଖୁଛି ପ୍ରତି ନିମେଷରେ, ନୂଆ ଅନୁଭୂତିର ସ୍ପର୍ଶ ବାଜୁଛି, ପ୍ରବାହ ସଙ୍ଗେ ପ୍ରବହମାନା ନ ହେବାହିଁ ତ ମୃତ୍ୟୁ, ଯାହାକୁ ସେ ଘୃଣା କରେ ଭୟ କରେ, ପ୍ରାଣପଣେ ଅସ୍ୱୀକାର କରେ, କାହିଁକି ଏ ଅନୁଶୋଚନା ?

 

ହେମନ୍ତ ଅତୀତରେ ହଜିଛି । ସାମ୍ନାରେ ହେଇ ତ ଏତେ ଲୋକ । ମୁହଁପାଖରେ ଆରପଟେ ସେହିପରି ଧ୍ୟାନରେ ବସିରହିଛି ନବେନ୍ଦୁ ।

 

‘‘ଅସୁସ୍ଥତା ବଢ଼ିଚି, ନାଁ ?’’ ନବେନ୍ଦୁ ସ୍ନେହରେ ପଚାରିଲା ।

 

‘‘ହଁ ।’’

 

‘‘ମୁଣ୍ଡ ଖୁବ୍‍ ବଥୋଉଛି ବୋଧହୁଏ ?’’

 

‘‘ଭାରି ।’’

 

ନବେନ୍ଦୁର ଦେହରେ ଅସ୍ଥିରତା । ହାତ ମୁଠା କରୁଛି, ମୁଠା ଖୋଲୁଛି, ବାଁରେଇ ହୋଇ କଚଟି ଘୁରୋଉଛି । ସତୀ ଅନୁମାନରେ ହସିଲା । ତା’ର ମୁଣ୍ଡ ଚିପିବାକୁ ନବେନ୍ଦୁର ହାତ କଟକଟ ଡାକିଲାଣି । ନବେନ୍ଦୁ ଠିଆହୋଇ ପଡ଼ିଲା, ପୁଣି ବସିଲା । ଠିଆହୋଇପଡ଼ି ଯାଇ ଝରକାଟା ଖୋଲିଦେଇ ଆସିଲା । ପୁଣି ବସିଲା । ପୁଣି ତା’ର ସ୍ୱାସ୍ଥ୍ୟ କଥା ଉଠାଇ ଆହୁରି ଥରେ ପଚାରିଲା-

 

‘‘ଏଇ ପଛ ପାଖଟା ବେଶୀ ବଥୋଉଥିବ ବୋଧହୁଏ ?’’

 

‘‘ହଁ ।’’

 

ଗମ୍ଭୀର ମୁହଁ କରି ନବେନ୍ଦୁ ମୁଣ୍ଡ ଝାଙ୍କିଲା । ଘଟଣାଟା ତା’ର କରାମତିର ବାହାରେ, କ’ଣ ସେ କରିପାରିବ ? ଅଥଚ– ।

 

‘‘ଆପଣ କେମିତି ଜାଣିଲେ ମୋର ମୁଣ୍ଡ ବଥୋଉଛି ବୋଲି ?

 

‘‘ଆପଣଙ୍କ ମୁହଁରୁ ।’’

 

ସତୀ ମୁହଁ ନୁଆଁଇଲା । ନବେନ୍ଦୁ କହିଲା, ‘‘ମଣିଷର ମୁହଁ ତା’ର ଭାବର ଦର୍ପଣ ।’’

 

ମୁହଁ ତଳକୁ ପୋତି ସତୀ କହିଲା, ‘‘ତା’ହେଲେ ଆପଣ ମୁହଁ ଦେଖି ମନଭାବ ଜାଣିପାରନ୍ତି ?’’

 

ନବେନ୍ଦୁ ଗର୍ବିତ ହୋଇ କହିଲା, ‘‘ମୁହଁ ଦେଖା ମୋର ପେଶା ଯେ, ଆପଣଙ୍କୁ ତ କହିସାରିଛି, ମୁଁ ଜଣେ ବ୍ୟବସାୟୀ ।’’

 

ସତୀ ବିସ୍ମୟରେ କହିଲା–‘ଓଃ’

 

‘‘ହୋଇପାରେ ମ୍ୟାଲେରିଆ, ଦେହ କସମସ, ତା’ପରେ ନାଡ଼ି, ତା’ପରେ ତାତି । ସେଥିପାଇଁ ସୁଦ୍ଧା ମୁଁ ପ୍ରସ୍ତୁତ । ପ୍ରତ୍ୟେକ ଅବସ୍ଥା ପାଇଁ ପ୍ରସ୍ତୁତ ରହିବା ବ୍ୟବସାୟୀର କର୍ତ୍ତବ୍ୟ । ହେଇ ନଉନ୍ତୁ ମେପାକ୍ରୀନ୍ ।’’

 

‘‘ନାଇଁ-ନାଇଁ- !’’

 

‘‘କିଛି ଭାବନ୍ତୁ ନାହିଁ, ମୋଠି ବହୁତ ଅଛି । ନଉନ୍ତୁ ହେଇ ନିଅନ୍ତୁ ପାଣି ଗିଲାସେ ।’’

 

‘‘ମୁଁ ଔଷଧ ଖାଇବି ନାହିଁ ।’’

 

‘‘ଆପଣମାନେ ଏତେ ଉଚ୍ଚଶିକ୍ଷିତା ହୋଇ ଯଦି ରୋଗ ହେଲେ ଔଷଧ ନ ଖାଇବେ, ତେବେ ଏ ଦେଶର ସାଧାରଣ ନାରୀମାନଙ୍କୁ ଆମେ କାହିଁକି ସମାଲୋଚନା କରିବା କହନ୍ତୁ ? ସେମାନେ ରୋଗ ହେଲେ କହିବେ ନାହିଁ, ଲୁଚେଇବେ, ଔଷଧ ଦେଲେ ଖାଇବେ ନାହିଁ ଢାଳି ଦେବେ, ଇଞ୍ଜେକସନ୍ ନା କହିଲେ କାଞ୍ଜିକଣରେ ଲୁଚିବେ, ଆଉ ଅପରେସନ୍ କଥା କାହିଁକି କହୁଛନ୍ତି, ଟେବୁଲ୍ ନ ଦେଖୁଣୁ ବେହୋସ୍ । ତେଣୁ ରୋଗ, କଷ୍ଟ, ଅକାଳମୃତ୍ୟୁ–ଛେଃ, ଆପଣ ଆଉ ସେମାନେ କ’ଣ ସମାନ ?’’

 

ସମାନ ନୁହେଁ, କେବେ ନୁହେଁ । ସେହି ଦୁନିଆ ହିଁ ତାକୁ ଅସ୍ୱୀକାର କରିଆସିଛି । ତଥାପି, ଗୋଟାଏ ଚେଷ୍ଟା,–‘‘ଦେଖନ୍ତୁ ମତେ ଜର ହେବ ନାଇଁ, ମୋର କିଛି ହେବ ନାଇଁ, ଆପଣ ବିଶ୍ୱାସ କରନ୍ତୁ–’’

 

‘‘ଆଉ ଆପତ୍ତି କରନ୍ତୁ ନାହିଁ, ମୋ– ।’’ ନବେନ୍ଦୁ ‘ମୋ’ ପାଖରେ ଅଟକିଗଲା । ତା’ପରେ ପୁଣି ତା’ର ବକ୍ତୃତା, ‘‘–ମୋ ସାନକୁହା ମାନନ୍ତୁ । ଦଉନ୍ତୁ ଗିଳି । ହଁ–’’

 

ସତୀ ମେପାକ୍ରୀନ୍ ବଟିକା ପାଟିରେ ପକାଇଲା ।

 

ଏଃ । କେଡ଼େ ପିତା । ବରଂ ପ୍ୟାଲଡ଼ିନ୍ ହୋଇଥିଲେ–।

 

ଅଇ ଉଠି ଆସୁଛି । ଅତି କଷ୍ଟରେ ଦାବୁଛି ।

 

ନବେନ୍ଦୁ କହୁଛି–‘‘ମାଲେରିଆ । ତାତି ପୂର୍ବରୁ ବି ବାନ୍ତି ହୁଏ । ସେତେବେଳେ ବାନ୍ତି ସଙ୍ଗେ ସଙ୍ଗେ କମ୍ପ ଓ ତାତି ମାଡ଼ିଆସେ । ଦେଖେଁ ତାତି ଅଛି କି ନା ? ଜଣାପଡ଼ୁ ନାହିଁ । ଆପଣ ଥିରି ହୋଇ ଶୋଇ ପଡ଼ନ୍ତୁ । ଆଜି ରାତିରେ ପାଉଁରୁଟି ଆଉ ଗରମ ଦୁଧ, ସେ ପରେ ହେବ, ଆପଣ ଶୋଇରହନ୍ତୁ । ଯାହା ହେଲେ କହିବେ, ଲୁଚାଇଲେ ଚଳିବ ନାହିଁ, ମୁହଁ ଘୋଡ଼ି ହୋଇ ଶୋଇପଡ଼ନ୍ତୁ ।’’

 

ସତେ ତ, ଦେହଟା ଶିର୍ ଶିର୍ ଲାଗୁଛି ବୋଧହୁଏ । ସତୀ ଶୋଇପଡ଼ିଲା । ହାଲୁକା ଚାଦରରେ ମୁହଁ ଘୋରିହୋଇ ବୁଲିପଡ଼ି ଶୋଇଲା । ଚାଦର ଭିତରେ ପରିସ୍ଥିତି ସାନ ହୋଇ ଆସି ଯେତେବେଳେ ହେଲା ଗୋଟିଏ ଦେହଘସା ଖୋଳ, ସେ ନିଜ ଅବସ୍ଥା ପ୍ରତି ଧ୍ୟାନ ଦେଲା । ମିଛେ ମିଛେ ତାକୁ ଜର ହୋଇଛି । ସେ ପିତା ମେପାକ୍ରୀନ୍ ଗିଳିଛି । ହସର ବେଗ ସମ୍ଭାଳି ପାରିଲା ନାହିଁ, ଶବ୍ଦ ରୋକିହେଲା ପ୍ରାଣପଣ କଷ୍ଟରେ । ସେପାଖୁ ଶୁଭିଲା ନବେନ୍ଦୁ ଦୁଃଖ କରୁଛି,–‘‘ଓଃ, କମ୍ପ ଆରମ୍ଭ ହୋଇଗଲା, ଧନ୍ୟ ବାବୁ ଏ ମ୍ୟାଲେରିଆ ।’’

 

ଚାଦର ଘୋରିହୋଇ ସତୀର କମ୍ପ ବଢ଼ିଚାଲିଲା ।

 

ହଠାତ୍ ମନେପଡ଼ିଲା, ନବେନ୍ଦୁ ଦେଖୁଥିବ । ପିଠିପାଖେ ଚାଦର ଉପରେ ବିନ୍ଧିଲାଗିଥିବ ତା’ର ଦୃଷ୍ଟି । ହସ ବନ୍ଦକରି ସତୀ ନିଜକୁ ସଙ୍କୁଚିତ କରିଆଣିଲା । ତା’ପରେ ସେ ଶୋଇଲା । ତା’ର ଶେଷ ଚେତନା,–ସେ ପାଖେ ବସି ରହିଛି ନବେନ୍ଦୁ, ଦେଖୁଥିବ ।

 

ନିଦରେ ସେ କର ଲେଉଟେଇଛି, ଚାଦର ଖୋଲି ପକେଇଚି, ଲୁଗା ହୁଗାଳି ଦେଇଛି । ରେଲ୍‍ର ଝାଙ୍କରେ ସେ ଆଖି ଖୋଲିଲା, ସ୍ୱପ୍ନରେ ଯେପରିକି ନିଘାପଡ଼ିଲା,–ନବେନ୍ଦୁ ଚାହିଁ ବସିଛି । କିଛି ସମୟ ପରେ, ଦେହରେ ଗୋଟାଏ ନୂଆ ଅନୁଭୂତି, ବୁଝି ପାରିଲା,–ନବେନ୍ଦୁ ଆସ୍ତେ ଲୁଗା ଘୋଡ଼େଇ ଦେଉଛି । ଆଖି ବୁଜିଦେଲା । ତା’ର ପାପୁଲି ଖୁବ୍ ହାଲୁକା ହୋଇ ଭରା ଦେଲା ସତୀର କପାଳ ଉପରେ । ଅପସରିଗଲା । ସତୀର ଛାତି ହାଲୁକା କରି ଗୋଟାଏ ରୁନ୍ଧିରଖା ଦୀର୍ଘଶ୍ୱାସ, ଧୀରେ ଫେରି ଆସିଲା ନିଶ୍ୱାସରେ ନିୟମିତ ଛନ୍ଦ । ପୁଣି ସତୀକୁ ନିଦ ହୋଇଗଲା ।

 

ଘଡ଼୍‍ଘଡ଼୍ ହୋଇ ରେଲ୍ ଚାଲିଛି । କେତେ ଝାଙ୍କ, କେତେ ଧଡ଼ ଧଡ଼, ଅସ୍ଥିର ଯାତ୍ରା । କେତେ ଲୋକ, କେତେ ଗହଳି । ବାଟରେ ଷ୍ଟେସନ୍‍ମାନ, ଚିତ୍କାର, ପାଟି ଲୋକ ଚଢ଼ିବା ଲୋକ ଓହ୍ଲେଇବା । ସତୀ ଶୋଇ ରହିଛି, ନିଘୋଡ଼ ନିଦ । ଅସ୍ଥିର ଅନିତ୍ୟ ସଂଘର୍ଷମୟ ସଂସାର ଭିତରେ ନିଧଡ଼କ ବିଶ୍ୱାସର ଘରକଣା ପରି । ବସି ବସି ଚାହିଁ ଚାହିଁ ନବେନ୍ଦୁ ପହରା ଦେଉଛି । ପ୍ରଥମେ ତା’ର ସ୍ନାୟୁ ଟଣକି ଉଠୁଥିଲା, ଦେହ ଭିତରେ ତତଲା ଅସ୍ୱସ୍ତି । ଆଉ କେହି ଯାତ୍ରୀ ଏପାଖକୁ ଚାହିଁରହିଲେ ସେ ଫୁଲିଉଠି ଆଖି ତରାଟି ଚାହୁଁଥିଲା । ଖାଉଥିବା କୁକୁର ଅନ୍ୟ କୁକୁରକୁ ଦେଖିଲେ ଯେପରି ଅରଣା ଆଖିରେ ଅନାଏଁ । ସବୁ ଦୃଷ୍ଟିକୁ ସେ ଘଉଡ଼େଇ ଦେଇଛି,–ନା, କେହି ଚାହିଁବେ ନାହିଁ, କେହି ଆସବେ ନାହିଁ । ଏକା ସେ । ଥରେ ଥରେ ଚାହାଣିରେ ପରସ୍ତ ପରସ୍ତ ଲୁଗା ଉଠିଯାଏ, ପର୍ଦ୍ଦା ଉଠିଯାଏ, ଅର୍ଗଳ ଫିଟିଯାଏ । ଲାଲ୍ କାମନାର ତେଜ ଲାଲ୍ ରକ୍ତରେ ମିଶିଯାଇ ଦପ୍‍ଦପ୍ ହୋଇ ଭଉଁରି ବୁଲି ଫେରିଆସେ । ନବେନ୍ଦୁ ଝାଳ ପୋଛେ, ବେକରୁ ବୋତାମ ହୁଗାଳିଦିଏ । କୁମାରପଣ ତା’ର ବ୍ରତ ନୁହେଁ । କିନ୍ତୁ ଯେଉଁ ସମାଜରେ ସେ ବୁଲେ ଚାଲେ ସେଠି ପଦେ ପଦେ ଲାଜ ଡର, ଦାୟିତ୍ୱ ନ ନେଇ ସୁସ୍ଥିରେ ପୂର୍ଣ୍ଣ ଅନୁଭୂତି ପାଇଁ ପରିସର ନାହିଁ, ସ୍ପର୍ଶ ସେଠି କ୍ଷଣିକ କ୍ଷୁଧା, ଅନୁଭୂତି କେବଳ ବିକୃତ ବିକଳାଙ୍ଗ ଭଗ୍ନାଂଶ ।

 

କ୍ଳବ୍ ଘରର ଈରା,–ଓଠ ରଙ୍ଗାଏ, ନଖ ପଚାଏ, ଟାଇଁ ଟାଇଁ କଥା କହେ କଳ ଜଗତର ଇସ୍ପାତ୍ ନାରୀ, ଖଣ୍ଡିଆ କରେ, ଯେପରିକି ବୁଝାଇଦିଏ,–ଆଶାନ୍ତି ହିଁ କବିତା, କବିତାର ସଂଜ୍ଞା ବିକ୍ଷୁବ୍ଧ ଅଶାନ୍ତ ମନର ହାହାକାର, ଯନ୍ତ୍ରଣାର ଆର୍ତ୍ତ ଚିତ୍କାର । ଟି.ଏସ୍.ଇଲିଅଟଙ୍କ କବିତାର ଆର୍ଟ୍ ଗ୍ୟାଲେରିରୁ ସଦ୍ୟ ଉଠିଆସି ଈରା ନିମନ୍ତ୍ରଣ କରେ,–ଲେଟ୍ ଅସ୍ ଗୋ ରାଉଣ୍ଡ୍ ଦି ପ୍ରିକ୍ଳିପିଆର୍‍-ଦି ପ୍ରିକ୍ଳିପିଆର୍-ଦି ପ୍ରିକ୍ଳିପିଆର୍-ନାଗଫେଣିଆ ବୁଦା ଚାରିକରେ ବୁଲି ବୁଲିକା ଗୋଡ଼ିଆ ଗୋଡ଼ି ଖେଳିବା ଆସ । ଧରାଦେଇ ବିଶ୍ଳେଷଣ କରି ବୈଜ୍ଞାନିକ ତଥ୍ୟ ବୁଝାଏ, ନିଜେ ଅତି ଆତ୍ମସ୍ଥା ହେବାର ଆତ୍ମପ୍ରତ୍ୟୟ ଉପୁଜାଇ ଈରାର ଲୁହା ଖୋଳ ପରି ବ୍ୟକ୍ତିତ୍ୱ ଧୂଆଁର ହସ ବାନ୍ତିକରେ, ପ୍ରସାଧକ ଦ୍ରବ୍ୟର ଫ୍ୟାକ୍ଟରୀ-ପ୍ରସ୍ତୁତ ସର୍ବସାଧାରଣ ପରିବେଷିତ ଚିହ୍ନା ବାସ୍ନାର ବାଂଫ ତଳେ ମନର କବିତାପାଖୁଡ଼ାରେ କଣ୍ଟା ଫୁଟିଯାଏ । ଜଣାଯାଏ, ଫୁଲ ପାଖୁଡ଼ା କେବଳ କାର୍ବୋହାଇଡ୍ରେଟ୍ ଉପରେ କ୍ଲୋରୋଫିଲ୍‍ର ସମାବେଶ, ଦେହ କେବଳ ଆନାଟୋମି ଫିଜିଓଲଜି, ଆଉ କିଛି ନାହିଁ, ନିଜ ଦେହ ଉପରେ ଘୃଣା ଆସେ ଈରା ଯେତେବେଳେ କାନପାଖେ କହେ ‘‘ତମେ ଖୁବ୍ ସୁସ୍ଥ ପଶୁ ନବେନ୍ଦୁ, ଯଦିଚ ମନଟା ତୁମର ଅସୁସ୍ଥ ଥିଲାପରି ମନେହୁଏ, ମୋର ଜନ୍ତୁର ଦେହ ତୁମର ପଶୁ ଦେହକୁ ପସନ୍ଦ କରେ ପ୍ରଚୁର; କିନ୍ତୁ ଗୋଟାଏ କଥା ତୁମଠିଁ ଘୋର ଅଭାବ । ତୁମେ ଯେ ପଶୁ ସେ କଥା ତୁମେ ମନକୁ ଘେନିବାକୁ ବି ନାରାଜ, ତେଣୁ ବଳିଷ୍ଠ ପଶୁ ହୋଇ ପଶୁର ଆନନ୍ଦ ନେଇ ଜାଣନାହିଁ, ନେଇ ବି ଜାଣିନାହଁ ଆଦୌ, ଯାହା ତୁମ ନିଉରାସ୍ଥିନିକ୍ ମନର ଦୁର୍ବଳତା ତାକୁ ତୁମେ କହ ଭଦ୍ରତା, ସଭ୍ୟତା, ଯାହାକିଛି । ପଡ଼ିଆରେ ପଶୁ ଦେଖିନା ? ତାହାହେଲେ କରୁଥିଲ କ’ଣ ଏତେଦିନ ?’’

 

ଈରା ଇକନମିକ୍‍ସରେ ଏମ୍.ଏ. ।

 

‘‘ତୁମେ ବଡ଼ ନିଷ୍ଠୁର ଈରା ।’’

 

‘‘ନିଷ୍ଠୁର ନୁହେଁ, ମ୍ୟାଟର୍ ଅଫ୍ ଫ୍ୟାକ୍ଟ୍ । ଆଉ ତମେ କ’ଣ ଜାଣ ? ତୁମେ ନିଷ୍ଠୁରଠୁଁ ବି ଅଧମ, ପଳାୟନପନ୍ଥୀ । ଆବଶ୍ୟକ କ’ଣ ବୁଝ ହୁଏତ, କିନ୍ତୁ ମୁହଁ ଖୋଲି କହି ବି ପାରିବ ନାହିଁ । ତୁମେ ହେଉଛ ସେହି ଜାତିର ମଣିଷ ଦାୟିତ୍ୱ ନେବାକୁ ଯାହାକୁ ମାଡ଼ିପଡ଼େ, ଦାୟିତ୍ୱ ଫାଙ୍କିଦେବା ଉପାୟ ବତେଇଲେ ହଠାତ୍ ଯେ ହୋଇଯାଏ ନୀତିବାଗୀଶ, ଅଥଚ ଯାହାର ତୀବ୍ର କ୍ଷୁଧା । ସେ କାଳ ହୋଇଥିଲେ ତୁମେ ସୁନ୍ଦର ଫୁଲଝରୀ କବିତା ଲେଖିଥାନ୍ତ ଆଉ ରାଜା ଘରେ ଭେଟି ଦେଇ କୁଣ୍ଡଳ ଆଉ ପାଟ ଯଥା ପୁରସ୍କାର ପାଇଥାନ୍ତ; କିନ୍ତୁ ଏକାଳରେ ତୁମେ କ’ଣ କହିବ ? ତୁମେମାନେ ସବୁ ଦେଶର ସମସ୍ୟା, ଏପାଖ ସେପାଖ ଭସାଣ ପୋଖରୀଦଳ, ଖାଲି ଷ୍ଟେଲମେଟ୍ ସୃଷ୍ଟିକର, ଆଉ ଅନହୁତି ଫୁଟ ଆପଣା ରିପ୍ରେସନ୍ ବଳେଇଲେ, କେଉଁଆଡ଼େ କେତେବେଳେ ଫାଟିବ ତା’ବି ତୁମେ ଜାଣନାହିଁ ।’’

 

‘‘ଖୁରଧାର ପରି ଭିଣିଭିଣା କରି କାଟିଲେ ଲଭ୍ ଜନ୍ମ ହୁଏ ନାହିଁ ଈରା–’’

 

‘‘ସେ ଭଳି ଲଭ୍ ବି କାହାରି ଦରକାର ନାହିଁ ଯାହା ଖୁରର ଦାଢ଼ ସହେ ନାହିଁ । ଆପଣା ପ୍ରୟୋଜନ ପାଇଁ ଜନ୍ତୁ କ’ଣ କରେ ଜାଣ ? ଉତ୍ତେଜିତ କରିବା ସକାଶେ ପ୍ରଚୁର ଭାବେ ସେ ତା’ର ଖୁରା ଆଉ ଶିଂଗ ବ୍ୟବହାର କରେ । ଦୁଃଖର କଥା ନାରୀର ଖୁରା ନାହିଁ ଶିଂଗ ବି ନାହିଁ, ତା’ର ଅଭାବ ସଭ୍ୟାନାରୀ ପୂରଣ କରେ ତା’ର କଥାଦ୍ୱାରା । କିନ୍ତୁ ତୁମର ସେଥିକି ଭୟ କରିବା କାରଣ ନାହିଁ; କାରଣ ମନରେ ଗଠନରେ ତୁମେ ସାମାନ୍ୟ ବାଛୁରୀହିଁ । ଲଭ୍ ବୁଝ ଛେନାଗୁଡ଼, ତୁମର ଦରକାର କାଫ୍ ଲଭ୍ । ଚୋରେଇ ଲୁଚେଇ ଗୋଟି ଗୋଟିଏ ସାନ ସାନ ଗିଆକୋମିନେଟା ବାଛି ଅନ୍ୟର ଭାଷା ଉଧାର ନେଇ ଭାବପ୍ରବଣ ଦି’ତିନିଖଣ୍ଡ ପ୍ରେମପତ୍ର ଲେଖିପାରିଲେ ତୁମେ ଅନୁଭବ କର, ତୁମେ ବି ଜଣେ ଜଣେ ନୋପୋଲିଅନ୍ । ହାଃ ନବେନ୍ଦୁ, ତୁମେ ହୋପଲେସ୍ ।’’

 

ଈରା, ତା’ର ଆସନ କ୍ଳବ୍ ଘରେ, ସେ ବି ଦିହାତ ଖେଳିପାରେ । ତା’ଛଡ଼ା ଅନ୍ୟ ବି ଯଦି କେହି,–କଳ ନ ପୁରୁଣୁ ଖେଞ୍ଚାଏ ମାରି ନେଇ ଦି କୋଶ ଧାଇଁ ପଳେଇବେ, ତା’ପରେ ଗିଳିପକେଇ ମୁହଁ ପୋଛିଦେବା ଚୋରିପରି । ସେ ଆନନ୍ଦ କେବଳ ଦୁଃଖହିଁ ।

 

କିନ୍ତୁ ଏଠି ଯେପରି ସବୁ ନିଆରା, ସୁସ୍ଥି, ଶାନ୍ତି । ପତ୍ରଉପରେ ସଜଫୁଲ ପରି ଶୋଇରହିଛି ସତୀ ।

 

କି ନିରୋଳା, ତା’ର ସାମାଜିକ ରକ୍ଷାକବଚ ନାହିଁ ।

 

ନବେନ୍ଦୁ ଚରିପାରେ, ଦାୟିତ୍ୱ ନାହିଁ ।

 

ଠିକ୍ ସେ ଯାହା ଚାହେଁ । ଆଧୁନିକ ସଭ୍ୟ ମନୁଷ୍ୟ କବାଟ କିଳି ସିନେମାର ଅଭିନେତ୍ରୀର ରଙ୍ଗିଣି କ୍ୟାଲେଣ୍ଡର ଛବିକୁ ଅନେଇଁ ଆଶା ମେଣ୍ଟାଏ, ରେଡ଼ିଓ ଗୀତରୁ ଗଳାବାରି ଗୋଟାଏ ସ୍ମୃତି ସୃଷ୍ଟି କରେ, ସେହି ତା’ର ଆତ୍ମପ୍ରକାଶର ମାର୍ଗ ଓ ଅବଲମ୍ବନ ଉଭୟ, କୋଠାଗହଳି ମଣିଷଗହଳି ନିଶ୍ୱାସବନ୍ଦ ବଡ଼ ସହରର ନଗଣ୍ୟ ପାରାଖୋପରେ ।

 

ଏ ତାଠୁ ବଡ଼, ଜୀଅନ୍ତା ମଣିଷ ।

 

ଜୀଅନ୍ତା ମଣିଷ କଥା ନ କହି ‘ହଁ’ ଜଣେଇଛି, ତା’ର ଆପତ୍ତି ନାହିଁ । ନିଘୋଡ଼ ନିଦ । ନବେନ୍ଦୁ ସାମ୍ନାକୁ ଢଳି ପଡ଼ି ବସିଛି ।

 

ନିଜକୁ ଛାଡ଼ି ଦେଉଛି ସାମ୍ନାକୁ ଝାଙ୍କି ହେବାକୁ ରେଲ୍‍ର ଝାଙ୍କରେ । ତାତି ଦେଖୁଛି, ଲୁଗା ଘୋଡ଼େଇ ଦେଉଛି । ଝୁଲୁଥିବା ହାତଟିକୁ ଆସ୍ତେ ଟେକି ଧରି ନାଡ଼ି ଦେଖୁଛି, ସମୟ ଭୁଲି ଯାଇଛି ।

 

ବହୁତ ବେଳ । ନବେନ୍ଦୁର ଦେହ ଭିତରେ ଶାନ୍ତି ପଡ଼ିଯାଇଛି । ସ୍ନିଗ୍ଧ ଆଖି, ସେଥିରେ ତତଲା ଭୋକ ନାହିଁ, ଶୀତଳ ସହାନୁଭୂତି । ସତୀ ଦିଶୁଛି କେଡ଼େ ସାନ, କେଡ଼େ ଦୁର୍ବଳ । ବାରମ୍ବାର ଝୁଲିପଡ଼ୁଥିବା ହାତ ଉପରେହିଁ ଦୃଷ୍ଟି ଅଟକି ରହୁଛି, ଝୁଲା ଅବଶ ସୁନ୍ଦର ହାତଟି ଯେପରି ତା’ର ସମଗ୍ର ବ୍ୟକ୍ତିତ୍ୱର ପ୍ରତୀକ । ସେ ସାହାଯ୍ୟ ଚାହେଁ ।

 

କ୍ଷତି କ’ଣ ?

 

ଉଦାର ହୋଇ ଭାବୁଭାବୁ ନିଦ ଝାଙ୍କି ଆସିଲା । ସିଟରେ ପଛକୁ ଢଳିପଡ଼ି ନବେନ୍ଦୁ ଶାନ୍ତହୋଇ ଶୋଇପଡ଼ିଲା ।

 

‘‘ଆପଣ କୋଉଠି ଓହ୍ଲେଇବେ ?’’ ରେଲ୍ ଷ୍ଟେସନ୍ ବାହାରକୁ ଆସି ନବେନ୍ଦୁ ପଚାରିଲା-

 

ସତୀ ହସିଲା, କହିଲା, ‘‘ରେଲ୍-ବନ୍ଧୁତାର ଅସୁବିଧା ଏତିକି, ନୁହେଁ ?’’

 

‘‘କଣ୍ ?’’

 

‘‘ଏଇ ଦେଖନ୍ତୁ, ଆପଣଙ୍କ ସଙ୍ଗେ କଟିଗଲା ପନ୍ଦର ଘଣ୍ଟା, ଖାଲି ତ କଟିନାହିଁ, ପନ୍ଦର ଘଣ୍ଟାର ଜୀବନ ଆମ ଦୁହିଙ୍କର ମିଶିଗଲା ଏକାଠି, ପଦାର ଲୋକ ଆମୁକୁ ଏକାଠି ଦେଖି କ’ଣ ଭାବିଥିବେ କହିଲେ ?’’

 

‘‘କ’ଣ ଭାବିଥିବେ ?’’

 

‘‘ସେ କଥା ବି ମୋ ତୁଣ୍ଡରୁ ଆପଣଙ୍କର ନ ଶୁଣିଲେ ନ ହୁଏ, ନା ?’’ କଣେଇଁ ଚାହିଁ ମେଞ୍ଚାଏ ହସରେ ନବେନ୍ଦୁର ମୁହଁ ଉପରେ ଅବିର ଛାଟି ଦେଇ ସତୀ କହିଲା । ନବେନ୍ଦୁ ମୁହଁକୁ ତଳକୁ ପୋତିଛି, ଜୋତା ଅଗରେ ପଥରପରି ମାଟିକୁ ତାଡ଼ିବାକୁ ବୃଥା ପ୍ରୟାସ କରୁଛି ପାଦ ଘୋସାରି ଘୋସାରି, ଦୁଇ ହାତରେ ଦୁଇଟା ସୁଟକେସ୍ ବୋହିଛି । ଏଇ ଲୋକଗହଳିରେ ସାଧାରଣ ଜଣେ ଯାତ୍ରୀ । ସତୀ କହିଲା,–‘‘ଏକାଠି ପନ୍ଦର ଘଣ୍ଟା, ଆପଣଙ୍କର ମୋ ପ୍ରତି ଯେଉଁ ଯତ୍ନ, ଯେଉଁ ସହାନୁଭୂତି, ଯେଉଁ ସାହାଯ୍ୟ, ମନ ଖୋଲି ଏତେ କଥା–’’

 

‘‘ମନ ଖୋଲି ! କାହିଁ ଆପଣ ତ ଜରରେ ପଡ଼ିଲେ, କଥାଭାଷା ହେବାକୁ ସୁବିଧା ପାଇଲି କୋଉଠି ?’’

 

‘‘ମୁଁ କଥା ନ କହିଲେ ସୁଦ୍ଧା ଆମେ କ’ଣ କଥାଭାଷା ହୋଇନାହୁଁ ନବେନ୍ଦୁବାବୁ ? ମୁଁ ତ ଭାବେ ତୁଣ୍ଡ ନ ଖୋଲିଲେହିଁ ଆମେ ବେଶୀ କଥା କହୁଁ । ଛାଡ଼ନ୍ତୁ । ଏତେ ଘନିଷ୍ଠତା ଅଥଚ କେହି କାହାକୁ ପଚାରି ବୁଝିନାହିଁ କିଏ କେଉଁଠି ରହେ, କ’ଣ କାହାର ଠିକଣା । ଏଇ ରେଲ୍‍ର ବନ୍ଧୁତା, ଅତି ଘନିଷ୍ଠ ହୋଇ ବଢ଼ିଉଠେ, ନିଜର ଉଚ୍ଛ୍ୱାସରେହିଁ ବାସ୍ତବତାକୁ ଏଡ଼େଇ ଦେଇ ଭୁଆଁ ମାଡ଼ି ଚାଲିଯାଏ, ତା’ପରେ ସେ ମିଳେଇଯାଏ କୁହୁଡ଼ିପରି । ମନେପଡ଼େ କେତେବେଳେ ଜାଣନ୍ତି ? ଯେତେବେଳେ କାକର ଟୋପା ପାଦରେ ବାଜେ । ଟିକିଏ ଚେତେଇ ଦିଏ, କୁହୁଡ଼ି ଥିଲା, କିନ୍ତୁ ମାୟା କୁହୁଡ଼ି ଉଭେଇ ଯାଇଥାଏ ।’’ ନବେନ୍ଦୁ ନିରୁତ୍ତର ହୋଇ ଠିଆହେଲା । ତା’ପରେ ତା’ର ପ୍ରକାଣ୍ଡ ଦେହ ହଲି ଚହଲି ଉଠିଲା ବାରମ୍ବାର, ଯେପରିକି ଭିତରର ଚପା ବାମ୍ଫ ବାଟ ପାଉନାହିଁ କି ଦାବି ହେଉନାହିଁ ।

 

ସତୀର ମନରେ ଏକାଠି ଅନେକ ସ୍ମୃତି, ନାନା ଚିନ୍ତା । ନବେନ୍ଦୁର ପ୍ରଶ୍ନ ‘‘କୋଉଠି ଓହ୍ଲେଇବେ ?’’ ସତେକି ଗୋଟାଏ ପଗ୍ ମାଡ଼ିଦେଇ ଗୋଟାଏ ପ୍ରକ୍ରିୟା ଆରମ୍ଭ କରିଦେଇଛି ତା’ର ମନଯନ୍ତ୍ରରେ, ଗୋଟାଏ ପାଖେ ଲୁହା ପ୍ଲେଟରେ ସଜା ହୋଇ ଚାଲିଆସେ ଅତୀତ, ଗୋଟାଏ ପାଖେ ବର୍ତ୍ତମାନ ପଛକୁ ଚାଲିଯାଏ ଅନ୍ୟ ପ୍ଲେଟରେ, ଅତି ତରତର ଯା’ଆସ ଲାଗେ, ବାରିହୁଏ ନାହିଁ । ତଥାପି ଉପରର ଖୋଳ ବଜାୟ ରଖି ସତୀ କୁତୂହଳରେ ନବେନ୍ଦୁର ହାବଭାବ ଲକ୍ଷ୍ୟକଲା, ବିଚାରବୁଦ୍ଧି ମରମରେ ଡୁବେଇ ଦେଇ ଆପଣା ଭିତରୁ କେଉଁ କନ୍ଦରାରୁ ଏକା ରାଆକେ ଚାଲିଥିବା ଗୋଟାଏ ଧ୍ୱନିହିଁ ସେ ଶୁଣିଲାଗିଲା,-‘‘ନବେନ୍ଦୁ ବି ଯିବ ନାହିଁ, ତାକୁ ରୋକିବାକୁ ହେବ ।’’

 

ନବେନ୍ଦୁ କହୁଛି–‘‘କହନ୍ତୁ, କେଉଁଠି ଆପଣଙ୍କ ଠିକଣା ? ହୁଏ ତ ମୁଁ ଛାଡ଼ିଦେଇ ଆସିପାରେଁ–’’

 

‘‘ଆଉ କଷ୍ଟକରି ଯିବେ କାହିଁକି ? ବହୁତ ଦୂର ।’’

 

‘‘ହଉ ଯେତେ ଦୂର, ଅନ୍ତତଃ ଠିକଣାଟା ଜାଣିଲେ କିଛି ଆପତ୍ତି ଅଛି ? ମୋ ଠିକଣା ବି ହେଇ ଶୁଣନ୍ତୁ କହିଦେଉଚି–’’

 

‘‘ମନେ ପକାନ୍ତୁ ନବେନ୍ଦୁବାବୁ, ଖୁବ୍ ପିଲାଦିନ କଥା–’’ନବେନ୍ଦୁ ଆଶ୍ଚର୍ଯ୍ୟ ହୋଇ ଅନେଁଇଲା, ସତୀ କହିଲା, ‘‘ସ୍ମରଣ କରିବାକୁ ଚେଷ୍ଟା କରନ୍ତୁ, ଅତି ସାନ ଥିଲେ ଯେତେବେଳେ, ଖେଳରେ ଖେଳରେ କାହା ସାଙ୍ଗରେ ଫୁଲହାର ବଦଳାବଦଳି ହୋଇଥିଲେ କି ନା, ଭଲ କରି ମନପକାନ୍ତୁ ତ !

 

ଏ କ’ଣ ପୁଣି ! ନବେନ୍ଦୁର ଆଶ୍ଚର୍ଯ୍ୟପଣ ବୁଡ଼ିଗଲା ଗୋଟାଏ ଆନନ୍ଦର ଚେତନାରେ । ତରତର ହୋଇ ଭାବିଗଲା, ଏଇ ଝିଅଟି ସାଙ୍ଗରେ ସେ କେବେ ଏକାଠି ପିଲାଦିନେ ଖେଳିଥିଲା ! ତେବେ କ’ଣ ଆଗରୁ ଆଜାଣତରେ ଏଠି ତା’ର ସମ୍ବନ୍ଧର ଡୋରି ଲାଗିଛି ଅଥଚ ତା’ର ମନେ ନାହିଁ-! କାବା ହୋଇ ନବେନ୍ଦୁ ଚାହିଁଲା, ଲଜ୍ଜିତ ହୋଇ କହିଲା,

 

–‘‘କେବେ କହନ୍ତୁ ତ ? କେଉଁ ଜାଗାରେ ? ଅସମ୍ଭବ ନୁହେଁ, ପିଲାଖେଳରେ ଏପରି ତ ହୁଏ, କିନ୍ତୁ ହଠାତ୍ ମନେ ପଡ଼ୁନାହିଁ ।’’

 

ହସି ଦେଇ ସତୀ କହିଲା, ‘‘ମନେ ପଡ଼ିବ ବି ନାହିଁ, ଚେଷ୍ଟା କଲେ ଧନ୍ଦିହୋଇ ଖାଲି ମନକୁ କଷ୍ଟ ଦେବାହିଁ ସାର ହେବ । ହେତୁ ନ ହେଲା ପିଲାଦିନେ ମାଳାବଦଳ କରିବା ଯାହା, ବଡ଼ଦିନେ ରେଲ୍‍ର ଠିକଣା ବଦଳ କରିବା ବି ତାହା । କେବଳ ଏତିକି କଥା, ସୁଯୋଗ ମିଳିଲେ ମଣିଷ ପିଲା ହୋଇଯାଏ । ସେ ଚାହେଁ ନିଜକୁ ଖୁସି କରିବାକୁ, ମନେ ରଖିବାର ଦାୟିତ୍ୱ ନେବାକୁ ଚାହେଁ ନାହିଁ ।’’

 

‘‘ହଉ ଦେଖିବେ ଆପଣ । କୋଉଠି ଆପଣ ରହନ୍ତି କୁହନ୍ତୁ ତ ।’’

 

ସତୀ ହସି ହସି ଆପଣାର ଠିକଣା କହିଦେଲା ।

 

ଗାଡ଼ିରେ ଚଢ଼ିଲା, ନବେନ୍ଦୁ ବୃଥା ଅନେଇଁ ରହିଲା, ଦୀର୍ଘଶ୍ୱାସରେ ପ୍ରକାଶ କଲା, ସତୀ ଚାହିଁଲା ବି ନାହିଁ ଟିକିଏ ।

 

ସରଳରେଖା ଅତିଶୀଘ୍ର ବଙ୍କା ହୋଇ ଢଳିପଡ଼ୁଛି ଯବନିକା ଆଡ଼କୁ, ଏଥର ତ ବାଟ ସଫା,–ସତୀ ଭାବିଲା, ସେ ଘରକୁ ଫେରୁଛି, ପେଟ ଫାଟୁଛି ହସରେ ଭାବିଲାବେଳକୁ, ବାଟ ସଫା, ବାଟ ସଫା, ଚେତି ଉଠିଲାବେଳକୁ କାନ୍ଦଣା ଲୁଚାଇବାକୁ ଜାଗା ନାହିଁ, ଧିକ୍ ତା’ର ଜୀବନ,–ଶୋଷ କଲେ ଲୁଣିପାଣି, ଭୋକ କଲେ ଚରାର ଲୁଣି ବାଲି, ବିଧାତା ଏଥିରୁ ଅଧିକ ଆଉ ତା’ପାଇଁ ରଖିନାହିଁ ।

 

ଘର ଅଛି, ଘରେ ଅଛନ୍ତି ଜଣେ,–ସମୀର୍‍ବାବୁ ।

 

Unknown

ନାଁଟି ବେଶ୍ ସୁନ୍ଦର, ନାଁ ଶେଷରେ ‘ଅ’କାର ଯୋଡ଼ିବାକୁ କେହି କେବେ ଦୁଃସାହାସ କରିନାହିଁ ମୁହଁକୁ ଚାହିଁ । ଉଚ୍ଚାରଣରେ ସବୁଦିନେ ସେ ‘ସମୀର୍’–ହସନ୍ତ ।

 

ନାଁରେ ସାର୍ବଜନୀନ, ବୁଝିବା ମୁଷ୍କିଲ୍ ହିନ୍ଦୁ କି ମୁସଲମାନ, ଓଡ଼ିଆ କି ବଙ୍ଗଳା ।

 

ମୁହଁର ଗଢ଼ଣିରେ ବିଭିନ୍ନ ଜାତିର ସମନ୍ୱୟ, ବର୍ଣ୍ଣରେ ଗୋରା, ପାନପତ୍ର ପରି ମୁହଁ, ଓସାର କପାଳ, ବଡ଼ ନାକ, ସାନ ଆଖି । ହୋଇପାରେ ଆୟାର୍ କି ଆଚାରି, କୁଳକର୍ଣ୍ଣି କି ଅଗ୍ନିହୋତ୍ରି, ଶର୍ମା କି ବର୍ମା, ଭଟଚାଜ୍ଜି କି ଘୋଷ୍, ଦାସ କି ପଟ୍ଟନାୟକ । ଫଟୋରୁ ଭ୍ରମ ହୁଏ ।

 

ମୁହଁରେ ବାଳ ନାହିଁ, ଟାଙ୍ଗରା ମୁଣ୍ଡ ଦର୍ପଣ ପରି ଜିକିଜିକି କରେ, ମୁହଁ କହେ ନାନା ବୟସ, ଆଚାର ବି ।

 

ଉଦାସ ହୋଇ ଚାହିଁ ରହିଲେ ସାନ ସାନ ନେଳିଆ ଆଖି ତଳେ ଶୀଥିଳ ମାଂସପେଶୀ ଯେତେବେଳେ ଝୁଲିରହେ ବୟସ ପଚାଶ ଟପେ, ଅତି ଉତ୍ସାହରେ ହସିଉଠିଲେ ବୟସ ତିରିଶି ହୋଇଯାଏ, ଅତି ଧଳା ଏକା ମଛାକେ ଦାନ୍ତ ଦି’ ପାଟି ବାରିହୁଏ ନାହିଁ ଅସଲ କି ନକଲ ।

 

ତୁଣ୍ଡରେ କଅଁଳ ନରମ ଭାଷା, ପରିଷ୍କାର ସ୍ପଷ୍ଟ ସୁନ୍ଦର ସ୍ୱର ଓ ବ୍ୟବହାରରେ ଶିକ୍ଷିତ ମାର୍ଜିତ ରୁଚି ବୟସ ଲୁଚାଇ ସ୍ପର୍ଶଦିଏ ଗୋଟିଏ ଅମାୟିକ ଆଧୁନିକ ଯୁବକର, କଥାରେ ଗପୁଡ଼ିପଣ, ତୁହାଇ ତୁହାଇ ନିଜ ଅଭିଜ୍ଞତା ବର୍ଣ୍ଣନା,–ଅତୀତ ଯୁଗର, ବେଶୀବେଳ କଥା ଶୁଣିଲେ କଥାରେ ଏକ ନିହିତ ଦୁର୍ବଳତା ସେହି ଯୌବନର ଭ୍ରମ ଭାଙ୍ଗିଦିଏ । ବୟସ ନିଜ କଥା କହେ ।

 

ସେହି ତ ସ୍ଥିର ତା’ର ଜୀବନରେ, ସେହି,–ଯେ ତା’ର ବାପ ନୁହେଁ ଭାଇ ନୁହେଁ, ସ୍ୱାମୀ ନୁହେଁ, ସାମାଜିକ ସମ୍ବନ୍ଧରେ କେହି ନୁହେଁ, ଅଥଚ ଯାହା ଘେନି ତା’ର ପରିଚୟ ।

 

ସମୀର୍ବାବୁ ଅସ୍ତୋନ୍ମୁଖ ସୂର୍ଯ୍ୟ, ଆଉ ସେ ନିଜେ ?

 

ସେରାତ୍ରି, ଯେ ଅସ୍ତୋନ୍ମୁଖ ସୂର୍ଯ୍ୟକୁ ଆଶ୍ରାକରେ, ଆଶ୍ରାଦିଏ । ଦୁହେଁ ମିଶି ଗୋଟାଏ ମାୟା ବିସ୍ମୃତି, ଦିନର ନେତିବାଦ, ସମାଜର ସବୁ ସଂସ୍କାରର ନେତିବାଦ, ତେଣୁ ତ ଦୁନିଆଁ ଡେଙ୍ଗୁରା ବଜାଏ ।

 

କିନ୍ତୁ ଶେଷ ସୂର୍ଯ୍ୟ ଆଉ ରାତି ମିଶିଯାଇ ଗୋଟାଏ ଶାନ୍ତିର ଅଟଳପଣ, ରାତ୍ରିର ନିଜର ଅମାପ ଐଶ୍ୱର୍ଯ୍ୟ, କଳ୍ପନା ଆଉ ଦାର୍ଶନିକ ସତ୍ୟ ମିଶାମିଶି, ସେଠି ଅସରନ୍ତି ଅନନ୍ତପଣର ସ୍ପନ୍ଦନ, କାମନା ନାହିଁ, ଦୁଃଖ ନାହିଁ, ଭୟ ନାହିଁ । କାହିଁ ତା’ ତାଠିଁ ? ଭାବିଲାବେଳକୁ ବାସ୍ତବତାର ଉପହାସ ଭୁଲିହୋଇ ଯାଇ ଧିକି ଧିକି ହୋଇ ଜଳି ଉଠୁଛି ସେ ଓ ସମୀର୍‍ବାବୁଙ୍କ ଆଦିମ ସଂପର୍କର ଜ୍ୱାଳାମୟ ସମ୍ବନ୍ଧ, ଆଜି ଅବା ଜ୍ୱାଳାନିବୃତ୍ତି ନାହଁ, ଜ୍ୱାଳା ହିଁ ଅଛି, ଆଜି ହୁଏତ କାମନାର ପାତ୍ର ଅଲୀକ, କାମନା ହିଁ ଅଛି, ସତୀ କେବଳ ପ୍ରେତାତ୍ମା, ଆଧେୟ ଦେଖି ତା’ର ତୃଷ୍ଣା ବଢ଼ିଉଠେ, କିନ୍ତୁ ଚରିତାର୍ଥ ହୁଏ ନାହିଁ ।

 

ତଥାପି ମନେ ପଡ଼େ ।

 

ସେତେବେଳେ ଶେଷ ସୂର୍ଯ୍ୟଠିଁ ଥିଲା ଉତ୍ତପ୍ତ ମରୀଚିମାଳା ତା’ର ସମାପ୍ତି ଦିଶି ନ ଥିଲା, ଦିଶିଥିଲା ତା’ର ତେଜ ।

 

ସରଳ ତା’ର କାହାଣୀ ।

 

ବଡ଼ ସହରରେ ତାଙ୍କର ବସା । ରାସ୍ତା ସେପାଖେ ଗୋଟାଏ ନୂଆ ଦୋତାଲା କୋଠା, ଭଡ଼ା ଲାଗିଛି । ତା’ ଆଗରେ ଗୋଟାଏ ମଟର ଠିଆହୁଏ । ସେତିକି ।

 

ସତୀର ଏମ.ଏ. ପାଶ୍ ସରିଥାଏ । ଗୋଟିକ ପରେ ଗୋଟିଏ ହୋଇ ଚାଲୁ ରହିଥିବା ସବୁ ବିବାହ ପ୍ରସ୍ତାବ ଭାଙ୍ଗି ସାରିଥାଏ, ସତୀର ଅଦମ୍ୟ ଯତ୍ନରେ । ସେତେବେଳେ ଜୀବନର ଅର୍ଥ ନୂଆ ସ୍ୱପ୍ନର ବୁଢ଼ିଆଣିଜାଲ ବୁଣି ନିଜକୁ ବେଢ଼େଇ ରଖିବା ।

 

ଘରେ ସେ, ଆଉ ବାପା, ଆଉ ବୋଉ, ଗୋଟିଏ ଚାକର ଟୋକା,–ରଘୁଆ ।

 

ଭାଇ ବିବାହିତ, ସେ ବାପାଙ୍କଠୁଁ ଅଲଗା । ମନ ନାଖି ବିଭା, ଭିନେ ଜାତି, ସେତିକିରେ ବାପା ବୋଉଙ୍କ ସଙ୍ଗେ ଛିଣ୍ଡାଛିଣ୍ଡି । ଅବଶ୍ୟ ତା’ ଆଗରୁ ବି ବଦ୍ରିକାବାବୁ ସବୁଦିନେ ବାପାଙ୍କ ଆଖିରେ କୁଳାଙ୍ଗାର ପୁତ୍ର, ବାପାଙ୍କୁ ଚିଡ଼େଇବାକୁ ଯେପରିକି ସେ ଦି’ ବର୍ଷର କ୍ଲାସ୍ ଚାରିବର୍ଷରେ ସପ୍ଳିମେଣ୍ଟରିରେ ପାଶ୍‍ କରନ୍ତି, ଚାକିରି ନକରି ରାଜନୀତିରେ ନାଁ ଲେଖାଇ ବାପାଙ୍କ ଉପରିକମାନଙ୍କୁ ଅପଦସ୍ଥ କରିବାରେ ଦିନାକେତେ ମନ ଦେଇଥିଲେ । ବିବାହ ପ୍ରସ୍ତାବଯାକ ନାସ୍ତି କରିଦେଇ ସୁସ୍ଥ ଗୃହସ୍ଥ ନ ହୋଇ ବୁଲିଥିଲେ ଉଡ଼େଇଥିଲେ ପ୍ରଚୁର, ତା’ପରେ ଘରକୁ ଫେରି ଓକିଲାତି ପଢ଼ାରେ ନାଁ ଲେଖାଇ ଦେଢ଼ବର୍ଷ ପଢ଼ା ସମୟରେ ଚନ୍ଦ୍ରିକାବାବୁଙ୍କ ଅନିଚ୍ଛାସତ୍ତ୍ୱେ ଯେତେବେଳେ ଚନ୍ଦ୍ରିକାବାବୁଙ୍କ ମନରେ ଗୋଟାଏ ନୂଆ ବିଶ୍ୱାସ ତିଆରିହେବା ଲାଗିଥିଲା ଯେ ବଦ୍ରି ପରି ସବୁକାମକୁ ଅପଦାର୍ଥ ଯୁବକ ବି ଓକିଲାତି ପରି ବିଦ୍ୱାନ୍ ବେଉଷାର ଝୁଙ୍କ ଲାଗିଗଲେ ଭବିଷ୍ୟତରେ କେଜାଣି କିଛି ହୋଇପାରେ ଓ ବୋଉ ପୁଅ ମନରେ ଦାୟିତ୍ୱଜ୍ଞାନର କିଳା ପୋତିଦେବା ଅଭିପ୍ରାୟରେ କଥା କଥାରେ ସତୀକୁ ଉପଲକ୍ଷ କରି ବଦ୍ରି ଥିଲାବେଳେ ଆରମ୍ଭ କରୁଥିଲେ–‘‘ସୁଧାନିଧିବାବୁଙ୍କ ଝିଅ ସ୍ନେହଟି ଭାରି ଶାନ୍ତ ପିଲାଟିଏ, ନୁହେଁ ଲୋ ସତୀ ! କଲେଜରେ ତୋ ତଳ କ୍ଲାସରେ ତ ପଢ଼ୁଥିଲା । କେମିତି ଘର ଦେଖ୍, ଏଡ଼େ ଭଲରେ ବି.ଏ. ପାଶ୍ କଲା, ଆଉ ଏମ୍.ଏ. କ’ଣ ପଢ଼ିପାରି ନ ଥାନ୍ତା ? ନା, ତାଙ୍କ ଘର କହିଲେ ପାଠପଢ଼ାରେ ବି.ଏ. ପାଶ୍ ଉତ୍ତାରୁ ଏଥର ଘରକରଣାରେ ଏମ୍.ଏ. ପାଶ୍ ଦରକାର । ଗୁଡ଼ାଏ ଛୁଆ, ମା’ର ତ ପ୍ରାଣ ଯାଉଚି କି ଯାଉଚି, ଏକା ସ୍ନେହ ଏଡ଼େ ବଡ଼ ଘର ସମ୍ଭାଳିଛି, କମି କଥା ?’’

 

ସେତେବେଳେ ବାପା ବୋଉଙ୍କୁ ପାନେ ଦେବା ମତ୍‍ଲବରେ ବଦ୍ରିକାବାବୁ ନିଶ୍ଚୟ ଗୁପ୍ତରେ ଛୁରୀ ପଜୋଉଥିଲେ ।

 

ହଠାତ୍ ନିଜେ ସେ ଆତ୍ମପ୍ରକାଶ କଲେ, କାହାରିକି ନ ପଚାରି ଅସବର୍ଣ୍ଣ ବିବାହ । ପାନରା ଘର ଝିଅ, ଶଶୁର ଖୁବ୍ ଧନୀ ପାନ ବ୍ୟବସାୟୀ । ଖବରକାଗଜ ଜରିଆରେ ସମସ୍ତିଙ୍କି ନିମନ୍ତ୍ରଣ । କଥାଟା ଖଣ୍ଡେ ହେଲା, ହେବାର ବି କଥା, କାରଣ ଝିଅ ବିଭାଘରର ଏହି ଶୁଭ ଉପଲକ୍ଷରେ ଅଭିପାନରା କେବଳ ଦୁଃଖୀ ରଙ୍କିଙ୍କି ପାଞ୍ଚଦିନ ଖୁଆଇ ନିରସ୍ତ ହେଲେ ନାହିଁ, ବଡ଼ବଡ଼ ଲୋକହିତକର ଅନୁଷ୍ଠାନ ବହୁତ ବହୁତ ଟଙ୍କା ଦାନ ପାଇଥିଲେ, ସେ କଥା ବି ଖବର କାଗଜ ଛାପିଲା ।

 

ସେଦିନୁ ଭାଇ ସେ ସହରରେ, ଶଶୁରଘରେ ଜୋଇଁ । ଚାହୁଁ ଚାହୁଁ ପାଞ୍ଚବର୍ଷ ହୋଇଗଲା ତାଙ୍କ ଓକିଲ ଜୀବନ, ଯଦିଚ ତାଙ୍କ ପକ୍ଷରେ ବୃତ୍ତି ବି ଅନାବଶ୍ୟକ ।

 

ପୂର୍ବପୁରୁଷଙ୍କ ବନ୍ଧନର ଡୋରି ଛିଣ୍ଡେଇ ଘରର ଏରୁଣ୍ଡି ଡେଇଁ ଆପଣା ପରିବାରଙ୍କୁ ଚାକିରିଗାଁକୁ ଘେନି ଚାଲି ଆସିଥିଲେ ଦିନେ ଚନ୍ଦ୍ରିକାପ୍ରସାଦ । ଚଦ୍ରିକାପ୍ରସାଦ ବି ପୁରୁଣା ଡୋରି କାଟି ଚାଲିଗଲେ, ଆହୁରି ଭଲ କରି କାଟିଲେ, ସେଦିନୁ ଏ ଘରେ ଖାଲି ବାପ, ମା, ସତୀ । ବାପା ହେଲେ ମୂକ ଚାକିରିଆ, ମା ନୀରବ ଗୃହିଣୀ, କାନ୍ଦଣାର ଧାର ବି ଶୁଖିଯାଇଛି, ଏଘରେ ଅଭିପାନରାଙ୍କ ନାଁ ପଡ଼େନାହିଁ ।

 

ଏହିପରି ଦିନେ । ବାପାଙ୍କୁ ପାଞ୍ଚଦିନ ହେଲା ସାମାନ୍ୟ ଜର ହେଉଥାଏ । ଔଷଧ କଥା କହିଲେ ସେ ହସି ଉଡ଼େଇ ଦିଅନ୍ତି, କହନ୍ତି କିବା କଥା ଯେ ବଳେ ଛାଡ଼ିଯିବ ନାହିଁକି ? ଶୀତଦିନ, ଅନ୍ଧାର ରାତି । ଅଧରାତି ଟପିଯାଇଥାଏ । ହଠାତ୍ ବୋଉର ଚିତ୍କାରରେ ସତୀର ନିଦ ଭାଙ୍ଗିଗଲା । ଇଲୋ ମୁଁ କ’ଣ କରିବି ଲୋ, କୁଆଡ଼େ ଯିବିଲୋ, ଇଲୋ ସତୀ । ଏମିତି କ’ଣ ହେଇଯାଉଚନ୍ତି । ଲୋ ! ସତେତ ! ବେକଟା ନଡ଼ନଡ଼ ହୋଇ ଭାଙ୍ଗିପଡ଼ୁଛି ଯେମିତି । ମୁହଁର ଠାଣି ଆଉ ପ୍ରକାରେ । ଆଖି ବୁଜି ହୋଇଛି । ଅନ୍ଧାରକୁ ଥରେଇ ଥରେଇ ତାଳରେ ତାଳରେ ରହି ରହିକା ଗୋଟାଏ ବିକଟ ହୁଙ୍କାରର ରକ୍ତ-ପାଣିକରା ରାଗିଣୀ । ପାଟି କରରୁ ଧୀରେ ଧୀରେ କ’ଣ ପାଣି ନିଗିଡ଼ି ପଡ଼ୁଛି । ପାଦରୁ ଝାଳ ଛୁଟିଛି । ହାତଗୋଡ଼ କାକର କଦୁଆ ଅବଶ । ପେଟରୁ ତଣ୍ଟିଯାକେ କ’ଣ ଏକପ୍ରକାର ଆଲୋଡ଼ନ ଲାଗିରହିଛି । ବାପା, ବାପା । ହଇଓ, ଶୁଣୁଚ । ଇଲୋ ମୁଁ କୁଆଡ଼େ ଯିବି ଲୋ । ବୋଉ ଢୁ ଢୁ କରି ମୁଣ୍ଡ ବାଡ଼େଇ ବାଡ଼େଇ ହାଉଳି ହୋଇ କାନ୍ଦୁଚି । ଆପଣା ଅଜ୍ଞାତରେ ସତୀ ବି ବାପା ବାପା କହି ବଡ଼ ପାଟିରେ ଚିତ୍କାର କରି କାନ୍ଦିଲାଣି, ଆଉ କିଛି ମନେ ନାହିଁ, କେବଳ ସେ ସ୍ତ୍ରୀଲୋକ, ବାପର ଝିଅ । ଥରେ ରୋଗୀ ପାଖକୁ, ଥରେ ଏପାଖକୁ ସେପାଖକୁ ଧାଇଁ ଧାଇଁ ସେମାନେ କାନ୍ଦୁଛନ୍ତି । ଜନ୍ତୁର ଛୁଆପରି ବୋବେଇ ବୋବେଇ କୁଦାମାରି ଚାକର ଟୋକା ରଘୁଆ ଘର ଭିତରୁ ପଦାକୁ ଧାଇଁ ଯାଇଛି ।

 

ଅଳ୍ପ ସମୟ ଭିତରେ ପ୍ରକାଣ୍ଡ ଏକ ଓଭର୍ କୋଟ୍ ଗଳେଇ ରଘୁଆ ସାଙ୍ଗରେ ଘର ଭିତରକୁ ପଶିଆସିଲେ ଜଣେ ଅଚିହ୍ନା ଲୋକ–

 

–‘‘ମୁଁ ସମୀର୍ । ହେଇ ସେପାଖେ ମୋର ବସାଟା । ଡାକ୍ତରବାବୁଙ୍କୁ ଫୋନ୍ କରି ଦେଇଛି, ସେ କହିଲେ ସେ ଆସୁଛନ୍ତି । ବ୍ୟସ୍ତ ହେଉଛନ୍ତି କାହିଁକି ? କ’ଣ ହୋଇଛି ?’’

 

ଅଚିହ୍ନା ଲୋକକୁ ଚାହିଁରହି ଥଫକିନା ଚିତ୍କାର ବନ୍ଦ ହୋଇଗଲା ଏକ ମିନିଟ୍, ସେଇ ଯଥେଷ୍ଟ, ସମୀର୍ ଆଗେଇ ଗଲେ । ‘‘ଦେଖେଁ ।’’ ଦେଖିବାକୁ କିଛି ନାହିଁ । ରୋଗୀର ମୁଣ୍ଡ ତକିଆରୁ ତଳକୁ ଗଡ଼ିପଡ଼ିଲା, ଗଣ୍ଡିସଙ୍ଗରେ ଯେପରିକି ୬୫ ଡିଗ୍ରୀର କୋଣ । ପାଟିରୁ କଳା କଳା ପାଣି ବୋହିପଡ଼ୁଛି । ଘୁମୁରିବା ବନ୍ଦ ହୋଇ ତଣ୍ଟିରେ କ’ଣ ଅପ୍ରାକୃତ ଘଡ଼ ଘଡ଼ ଚଡ଼ ଚଡ଼, ରେଡ଼ିଓର ପ୍ରକାଶିକା ଯନ୍ତ୍ରବାଟେ ନିଃଶେଷିତ ବ୍ୟାଟେରିର ଚଡ଼ ଚଡ଼ ଶବ୍ଦପରି । ହଠାତ୍ ରୋଗୀ ଆଖି ଖୋଲିଦେଲା, ମାଛ ଆଖିପରି ସ୍ଥିର ଆଖି, ଡୋଳା ଉପରକୁ ଖୋସିହୋଇ ରହିଛି । କେଉଁ ଅବସରରେ ଆଖି କଣବାଟେ ଲୁହ ଦିଟୋପା, ତା’ପରେ ମାଛର ଆଖି, ମଣିଷର ନୁହେଁ । କିନ୍ତୁ ପୁଷ୍ପମୟୀ ଦେଖି ନାହାନ୍ତି । ବିଛଣାର ଗୋଡ଼ପାଖେ ମୁଣ୍ଡକୋଡ଼ୁଛନ୍ତି ।

 

ସମୀର୍‍ବାବୁ ଗମ୍ଭୀର ହୋଇ ଠିଆ ହୋଇ ରହିଛନ୍ତି, ଘଡ଼ ଘଡ଼ ଶବ୍ଦ ବନ୍ଦ ହେଲା । ରୋଗୀ ଦେହରେ ହାତ ମାରିଲେ–କାଲୁଆ କାଦୁଆ, ନାଡ଼ି ଚିପିଲେ, ହାତ କାଢ଼ିଆଣିଲେ ।

 

ଇଲେକ୍‍ଟ୍ରିକ ଶକ୍ ମାରିଲା ପରି ପଛଆଡ଼ୁ ସତୀର ପ୍ରଶ୍ନ,–‘‘କ’ଣ ଦେଖିଲେ ?’’ ସମୀର୍‍ବାବୁ ନିରୁତ୍ତର । ‘‘କହନ୍ତୁ କ’ଣ ଦେଖିଲେ ? କ’ଣ ଦେଖିଲେ ?’’ ଖୁଣ୍ଟଠୁ ଉତ୍ତର ନାହିଁ । ଖୁଣ୍ଟ ଅନୁଭବ କରୁଛି ଏସବୁ ମିଛ, ଏସବୁ ଅବାସ୍ତବ । ବିଛଣା ଉପରେ ବଙ୍କା ବେକ ବଙ୍କା ମୁହଁ ମେଲା ଆଖି ଗୋଟିଏ ରୋଗୀ, ଯେ ଆଉ ରୋଗୀ ନୁହେଁ । ଡେଉଁଛି, ବୋବାଉଛି, ତଳେ ଗଡ଼ୁଛି, ଛଟପଟ ହେଉଛି, ପୁଣି ଠିଆ ହେଉଛି, ବାହୁନୁଛି–ଜଣେ ପ୍ରୌଢ଼ା, ସେ ବି ଦିଶୁନାହିଁ ମଣିଷପରି । ଗୁମ୍ ହୋଇ ଠିଆହୋଇଛି ଗୋଟାଏ ଯୁବତୀ, ଏହି ଦୃଶ୍ୟ ସହିତ ଆଉଟି ହୋଇଯାଇଛି, ସେ ବି ଅସମ୍ଭବ, ଅବାସ୍ତବ, ଆଉ ସେହିପରି ଏ ରାତି, ଏ ବେଳା ଆଉ ସେ ନିଜେ !

 

ହଠାତ୍ ନିଜ ଚେତନା ଭିତରେ ବାଜିଉଠୁଛି ବାସ୍ତବତାର ଦୁନ୍ଦୁଭି, କ’ଣ ହୋଇଯାଉଛି ସେ ଯୁବତୀର, ତାଳୁଠୁ ତଳିପାଯାକେ କମ୍ପି କମ୍ପି ଥରିଉଠୁଛି ପ୍ରବଳ ବେଗରେ, ତୁଣ୍ଡରୁ ଫମ୍ପା ସ୍ୱରରେ କ’ଣ ଗୋଟାଏ ଶବ୍ଦ ବାହାରୁଛି, ବାରି ହେଉ ନାହିଁ । ବଡ଼ ବଡ଼ ଆଖି, ଅସ୍ୱାଭାବିକ ମୁହଁ, ଥରି ଥରି ସେ ଦୋହଲି ଯାଉଛି, କ’ଣ ହେଲା ତା’ର ? ପଡ଼ିଯିବ ନାହିଁ ତ ?

 

‘‘ଏ କ’ଣ ? ଆପଣ ଏପରି କାହିଁକି ହେଉଛନ୍ତି !’’ ଚାରି ପାହୁଣ୍ଡରେ ପାଖକୁ ଚାଲିଲାବେଳକୁ ସତୀ ଥରି ଥରି ଟଳ ଟଳ ହୋଇ ଦୋହଲିଉଠୁଛି ଏକର ସେକର । ‘‘ସ୍ଥିର ହୁଅନ୍ତୁ, ଏ କ’ଣ ?’’

 

ଥଳକାଳ ଭୁଲି ସମୀର୍‍ବାବୁ ଦୁଇ ହାତ ବଢ଼ାଇ ସତୀକୁ କୁଣ୍ଢେଇ ଧଇଲେ । ତାଙ୍କର କାନ୍ଧଉପରେ ଏକର ସେକର ବେକ ହଲେଇ ହଲେଇ ଆଖି ବୁଜିଦେଇ ସଁ ସଁ ହୋଇ ସତୀ ଯେପରିକି ଧୀରେ ଧୀରେ ମନ୍ତ୍ର ପଢ଼ୁଛି,–‘‘ବାପା–ବାପା–ବାପା–’’

 

ଦୃଢ଼ରୁ ଦୃଢ଼ତର ହେଲା ବନ୍ଧନ ।

 

ଅଧ ଅଧ ସ୍ମରଣରେ ସତୀର ମନେପଡ଼େ ସେହି ପହିଲି ପରିଚୟ–ଯେତେବେଳେ ଶୋକରେ ତା’ର ଅନ୍ତର ମେଲାହୋଇପଡ଼ିଛି, ଲୋକଦେଖାଣିଆଁ ବ୍ୟବହାରର ବର୍ମ ନାହିଁ, ସେତେବେଳେ ଅତି ଗହନକୁ ସଞ୍ଚରି ଯାଉଛି ଜଣକର ସ୍ପର୍ଶ, ପୁରୁଷ ପଣରେ ସାନ୍ତ୍ୱନା ଦେଉଛି, ଆଶ୍ରା ଦେଉଛି, ଇଛା ହେଉଛି ବାରମ୍ବାର ସେହି ସାହାଯ୍ୟ ଘେନିବାକୁ । ମନେପଡ଼େ, ସେ ଅନାଡ଼ି ଆଙ୍ଗୁଠିରେ ବ୍ଳାଉଜ୍‍ର ବୋତାମ ଫିଟେଇ ଦେଇଥିଲେ, ଲୁଗାର ଖୋଷଣି ଫିଟେଇ ଦେଇଥିଲେ, ଧୀରେ ପାଖ ଖଟ ଉପରେ ଶୁଆଇ ଦେହ ମୁହଁରେ ପାଣି ଛାଟି ଛାଟି ଆଶ୍ଚର୍ଯ୍ୟ ହୋଇ ଅନେଇଁ ରହି ବିଞ୍ଚିଦେଇଥିଲେ ।

 

ଆଉ ସେପାଖ ଖଟ ଉପରେ ବାପାଙ୍କ ଶବ, ତାହାରି ଉପରେ ଲୋଟିପଡ଼ି ବୋଉ ଚିତ୍କାର କରି କାନ୍ଦୁଛି ।

 

ହଠାତ୍ ସତୀ ଉଠିପଡ଼ିଥିଲା, ସେହିପରି ଆଲୁଳାୟିତା ଅବସ୍ଥାରେ ବାପା ବାପା ଡାକି ଧାଇଁ ଯାଇଥିଲା ବୋଉ ପାଖକୁ । ସମୀର୍‍ବାବୁ ଭିତରକୁ ଚାହିଁ ଚାହିଁ ଧୀରେ ଧୀରେ ପଦା ବାରଣ୍ଡାରେ ଯାଇ ଠିଆ ହୋଇ ରହିଥିଲେ ।

 

ଅଳ୍ପ ସମୟ ଭିତରେ ଡାକ୍ତରବାବୁ ଆସିଲେ, ସେହି କାନ୍ଦଣାର ପରଦା ଭେଦି ଗମ୍ଭୀର ମୁହଁ କରି ତଥାପି ଯାଇ ଶବକୁ ରୋଗୀ ଦେଖିଲାପରି ପରୀକ୍ଷା କରିଥିଲେ, ଗୋଟାଏ ଇଞ୍ଜେକ୍‍ସନ୍ ବି ଫୋଡ଼ିଦେଇ ସମସ୍ତିଙ୍କର ଆଶା ତେଜି ଦେଇଥିଲେ । ମନେପଡ଼େ, ଡାକ୍ତରବାବୁ ମୁହଁରେ ହାତମାରି ସମସ୍ତିଙ୍କି ତୁନି ରହିବାକୁ ନିର୍ଦ୍ଦେଶ ଦେଉଥାନ୍ତି, ସମସ୍ତେ ନିଶ୍ୱାସ ଅଟକାଇ ଚାହିଁ ରହିଛନ୍ତି ରୋଗୀମୁହଁକୁ । ଦୁଇ ମିନିଟ୍–ପାଞ୍ଚ ମିନିଟ୍–ଦଶ ମିନିଟ୍ । ଡାକ୍ତରବାବୁ ରୋଗୀର ଛାତି ପରୀକ୍ଷା କଲେ, ନାଡ଼ି ଦେଖିଲେ । ତା’ପରେ ଉଠି ପଡ଼ିଲେ । ବ୍ୟାଗ୍‍ଟି ଧରି ଗମ୍ଭୀର ହୋଇ ପଦାକୁ ଚାଲିଗଲେ । ପଛେ ପଛେ ଗଲେ ସମୀର୍‍ବାବୁ ।

 

ଏ କଣ୍ ହେଲା ! କେହି କିଛି କହିଗଲେ ନାହିଁ ଯେ !

 

କିନ୍ତୁ ସମୀର୍‍ବାବୁ ଫେରି ଆସିଲେ । ହାତଠାରି ସତୀକୁ ପଦାକୁ ଡାକିଆଣିଲେ । କହିଲେ–‘‘ବର୍ତ୍ତମାନ ବାଜିଛି ଦେଢ଼ଟା । ଆପଣମାନଙ୍କର କେହି ବନ୍ଧୁବାନ୍ଧବ ଅଛନ୍ତି ଏ ସହରରେ, ଯାହାଙ୍କୁ ଡକାଯାଇ ପାରିବ ?’’

 

‘‘କାହିଁକି ?’’ ଆର୍ତ୍ତ ଚିତ୍କାର କରି ଆସୁଥିଲା ସତୀ, ଅନୁଭବ କଲା ତା’ର ପାଟିପାଖେ ତାଙ୍କର ପାପୁଲି ।

 

‘‘ଧୀରେ’’–ସେ କହିଲେ, ‘‘ଏମିତି ଅଥୟ ହେଲେ ଆଉ କ’ଣ ବାପା ଫେରିଆସିବେ ?’’

 

‘‘ଓଃ–’’

 

‘‘ସେମିତି ହଉନ୍ତୁ ନାହିଁ । ଦେଖୁନାହାନ୍ତି ଆପଣଙ୍କ ବୋଉଙ୍କ ଅବସ୍ଥା ? ଆପଣ ଯଦି ଛାତିକି ପଥର ନ କରିବେ କିଏ ତାଙ୍କୁ ସମ୍ଭାଳିବ ? କିଏ ତାଙ୍କୁ ବୋଧଶୋଧ ଦେବ ? କାନ୍ଦିବେ ତ-? ଥୟ ଧରନ୍ତୁ, ପରେ ବହୁତ ବେଳ ପାଇବେ । ବର୍ତ୍ତମାନ ଉପସ୍ଥିତ କର୍ତ୍ତବ୍ୟ ସତ୍କାର । ଆପଣ ଏଠି ଜଗି ରହନ୍ତୁ, ମୁଁ ତା’ର ବ୍ୟବସ୍ଥା କରେଁ ।’’

 

ସତୀ କଇଁ କଇଁ ହୋଇ କାନ୍ଦି ଉଠିଲା, ଘର ଭିତରୁ ଦିଶୁଛି, ପୁଷ୍ପମୟୀ ତଳେ ମୁହଁମାଡ଼ି ଲୋଟିପଡ଼ିଛନ୍ତି, ବାହାରୁଛି କେତେଗୁଡ଼ାଏ ବିଷ୍ଫୋରଣରେ ତାଙ୍କର ଶୋକ । ପଦାରେ ଠିଆ ଠିଆ ସତୀ ଭାଙ୍ଗିପଡ଼ିବାକୁ ଚାହେଁ, ମୁଣ୍ଡରେ କାନ୍ଧରେ କାହାର ସସ୍ନେହ ସ୍ପର୍ଶ, କାହାର କାନ୍ଧ ଉପରେ ଦେହ ଭରାଦେଇ ସେ ତା’ର ଦୁଃଖର ଘଟ ଅଜାଡ଼ି ଦେଉଛି, ସମୀର୍‍ବାବୁ କାନ୍ଦ କାନ୍ଦ ହୋଇ ତା’ର କାନପାଖେ କହୁଛନ୍ତି–

 

‘‘ଆପଣ ଏମିତି ହେଲେ ଆପଣଙ୍କୁ କାହାପାଖେ ଛାଡ଼ିଦେଇ ସତ୍କାର ବ୍ୟବସ୍ଥା କରିବାକୁ ଯିବି କହିଲେ ? ମୋ ରାଣ ପକାନ୍ତୁ, ତୁନି ହେବେ ତ ? ମନେରଖନ୍ତୁ, ଏ ବିଦେଶ, ଟାଣ ହେବାକୁ ପଡ଼ିବ ।’’

 

ସମୀର୍‍ବାବୁ ବାହାରି ଚାଲିଗଲେ ।

 

ସତୀ ଗଲା ବୋଉକୁ ବୁଝେଇବାକୁ ।

 

ଚିହ୍ନା ନାହିଁ, ଜଣା ନାହିଁ, ଶବଟାକୁ ଅନେଇଁ କଇଁ ରୋକୁ ରୋକୁ ମନେପଡ଼ିଲା, ସମୀର୍‍ବାବୁ କହିଯାଇଛନ୍ତି ସେ ଆସିବେ, ନିଶ୍ଚୟ ଆସିବେ ।

 

ମନେପଡ଼େ ସବୁ । ସମୀର୍‍ବାବୁ କହିଲେ ମନେପଡ଼େ ମୃତ୍ୟୁର ପଟ୍ଟଭୂମି, ମୃତ୍ୟୁର ବିଭୀଷିକା ପୁଣି ମୃତ୍ୟୁର ଅଟଳପଣ । ରକ୍ତ ଭିତରେ ସେ ସମ୍ବନ୍ଧରେ ସ୍ଥିରତା, କାଟି ହୋଇନାହିଁ । ନିରୀହ ଲୋକ ସେ ନିଶ୍ଚୟ, କିଛି ମାଗି ନାହାନ୍ତି, ଦେଇଛନ୍ତି ସବୁ, ତାଙ୍କର ଧନ, ତାଙ୍କର ସମୟ ଓ ସେବା । ସତୀର କିଛି ମଙ୍ଗଳ କରିବା, ସତୀକୁ ଆନନ୍ଦ ଦେବା ଏହାହିଁ ଯେପରିକି ତାଙ୍କର ନୂଆ ବୃତ୍ତି । ସେ ପାଖକୁ ଆସି ଗୁରେଇ ତୁରେଇ ହେବାକୁ ଚାହିଁ ନାହାଁନ୍ତି; ବରଂ ଦୂରେଇ ରହି ଖବର ବୁଝିଛନ୍ତି । ହୁଏତ ସେତିକି ହେଲା କାଳ, କାରଣ ସତୀ ଆଖିରେ ସେ ହେଲେ ଗୋଟାଏ ବିସ୍ମୟ ।

 

ଆଉ ସତୀ ଆଖିରେ ଯେ ଦିଶେ ବିସ୍ମୟପରି ସତୀ ତାକୁ ଫୋଡ଼ି ଫୁଟେଇ ଦେଖିବାକୁ ମନବଳାଏ, ଏଠି ବି ତହିଁରୁ ବ୍ୟତିକ୍ରମ ହେଲା ନାହିଁ ।

‘‘ୟା ପରେ ଆପଣମାନେ କରିବେ କ’ଣ ?’’

‘‘କିଛି ନାହିଁ ।’’ ସଂକ୍ଷେପରେ ସତୀ ଉତ୍ତର ଦେଲା । ବାପା ମରିବାର ମାସେ ବିତିଯାଇଛି । ଦିନ ଏପରି ବି ବଞ୍ଚିହୁଏ, ସତୀର ନୂଆ ଅନୁଭୂତି ସବୁ ସତେକି ସ୍ୱପ୍ନପରି । ଜୀବନ ସ୍ୱପ୍ନ, ମରଣ ସ୍ୱପ୍ନ, ଆଖି ଖୋଲି ଅନେଇଁ ରହିଲେ ବି କିଛି ଦେଖିପାରୁନାହିଁ, ଯାହା କରୁଛି କାଠପିତୁଳା ପରି, କିଛି ନ କରି ବସିରହି ଭାବିଲା ବେଳକୁ ଚହଲି ଚହଲିକା ଜୀଅନ୍ତାପରି ଅତୀତଟା ଆଖି ଆଗକୁ ଆସୁଛି, ଏଇତ, ବାପା ବଞ୍ଚିଛନ୍ତି, ଏଇ ଘରେ ସେ ରହନ୍ତି, କୁଟୁମ୍ବ ପୋଷନ୍ତି, ଅଫିସବେଳ ହେଲା, ଏଥର ସେ ଯିବେ । ଦେ ସତୀ ମୋ କୋଟ୍‍ଟା । ଆରେ ଜୋତାଯୋଡ଼ାକ କାହିଁଗଲା । ସବୁଦିନେ ମନା କରୁଚି ସତୀ, ତୁମେସବୁ ଚଞ୍ଚଳ ଖାଇନେଇ ଟିକିଏ ବିଶ୍ରାମ କରିବ, ଉଦୁଉଦିଆ ଦି’ପହରେ ନିଆଁ ପାଖେ ବସି ଜଳଖିଆ ତିଆରି କରିବା ଆଦୌ ଦରକାର ନାହିଁ । କାନରେ ବାଜିଯାଉଛି ତାଙ୍କ ସ୍ୱତନ୍ତ୍ର ଚାଲିର ଜୋତା ଶବ୍ଦ । ଧୀରେ ଧୀରେ ମିଳେଇ ଯାଉଛି । ଫେରିବେ ଠିକ୍ ପାଞ୍ଚଟା ବେଳେ । ଆଜି ପୁଣି କ’ଣ ଆଣିବେ ? କ’ଣ ନୂଆ ବହି-? ବାପା ଆଧୁନିକ ଉପନ୍ୟାସ ଭଲ ପାଆନ୍ତି । ହେଇ ସେଦିନ ଚର୍ଚ୍ଚାପଡ଼ିଥିଲା ଜଣେ ନୂଆ ଲେଖକଙ୍କ ବିଷୟରେ । ହୁଏତ ତାଙ୍କରି ବହି ଆଣିବେ । ଶୀତଦିନ ଆସୁଛି, ବାପାଙ୍କପାଇଁ ଖଣ୍ଡେ ନୂଆ ମଫ୍‍ଲର୍ ବୁଣିବାକୁ ହେବ ।

‘‘ୟାପରେ ଆପଣମାନେ କରିବେ କ’ଣ ?’’ ସମୀର୍‍ବାବୁ ପଚାରୁଛନ୍ତି, ‘‘କିଛି ନାହିଁ କହିଦେଲେ କ’ଣ ସମସ୍ୟାର ସମାଧାନ ହୋଇଯିବ ?’’ ଉଦାସ ଆଖିରେ ସତୀ ଅନେଇଁ ରହିଛି । ସମସ୍ୟାର ସମାଧାନ–ସମସ୍ୟାର ସମାଧାନ,–ସବୁବେଳେ ଏଇ ଦି’ପଦ ତାଙ୍କ ତୁଣ୍ଡେ ତୁଣ୍ଡେ । କି ସମାଧାନ ଚାହାନ୍ତି ସମୀର୍‍ବାବୁ ?

‘‘ହେଇ, ମତେ ଅନାନ୍ତୁ, ମୁଁ ପ୍ରବୀଣ ଲୋକ– ।’’

ଦୁଃଖରେ ବି ହସମାଡ଼େ ।

‘‘ମୁଁ ପ୍ରବୀଣ ଲୋକ । ମୁଁ ଟିକିଏ ଟିକିଏ ଜାଣେ ସଂସାର କ’ଣ ।’’

‘‘ସତେ ?’’

‘‘ଭଲପଣର ଆଦର ନାହିଁ, ମଣିଷ ଭିତରେ ବାଘରଜା, ଆଜିକା ସମାଜରେ ବି ଚାଲେ ମାକିଆଭେଲିଙ୍କ ସୂତ୍ର, ବ୍ୟବହାରରେ ଆଜି ବି ଉପାଦେୟ ଚାଣକ୍ୟ ନୀତି, ଦୁଃଖକୁ ଆଶ୍ରା କରି ପଡ଼ିରହିଥିଲେ ଦୁଃଖ ବଢ଼େ ସିନା, ଆଉ କିଛି ହୁଏ ନାହିଁ ।’’

‘‘ତେବେ ?’’ ସତୀ ପଚାରିଲା ।

‘‘ସେହି କଥା ତ ମୁଁ ଭାବୁଛି । ଆପଣଙ୍କ ଭାଇ ଆସିଥିଲେ । ବାପାଙ୍କ ମୃତ୍ୟୁରେ ତାଙ୍କର ଶୋକ ଆପଣମାନଙ୍କ ଶୋକଠୁଁ କମ୍ ନୁହେଁ । ଏକଥା ଆପଣମାନେ ସ୍ୱୀକାର ବି କଲେ ନାହିଁ । ଏଣିକି ଆପଣମାନଙ୍କ ଭଲମନ୍ଦ ତୁଲେଇବା ତାଙ୍କର ଦାୟିତ୍ୱ, ଏକଥା କାନରେ ପକେଇଲେ ନାହିଁ । ସେ ସଂସ୍ଥିତିମନ୍ତ ଲୋକ ।’’

 

‘‘ଅଭିପାନରାଙ୍କ ଜୋଇଁ–’’

 

‘‘ହଁ, ଅଭିପାନରାଙ୍କ ଜୋଇଁ, କିନ୍ତୁ ସେଥିରେ କ’ଣ ଯାଏ ଆସେ ?’’

 

‘‘ବହୁତ ।’’

 

ସମୀର୍‍ବାବୁ ଦୀର୍ଘଶ୍ୱାସ ପକେଇଲେ । ସମସ୍ୟାର ସମାଧାନ ହେଲା ନାହିଁ, ବାରେଣ୍ଡାରେ ତରତର ହୋଇ ଚାଲିଲେ ଏକର ସେକର । ଅଟକିଯାଇ କହିଲେ–

 

‘‘ଗାଁରୁ ବି ବୁଢ଼ା ଦି’ଜଣ ଆସିଥିଲେ । ଯଦି ଗାଁକୁ ଯାଇଥାନ୍ତେ ତେବେ ବି–’’

 

‘‘ଅସମ୍ଭବ ।’’

 

ସମୀର୍‍ବାବୁ ଚାଲିଗଲେ, କହିଗଲେ, ଆରଓଳି ଆସିବେ । ସେଥିରେ ସେ ତ୍ରୁଟି କରନ୍ତି ନାହିଁ ।

 

ସମୀର୍‍ବାବୁ, ସେ ବି ସ୍ୱପ୍ନ ଭିତରେ ସ୍ୱପ୍ନ ।

 

ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ମହାସମାରୋହରେ ହୋଇଥିଲା । ସବୁ ବଳକା, ସବୁଠି ସମୀର୍‍ବାବୁ, ଖର୍ଚ୍ଚ କଥା କେହି ଉଠେଇ ନାହିଁ, ଯାହା ଦରକାର ତା’ ଆସୁଛି । ଯେଉଁମାନେ କାର୍‍ପର୍‍ଦାର୍ ସେମାନେ କାମ କରୁଛନ୍ତି, କାହାରିକି ପଚରାଯିବାକୁ ତର ନାହିଁ କି ସୁବିଧା ନାହିଁ ଖର୍ଚ୍ଚ ହେଉଛି କିପରି । ତର ଆସିଲା ଥରେ, ଯେତେବେଳେ ସମୀର୍‍ବାବୁ ଚୁପ୍‍ଚାପ୍ ପାଞ୍ଚଶ ଟଙ୍କାର ନୋଟ୍ ପୁଷ୍ପମୟୀଙ୍କି ବଢ଼େଇଦେଇ କହିଲେ,–‘‘ଏତକ ରଖିଥାନ୍ତୁ, ଦରକାର ଥିବ ।’’ ପୁଷ୍ପମୟୀ ସାନ ଆଁ କରି ସମୀର୍‍ବାବୁଙ୍କୁ ଅନେଇଁ ରହିଲେ । ସତୀ ବି ଦେଖିଲା,–ଥିଏଟର୍ ନୁହେଁ ଉପନ୍ୟାସ ନୁହେଁ, ବାସ୍ତବ ଦୁନିଆଁରେ, ଯେଉଁଠି ଆପଣାର ଲୋକ ପଇସାଟିଏ ଦେବା ପୂର୍ବରୁ ପାଞ୍ଚଥର ଭାବେ, ସେଠି ମାସକର ଚିହ୍ନା କେହିନୁହେଁ ଜଣେ ବାହାରିଆ ଲୋକ ବିନା କାରଣରେ ବଢ଼େଇ ଧରିଛନ୍ତି ପାଞ୍ଚଶହ ଟଙ୍କା । ଅତି ନମ୍ର ବିନୀତ ତାଙ୍କର ଭଙ୍ଗୀ, ସତେ ଅବା ସୁଧ କାଟିଦେଇ ମୂଳେ ମୂଳେ ନିଷ୍କୃତି ଦେବାକୁ ମାହାଜନ ପାଖେ ଅଳି କରୁଛନ୍ତି ।

 

ଚାଉଁକରି ଦେହକୁ ଲାଗିଥିଲା, କେବଳ ଏତିକି ନୁହେଁ, ଶୁଦ୍ଧିଘରକୁ ଦି’ହଜାର ଖର୍ଚ୍ଚ ହୋଇଥିବ, ସବୁ ତ କରିଛନ୍ତି ଏହି ସମୀର୍‍ବାବୁ, କେବେ ଏ କଥାର ବୁଝାଶୁଝା ହେବ ?

 

ବୋଉ ଆପତ୍ତି କରିଥିଲା,-‘‘ଥାଉ ବାପା, କ’ଣ ହେବ ?’’

 

‘‘ମତେ ଆପଣ ପରବୋଲି ଭାବୁଛନ୍ତି । କିନ୍ତୁ ଉଧାର ନେଲେ କିଛି ଆପତ୍ତି ଅଛି ? ନାହିଁ କରନ୍ତୁ ନାହିଁ, ମତେ ବଡ଼ କଷ୍ଟ ଲାଗୁଛି ।’’

 

ସତୀ ମୁହଁ ଲୁଚେଇ ପଦାକୁ ଧାଇଁଯାଇଥିଲା । ଏକୁଟିଆ ବାରେଣ୍ଡା କଣରେ ଠିଆହୋଇ ଅନ୍ଧାରକୁ ମୁହଁ ଡେରି ଅନୁଭବ କରିଥିଲା–ବାପା ନାହାନ୍ତି । ସମୀର୍‍ବାବୁଙ୍କ ଅଯାଚିତ ସାହାଯ୍ୟ ମନେ ପକେଇ ଦେଇଥିଲା ତା’ର ନିଃସହାୟ ଫାଙ୍କାପଣ ।

 

ସେହିବାଟେ ସେ ଗଲେ । ଚମକିପଡ଼ି ସତୀ ଖସ୍ ଖସ୍ ହେଲା, ସେ ଅଟକି ଗଲେ । ସବୁ ଯେପରିକି ସତୀର ମନେ ମନେ ଆବୃତ୍ତି ହୋଇସାରିଛି, ଯିବା ବାଟକରରେ ଠିଆହୋଇ ରହିବାଠୁଁ ଚମକିବା ଯାକେ । ଅନ୍ଧାର ଭିତରୁ ସତେକି ସେ ପ୍ରତ୍ୟାଶା କରୁଛି ସେହି ଚିହ୍ନା ସମ୍ବୋଧନ,-‘‘ଆପଣ ?’’

 

‘‘ହଁ, ମୁଁ ।’’

 

‘‘କେତେଦିନ ଆପଣାକୁ କ୍ଷୟ କରି କରି ଏମିତି ଉନ୍ମନା ହୋଇ କଟାଇବେ ସତୀ ଦେବୀ ? ଜୀବନ ପ୍ରବହମାନ, ମୃତ୍ୟୁ ଜୀବନରହିଁ ଗୋଟାଏ ଦିଗ, କେତେ ଭାବିବେ ? କାହିଁକି ଭାବିବେ ? ଆପଣାକୁ ବୋଧ ଦିଅନ୍ତୁ ।’’

 

ଅନ୍ଧାର କଥା କହିଥିଲା ସତେକି । ସତୀ ତୁନିହୋଇ ଠିଆ ହୋଇଥିଲା ।

 

ତଥାପି ସେ ଯାଉ ନାହାନ୍ତି କାହିଁକି ?

 

ଅନ୍ଧାରରେ ଆପେ ଆପେ ଗଢ଼ିହୁଏ ଉତ୍ତର, ଭାଷାରେ ନୁହେଁ, ଭାବରେ,–ସତୀ ସାନ୍ତ୍ୱନା ଚାହେଁ ।

 

ଚାପ ନ ଦେଉଣୁ କାନ୍ଦଣାର କୋହ ପଦାକୁ ଫୁଟିଥିଲା । ପଛରୁ ଆସି କାନ୍ଧରେ ହାତ ଥୋଇ ସେ ସାନ୍ତ୍ୱନା ଦେଇଥିଲେ,–‘‘ସତୀ ଦେବୀ, ଫେର୍ ?–ପୁଣି ? ଏମିତି ଭାଙ୍ଗିପଡ଼ନ୍ତି ନା ?’’

 

ସେ ଭାଙ୍ଗି ପଡ଼ିଥିଲା । ଲୁହରେ ତିନ୍ତିବୁଡ଼ି ଅନୁଭବ କରିଥିଲା ତାଙ୍କ ଆଉଁସା ସାଉଁଳାର ଉଷୁମ୍‍ଦିଆ ପରଶ, ଶୁଣିଥିଲା ତାଙ୍କ ତୁଣ୍ଡରୁ ଅବୋଧ୍ୟ ଭାଷାର ଗୁଞ୍ଜନ, ତାଙ୍କ ଉପରେ ଅଜାଡ଼ି ହୋଇ ଭରା ଦେଇଥିଲା, ଅନୁଭବ କରିଥିଲା ଅନ୍ଧାର ତଳେ ତଳେ ଜୀବନର ଦୀପର ଧାସ, ଅନ୍ଧାର ଚିହ୍ନେଇଥିଲା ଜଣେ ପୁରୁଷ, ଆଉ ଜଣେ ସ୍ତ୍ରୀ, ବାକି କେବଳ ମୁଖା ପିନ୍ଧା ପିଲା ଖେଳ, କେବଳ ପାତିଆରା ।

 

ସେ ଚାଲିଗଲା ପରେ ସତୀ ଶୀତଳ ପଡ଼ି ଘରକୁ ଯାଇଥିଲା । ଲାଗୁଥାଏ, ବାପା ଦୂରେଇ ଗଲେଣି, ସେ ଅଛି, ସମୀର୍‍ବାବୁ ଅଛନ୍ତି, ବୋଉ ଅଛି ।

 

ପ୍ରେତର ତର୍ପଣ ଲୁହରେ ନୁହେଁ, ଆନନ୍ଦର ହସରେ ।

 

ଆଶ୍ୱାସ ଘେନ, ହେ ପ୍ରେତ, ଆମେ ବଞ୍ଚିଛୁ ।

 

ଆଶ୍ୱାସ ଘେନ, ହେ ପ୍ରେତ, ପୃଥିବୀ ଶ୍ୟାମଳହିଁ ରହିଛି, ରୂପର ତେଜ ଅଛି ବୋଲି ଅରୂପକୁ ସ୍ମରଣ କରି ହେଉଚି । କାମନାର ଆକର୍ଷଣ ଅଛି ବୋଲି ତୃଷ୍ଣାକୁ କଳ୍ପନା କରିହେଉଛି । ମନୁଷ୍ୟ ଘରେ ସ୍ନେହର ପ୍ରାଚୁର୍ଯ୍ୟ ଅଛି ବୋଲି ଅଲେଖା ପ୍ରେତକୁ ଲେଖି ହେଉଛି ସ୍ନେହ ଧାରରେ ।

 

ଆଶ୍ୱାସ ଘେନି, ପ୍ରେତ ମାଟିରେ ଅଛି ଘାସର ଅସରନ୍ତି ଚେର, ସନ୍ତାନଠିଁ ଅଛି ସୃଜନର ଶକ୍ତି, ଆଶ୍ୱାସ ଘେନ, ତୁମର ସ୍ଥାନ ଖାଲି ପଡ଼ିବ ନାହିଁ, ତୁମରି ଘଟ ବିକଶି ଉଠିବ ଶତ ଘଟରେ, କ୍ରମ ପର୍ଯ୍ୟାୟରେ ନାନା ବିକାଶ ବିବର୍ତ୍ତନ ବାଟେ ତନିତ ହେଉଥିବ ତାହା, ତୁମର ବିଚ୍ଛେଦ ନାହିଁ, ବିଦାୟ ନାହିଁ ।

 

-ଏହି ସତୀର ନୂଆ ତଥ୍ୟ ନିଜ ଜୀବନର, ସେ ବଞ୍ଚିବାର ନୂଆ ସ୍ତର ପାଇଛି । ଗୋଟାଏ ସମୟରେ ଗୋଟାଏ ପୃଥିବୀରେ ଅନୁଭୂତିମୟ ଜୀବନର ନାନାଜାତି ସ୍ତର, ସେଠି କୃମି କୀଟ ଆନନ୍ଦ ପାଏ, ଫୁଲ ବି, ସେଠି ଈଶ୍ୱରଭକ୍ତ ଆନନ୍ଦ ପାଏ, ଅଧମ ବି । କେହି ନିଜ ସ୍ତର ଓ ନିଜ ଧାରଣାରେ ଜୀବନର ପରିସୀମା ଟପି ପଦାକୁ ଚାହିଁ ପାରନ୍ତି ନାହିଁ ବୋଲି ସଂସାରର ଚିତ୍ରିତ ଲୀଳା, ଏକ ସମୟରେ ବିଭିନ୍ନ ସ୍ୱରରେ ବିଭିନ୍ନ ଭାଷାର ବିହ୍ୱଳତା, ହୁଏତ ସବୁ ଶବ୍ଦର ସମବେତ ନିର୍ଦ୍ଦୋଷ ମିଶି କଳ୍ପିତ ପ୍ରଣବ, ଅଥଚ ସମସ୍ତେ ଭାବନ୍ତି ନିଜେ ପୂର୍ଣ୍ଣ, ନିଜେ ଠିକ୍ ,ନିଜ ଦୃଷ୍ଟିରେ ଯେତେ ଦର୍ଶନର ତଥ୍ୟ ତାହାହିଁ ଚରମ । ଆପଣା ବଞ୍ଚିବା ଭଙ୍ଗୀପାଇଁ ଯେପର୍ଯ୍ୟନ୍ତ ଜାନ୍ତବ ଉପକରଣର ଅଭାବ ନଥାଏ କେହି ନିଜ ସ୍ତରରୁ ଅନ୍ୟ ସ୍ତରକୁ ଯିବାକୁ ଉଦ୍ୟତ ହୁଏ ନାହିଁ, ଅଭାବ ପଡ଼ିଲେ,–ବିବର୍ତ୍ତନ ଆପେ ଆସେ । ସତୀର ଅଭାବ ନଥିଲା, ତେଣୁ ସେ ତା’ର ପୂର୍ବ ସ୍ତରର ସମାଜକୁ ଅନେଇଁ ନଥିଲା ଆଦୌ, ଅନେଇଁ ନଥିଲା ସେ ସମାଜର ମତାମତକୁ ଭଲ ମନ୍ଦର ବିବୃତ୍ତିକୁ, ସତୀ ଓ ସମୀର୍, ଲୋକେ ଜାଣନ୍ତି, ଲୋକେ କହନ୍ତି, ତା’ର କି ଯାଏ କାହା କଥାରେ ? ସେହି ରାତି ପରେ, ତା’ର ନୂଆ ଅବସ୍ଥିତିର ଚୋରା କବାଟ ଖୋଲିଥିଲା । ଦେଖିବାର କାଚ ସ୍ଥାନ ଓ ଗୁଣରେ ବଦଳି ଯାଇଛି, ଲାଗୁଥିଲା,–ଏଇ ତ ସହଜ ସରଳ ସ୍ୱାଭାବିକ ଗତି ।

 

ଗର୍ବିତା ସତୀଠୁ ବହୁ ଦୂରରେ ସେ, ଥରେ ଆତ୍ମସମର୍ପଣ ପରେ ଆଉ ସେ ଉଠିନାହିଁ, ସେହି ତଳରେ ଆପଣାର ଦୁନିଆଁ ଯେପରିକି ସେ ଚିହ୍ନି ନେଇଛି, ଜୀବନର ଉପକରଣରେ ଅଭାବ ଘଟି ନାହିଁ ବିବର୍ତ୍ତନର ଆବଶ୍ୟକ ବୁଝିବାକୁ ।

 

କିଛିଦିନ ପରେ ଫାଙ୍କା ଘରର ହାଉଁ ମୁହଁରୁ ଉଧୁରି ମଫସଲରେ ମୁହଁ ଲୁଚେଇବାକୁ ପୁଷ୍ପମୟୀ ଗାଁକୁ ଚାଲିଗଲେ, ସତୀ ଆପତ୍ତି କରିନାହିଁ, ଶିକ୍ଷିତ ମନରେ ଯୁକ୍ତି କରି ସେ ବୁଝିଥିଲା–ସତେ ତ, ବୋଉର ଦେହ ବୋଉର ମନ ଗାଁ ମାଟିରେହିଁ ତିଆରି, ତାକୁ ଆରେଇବ ଭଲ, ବ୍ରତ, ଏକାଦଶୀ, ଉପାସ ଓ ପୁରାଣପଢ଼ା ଜୀବନ ନିଶ୍ଚୟ ତାକୁ ଶାନ୍ତି ଦେବ, ବାପାଙ୍କ ବିଚ୍ଛେଦର ଅଭାବ ହୁଏତ ସେ ମେଣ୍ଟାଇ ପାରିବ ତା’ର ଶାଳଗ୍ରାମ ଓ ଗୋପାଳ ମୂର୍ତ୍ତିକୁ ଆବୋରି, ଘା’ ଶୁଖିଯିବ, ବୋଉ ଯାଉ ।

 

ସମୀର୍‍ବାବୁ ଶଗଡ଼ ବନ୍ଦୋବସ୍ତ କରିଥିଲେ ।

 

ବୋଉ ଗଲା ।

 

ଚାକିରି କରିବାକୁ ଦୃଢ଼ ପ୍ରତିଜ୍ଞା କରି କେତେଆଡ଼େ କେତେ ଦରଖାସ୍ତ ପଠାଇବାର ପ୍ରମାଣ ସ୍ୱରୂପ ଡାକ ରସିଦ ଦେଖାଇ ସତୀ ସାନ ଭଡ଼ାବସାକୁ ଉଠିଗଲା, ସାଙ୍ଗରେ ଚାକର ଟୋକାଟି ।

 

ବେଶୀଦିନ ଅପେକ୍ଷା କରିବାକୁ ହେଲା ନାହିଁ । ପ୍ରକାଶ୍ୟରେ ଦିନେ ଉଦୁଉଦିଆ ଦିପହରେ ଗାଡ଼ିଟିଏ ଆସି ଠିଆ ହେଲା, ବାକ୍ସ ବିଛଣା ଧରି ସମୀର୍‍ବାବୁ ଓହ୍ଲେଇପଡ଼ିଲେ ।

 

‘‘ସତୀ ଦେବୀ ମୁଁ ଆସିଲି ।’’

 

‘‘ଏ କ’ଣ ? ଆପଣ କେମିତି ରହିବେ ଏଡ଼େ ଛୋଟ ଘରେ, ଅସୁବିଧା ହେବ ନାହିଁ ?’’

 

‘‘ସୁବିଧା ପାଇଁ ତ ମଣିଷ ଘର ବଦଳାଏ, ଅସୁବିଧା ପାଇଁ ନୁହେଁ ।’’

 

‘‘କାହିଁକି ଆପଣ ଏତେ କଷ୍ଟ କଲେ ? ମୁଁ ତ ଠିକ୍ ଥିଲି–’’

 

‘‘ଅନେକ ଥର କହିଛି ଆପଣଙ୍କୁ ଆପଣ ପାରିପାର୍ଶ୍ୱିକ ଅବସ୍ଥା କଥାଟା ଏକ୍‍ଦମ୍ ମନରୁ ପାଶୋରିପକାନ୍ତି ।’’

 

‘‘କେମିତି ?’’

 

‘‘ଚାକର ଅଛି, ଘର ଅଛି, ଯେଉଁପରି ଉଦ୍ୟମ ଆରମ୍ଭ କଲେଣି ରେଡ଼ିଓରେ କି ଟେଲିଫୋନରେ କି କୌଣସି ଶିକ୍ଷା ଅନୁଷ୍ଠାନରେ ନିଶ୍ଚୟ ଆପଣଙ୍କୁ ଗୋଟାଏ ଚାକିରି ବି ଜୁଟିଯିବ ଅତି ଶୀଘ୍ର, ସୁତରାଂ ଆପଣ ବେଶ୍ ନିଶ୍ଚିନ୍ତ ହେଉଥିବେ ଭାବି ଯେ ଆପଣଙ୍କର ସବୁ ଅଛି–’’

 

‘‘ମିଛ କ’ଣ ?’’

 

‘‘ମିଛ ଏତିକି ଯେ ଆପଣଙ୍କର ଅଭିଭାବକ ନାହିଁ ।’’ ଚାକର ଡାକି ଜିନିଷପତ୍ର ଏକର ସେକର କରି ହସି ହସି ସତୀ କହିଲା–‘‘ଆାପଣ ହେବେ ମୋର ଅଭିଭାବକ ?’’

 

‘‘କାହିଁକି ନୁହେଁ ?’’ ସମୀର୍‍ବାବୁ କହିଲେ ‘‘ମୁଁ କ’ଣ ଆପଣଙ୍କ ଅଭିଭାବକପରି ଦିଶିବି ନାହିଁ ?’’

 

‘‘ଦୁନିଆଁ ହସିବ ଯେ ?’’

 

‘‘ଓଃ ଦୁନିଆଁ ! ବ୍ୟାଙ୍କ୍ ବ୍ୟାଲାନ୍‍ସ୍‍ ଥିଲେ ଦୁନିଆଁର ହସ କାହାରିକି ପୋଡ଼ିପାରି ନାହିଁ ସତୀ ଦେବୀ, ଆମୁକୁ ବି ପାରିବ ନାହିଁ । ଦେଖିବେ ଆପଣ ଦୁନିଆଁ ଆମର ଆଭିଜାତ୍ୟର ଜୟ ଜୟକାର କରି ଏଇଘରୁ ଭୋଜି ଖାଇ ଲେଉଟିବ । ଅସଲ ଆପଣ, ନିଜକୁ କଳନ୍ତୁ, ଆପଣ ହସିବେ ନାହିଁ ତ ?’’

 

‘‘ହୁଁ, ତେବେ ?’’

 

‘‘ଖରାବେଳେ ତତଲା ଚା’ ମୁଁ ଖୁବ୍ ଭଲପାଏଁ, ଚୁଲିଟା ଲାଗୁନା–’’

 

‘‘ଲାଗିବ ।’’

 

ସେହି ତା’ର ଘର, ସତୀ ଗାଡ଼ିରେ ବସି ସେହି ଘରକୁ ଫେରୁଛି । ନାଲି ଫିତା ପରି ସରୁ ରାସ୍ତା ଉପରେ ଗୋଟିଏ ଛୋଟ ଏକମାହାଲା କୋଠା, ଆଗରେ ବଗିଚା ବାରହାତ, ସେତିକି ତା’ର ବିଶେଷତ୍ୱ । ହତା ଉପରେ ଲଦିହେଇ ଈଭିଲତା ରାସ୍ତା ଆଡ଼କୁ ଓହଳିଥିବ ଅନବନା, ତା’ର ଟିକିଟିକି ନାଲି ଫୁଲ ନାଲି କଢ଼, ହାତ ଦୁଆର ମୁଁହରେ ବୁଗେନ୍-ଭେଲିଆ ହସ ଉଡ଼ୋଉଥିବ, ଭିତରକୁ ପଶିଲେ ବାଟ ଦି’କରେ ଗୋଲାପର ଧାଡ଼ି, ସାମ୍ନା ଘର ଉପରେ ନାଲି ଓ ହଳଦିଆ ଲତାଗୋଲାପ ଛନ୍ଦାଛନ୍ଦି ଜାଲ । ଭୁଲିହୁଏ ନାହିଁ । ବାରହାତ ବଗିଚା ଶୁଖିଯିବଣି ହୁଏତ, ନତୁବା ଆହୁରି ସତେଜ ଥିବ । ଠିକ୍ ଯେମିତି ଚଢ଼େଇ ବସାପାଇଁ ଜଙ୍ଗଲ, ନତୁବା ଜନ୍ତୁ ରହିବା ବୁଦା । ତାହାରି ଉଢ଼ୁଆଳରେ ଥାଇ ନକଲି ଦୁନିଆଁର ଦାନ୍ତୁରା ହସକୁ ନିର୍ଭୟରେ ଚାହିଁ କେତେଥର ନିଜକୁ ସେ ଭାବିଛି ସ୍ୱାଧୀନ ଜନ୍ତୁବୋଲି । ଶିଷ୍ଟାଚାର ଓ ଲୌକିକତାର ବ୍ୟବଧାନ ତୁଟିଗଲା ପରେ ସମୀର୍ ବି କହିଛି,-‘‘ସତୀ, ତୁମେ ଏକ ଜନ୍ତୁ–’’ ! ଆଜି ମନେପଡ଼ିଲେ ଚାଉଁକରି ଲାଗେ, ଚିହ୍ନା-ଚିହ୍ନି ପରେ ସମୀର୍‍ ବୁଝୁ ପଛେ ସେ ଜନ୍ତୁ, ସେ ବି ବୁଝିଛି,–ସମୀର୍ କାଠପଥର, ଜନ୍ତୁପଣର ପତିଆରା ଖେଳୁ ଖେଳୁ ତା’ର ବକଳ ଝଡ଼ିପଡ଼ିଛି, ଖାଲି କାଠ, ତା’ର ମଞ୍ଜ ବି ଖତିରା ।

 

ଦୀର୍ଘଶ୍ୱାସ ମାରି ସତୀ ଭାବିଲା, ଆଉ କେତେ ଡେରି ? ବାଟ ସରୁନାହିଁ କାହିଁକି ? ଘରକୁ ଫେରୁଛି, ଆଜି ଘର ନୁହେଁ, ବନ୍ଦୀଶାଳା, କିନ୍ତୁ ଆଉ ତା’ର ବଳ ନାହିଁ, ଧ୍ରୁବ ନିଶ୍ଚିତ ବୋଲି ମାନି ନେଇସାରିଛି ଭାଗ୍ୟକୁ । ଯାହା ହେବାର ହେଉ; କ୍ଷତି ନାହିଁ, କେବଳ ଚଞ୍ଚଳ ହେଉ, ସମାଧି ହେଉ ମନର ସବୁ ଅଭିମାନର, ସବୁ ଆଣ୍ଟର, କିନ୍ତୁ ଚଞ୍ଚଳ ଘଟିଯାଉ ।

 

ପୁରୁଣା ଘଟରେ ନୂଆ ଜୀବନ ।

 

ନୂଆ ଘର ।

 

ଘରର ପରିଚୟ ଇଟା ପଥର ନୁହେଁ, ଘରର ପରିଚୟ ମଣିଷ ।

 

ସେ ଓ ସମୀର୍,–କି ଆନନ୍ଦ ?

 

ଦୁଇଟା ଦେହରୁ ଏକାଠି କରି ଯେତେ ପ୍ରକାର ତାତି, ଯେତେ ପ୍ରକାର ଚମକ୍‍ ଭିଆଇ ଅନୁଭବ କରାଯାଇପାରେ ଯେ ଜୀବନ ବାସ୍ତବ, ଜୀବନ ଖୁସିର, ଜୀବନ ଅଛି । ସତୀ ଆପଣାଠିଁ ନୂଆ ଗୁଣ ଦେଖିଥିଲା, ଅନୁଭବ କରିଥିଲା ଯେ ହାତରେ ଖଣ୍ଡିଆ ନ ହେଲେ ବୁଝି ହୁଏ ନାହିଁ ହାତ ଅଛି । ଖଣ୍ଡିଆ ଶୁଖିଲେ ଆହୁରି ଦି’ଗୁଣ ଜୋରରେ ବୁଝିହୁଏ,–ହାତ ଭଲ, ହାତ ବଳିଷ୍ଠ ।

 

ତାଙ୍କର ଘର, ବାହାରର ସମାଜ ପାଚିରି ସେପାଖେ ରହେ, ଗୋଳମାଳ କରେ ନାହିଁ ।

 

କ୍ରମେ ସତୀ ଭୁଲିଯାଇଥିଲା ଚାକିରି ଖୋଜିବାକୁ, ଗାଁକୁ ବୋଉ ପାଖକୁ ଚିଠି ଲେଖିବାକୁ ହେଳା କରିଥିଲା ।

 

ସମୀର୍ ଆବୋରି ରହେ । ଅଭାବରେ ଅଭିଜ୍ଞ ରଙ୍କପରି, ସତୀକୁ ହରେଇବାକୁ ସମୀର୍ ଚାହେଁ ନାହିଁ । ତା’ର ପ୍ରଚେଷ୍ଟା ସତୀକୁ ଖୁସି ରଖିବାକୁ ନିତି ନୂଆ ଉପାୟ ଆବିଷ୍କାର କରିବା, ଆପଣାକୁ ଛେଚିପିଟି ମଠାମଠି କରି ସତୀର ମନନାଖି ନିଜ ଭିତରୁ ବାହାର କରିବା ନୂଆ ନୂଆ ବ୍ୟକ୍ତିତ୍ୱ । ଏଇ ନିଷ୍ଠାରେ ସତେକି ସେ କଳାବିତ୍ ।

 

ସତୀ ଆଖିବୁଜି ଜୀବନ ଘେନେ, ଦିନ ଗଣେନାହିଁ, ଭୁଲରେ ବି ପଚାରେ ନାହିଁ ସମୀର୍ କିଏ, ତା’ର ଅତୀତ କ’ଣ, କ’ଣ ତା’ର ଆଗରେ ଓ ପଛରେ । ସମୀର୍ ତାଠୁଁ ଦିଗୁଣ ଅଢ଼େଇ ଗୁଣ ବୟସରେ ବଡ଼, ସତୀର ମାଂସଳ ଜୀବନ ବୟସର ତର୍ଜମା କରେ ନାହିଁ ।

 

ଏମିତି ତ,–ସତୀ ଭାବେ, ଜୀବନ କେବଳ ବଞ୍ଚିବା, ଉପଭୋଗ କରିବା ଓ ବିନା ବଚନିକାରେ ସତ୍ତା ହରେଇବା ସମୟ ହେଲେ ।

 

ସମୀର୍‍ର ସ୍ୱାସ୍ଥ୍ୟର ଶିରୀ ତୁଟିଯାଏ, ଆଖି ଧୀରେ ଧୀରେ କୋରଡ଼ରେ ପଶେ, କାଳିଚାରେ ବୁଡ଼େ, ଟାଣି ଓଟାରି ଶିରା ପ୍ରଶିରାରୁ ଜୀବନର ପ୍ରାଚୁର୍ଯ୍ୟ ଏକାଠି କରି ଦେହରେ ବୋଳି ବ୍ୟକ୍ତିତ୍ୱ ସୃଷ୍ଟି କରିବାକୁ ପ୍ରୟାସ କରୁ କରୁ ହସ ତଳେ ତଳେ ଅଜଣାରେ ହଲ ହଲ ହୁଏ ବେଦନାର ମଉଳା ପାଖୁଡ଼ା, ସେତେବେଳେ ସେ କହେ,

 

–‘‘ସତୀ ତୁମେ ଏକ ଜନ୍ତୁ ।’’

 

ନାଚିଲା ପରି ଦୋହଲି ଦୋହଲି ଆସି ତା’ର ବେକକୁ ବେଢ଼େଇ ଧରି ସତୀ କହେ,

 

–‘‘ଆଉ ତୁମେ କୋଉ କମ୍ ?’’

 

ଦମ୍ ଫାଟିଗଲେ ବି ହାମ୍ଫେଇ ହାମ୍ଫେଇ ତଥାପି ସମୀର୍ ହସେ, କହେ,

 

–‘‘ଜନ୍ତୁର ଜୀବନହିଁ ଜୀବନରେ ଗଣା, ଆଉ ଯେତେ ବହିଘୋଷା ବିଦ୍ୟା, ଯେତେ ପଣ୍ଡିତି ତଥ୍ୟ, ସେଗୁଡ଼ା ନ ଥିଲା ଲୋକଙ୍କ ଆପଣାକୁ ଭୁଲେଇବାକୁ ସାକୁଲାସାକୁଲି । ଜାଣିଛ ତ, ଲୋକ ହାରିଲେ ବି ଆଶା ଛାଡ଼େ ନାହିଁ ।’’

 

ସତୀ ଭାବେ ନାହିଁ ସମୀର୍ ହାରୁଛି, ଆଖି ବୁଜିଦିଏ, ଦିନ ଯାଏ, ରାତି ଯାଏ, ଦିନ ଯାଏ, ରାତି ଯାଏ, ନିର୍ମୂଳୀ ଲଟା ପରି ଟାଣକରି ସମୀର୍‍କୁ ବାନ୍ଧିରଖି ଅସଂଖ୍ୟ ଶୋଷାମୁହଁରେ ତାକୁ ଶୋଷିନିଏ, ଆପଣା ଅଜାଣତରେ ସମୟ ସହିତ ଜିତାଜିତି ଦଉଡ଼ ଲଗାଏ ।

 

ଏମିତି କେତେକାଂଶରେ ଥିଲା ତା’ର କଳ୍ପନା, ହେମନ୍ତ, ନିରଞ୍ଜନ, ବୈକୁଣ୍ଠ, ନିକୁଞ୍ଜ, ପ୍ରତାପ ଆଦିଙ୍କ ସଙ୍ଗେ ଖେଳିଲାବେଳେ ସେ ଖାଲି ଜୀବନର ଧାସ ସେପାଖେ ବୁଲୁଥିଲା, ଖୀରି ଖାଇବାକୁ ଆଙ୍ଗୁଠି ବଢ଼ୋଉଥିଲା ଡରି ଡରି, ଯଦିବା କେବେ ଆଙ୍ଗୁଠି ମାଡ଼ି ଦେଇ ଚିଲାମାରି କିଛି ଘେନିଯାଇଥିଲା ସେ ଖାଲି ଡହ ଡହ ଡହଳବିକଳରେ, ସେ ନୁହେଁ ଯୋଜନାର ଜୀବନ ।

 

ଏ ଭିନେ ।

 

ଆଖିବୁଜି ସୁଖ ଅନୁଭବ କରିଥିଲା, ଭାବି ନଥିଲା ଏ କେତେଦିନ ରହିବ । ଭାବି ନଥିଲା, ସମୀର୍‍ର ବୃତ୍ତି ବନ୍ଦ, ଫୂର୍ତ୍ତି ବନ୍ଦ, ଦିନୁଁ ଦିନ ସେ କିପରି ହୋଇଉଠୁଛି, କିପରି ଭାବେ ଅର୍ଥନୈତିକ ଲ ଅଫ୍‍ ଡିମିନିସିଂ ରିଟର୍ଣ୍ଣସ୍ ଅଧିକରୁ ଅଧିକ ହୋଇ ରୋଧିପକାଉଛି ତା’ର ଚିତ୍ତବୃତ୍ତି-। ଭାବି ନଥିଲା, ସମୀର୍‍ର ଯୌବନର ସ୍ୱଳ୍ପ ସଞ୍ଚୟ ସରି ସରି ଆସିଲା ପରେ ବାର୍ଦ୍ଧକ୍ୟ ତା’ ଉପରେ ନିଜର ସହଜ ଅଧିକାର ଜାରି କଲାଣି କିପରି । ଆପଣାଠିଁ ବିଭୋରା ସତୀ । ଦର୍ପଣରେ ଦିଶେ ଆପଣାଠିଁ ଯୌବନର ଢେଉ, ଜୀବନର ତେଜ, ଯେଉଁଆଡ଼ୁ ଚାହିଁଲେ ସେ ରସ ଟୁଳୁଟୁଳୁ ପାଚିଲା ଫଳ, ସେ ଜଗତଜିତା, ସେ ନିଜଠିଁ ଆବଦ୍ଧ । ନିଜେ, ତା’ର ସମୀର୍, ତା’ର ଘର ।

 

ଜୀବନର ଏହି ଅବସ୍ଥାକୁ ସେ ଦେଖି ଚିହ୍ନିଛି ଅନେକ ସ୍ଥଳରେ । ସମୀର୍ ସହିତ ଦେଶ ବୁଲିଯାଇଛି, ପର୍ବତ, ସମୁଦ୍ରକୂଳ, ସମତଳ,ପ୍ରକୃତିର ଦୃଶ୍ୟରେ ଛାତି ମିଳାଇଦେଇ ନିଜର ଆନନ୍ଦ ପ୍ରକୃତିଠିଁ ପଢ଼ିଛି, ସବୁଠି ସେହି ଏକାକଥା, ଆନନ୍ଦ । ଅଭାବ ଯଦି ନଥାଏ, ଚରିବାକୁ ବିସ୍ତୀର୍ଣ୍ଣ କ୍ଷେତ ପ୍ରଚୁର ଉପାଦାନ, ଦେହରେ ଯଦି ପୂର୍ଣ୍ଣ ସ୍ୱାସ୍ଥ୍ୟ, ତା’ହେଲେ ଜୀବନ ବଞ୍ଚିହୁଏ, ତଥ୍ୟ ବିଶ୍ଳେଷଣ କରିବାର ଗରଜ ନାହିଁ, ଯୁଆଡ଼େ ଚାହିଁଲେ ସୌନ୍ଦର୍ଯ୍ୟହିଁ ଆନନ୍ଦ, ଆନନ୍ଦହିଁ ସତ୍ୟ, ସତ୍ୟହିଁ ଜୀବନ, କ୍ଷତି କ’ଣ ?

 

କିନ୍ତୁ ଏ ମୋହ ବି ରହିପାରିଲା ନାହିଁ । ଭୋଗଦର୍ଶନରେ ଗୋଟାଏ କଥା ସତୀ ଧରି ନେଇଥିଲା,–‘ସବୁ ରହିଥିବ ।’ କେତେଗୁଡ଼ାଏ ସମ୍ଭାବ୍ୟକୁ ନିଶ୍ଚିତବୋଲି ଧରିନେଇ ବାକିଗୁଡ଼ାକରେ ଅଙ୍କ କଷି ଫଳ ମିଳେଇଥିଲା । ଅଥଚ ଆପଣା ଅଭିଜ୍ଞତାରେ ବି ଏ କାଳ୍ପନିକ ନିଶ୍ଚିତପଣର ଭିତ୍ତି ନଥିଲା । ସତୀ ଭୁଲିଥିଲା–ହିସାବ କଷା ଓଲଟପାଲଟ କରିବାକୁ ବେଳେ ବେଳେ ସମୟ ମୁଣ୍ଡ ଗଳାଏ, ଓଲ୍‍ଟା ପଟେ ଦିଶେ ଆଉ ଗୋଟାଏ ଦିଗ,–‘‘କିଛି ରହିବ ନାହିଁ ।’’

 

ବର୍ଷେ ବି ବିତି ନାହିଁ, କାର୍ତ୍ତିକର ଆଲୁଅ ପକ୍ଷଟା କଟୁଥାଏ ପୁରୀରେ, ସମୁଦ୍ରକୂଳରେ ଗୋଟିଏ ହୋଟେଲରେ ବସା, ଖାତାରେ ମିଷ୍ଟର୍ ଓ ମିସେସ୍ । ଜହ୍ନ ଆଲୁଅରେ ସମୁଦ୍ରକୂଳରେ ବାଲିସରା ଉପରେ ସତୀ ଗୋଡ଼େ ଗୋଡ଼େ ବୁଲିବାହାରେ ଅନେକ ଦୂର । ଚାଉଁଚାଉଁଆ ଜିକିଜିକି ଢେଉ ମନରେ କ’ଣ ତେଜିଦିଏ । ଅନୁଭବ କରେ ନିଜଠିଁ ଅକଳନ ଏନର୍ଜି, ପ୍ରକାଶ ନ ପାଇ ଚପା ବାମ୍ଫପରି ସେ ତାକୁ ରାତିରାତି ଚଲାଏ, ଛୁଟାଏ କଳ୍ପନା । ସମୀର୍‍ର କଥା ଶୁଭେ ବେସୁରା, ସମୀର୍–ଧାରଣା ବାରମ୍ୱାର ତାଳରୁ ଛିଟିକି ପଡ଼ି ଲାଗେ ଭୁଲ୍–ଭୁଲ୍–ଭୁଲ୍ ।

 

ସେହି ସମୁଦ୍ରକୂଳରେ ରାତିର ନିଛାଟିଆରେ ହଠାତ୍ ତା’ର ଜୁଆର ଯାଇଥିଲା ଛାଡ଼ି, ସେ ସମୀର୍‍କୁ ନୂଆ ହୋଇ ଆବିଷ୍କାର କରିଥିଲା ।

 

‘‘ତୁମେ କାସୁଛ ଯେ, ଖାଲି ଧଇଁସଇଁ ହୋଇଯାଉଛ, କଥା କଣ୍ ତମ ଦେହ କ’ଣ ଭଲ ନାହିଁ ?’’

 

‘‘ବସ ସତୀ, ରହ ସିଗାରେଟ୍‍ଟାଏ ଲଗାଏଁ–’’

 

‘‘କାସ ଉପରେ ସିଗାରେଟ୍ ?’’

 

‘‘କାସଟା ଧରିଛି ଦିନାକେତେ ହେଲା ତା’ ବୋଲି କ’ଣ ସିଗାରେଟ୍ ବନ୍ଦ ହେବ ?’’

 

‘‘ନା ତୁମ ଦେହ ଭଲ ନାହିଁ । ଦେଖେଁ । ଭାରି କ୍ଳାନ୍ତ ଦିଶୁଛ । ରାତି ରାତି ଏ ପାଗଳବୁଲା ତମପାଇଁ ନୁହେଁ, ବୁଝିଲ ?’’

 

‘‘ଆଉ କ’ଣ ତମପାଇଁ ?’’

 

‘‘ହଁ ମୋ ପାଇଁ’’ କହୁ କହୁ କଥାରେ ଲୁହ ମିଶି ଯାଇଥିଲା । ଇଚ୍ଛା ହେଉଥିଲା, ବାଲିରେ ଗଡ଼ି ଗଡ଼ି କାନ୍ଦନ୍ତା । କିଛି ନ କହି ସେଇଠୁ ବୁଲିପଡ଼ି ଆଗେ ଆଗେ ତରତର ହୋଇ ସତୀ ଚାଲିଲା, ପଛେ ପଛେ ଦୂରେଇ ଯାଉଥିଲା ସମୀର୍‍ର ସିଗାରେଟ୍‍ର ନିଆଁ ଗୁଲ ଓ କାସର ଶବ୍ଦ ।

 

ହୋଟେଲ୍‍ ମୁହାଁମୁହିଁ ବାଲିସରା । ସମୀର୍ ବି ସେଠି ବସିବାକୁ ଚାହେଁ । ବିରକ୍ତି ଲୁଚେଇ ସତୀ କହିଲା, ‘‘ଆଉ ପଦାରେ ନୁହେଁ ।’’

 

‘‘ମୁଁ ତ ସେଇକଥା କହେଁ, ଉପରମାହାଲାର ଶୋଇଲା ଘର ଝରକାଟା ଖୋଲିଦେଲେ ଖଟ ଉପରେ ଗଡ଼ି ଗଡ଼ି ସମୁଦ୍ର ଦେଖିହେବ ପ୍ରଚୁର, ବାଲିରେ ବୁଲିବାକୁ ଗରଜ ପଡ଼ିଚି ?’’

 

ସତୀ ତୁନିତାନି ହୋଟେଲ୍‍କୁ ଫେରିଗଲା । କିନ୍ତୁ ପ୍ରାୟ ଘଣ୍ଟାଏ ପରେ ସମୀର୍‍କୁ ଯେତେବେଳେ କ୍ଳାନ୍ତିର ନିଘୋଡ଼ ନିଦ, ସତୀ ଚୋରଣୀପରି ଘରୁ ଚାଲିଆସିଲା, ସିଧା ସମୁଦ୍ରକୂଳକୁ, ନିଶବଦ ରାତିରେ ସେହି ଅଥଳ ବିସ୍ତୃତିକୁ ଚାହିଁ ରହି ସେ ଆବିଷ୍କାର କରିବାକୁ ଚାହେଁ ସମୀର୍‍କୁ, ପୁଣି ନିଜକୁ ।

 

ଗର୍ଜନ କରି ଢେଉ ପରେ ଢେଉ ପିଟିହେଉଛି ।

 

ଯେପରିକି ଜ୍ଞାନର ବିଭୀଷିକା ।

 

ନିଜ ସଙ୍ଗେ ନିଜର ସାଲିସ୍ ନାହିଁ, ବାଲିକଣାରୁ ବି ପ୍ରଶ୍ନ ଉଠି ଆସୁଛି, ତା’ର ସମାଧାନ ନାହିଁ ।

 

ସବୁ ଓଲଟପାଲଟ କରି ଢେଉ ପରେ ଢେଉ ମାଡ଼ି ଆସୁଛି, ମନ ଭିତରେ ଗୋଟାଏ ରାଗିଣୀ,–ସବୁ ଅନହୁତି ଆସେ,ଅନହୁତି ଯାଏ, କିଛି ବାନ୍ଧି ରଖିହୁଏ ନାହିଁ ।

 

ନିଜେ ଫାଟି ଖଣ୍ଡ ଖଣ୍ଡ ହୋଇ ବାଲିରେ ମିଶିଯାଉଛି, ଗୁଣ୍ଡାହୋଇ ଉଭେଇ ଯାଉଛି ସମୀର୍, ତା’ର ଅବଲମ୍ୱନ, ଧୀରେ ମନ ଚହଲିଯାଉଛି ଇତିହାସ ଆଡ଼କୁ, ଏଇ ପୁରୀ, ତ୍ୟାଗର ଧାମ, ଯୁଗେ ଯୁଗେ ସମସ୍ତିଙ୍କର ସବୁ ବଡ଼ପଣ ଧୂଳିରେ ମିଳେଇଯାଇ ଖାଲି ରହିଛି ଦୁଇଟା ଜିନିଷ, ଆଗରେ ବଡ଼ ସମୁଦ୍ର, ପଛରେ ବଡ଼ ଦେଉଳ ।

 

ବଡ଼ଦେଉଳ, ସେ କ’ଣ ତା’ର ସମସ୍ୟା ବୁଝନ୍ତି ?

 

ସତୀ ବସି କାନ୍ଦୁଛି । ହଠାତ୍ ତା’ ଆଗରେ ଗୋଟାଏ ଅଭାବ, ସେ ମୁକ୍ତି ଚାହେଁ ।

 

କାହାର ଗଳାଖଙ୍କାରିବା ଶବ୍ଦରେ ଚମକିପଡ଼ି ସେ ଦେଖିଲା ଦୂରରୁ ବାଲିଏ ବାଲିଏ ଜଣେ କିଏ ଚାଲିଆସୁଛି । ଛାତି ଉପରେ ବେକ ଭାଙ୍ଗିଦେଇ ଅଳ୍ପ ଝୁଙ୍କି ବୁଢ଼ାଲୋକ କିଏ । ବିନା କାରଣରେ ମନେପଡ଼ିଲା, ଏ କ’ଣ ସମୀର୍, ଆପଣା ମନର ଗତିରେ କେଉଁଠି ଦୁହିଙ୍କ ଭିତରେ ସାମଞ୍ଜସ୍ୟ ଦେଖିଲା । ଭୁଷ୍ କରି ଉଠିପଡ଼ି ସିଧାସିଧା ଚାଲିଲା ହୋଟେଲ୍‍କୁ ।

 

ଘରେ ସମୀର୍‍ ତଥାପି ଶୋଇଛି । ସତୀ ଆଲୁଅ ଜାଳି ଦେଲା । ଶୋଇଲା ସମୀର୍‍ର ଅବୟବକୁ ଆଖିତରାଟି ଚାହିଁଲା । ଲାଗିଲା ସେ ସହିପାରିବ ନାହିଁ । ଆଲୁଅ ନିଭେଇଦେଲା । ଅଭ୍ୟାସ ଅନୁଯାୟୀ ବିଛଣାକୁ ଉଠିଗଲାବେଳକୁ ଦେହ ଶୀତେଇ ଉଠିଲା । ଭାବୁ ଭାବୁ ମୁଣ୍ଡ ବଥେଇଲାଣି, ପୁଣି ହଠାତ୍–ସେହି ଚିନ୍ତା ଆସିଲା ଯାହା ତାକୁ ବେଳକାଳକେ ତାକିତ୍ କରେ ସେ ଭାବେ । ସତୀ ଭାବିଲା । ଏପରି ଭାବିଲାଗିଲେ ସେ ପାଗଳ ହୋଇଯିବ ।

 

ଆଉ କେଇଟା ଦିନ, ଭିତରେ କଲବଲ ହୋଇ ବାହାରେ ଅଭିନୟ କରି କରି କେବଳ ଟାକିଯିବା କାମ ।

 

ପୁରୀରୁ ଯିବା କଥା କଲିକତା ବୁଲି ।

 

ଦିନେ ଆଗରୁ ହଠାତ୍ ଚିଠି ଖଣ୍ଡେ ଛାଡ଼ିଦେଇ ସତୀ ଫେରି ଆସିବାକୁ ରେଲ୍ ଧରିଲା । ଭାବିଥିଲା, ହୁଏତ ଏଇ ମୁକ୍ତି ।

 

କିନ୍ତୁ ଦି’ଦିନ ଯାଇନାହିଁ, ପଛେ ପଛେ ଫେରି ସମୀର୍, ଗାଈଟି ପଛରେ ବାଛୁରୀଟିଏ । ‘‘ତୁମେ ନିଶ୍ଚୟ ରାଗିଛ, ସତୀ, ନ ହେଲେ ଏମିତି ଚାଲିଆସିଲ ?’’

 

‘‘ସତେ ? ଯଦି ମୁଁ ରାଗିଥାଏଁ ?’’

 

‘‘ଜାଣ, ଯଦି ଦରକାର ପଡ଼େ, ରକ୍ତ ଦେଇ ମୁଁ ତମର ରାଗ ମେଣ୍ଟେଇବି ।’’

 

‘‘ରକ୍ତ ଦେଇ ? କାହାର ? ତମର ନା ମୋର ?’’

 

‘‘ଯା, ତମେ ଏମିତିଆ ?’’

 

‘‘ସତେ ସତେ ଲହୁଲୁହାଣ ଗୋଟାଏ କିଛି କରିବ ନାହିଁ ତ ?’’

 

ପରିହାସରେ ସମୀର୍‍ର ଗମ୍ଭୀର ନିବେଦନ ଦାଉରୁ ବର୍ତ୍ତି ହୁଏ, ଓଳିଏ ଉପାସ ରହି ବାଳ ଫୁରୁଫୁରୁ ଉଡ଼େଇ ସମୀର୍‍ର କ୍ଳାନ୍ତିବନ୍ଧନ କବଳରୁ ଆତ୍ମରକ୍ଷା କରିହୁଏ ଦେହ ଭଲ ନାହିଁ କହି, ଯଦିଚ ସମୀର୍ ତା’ର ଦେହପାଇଁ ଧନ୍ଦିହୁଏ ଖୁବ୍ ବେଶୀ । କିନ୍ତୁ ମୁକ୍ତି ନାହିଁ, ପଛେ ପଛେ ସମୀର୍ ।

 

ମୁକ୍ତି ଖୋଜିଲେ ବନ୍ଧନ ମାଡ଼ିପଡ଼େ, ବନ୍ଧନର ଚାରିକାନି ଦିଶେ, ତାହାହିଁ ଦେଖୁଥିଲା ତାଟଙ୍କା ହୋଇ । ପଦାରେ ସମାଜ, ଯାହା କଥା ସେ ଭାବିନାହିଁ । ଏତେକାଳ ଯେଉଁ କଥାର ସେ ଖବର ନେଇ ନଥିଲା ବର୍ତ୍ତମାନ ଖବର ବୁଝିଲା, ପଦାରେ ସେ ଲୋକହସା । ତାହାରି କଥା ଡିବି ଡିବି । କଥା କହିଲେ ଲୋକେ କେବଳ ଆଘାତ ଦେବାକୁ ଆସନ୍ତି, ଏକୁ ଆରେକ ବାଦବୁଦିଆ-‘‘ମୁଁ ବି । ମୁଁ ବି ।’’

 

ହଠାତ୍ ଦିନେ ଗମ୍ଭୀର ହୋଇ ସମୀର୍ କହିଲା,–

 

‘‘ସତି, ଗୋଟାଏ କଥା କହିବି । ମୁଁ ଭାବୁଛି ଚାଲ ଆମର ବିଭା ହୋଇପଡ଼ିବା । ଚୁପ୍‍ଚାପ୍ ସିଭିଲ୍ ମ୍ୟାରେଜ୍ ।’’

 

ସତୀ ଫଁ କରି ଉଠିଲା, କହିଲା, ‘‘ଅପମାନର ଗୋଟାଏ ସୀମା ଅଛି ।’’

 

‘‘ସିଭିଲ୍ ମ୍ୟାରେଜ୍‍କୁ ଅପମାନ ଭାବିଛ ସତୀ ? ମୁଁ ଖାଲି ଏମିତି କହୁଥିଲି । ବେଶ୍ ହିନ୍ଦୁ ବିଭାହିଁ ହେଉ, ପୁରୋହିତ ଆସନ୍ତୁ । ସେତ ଆହୁରି ମଜା–’’

 

ସତୀ କିଛି ନ କହି ଉଠିପଡ଼ି ଚାଲିଗଲା । ଲୁଗାପଟା ପିନ୍ଧି ପଦାକୁ ବାହାରିଗଲା । ବୁଲି ବୁଲି ବହୁ ଦୂର । କିନ୍ତୁ ଯିବ କେଉଁଠିକି ? ଅଧାଚିହ୍ନା ପୁରୁଷଲୋକ କେହି ହାବୁଡ଼ିଲେ ସେ ଟିକିଏ ପିଛାନିଏ ‘‘ମୁଁ ବି–ମୁଁ ବି’’ ଚାହାଣୀରେ । ଅଧାଚିହ୍ନା ସ୍ତ୍ରୀଲୋକ ଗର୍ବରେ ଫଣା ଟେକନ୍ତି, ହାଣନ୍ତି ବିଦ୍ରୂପର ହସ ଓ ମନ୍ତବ୍ୟ । ଏଇ ତା’ର ଜଣାଶୁଣା ସହର, ଚିହ୍ନା, ଅନେକେ ।

 

ଏଣ୍ଡୁଅ ଧାଉଡ଼ି ସେହି କିଆବଣକୁ, ସତୀ ଲେଉଟି ଆସିଲା । ସେଦିନ ସଞ୍ଜରେ ସମୀର୍ ତା’ର ପ୍ରସ୍ତାବ ବଖାଣିଲା,–‘‘ସମାଜ ଚାହେଁ ଗୋଟାଏ ମାର୍କା, ଲୁଗା ଉପରେ ମାର୍କା ପରି ।’’

 

‘‘ତୁମେ କି ମାର୍କା ? କହ, ତମର ନିଜ ବିଷୟରେ ଧାରଣା କ’ଣ ?’’

 

‘‘ଛାଡ଼ ସେ କଥା, ବିଭାହେବାକୁ ତୁମର ଆପତ୍ତି କ’ଣ ?’’

 

‘‘କ’ଣ ବା ଆପତ୍ତି ଥାଇପାରେ ?’’

 

‘‘ତେବେ ତୁମେ କ’ଣ କହୁଚ ? ହଁ’ ତ ?’’

 

‘‘ବର କାହିଁ ?’’

 

‘‘ଫେର୍ ତୁମେ ଥଟ୍ଟା ବୁଝୁଚ ।’’

 

‘‘ମୋଟେ ନୁହେଁ ।’’

 

‘‘ହଉ, ତେବେ ଆଉ ପଚାରିବି ନାହିଁ । ଦିନ ଠିକ୍ କରେଁ ଆଗ । ...ତୁମେ ଜାଣିଥିବ ନିଶ୍ଚୟ, ମୋର ସ୍ତ୍ରୀ ଅର୍ଥାତ୍ ପ୍ରଥମା ସ୍ତ୍ରୀ ଜୀବିତା, ଯଦିଚ ଆମର ବହୁଦିନୁ ସମ୍ପର୍କ ନାହିଁ । ତାଙ୍କର ତିନୋଟି–’’

 

‘‘ଥାଉ’’, ବାଧାଦେଇ ସତୀ କହିଲା, ‘‘ତୁମେ ପ୍ରଥମା ସମ୍ୱୋଧନରେ ଆରମ୍ଭ କଲଣି, ହୁଏତ ସପ୍ତମୀ ଅଧିକରଣରେ ଶେଷ କରିବ । ଏସବୁ କଥା କାହିଁକି ଉଠୁଛି ଭଲା କହିଲ ?’’

 

‘‘ମୁଁ କାହାରିକି ଠକିବାକୁ ଚାହେଁ ନାହିଁ ସତୀ । ଉଚିତ, ତୁମେ ସବୁ କଥା ବୁଝ–’’

 

‘‘ଏସବୁ ବୁଝାବୁଝି ଆଉ କାହାପାଇଁ ବାକି ରଖିଲେ ହୁଅନ୍ତା ନାହିଁ ? ଧର ଷଷ୍ଠୀ କି ସପ୍ତମୀ ?’’

 

‘‘ସତୀ ।’’

 

‘‘ଦୟା କରି ଯାଅ, ମୁଁ ଟିକିଏ ଶୋଇପଡ଼େ, ମୁଣ୍ଡଟା ଭାରି ବଥୋଉଚି ।’’

 

ତହିଁର ଦୁଇଦିନେ ସତୀ ରେଡ଼ିଓରେ ଗୋଟିଏ ଚାକିରି ପାଇଲା ଓ ଉଠିଗଲା ବଖୁରିକିଆ ଗୋଟିଏ ବସାକୁ, ବସାକୁଲାଗି ଆର ବଖୁରିରେ ଆଉ ଜଣେ ସହକର୍ମିଣୀ ଥାଆନ୍ତି,-କଳ୍ପନା ଦେବୀ ।

 

ଅବସର ବେଳେ ଥିଏଟର, ବାଇସ୍କୋପ, ସଙ୍ଗୀତସଭା, କିଛି ନ ହେଲେ ଯୁବକ ବନ୍ଧୁମାନଙ୍କ ସଙ୍ଗେ ବୁଲି ବାହାରିବା,–ବସାରେ ସେମାନଙ୍କ ସଙ୍ଗେ କଥାଭାଷା ହେବା, କେହି ନ ଆସିଲେ ଆପଣାର ବେଶ ବାଗେଇବା ନ ହେଲେ ଗଳା ସାଧିବା, ଏହିପରି କଳ୍ପନା ଦେବୀଙ୍କ ଜୀବନର ନିୟନ୍ତ୍ରିତ ନିର୍ଘଣ୍ଟ, ସତୀର ହିଂସା ହୁଏ ।

 

ଜୀବନ ଏପରି ବି ହୋଇପାରେ–ଦୀର୍ଘଶ୍ୱାସରେ ସତୀ ଭାବେ,–କଳ୍ପନା ଦେବୀଙ୍କର ସତେ କ’ଣ ନାହିଁ ? ପେଟପୂରା ହସ, ମନଇଚ୍ଛା ମଉଜ, ସଉକ, ଦଳ ଦଳ ଉପାସକ । ହାଲୁକା ଅତର ପରି ହାଲୁକା ଜୀବନ, ଥିରପାଣିରେ ଜହ୍ନ ରାତିରେ କାଠୁଆ ଚାଲେ ହାଉଲେ ହାଉଲେ, କାହିଁ ସେଠି ସମସ୍ୟା ? ସେମାନଙ୍କ ହସରେ ଛାତି ଉଠେ ପଡ଼େ, ହସରୁ ବାରିହୁଏ,–ସମସ୍ୟା ନାହିଁ-

 

ପରକୁ ଆପଣାର କରି ଶୁଣା ହସରେ ଆପଣା କଳ୍ପନା ରଙ୍ଗେଇ ସେହିମାନଙ୍କ ପ୍ରତିଫଳିତ ଜୀବନ ଉପରେ ମନ ଢାଳି ସତୀ ସମୟ ଟାଳିଯାଏ । ଅନେକ ସମୟରେ କବାଟ ବନ୍ଦ କରି ସେ କାନେଇଁ ଶୋଇଥାଏ । ଏମିତି ଦିନେ, ବାହାର କବାଟ ଉପରେ ଧଡ୍‍ ଧଡ୍‍ ଶବ୍ଦ । କବାଟ ଖୋଲିଦେଲା ବେଳକୁ ହସ ହସ ମୁହଁରେ ସମୀର୍‍ବାବୁ ଠିଆହୋଇଛନ୍ତି ।

 

‘‘କହିଲ, ତୁମ ଭିତରେ କ’ଣ ଅଛି ?’’

 

‘‘କ’ଣ ଅଛି ! ଜାଣିନା ତୁମେ ? ଟକ୍‍ଟକ୍ ତତଲା ଲାଭା–ଜାଣିଶୁଣି ପୋଡ଼ିମରିବାକୁ ଆସିଛ କାହିଁକି ?’’

 

ସମୀରର୍ ଶୁଖିଲା ମୁହଁ, ଦରନିଭିଲା ଆଖି, ପାଉଁଶିଆ ମୁହଁ । ବୟସ ସତେକି ବଢ଼ିଯାଇଛି ଏଇ କେଇଦିନେ । ସମୀର୍‍କୁ ଚାହିଁ ସତୀ ଆଖିରୁ ନିଆଁ ଛୁଟୁଥିଲା, ଅଜଣା ଏକ ମୁଣ୍ଡବୁଲା ପାଗଳ ରାଗରେ ଦେହ ଥରୁଥିଲା ।

 

‘‘ଶୁଣିଲ ତ,’’ ସତୀ କହିଲା, ‘‘ଆସିଛ ଫେର କାହିଁକି ?’’ ସମୀର୍ ଯେପରିକି ଏସବୁ ସ୍ତରକୁ ଆଗରୁ ଅତିକ୍ରମ କରିସାରିଛି, କବାଟଟା ଭିତରୁ ବନ୍ଦ କରିଦେଇ ଖଟମୁଣ୍ଡରେ ବସିପଡ଼ି ମୁହଁ ପୋତି ସମୀର୍ କହିଲା–‘‘କହିବ ଯାହା କହିଯାଅ, ମୁଁ ଆଉ ମୋଟେ ପାରୁ ନାହିଁ ।’’

 

‘‘ପାରୁନାହିଁ ! ପାରିବାକୁ ହେବ । ପାର ନପାର ମୁଁ ତମକୁ ସାହାଯ୍ୟ କରିବି କେମିତି ? ଯାଅ, ମତେ ସୁସ୍ଥରେ ରହିବାକୁ ଦିଅ ।’’

 

‘‘ସତୀ–’’

 

‘‘ଆଉ କିଛି ଶୁଣିବି ନାହିଁ । ତୁମେ ଯାଅ । କିଏ ତୁମେ ମୋର ତୁମେ ଭାବିଛ ? ତୁମେ କ’ଣ କାହାର ? ଗେଲ ଖେଳି ଜୀବନଟା ପୋଡ଼ାସରିଛି ଯଥେଷ୍ଟ । ଆଉ ଯାହା ଅଛି,–ଛାଡ଼ ସେ ଶୀତଳ ହେଉ, ଆଉ ତତାଅ ନା, ଯାଉଚ ନା ଭଲପିଲା ପରି ?’’ ସମୀର୍ କିଛି କହୁନାହିଁ । ମୁହଁଟା ହାତରେ ଘୋରେଇ ପକେଇଲାଣି । ଏଇ, ତା’ର ପିଠି ଥରିଉଠୁଛି, ଦେହ ଥରିଉଠୁଛି, ସେହି ଲୁଚିଲା ଛପିଲା ମୁହଁ ଉହାଡ଼ରୁ ନାନା ଜାତି ଶବ୍ଦ ଶୁଭୁଛି । ସନ୍ଧ୍ୟା ସାଢ଼େ ସାତଟା କଳ୍ପନା ଦେବୀ ରେଡ଼ିଓକୁ ଯାଇଛନ୍ତି, ସେ ଘର ବନ୍ଦ । ତା’ ଘରେ ଆଲୁଅ ଜଳୁଛି, ଅତି ବାସ୍ତବ ଜୀବନ । ମୁହଁ-ଘୋରା ସମୀର୍‍ର କମ୍ପନ ଓ ଶବ୍ଦ ସଙ୍ଗେ ସଙ୍ଗେ ଅତି ତରତର ହୋଇ ଯେପରିକି ବାସ୍ତବତା ବଦଳିଯାଉଛି ଏ ଘର ଭିତରେ । ତା’ ସଙ୍ଗେ ସଙ୍ଗେ ସତୀ ବି ବଦଳୁଛି ।

 

ଦୁଃଖ ଓ ଆତଙ୍କରେ ଚାହିଁ ରହିଲା ।

 

ଯେପରିକି ଛେଚି କାଟି ଭାଙ୍ଗି ଆପଣା ହାତରେ ସେ ଆପଣାର ଅତି ପ୍ରିୟଦ୍ରବ୍ୟ କିଛି ଭାଙ୍ଗି ପକେଇଛି ।

 

ଏଇ ତ ସମୀର୍ ।

ନା, ସମୀର୍ ନୁହେଁ, ତା’ର ଆପଣାର ଜୀବନରୁ ଫାଳେ ।

ସମୀର୍ ନୁହେଁ, ନିଜର ରୋରୁଦ୍ୟମାନ ଶିଶୁ ।

ନିଜ ଶିଶୁକୁ ମାରିପକାଉଛି ନିଜ ହାତରେ ।

ସତୀ ଯେଡ଼େ ଚଞ୍ଚଳ ବଦଳିଥିଲା ଆହୁରି ଚଞ୍ଚଳ ବଦଳିଗଲା ।

ଆଲୁଅ ନିଭେଇ ଦେଇ ଧାଇଁଗଲା ସମୀର୍‍ଠିଁ ନିଜକୁ ଖୋଜିବାକୁ ।

ଘର ରହିଲା, ଅନ୍ଧାର ନିଶବଦ ।

ପୁଣି ସେ ଚେତନ ପରିସ୍ଥିତିକୁ ଫେରିଆସିଲା, ଯେତେବେଳେ ତା’ ଆରଦିନ ସକାଳେ ଆରଘରେ ଶୁଭୁଥାଏ କଳ୍ପନା ଦେବୀ ଓ ତାଙ୍କର ଦୁଇଜଣ ସ୍ତାବକଙ୍କର ହସ, ସତୀ ତା’ର ରେଡ଼ିଓ କାମକୁ ଯିବାକୁ ତରତର ହୋଇ ସଜ ହେଉଥାଏ, ସମୀର୍ ହସ ହସ ହୋଇ ଆସି ଅନୁରୋଧ ଆରମ୍ଭ କଲା,–‘‘ଚାଲ ସତୀ, ନିଜର ବସା ଥାଉଁଥାଉଁ ଏ ହଜିଲା ଗଳିରେ କାହିଁକି ପଡ଼ିଛ ?’’

 

‘‘ହଜିଲା ଗଳି ? କାହିଁକି ? ଲୋକେ ଖୋଜି ବାହାର କରିବାକୁ କଷ୍ଟ ହେଉନାହିଁ ତ ?’’

 

‘‘ଚାଲ, ଗାଡ଼ି ଠିଆହୋଇଛି ।’’

 

ଏଇ କଥାଭାଷାକୁ ବିକୃତ କଲାପରି ଆରଘରୁ ହସର ଧୁମ୍ ଉଠିଲା । ସତୀ କିଛି ନ କହି ଘରେ ତାଲା ପକାଇ ତରତର ହୋଇ ପଦାକୁ ଚାଲିଗଲା । ପଛେ ପଛେ ସମୀର୍ ।

 

‘ସତୀ, ସତୀ–’

 

‘‘ଘଣ୍ଟା ଦେଖୁନା, ରେଡ଼ିଓକୁ ଯିବାକୁ ଡେରି ହୋଇ ଯାଉଛି ।’’

 

‘‘ଯିବା କ’ଣ ନିହାତି ଦରକାର ?’’

 

‘‘ନିଶ୍ଚୟ । ନ ହେଲେ ଚାକିରିଟା ଚାଲିଯିବ ଯେ, ଚଳିବି କେମିତି ?’’

 

‘‘ଶୁଣ ସତୀ–’’

 

‘‘ବାଃ, ଗଲା ମୋ ଚାକିରିଟା, ଚଞ୍ଚଳ ଗାଡ଼ିଟାଏ ନ ପାଇଲେ–’’

 

‘‘ଆରେ, ଶୁଣ, ଶୁଣ,–’’

 

ଆଗେ ଆଗେ ସତୀ, ପଛେ ପଛେ ସମୀର୍, ତା’ ପଛରେ ବାବୁ ବାବୁ ଡାକି ସମୀର୍‍ର ରିକ୍ସାବାଲା, ରିକ୍ସା ସମେତ ।

 

ଏହିପରି ପଟୁଆର, ସତୀ ନିଜେ ଖଣ୍ଡେ ରିକ୍ସା ଧରିବା ପର୍ଯ୍ୟନ୍ତ, ତା’ପରେ ରିକ୍ସା ପଛରେ ରିକ୍ସା, ରେଡ଼ିଓ ଷ୍ଟେସନ୍‍ର ଦୁଆର ମୁହଁ । ସତୀ ଓହ୍ଲେଇଲା, ସମୀର୍ ଓହ୍ଲେଇଲା, ଚିହ୍ନା ଲୋକେ ମୁରୁକି ହସି ଆଡ଼େଇ ହୋଇଗଲେ । ସତୀ ଭିତରକୁ ପଶିଲା । ସମୀର୍ ଟହଲିଲା । ରିକ୍ସାବାଲା ଡାକିଲା, ‘‘ଯିବା ନାହିଁ ବାବୁ ?’’

 

ଏହିପରି ତିନି ଦିନ । ସମୀର୍‍ ପହଞ୍ଚିଗଲେ ସତୀର କାମ ମନେପଡ଼େ, କେବେ ସକାଳ ସାତଟାରେ, କେବେ ରାତି ନ’ଟାରେ । ସମୀର୍ ଦୁଃଖ କରେ ନାହିଁ । ତୁଛାକୁ ପଛେ ପଛେ ଧାଇଁ ବୁଲିବାହିଁ ଯେପରିକି ତା’ର ମୋହ-ସାଧନାର ଗୋଟାଏ ଅଙ୍ଗ ।

 

ଦିନେ ସତୀ ‘ହଁ’ କଲା ।

 

ବସା ଭାଙ୍ଗିଦେଇ ଦୁହେଁ ଚାଲିଗଲେ ଗୋଟିଏ ଗାଡ଼ିରେ ।

 

କଳ୍ପନା ଦେବୀ ହସିଥିଲେ, କହିଲେ–‘‘ଚାଲିଗଲେ ତା’ହେଲେ ?’’ ନାରୀସୁଲଭ ଅଭିମାନ ବଜାୟ ରଖିବାକୁ ସତୀ ମୁହେଁ ମୁହେଁ ଟାଇଁ ଟାଇଁ କହିଲା,–‘‘ବେଶୀଦିନ ଏଠି ରହିଲେ ବେଶୀଦିନ ଆପଣଙ୍କୁ ଖାଲି ବ୍ୟାଘାତ କରିବା । ସୁନ୍ଦର ଥିଲେ ଆପଣ, ମୁଁ ମଝିରେ ଖାଲି ।’’ ଓଠ ଚିପି ଚପି କଳ୍ପନା ଦେବୀ କହିଲେ–‘‘ଜୀବନ ବଡ଼ ବିଶାଳ ସତୀ ଦେବୀ, କେହି କାହାରିକି ବ୍ୟାଘାତ କରିପାରେ ନାହିଁ, ମୁଁ ଅଛି, ଆପଣ ବି ଥାଆନ୍ତେ–’’

 

‘‘ଜୀବନର ବିଶାଳପଣ ବୁଝିପାରିଲେ ତ,–’’ ଭ୍ରୂଲତା ନଚେଇ ସତୀ ହାଣିଲା ଚୋଟ, ‘‘ସମସ୍ତେ କ’ଣ ବୁଝିପାରନ୍ତି ଆପଣାଙ୍କ ପରି ?’’

 

ଚୋଟ ଗଳିଲା ନାହିଁ, ହେହକୁ ପଥର କରି କଳ୍ପନା ଦେବୀ କହିଲେ,–‘‘ଅନ୍ତତଃ ଆପଣ ନ ବୁଝିବାଟା ଆଖି ଥାଉ ଥାଉ ଅନ୍ଧ ହେଲାପରି । ଛାଡ଼ନ୍ତୁ, ଗଲେ ଆପଣ ସାଙ୍ଗସୁଖ ଭାଙ୍ଗିଗଲା ।’’

 

ସତୀ ଛେପ ଢୋକୁ ଢୋକୁ ଉତ୍ତର ଦେବାକୁ ମନକରି ମତ ବଦଳେଇଲା, ସମୀର୍‍କୁ ଥରେ ଚାହିଁ ଦେଇ ତା’ର ଆତ୍ମବିଶ୍ୱାସ ଭାଙ୍ଗିଗଲା । ଗାଡ଼ି ଛାଡ଼ିଦେଲା ।

 

ଜୀବନର ବିଶାଳପଣ ସେ ଭୁଲିନାହିଁ ।

 

ତେଣୁ ଛ’ମାସ ନ ବିତୁଣୁ ଶିକ୍ଷୟିତ୍ରୀ କାର୍ଯ୍ୟପାଇଁ ଦରଖାସ୍ତ ଦେଇ ବଛାବଛି ବୈଠକରେ ସମସ୍ତଙ୍କୁ ଚମକେଇ ନାଁ କରି ସେ ନୂଆ କାର୍ଯ୍ୟରେ ଯୋଗ ଦେଇଥିଲା ଅତି ଦୂର ବଣଦେଶରେ । ଭାବିଥିଲା, ଏଇ ତା’ର ବନ୍ଧନ-ତୁଟା ମୁକ୍ତି ।

 

ମୁକ୍ତି !

 

ସତୀ ଦୀର୍ଘଶ୍ୱାସ ପକେଇଲା । ଅଠା କି ପିଠା ? ଅଠା କି ପିଠା ? ଭାବୁ ଭାବୁ ସୁଅତୋଡ଼ରେ ତଡ଼ି ହୋଇଗଲାଣି, ଅଠା ପିଠା ବାନ୍ଧିନାହିଁ । କାହିଁ ମୁକ୍ତି ? କ’ଣ ତା’ର ସଂଜ୍ଞା ?

 

ଗଳିମୋଡ଼ ବୁଲିଗଲେ ସେହି ପୁରୁଣା ଘର, ସେହି ପୁରୁଣା ଜୀବନ, ଉଲ୍ଲାସରେ ସମୀର୍ କୁଦାମାରି କୁହାଟ ଛାଡ଼ିବ, ‘‘ସତୀ !’’ ମନ ନ ଚାହିଁଲେ ବି ହସିବାକୁ ପଡ଼ିବ ଅନ୍ତତଃ ସମୀର୍‍ର ଉଦାରତା ସ୍ମରଣ କରି, ସମୀର୍ କେଡ଼େ ଭଲ !

 

ବିରକ୍ତ ଲାଗୁପଛେ ବିଚାରବୁଦ୍ଧିର ଥାକ ଭିତରେ, ପୁରୁଣା ଜୀବନର ସ୍ମରଣରେ ଦେହଭିତର ଉଷୁମେଇଁ ଆସୁଛି । ପୁରୁଣା ବାସନ, ଚାହା କପ୍, ପୁରୁଣା ବ୍ଳାଉଜ୍, କେତେ ବର୍ଷ ବ୍ୟବହାର ହୋଇଥିବା ଜିନିଷ,–ଭାବିଲା ମାତ୍ରେ ମନର କେଉଁ ପରସ୍ତକ ତା’ ପ୍ରତି ନରମେଇଁ ଆସେ, ସ୍ପର୍ଶରେ ଚିହ୍ନି ହୁଏ, ସେଠି ବିବାଦ ନାହିଁ । ସେହିପରି ସମୀର୍, ସେହିପରି ସବୁ ପୁରୁଣା ଛଡ଼ା ଜିନିଷ, ଘୋରି ହୋଇ ହୋଇ ବେକରେ ହାର । ନିରେଖି ଚାହିଁଲେ ଆଖିରେ ସବୁ ଅସୁନ୍ଦରପଣ ବାରିହୁଏ, ବ୍ୟବହାରରେ ଆଖିର ପ୍ରକ୍ରିୟା ବନ୍ଦ ରହେ, ଅଳିନ୍ଧୁ ଲଗା ଚୂନ ଖସିପଡ଼ିଥିବା ଦାଗ ଲାଗିଥିବା କାନ୍ଥ ଥାଇ ପୁରୁଣା ବସାପରି, ପଶିଗଲେ ସବୁ ସହଜ ଲାଗେ । ସେମିତି ସମୀର୍ ।

 

କ୍ଳାନ୍ତ ମନରେ କେତେଥର ଇଚ୍ଛା ହୋଇଛି ଏଇ ଘାଟରେ ଅତଡ଼ାରେ ବାଉଁଶ ପୋତିଦେଇ ନାହା ବାନ୍ଧିଦେଇ ଚାରି କାତ ମେଲେଦେଇ ଶୋଇ ରହିବାକୁ । ଯାଉ ଜୀବନ ବୋହିଯାଉ, ଥାଉ ପଛେ ଜୀବନ ସାଙ୍ଗେ ଏକ୍‍ସପେରିମେଣ୍ଟ୍ ଖେଳିବା ଏ ଜନ୍ମରେ ଏତିକି, ମନଗହୀରରୁ କେତେଥର କ’ଣ ଶୁଣିନାହିଁ ଅବଶପଣର ଚୋରା ରାଗିଣୀ–‘‘ଆଉ କେତେ ବାଟ ସତୀ ? କାହିଁକି ବା ଏତେ ଛଟପଟ ? ଶାନ୍ତି ପାଉ ଛଟପଟ ଅଙ୍ଗ, ବୁଜିଯାଉ ଆଖି, ସମୟ ବୋହିଯାଉ ।’’ କ୍ଷତି କ’ଣ ? ମୃଣ୍ମୟୀ ଘାଟରେ ଡଙ୍ଗା ଭିଡ଼ିଲାଣି, ଆଉ କେତେ ଝିଅ ତା’ର କେତେ ଆଗରୁ । ସମସ୍ୟା ଜନ୍ମହେବା ପୂର୍ବରୁ ପଟୁଆ ବାନ୍ଧିଦେଇ ହାତ ଗୋଡ଼ ପିଟା ଜୀବନର ଚପଳ-ପଣକୁ ଆଖିକାନ ବୁଜି ଅପନ୍ତରା ଅତଡ଼ାରେ ସମାଧି ଦେଇଦେବାହିଁ ତ ନିୟନ୍ତ୍ରଣବାଦୀ ହିନ୍ଦୁସମାଜର ବିଚକ୍ଷଣତା । ତା’ ଆଗକୁ ଆହୁରି ସେହି ଦି’ହାତ ଯାଇଛି, ଜୀବନରୁ କିଛି ଦେଖିଛି । ଏଇତ ଯଥେଷ୍ଟ, କ୍ଷତି କ’ଣ ?

 

ସମୀର୍‍ ବି ଚାହିଁଛି ସେଇଆ ।

 

ଭାବିବା ସଙ୍ଗେ ସଙ୍ଗେ ଦେହରେ ଚାବୁକ୍ ବାଜେ ।

 

ମନ ଗର୍ଜନ କରିଉଠେ–ନା-ନା-ନା ।

 

ଲାଗେ, ଚୋରାକବାଟରେ ପରାଜୟ ହାତ ପିଟୁଛି, ନିଦ ଛାଡ଼ିଯାଏ । ସ୍ୱାଧୀନ ସେ, ସେ ଯେ ବିଶିଷ୍ଟ, ନ ହୋଇଥିଲେ–।

 

ଅଥଚ ଏଇ ବିଶିଷ୍ଟପଣପାଇଁ ବାରମ୍ୱାର ସେ କାନ୍ଥରେ ବାଜେ, ଛାତରେ ବାଜେ, ପାରିପାର୍ଶ୍ୱିକ ଅବସ୍ଥା ପ୍ରତି ଅଧିକରୁ ଅଧିକ ଚେତାହୋଇ ବୁଝେ ମୁକ୍ତି ନାହିଁ ।

 

ଆପଣା ଭିତରୁ ବନ୍ଧନର ଡୋରି ହୁଏତ ଦେଖିପାରେ ନାହିଁ, ନ ହେଲେ ଆପଣାସୁଲଭ ବିଲେଇପଣରେ ଆପଣା ପ୍ରତି ପ୍ରୟୋଗ କରନ୍ତା ତା’ର ନଖ, ନିଜକୁ ଭିଣିଭିଣା କରି ଅତି ଅଳ୍ପକେ ମୁକ୍ତି ଦିଅନ୍ତା ତା’ର ବୁଦ୍ଧିମୟ ମନକୁ, ଅନୁଭୂତି ନ ମିଳୁ, ବିସ୍ତୃତି ମିଳନ୍ତା ।

 

ଭାବନାର ପରିସର ଶେଷ,

 

ଏଇ ଘର ।

 

ଏଥର ଓହ୍ଲେଇବାକୁ ହେବ । ଭାବି ସୁଖ ପାଇଲା,–ଯଦି ସମୀର୍ ନ ଥାଏ ? ଚିଠି ଖଣ୍ଡେ ଛାଡ଼ିଯାଇ ସେ ଅଜ୍ଞାତବାସ ଘେନିଛି, ଯେପରି ଘଟନ୍ତା ଗୋଟିଏ ପ୍ରାଗୈତିହାସିକ ଉପନ୍ୟାସରେ ?

 

ନତୁବା,–ନାକକାନ୍ଦୁରା କଅଁଳ କାହାଣିର ଘଟନା ପରି ଜୁଳୁ ଜୁଳୁ ହୋଇ ସେ ଚାହିଁ ଦେଖନ୍ତା ରୁଗ୍‍ଣ ସମୀର୍ ଶେଷ ଯକ୍ଷ୍ମାରେ ବିଛଣାଲାଗି ହୋଇଛି, ସଂକୁଚିତ ଦେହ ଦିଶୁଛି ଖଣ୍ଡେ ନୋଚାକୋଚା ବିଛଣା ଚାଦରପରି, ଥରି ଥରି ଶୀର୍ଣ୍ଣ ହାତ ବଢ଼େଇ ଅତି କଷ୍ଟରେ କହୁଛି, ‘‘ଆସିଲ ସତୀ, ବଡ଼ଡେରି’’ ହଠାତ୍ କାଶ ଉଠୁଛି ଆଉ କାଶ ସହିତ ରକ୍ତ ଛେଲୁଆଏ, ଆଉ ଅଲକ୍ଷ୍ୟରେ ତା’ର ପୃଷ୍ଠପଟ ପରି ଅଦେଖା କୋଠାରୁ ଅଜଣା ବାଦକ ଛାଡ଼ିଛି ତା’ର-ଯନ୍ତ୍ରର ଟୁଂ ଟାଂ ଟୁଂ ଟାଂରେ ଭାଟିଆରୀ ରାଗିଣୀ । ତା’ପରେ, ଯବନିକା ତ ?

 

କବାଟ ଖୋଲି ପଦାକୁ ଆସିଲା ।

 

ଫାଟକ ଫିଟିଲା ।

 

ହସରେ ମୁହଁ ନୋଚାକୋଚା କରି ତରତର ହୋଇ ସମୀର୍‍ବାବୁ ଆସି ଚାକରକୁ ଅପେକ୍ଷା ନ କରି ନିଜେ ତା’ର ଜିନିଷ ଉଠେଇନେଲେ, କଥା କହି ସମୟ ନଷ୍ଟ କରିବାକୁ ତର ନାହିଁ । ଗାଡ଼ି ବିଦାହେଲା, ତେଣୁ ରଘୁଆ ମାଡ଼ିଆସୁଛି, ଏଣୁ ସମୀର୍‍ବାବୁ । ଗୁରାଗୁରି ହୋଇଥିବା ଗୋଟାଏ ମୋଟାସୋଟା ବିଛଣା ବୁଜୁଳା କାଖେଇ ଅଖାଡ଼ୁଆ ଚାଲିରେ ଗଇଁ ସଇଁ ହୋଇ ସମୀର୍‍ବାବୁ ଘରଭିତରକୁ ପଶୁଚନ୍ତି । ତାଙ୍କର ସ୍ୱାସ୍ଥ୍ୟ ଆହୁରି ଭଲ ହୋଇଛି ।

 

ସତୀ ଘରକୁ ଗଲା ।

 

ଭିତରୁ ସମୀର୍‍ବାବୁଙ୍କ ଚିତ୍କାର ଶୁଭିଲାଣି,–‘‘ରଘୁଆ, ହେ ରଘୁଆ–’’

 

ଗପ,–ତା’ର ଅଗ ନାହିଁ ମଝି ନାହିଁ ଶେଷ ନାହିଁ, ଅଛିଣ୍ଡା ଗପ, ପବନରେ ନାନାଜାତି ଢେଉ, ଅଥଚ ସେହି ଢେଉରେ ପାଖକୁ ପାଖ ଦୁଇଟି ମନ, ଉବେଇ ଟୁବେଇ । ଟିକିଏ ମାନ୍ଦା ପଡ଼ିଗଲେ ଗ୍ରାମୋଫୋନ୍ ରେକଡ଼ ପରି ସମୀର୍ ପୁଣି ବାଜି ଉଠେ,–‘‘ତା’ପରେ ସତୀ–’’

 

ତରତର ନାହିଁ, ସମୀର୍‍ର ହଜିଲା ଗାଈ ଫେରିଆସିଛି ଆପେ ଆପେ । ଗୋଡ଼ ଦି’ଟା ଲଦି ଦେଇଛି ଗୋଟାଏ ଚଉକି ଉପରେ, ଡେରେଇ ହୋଇ ବସିଛି । ଆସ୍ତେ ଆସ୍ତେ ଚା’ ପିଉଛି, ସତୀ ମୁହଁକୁ ବିହ୍ୱଳ ହୋଇ ଅନେଇଁ ରହି ଚରିବୁଲୁଛି ମନଇଚ୍ଛା, କଥା ଜମେଇବାକୁ ମଝିରେ ମଝିରେ ଗୋଟିଏ ଗୋଟିଏ ପ୍ରଶ୍ନ । ଉତ୍ତରକୁ ପ୍ରତୀକ୍ଷା ନାହିଁ, ସତୀ ସେଠି ବସିଛି ଏହାହିଁ ସବୁଠୁ ବଡ଼ ଉତ୍ତର ।

 

ସଞ୍ଜ । ଶାନ୍ତି । ସତୀ ।

 

ସବୁ ମିଶି ଘରଘର ଧାରଣା, ଜୀବନ ତା’ର ପୂର୍ଣ୍ଣ, ସେ ଅଳସେଇପାରେ ।

 

ବହୁଦିନ ପରେ ଫେରି ଆସି ସତୀକୁ ବି ଖୁବ୍ ସ୍ୱାଭାବିକ ଲାଗୁଛି । ସମୀର୍ ସମେତ ଏଇ ଘର ଯେପରିକି ତା’ର କଇଞ୍ଛ ଖୋଳପା । ସବୁ ଦେହସହା, ଆଖିସହା । ଯାହାକୁ ଯେପରି ଆରାଏ, ତାକୁ ଆରେଇଥିଲା ଏହିପରି, ତେଣୁ କଥା ପଦେ ଶୁଣିବା ଆଗରୁ କାନ ଟଣକି ଉଠେ ନାହିଁ, ବ୍ୟବହାରରେ ଦେହର ସ୍ନାୟୁଗୁଡ଼ିକ ଧନୁର ଗୁଣପରି ଟଣକି ରହେ ନାହିଁ, ସମୀର୍ ଗପିବତ ସେ ଜାଣେ, ଗେହ୍ଲେଇ ହେବ ବହୁତ, ବାହୁଲ୍ୟ କରି ନିଜକଥା ବାହୁନିବ ବହୁତ, ସବୁ ଜଣେଇଁ ଜଣା-

 

ତା’ ତରଫରୁ ନିତିଦିନର ଦୃଶ୍ୟ ପ୍ରତ୍ୟାଶା କରେ, ସେ ମୁରୁକି ମୁରୁକି ହସି ଗୋଟାଏ କିଛି କାମୁଡ଼ୁଥିବ,ପେନ୍‍ସିଲ୍ ବା କଲମ ବା ରୁମାଲ୍‍ର କଣ, ଛାଟି ଛାଟି କଥା କହୁଥିବ, ମଝିରେ ମଝିରେ ହାଇମାରି ବେକ ଭାଙ୍ଗିଦେଇ ଗୋଡ଼ ବିଛେଇ ଦେଇ ପଡ଼ିରହିବ । ସମୀର୍‍ର କଥା ମଝିରେ ମନଇଚ୍ଛା ଉଠିପଳେଇବ ରୋଷେଇ ଘରର ଖବର ବୁଝିବାକୁ, ନହେଲେ ଖଟଉପରେ ଲମ୍ୱ ହୋଇ ପଡ଼ି କିଛି ପଢ଼ିବାକୁ ।

 

ସତୀ ତା’ର ଅଭିଜ୍ଞତା କଥା କହୁଥିଲା, ଶେଷ କଲା କହି–

 

‘‘ଭଲ ଲାଗିଲା ନାହିଁ, ନିହାତି ଘସରା ଜୀବନ, ସେ ପୁଣି ନିଛାଟିଆ । ସଂସାର ପରିବର୍ତ୍ତନହିଁ ଚାହେଁ, ପରିବର୍ତ୍ତନଶୀଳ ।’’

 

‘‘ଆରମ୍ଭରୁ ସେହିଆ ମନେ ହୁଏ,’’ ଚାହା କପ୍‍କୁ ଗେଲ କରି ସମୀର୍ କହିଲା, ‘‘ମୋ ନିଜକଥା କହୁଛି, ଯଦି ପଚାରିଥାନ୍ତ ପଚିଶି ବର୍ଷତଳେ ତେବେ ମୁଁ ବି କହିଥାନ୍ତି ସଂସାର ପରିବର୍ତ୍ତନ ହିଁ ଚାହେଁ, ପରିବର୍ତ୍ତନଶୀଳ । ବମ୍ୱେରୁ କଲିକତା, କଲିକତାରୁ ଶ୍ରୀନଗର, ଶ୍ରୀନଗରରୁ ପ୍ରୋମ୍ ଏଇ ଖୁବ୍ ଭଲ, ପରିବର୍ତ୍ତନଶୀଳତା । ଆଉ ରାତି ରାତିକାର ନୂଆ ନୂଆ ହୋଟେଲ୍‍ର ଅଭିଜ୍ଞତା ।’’

 

‘‘ଆଉ ନୂଆ ନୂଆ ମଣିଷଙ୍କର ବି–’’ ସତୀ କହିଲା ।

 

‘‘ହେଲା ଏବେ,’’ ହସିଦେଇ ସମୀର୍ କହିଲା, ‘‘ଧର ତା’ ବି ମୁଁ ସ୍ୱୀକାର କଲି, ଏଇ ମାଟିରେ ମୋର ବସା–’’

 

‘‘ଏଇ କାଦୁଅରେ ବି–’’

 

‘‘ହଁ, ଏଇ କାଦୁଅରେ ବି । ଦୁନିଆରେ ଘର କରି ଘର ହତାରେ ବୁଲିଲାପରି ବୁଲି ମୁଁ ବି କିଛି ଦେଖିଛି । ତେଣୁ ନୂଆ ମଣିଷଙ୍କ ବିଷୟରେ ଅଭିଜ୍ଞତା ନାହିଁ କହିଲେ ମୁଁ ମିଛୁଆ ହେବି–’’

 

‘‘ବିଶେଷତଃ ଯେତେବେଳେ ତୁମେ କିଛିଦିନ ମିଲିଟେରିରେ ଥିଲ ।’’

 

‘‘ମିଲିଟେରିରେ ପ୍ରକୃତରେ ମଣିଷ ଚିହ୍ନିବାକୁ ପରିସର ଖୁବ୍ ବେଶୀ–’’

 

‘‘ଆଉ ଜେଲ୍ ଭିତରେ ବି–’’

 

‘‘ଜେଲ୍ ଯିବାର ସୌଭାଗ୍ୟ ହୋଇଥିଲେ ମୁଁ ଆଉ ଏମିତି ଏଠି ବସି ନ ଥାନ୍ତି ସତୀ, ମୁଁ ମଣିଷ ଚରୋଉଥାନ୍ତି–’’

 

‘‘ମଣିଷଙ୍କ ପାଇଁ ପ୍ରଚୁର କୁଣ୍ଡା ଚୋକଡ଼ର ବନ୍ଦୋବସ୍ତ କରୁଥାନ୍ତି; କାରଣ ତମର ମଣିଷ ଅଭିଜ୍ଞତା ବଢ଼ିଯାଇଥାନ୍ତା,’’ ସତୀ ଥଟ୍ଟାକଲା ।

 

‘‘ଯାଃ, ତୁମେ ଥଟ୍ଟା କରୁଛ,’’ ସମୀର୍ କହିଲା, ‘‘କୋଉଠୁ ଆରମ୍ଭ କରିଥିଲି କୁଆଡ଼େ କଥା ଆଡ଼େଇ ନେଇ ଚାଲିଛ–’’

 

ସତୀ କହିଲା, ‘‘କାରଣ ସଂସାର ପରିବର୍ତ୍ତନଶୀଳ’’–

 

‘‘ଏଇ ଦେଖ’’, ସମୀର କହିଲା, ‘‘ସେଇ କଥାତ ମୁଁ କହୁଥିଲି’’

 

‘‘ସେଇ କଥା ଅନେକଥର କହିଚ । ଚାହା ଥଣ୍ଡାହେଲା ।’’

 

‘‘ନା ନା, ସତୀ, କଥାଟା ଆଲୋଚନା କରାଯାଉ,–’’

 

‘‘ମାଇଲ !’’ ସତୀ କହିଲା, ଆଖି ବୁଜି ବେକ ଭାଙ୍ଗିଦେଲା, ହସି ହସି କହିଲା, ‘‘ତୁମେ ଛାଡ଼ିବ ନାଇଁ । ତୁମେ ତୁମ କାମ କର, ମୋର ଆପତ୍ତି ନାହିଁ, ମୁଁ ବି ଖଣ୍ଡେ ଖବରକାଗଜ ପଢ଼େଁ ।’’

 

‘‘ଶୁଣିବ ନାଇଁ ତା’ହେଲେ ?’’

 

‘‘ଆରେ, ଶୁଣୁଚି ତ, କାନଟା କ’ଣ କୁଆଡ଼େ ଯାଇଚି ? ହେଇ ଦେଖ, ମୁଁ ନିଘା କରିଛି, ଚଲାଅ, ଅଟକିଲ କାହିଁକି ?’’

 

‘‘ଆଛା, କହିଲ କୋଉଠୁ ଆରମ୍ଭ କରିଥିଲି ?’’

 

‘‘ବାଃ, ବେଶ୍ କାମ ବରଗୁଛ, ତୁମେ ମାଡ଼ି ଚାଲିବ ତୋଫାନ ପରି ଆଉ ମୋ ଉପରେ ଭାର, ମୁଁ କହିବି ତୁମେ କୋଉଠୁ ଆରମ୍ଭ କଲ, ନୁହେଁ ?’’

 

‘‘ନା, ନା, ଚେଷ୍ଟା କର–’’ ସମୀର୍ କହିଲା ।

 

‘‘ଆରମ୍ଭ କଥା ଭାବନାହିଁ ବନ୍ଧୁ, ଅତୀତ ନାହିଁ ଭବିଷ୍ୟତ୍ ନାହିଁ, ଆମେ ବର୍ତ୍ତମାନ ।’’

 

‘‘ମଣିଷ କଥାର ଖିଅ ଭୁଲିଯାଏ କାହିଁକି ?’’

 

‘‘ଠିକ୍ ଗାଡ଼ି ଲାଇନ୍ ଛାଡ଼ିଲାପରି, ବୋଧହୁଏ ବାର୍ଦ୍ଧକ୍ୟ ।’’

 

‘‘ଏଁ !’’

 

‘‘ମୁଁ କହିଲି କି, ମଣିଷ ଯେତେବେଳେ କଥାର ଖିଅ ଭୁଲିଯାଏ, ଗପୁ ଗପୁ ଅମଡ଼ା ମାଡ଼ିଯାଏ, ସେ ବୋଧହୁଏ ଆସନ୍ନ ବାର୍ଦ୍ଧକ୍ୟର ଚିହ୍ନ । ନୂଆ କିଛି ନାହିଁ, ନଈ ସମୁଦ୍ରକୁ ଭେଟିବା ପୂର୍ବରୁ ସମତଳ ଉପରେ ମନ୍ଥର ଗତିରେ ବାଙ୍କବୁଲେ କେମିତି ? କେମିତି ଧାର ଧାର ହୋଇ ଜାଲ ଜାଲ ହୋଇ ଭଉଁରି ବୁଲି ବୁଲିକା ଗଡ଼ିଚାଲେ ?’’

 

‘‘ମାନେ ?’’

 

‘‘ଭେଟିବାକୁ ମୃତ୍ୟୁ-ସିନ୍ଧୁ କରାଳ ଲହରୀ–’’ । ସତୀ ହସ ରୋକି ପାରିଲା ନାହିଁ ।

 

ସମୀର୍ ଗୁମ୍ ହେଲା, ତରତର ହୋଇ ନିଶ୍ୱାସ ଛାଡ଼ିଲା, ଆଲୋଡ଼ିତ ଅବସ୍ଥା । ଖର ନିଶ୍ୱାସ ଥମ୍ୱିଲା, ସମୀର୍ ଅନ୍ୟମନସ୍କ । ଅନ୍ୟମନସ୍କ ଭାବ କାଟିସାରି ଥଣ୍ଡାହୋଇ ଥଣ୍ଡା ଚା’ ଦୃଢ଼ପ୍ରତିଜ୍ଞ ହୋଇ ପିଇବାରେ ଗଲା ଟିକିଏ ବେଳ ।

 

ସତୀର ମନରେ ଅବଶୋଷ୍,–କାହିଁକି ସେ ଏପରି କହିଲା ? କାହିଁକି ମନହୁଏ ଯାହାର ଯେଉଁଠି ଘା, ସେଇଠି ଚୋଟ ମାରିବାକୁ ? ସଂସାରରେ ଅନେକ ଦୁଃଖ, ଦୁଃଖର ମାତ୍ରା ବଢ଼େଇଦେବା,–ସେତ’ ଅତି ସାଧାରଣ କଥା, ସେ ଅଧିକା କ’ଣ କଲା ?

 

ବିଶେଷତଃ ଏଇ ସମୀର୍‍ ପ୍ରତି । ସମୀର୍‍ର ତା’ର ସମ୍ୱନ୍ଧ ଯାହା ଥାଉପଛେ ମନେ ତ ପଡ଼େ ନାହିଁ କେବେ ସମୀର୍ ତାକୁ ପ୍ରଲୋଭନ ଦେଖାଇଥିଲା ? ସଂସାରରେ ସବୁ ସମ୍ୱନ୍ଧ ବୋଧେ ଅହେତୁକ, ତା’ର ଆପେ ଆପେ ଯୋଡ଼େ ସେ ଆପେ ଆପେ ଛିଡ଼େ ।

 

ଭାବିଲେ ସତୀ ବାମ୍ଫେଇ ଯାଏ, କଣିକାମୟ ବାମ୍ଫର ଓଦା କୁହୁଡ଼ି ପରି ଉଦାସ ହୋଇ ଚାହିଁ ଚାହିଁ ଭାସିଚାଲେ ଜୀବନ ଉପରେ ।

 

ବୃଥା ସମୀର୍‍କୁ ଉପହାସ କରିବା, ଖେଞ୍ଚା ମାରିବା, ସମୀର୍ ନିଜପାଇଁ ଦାୟୀ ନୁହେଁ, ପରପାଇଁ ଦାୟୀ ନୁହେଁ । କରିଛି, ଦେଇଛି, ଯାହାପାରେ ପ୍ରାଣପଣେ, ଆହା ବିଚରା । ବାର୍ଦ୍ଧକ୍ୟ ନାଁ ପଡ଼ିଲେ ସେ ଚିହିଁକି ଉଠେ, ଜୀବନକୁ ପ୍ରାଣପଣେ ଚିମୁଟି ଧରେ ପିମ୍ପୁଡ଼ି ପରି, ହୁଏତ ସେ ଦୁର୍ବଳ, ତେଣୁ । କିନ୍ତୁ କେତେଦିନ ଏହିପରି ? ହୁଏତ ଶେଷ ହେଲାବେଳେ ବି ସେ ଏମିତି ଜୀବନକୁ କାମୁଡ଼ି ଧରିଥିବ, ପିମ୍ପୁଡ଼ି ପରି ଅଣ୍ଟାରୁ ଦିଖଣ୍ଡ ହେଲେ ବି କାମୁଡ଼ାରେ ଜାବ ପଡ଼ିଯାଇଥିବ ତା’ର ପାଟି, ସେ ଛାଡ଼ିବ ନାହିଁ । ଏମିତି ମନରେ ସେ ପ୍ରଥମା ସ୍ତ୍ରୀଠୁ ଅଲଗା ରହିଛି, ତିନୋଟି ସନ୍ତାନଙ୍କଠୁଁ ଅଲଗା ରହିଛି, ଯଦିଚ କର୍ତ୍ତବ୍ୟରେ ହାନି କରିନାହିଁ, କହେ ରହିବା, ଖାଇବା, ଖର୍ଚ୍ଚ କରିବା ପାଇଁ ବନ୍ଦୋବସ୍ତକୁ ଯଦି ‘କର୍ତ୍ତବ୍ୟ’ ବୋଲି କୁହାଯିବ, ତେବେ ସେ ସେମାନଙ୍କ ପ୍ରତି ତା’ର କର୍ତ୍ତବ୍ୟ କରିଛି-। କିନ୍ତୁ ଏହି ମରଣ-ବିମୁଖ ଜରା-ବିମୁଖ ମନ ଘେନି ବଡ଼ ଅଦ୍ଭୁତ ହୋଇଛି ତା’ର ଖିଆଲ । ଗପୁଡ଼ି-ପଣରେ ସ୍ୱରନଳି ଯେତେବେଳେ ଥରିଉଠୁଛି, କେତେଥର ସେ କହିଛି ସେହି କଥା, ଯେ ସନ୍ତାନମାନଙ୍କ ବୟସ ବଢ଼ିବା ଦେଖି ଦେଖି ସେ ନିଜର ବୟସ ବଢ଼ିବା କଥା ମନେ ପକାଇଛି । କିଏ ଆଜି ସ୍କୁଲ୍‍ର ଉଚ୍ଚ ଶ୍ରେଣୀରେ ପଢ଼ୁଛି, ସେଥିପାଇଁ ପିତୃତ୍ୱର ଗର୍ବ କରିବା ଅପେକ୍ଷା ସେ ବରଂ ମନେପକାଇଛି କାଲି ସକାଳେ ସେ ପିଲାଟି କୁଆଁ କୁଆଁ ହେଉଥିଲା, କୁଆଁଠୁଁ ହାଇସ୍କୁଲ୍ କେତେ ଦୂର ! ନିଜ ବୟସକୁ ଅଣ୍ଡାଳିଲେ କେତେଦୂର ! ତିନି ସନ୍ତାନଙ୍କ ମୁହଁକୁ ଅନେଇଁ ସେ ନିଜର ଭବିଷ୍ୟତକୁ ଦେଖି ଦୀର୍ଘଶ୍ୱାସ ପକାଉଥିବ, ସେହିପରି ନିଜର ପ୍ରତିବିମ୍ୱ ଦେଖୁଥିବ ନିଜ ସ୍ତ୍ରୀର ବଢ଼ନ୍ତା ବୟସରେ, ସ୍ୱାସ୍ଥ୍ୟ ପରିବର୍ତ୍ତନରେ ।

 

କି ଦରକାର ଭୀରୁକୁ ଡରେଇ, ଆହା ବିଚରା ।

 

ଗୁମ୍ ରହି ସମୀର୍ କହିଲା,–‘‘ହଁ ମନେପଡ଼ିଲା, ତୁମେ କହିଥିଲ ପରିବର୍ତ୍ତନଶୀଳତା ସପକ୍ଷରେ, ମୁଁ କହିଥିଲି ତା’ ବିପକ୍ଷରେ । ଲୋକେ ଦେଖନ୍ତି ପରିବର୍ତ୍ତନର ମଉଜ, ଦିନ ଗଲେ ରାତି ଆସେ । ଦେଖନ୍ତି ନାହିଁ ପରିବର୍ତ୍ତନର ଦୁଃଖ, ଟାଣିହେବା ସାନ ହେବା ମିଶି କେମିତି ତହିଁରେ ପଥର ବି ଗୁଣ୍ଡା ହୁଏ । ଦେହରୁ ଯାଏ ଫଡ଼ାଫଡ଼ା–’’

 

ସତୀ ଆଖିନୁଆଇଁ କହିଲା,–‘‘ମୁଁ ହାରିଲି । ତୁମ କଥାହିଁ ଠିକ୍ ।’’

 

‘‘ଠିକ୍ କି ଭୁଲ୍ ଜାଣିବାକୁ ମନକରେ ନାହିଁ ମୁଁ ସତୀ, ଯାହା ଭାବେ ତାହା କହେ ।’’

 

‘‘ତାହା କରେଁ ବି–’’ ସତୀ ହସିଦେଇ କହିଲା ।

 

‘‘ଯେତେଦୂର ହୋଇପାରେ, କାରଣ–’’

 

ଉପରେପଡ଼ି ସତୀ କହିଲା, ‘‘କାରଣ; ଭାବନାକୁ ଲଗାମ୍ ନାହିଁ, କାର୍ଯ୍ୟକୁ ଅଛି, ତେଣୁ ଯେତେଦୂର ପାରିହେବ–’’

 

‘‘ଏକଦମ୍ ଠିକ୍ କହିଲ’’ ସମୀର୍ କହିଲା ।

 

ସନ୍ଧି ହୋଇଗଲା, ପବନ ହାଲୁକା ହେଲା ।

 

ଏଇତ ଭଲ,-ସତୀ ଭାବିଲା, ଯୁକ୍ତି ନାହିଁ ତର୍କ ନାହିଁ କେବଳ ଆତ୍ମସମର୍ପଣ । ଜୀବନ ବଞ୍ଚୁ ବଞ୍ଚୁ ଅସଂଖ୍ୟ ପ୍ରଶ୍ନ, କାହାର ମୀମାଂସା କରିବ ? ଗୋଟାକର ଉତ୍ତର ଭାବୁ ଭାବୁ ଆଉ ଗୋଟାଏ ଆସେ ତା’ ଉପରେ, ତା’ ଉପରେ । କେଉଁ ଉତ୍ତରଟା ତା’ର ଠିକ୍ କି ଭୁଲ୍‍ ? ପ୍ରତି କଥାର ପ୍ରତି ପାଲଟା ଉତ୍ତରକୁ ଠିକ୍ ବୋଲି ମାନି ନେଇ ତାହାରି ଉପରେ ଜୀବନକୁ ଢଳେଇ କରି ଦିନ ବଞ୍ଚିଲାଭଳି ଲୋକ ଅଛନ୍ତି ଦଳ ଦଳ, କାହା ମତ ଠିକ୍ ? କାହା ମତ ଭୁଲ୍‍ ?

 

ବରଂ ଆଖିବୁଜି ପ୍ରଶ୍ନ ନ ପଚାରି ସୁଅମୁହଁରେ ନିଜକୁ ଭସେଇ ଦେବା–ଝିଂଝଟ୍ ନାହିଁ, ବିତଣ୍ଡା ନାହିଁ । ବଳେ ମନ ଭାସି ଭାସି ଲାଗିବ ଖାଲିପଦ୍ମ ଆହାର କରୁଥିବା କଳ୍ପନାବିଳାସୀଙ୍କ ଦେଶରେ, ହଠାତ୍ ଆସିଲା ନିଜ ଉପରେ ବାହ୍ ବାହ୍ ।

 

ଏଇ ତା’ର ବିଦ୍ୟାର ଉପକାର, ପଢ଼ିଥିବା ସାହିତ୍ୟକୁ ନିଜ ଛାତିରେ ମିଳାଇ ଆହୁରି ତୁହାଇ ତୁହାଇ ପଢ଼ିହୁଏ । ଯେଉଁଭାବ ଆସୁପଛେ ନିଜ ମନରେ,–ସାହିତ୍ୟ ତା’ର ଉପଲକ୍ଷ୍ୟ ସମ୍ପାଦିଛି, ସ୍ମରଣ କଲେ ନଜିର୍ ମନେପଡ଼େ ।

 

ହୁଏତ ଏପରି ଭାବ ବି ଆସୁଥିବ, ଯାହାର ନଜିର୍‍ ସାହିତ୍ୟରେ ନାହିଁ । ସେଥିପାଇଁ ତା’ର ଚିନ୍ତା ନାହିଁ, ଅନ୍ତତଃ ଏଇଥିପାଇଁ ଯେ ସଂସାରରେ ଅନେକ କଥାହିଁତ ଅଛି ଯେଉଁଥିକି କୁଣ୍ଢ ପାଏନାହିଁ । ସେଥିପାଇଁ ଦୁଃଖ ବି ନାହିଁ କିଛି । ଯାହା ନ ହେବ ସେଥିପାଇଁ ଦୁଃଖ ନାହିଁ । ବରଂ ଏଇ ଭଲ, ନଣ୍ଡା ପାହାଡ଼ ତଳେ ପାଣିରେ ପଦ୍ମ ଫୁଟୁଥିବା ସ୍ୱପ୍ନକୁ ଧ୍ୟାନକରିବା ।

 

ଫୁଟୁ ପଦ୍ମ, ସେଇ ଭଲ, ସେଇ ଭଲ ।

 

କହୁ ଦୁନିଆଁ ଯେ ସେ ପଳାଇ ବଞ୍ଚୁଛି, ତା’ର ସାହସ ନାହିଁ । ତର୍କ କାଟିବ ନାହିଁ, ସ୍ୱପ୍ନ ଆନନ୍ଦ ଦେବ, ସେଇ ଭଲ ପଦ୍ମ ଭଲ ।

 

ଆଖି ବୁଜିଦେଲେ କାନରେ କେବଳ ସମୟର ଚାଲିଯିବାର ପାଦଶବ୍ଦ, ବୃଥା ତର୍କ, ବୃଥା ଅଭିଯାନ, ବୃଥା ଚେଷ୍ଟା ।

 

କଳ୍ପନାରେ ସମୀର୍ ବି ପଦ୍ମ ପୁରୁଷ, ଏଇ ଘରବି ପଦ୍ମଦ୍ୱୀପ ।

 

ସତୀ ଗାଲେଇ ପଡ଼ିଛି, ଅବଶ ହୋଇ ତା’ର ବାଁ ହାତଟି ସମୀର୍‍ର କୋଡ଼ଉପରେ ଭରା ଦେଇଛି ।

 

ସତୀ ପଦ୍ମଫୁଟିଛି, ପୋଖରୀ ଉପରେ ଶେଷଖରା ଅସ୍ତ ଯାଉଛି ।

 

ଛାଇ ଘୋରି ହୋଇ ବଙ୍କାଢଙ୍କା ଦାଢ଼ରେ ଅସ୍ପଷ୍ଟ ଅବୟବ ସମେତ ଗୋଟା ଗୋଟା ହୋଇ ଠିଆହୁଏ କେତେ ଗଛ, ଭୁଲିଲା ଗାଁରେ କୋଠ ବଗିଚା, କରେକେ ଉଞ୍ଚ ଉଞ୍ଚ ପାଳଗଦା । ଛାଇ ଫିଟିଯାଉଛି, ଦିଶିଯାଉଛି ସବୁ ପରିଷ୍କାର ହୋଇ, ହଜିଲା, ମଣିଷର କଳ୍ପନା-ଗଛର ଜଂଗଲ ହୋଇଛି, ମାଳ ମାଳ ନଡ଼ିଆ ଗଛ, ନେଳିଚା କହରା ବକଳ ବାରିହୋଇ ପଡ଼ୁଛି । ଗୁଆ ମାଳ ମାଳ ଆମ୍ୱ, ପଣସ, ଜାମୁ, ପିଜୁଳି । ବାଏଁ ଡାହାଣେ କଦଳୀ ବାରି । ସାମ୍ନାରେ କରମଙ୍ଗା ଗଛ ଛାଇରେ କୂଅ, ଫାଙ୍କ ଜାଗା ଅରାକ । ପାଳଗଦାରେ ପିଠି ଘୋଡ଼େଇ ସାମ୍ନାକୁ ଖାଲି ଚାହିଁ ଚାହିଁ ସେ ବସିରହିଛି । ପବନରେ ଉଡ଼ା କୋଳଥ ବୋତିର ବାସ୍ନା ବାରିହୁଏ ପାଳବାସ୍ନା ମଝିରେ । ଖାଲି ଚାହିଁ ରହିଛି । ଗଛ ଗଣ୍ଡିରେ ଗୁଣ୍ଡୁଚି ମୂଷାମାନଙ୍କ ଦୌଡ଼ା ଦୌଡ଼ି, ଟିକି ଟିକି ଫୁଲ ଛାଞ୍ଚୁଣି ପରି ଲାଙ୍ଗୁଡ଼ ଠିଆହେଉଛି, ହଲୁଛି । ପେଟ ଦେଖାଇ ଗୋଡ଼ ଛାଟି ଛାଟି ବୁଢ଼ୀ କୁକୁର ଭୂଇଁରେ ଗଡ଼ୁଛି, କାଳୀ ବାଛୁରି ଫଁ ଫଁ ହୋଇ ତାକୁ ଶୁଘୁଂଛି । ଖରା ନଇଁ ଯାଉଛି, ଖରା ଚାଲିଯାଉଛି । ଅଜଣା ପ୍ରତୀକ୍ଷାରେ ଚାହିଁ ରହୁ ରହୁ ଦିନ ସରିଯାଉଛି । ଦିନ ସରିଯାଉଛି । ଏମିତି କେତେ କଳ୍ପ, କେତେ ଯୁଗ ।

 

ତଥାପି ଲୋକେ ଭଲପାଇ ଆସିଛନ୍ତି ଏ ପୃଥିବୀକୁ । ଆନନ୍ଦକୁ ପୂଜା କରିଛନ୍ତି ଅଶ୍ରୁରେ, ହସରେ ।

 

‘‘ଉଠ୍ ସତୀ, ମା,–ମାଈକାକର ପଇଲାଣି, ଥଣ୍ଡା ଧରିବ । ଖାଲିଟାରେ ଏମିତି ଏକୁଟିଆ ବସିବାକୁ ସୁଖଲାଗେ ? ଧଅସି ଉଠ୍, ଆ–’’ ବୋଉର ପାଟି, କେଡ଼େ ଦୂରରୁ ଶୁଭୁଛି । ବୋଉ ନାଇଁ-। ସେହି ଗଡ଼ଜାତ ଇସ୍କୁଲରେ ମାଷ୍ଟରାଣୀ ଚାକିରିରେ ଯେତେବେଳେ ସତୀ ନୂଆହୋଇ ଚେକା ପକାଇ ବସିଥିଲା, ଭାବୁଥିଲା ଏଥର ବୋଉକୁ ପାଖକୁ ଆାଣି ରଖିବ,–ସେତେବେଳେ ଗାଁରୁ ଚିଠି ଆସିଲା ବୋଉ ଆଉ ନାହିଁ ।

 

ବାପା ନାହାନ୍ତି, ବୋଉ ନାହିଁ, କେହି ନାହିଁ ।

 

କାନ୍ଦିବ, ସକେଇ ହେବ କାହା ପାଖେ, ସେପରି ବି କେହି ନାହିଁ ।

 

ବୋଉର ସ୍ୱର ଶୁଭିଯାଏ ସତେ ସତେ, କିଏ କହୁଛି ବୋଉ ମରିଛି ? ଛୁଟିଦିନେ ବାପା ଘରକୁ ଆସିବେ ।

 

ଘର ଅଛି, ସମସ୍ତେ ଅଛନ୍ତି, ସେ ଅଛି ।

 

ପୃଥିବୀଟା ଘୂରୁଛି, ବୁଲୁଛି, ଘାସ କଅଁଳୁଛି, ଶୁଖୁଛି, ପୁଣି ଗଜୁରୁଛି । ଆଖି ବୁଜିଦେଲେ ସମସ୍ତେ ଅଛନ୍ତି, ସେ ବି ଅଛି, ଚିଆଁ ନିଦରେ ସୁଷୁପ୍ତିର ସ୍ତର, ସେଠି ସମୟର ଘଣ୍ଟା ବାଜେ ନାହିଁ, ପ୍ରଶ୍ନ ଉଠେନାହିଁ ।

 

ଏଇତ ଗୋଟାଛାଏଁ ସତୀ,–ସମୀର୍ ଭାବୁଛି ! ଗାଢ଼ ଆବେଗରେ ସେହି ହୁଗୁଳା ହାତକୁ ଚାପିଧରିଛି, ହାତ ଉଷୁମ୍ ନୁହେଁ, ସମୀର୍‍ର ଓଠରେ ହସର ବାଙ୍କୁଲି ଗାର । ମନେପଡ଼ୁଛି ପଚାରିଲେ ସତୀ କହେ–‘‘ଜାଣିନା ତୁମେ ? ଯାହାର ହାତ ଥଣ୍ଡା ତା’ର ଅନ୍ତରଟା ଉଷୁମ୍, ଆଉ ଯାହାର ହାତ ଉଷୁମ୍ ଯଥା ତୁମର,–ତା’ର ହୃଦୟଟା–’’

 

‘‘ଥଣ୍ଡା ବୋଧହୁଏ, ମୋର ହୃଦୟଟା ଏକଦମ୍ କାକର, ଏଇଆ କହୁଚ ତ ?–’’

 

‘‘ନୁହେଁ ? ଭୁଲିଯାଉଚ, ତୁମେ ବାହାହେଇଥିଲ ?’’

 

‘‘ବାହା ବ୍ରତ ସଂସ୍କାରର କଥା ସତୀ, ସେଥିରେ ହୃଦୟ ଲାଗେନାହିଁ ।’’

 

‘‘ସନ୍ତାନ ଜନ୍ମଟା ବି ସଂସ୍କାର କଥା ? ହୃଦୟ ବିବର୍ଜିତ ?’’

 

‘‘ସନ୍ଦେହ କରୁଚ ?’’

 

‘‘କେଜାଣି, ମୁଁ ଜାଣିନାହିଁ ।’’

 

‘‘ତୁମେ କ’ଣ ଭାତ ଖାଇଲାବେଳେ ହୃଦୟ ଖର୍ଚ୍ଚ କର ?’’

 

‘‘କରେ ନାହିଁ ଆଉ କ’ଣ ?’’

 

‘‘ତେବେ ହୃଦୟ କ’ଣ ତୁମେ ଜାଣିନା ।’’

 

‘‘ହୃଦୟକୁ କଣ୍ଢେଇ ରୂପରେ ମୁଁ କେବେ ଦେଖିନାହିଁ କି ଧରି ନାହିଁ, ଜାଣିବି କେମିତି ?’’

 

‘‘ତେବେ ଏଇ ଦେଖ ହୃଦୟ କ’ଣ, ଆଖି ବୁଜିଦିଅ–’’

 

‘‘ମାଲୋଃ–’’

 

କଥା ପଦେ ପଦେକେ ମାୟା ଲଗାଏ, ଆଖି ଛାଟିଦେଲେ ଓଟାରି ନେଇଯାଏ ଏଇ ସତୀ, ଗୋଟାସୁଦ୍ଧା ତା’ର । ଗୋଟାସୁଦ୍ଧା ତାରିଠି ବିଶ୍ୱାସ ଥାପି ନିଜକୁ ଅଜାଡ଼ି ଦେଇଛି । କି ସରଳ ବିଶ୍ୱାସ ! ଯେକୌଣସି ତ୍ୟାଗ ଯେଡ଼େ ବଡ଼ କଷ୍ଟ ସ୍ୱୀକାର ସତୀର ସମକକ୍ଷ ନୁହେଁ । ସେ ନିଜେ ଭାଗ୍ୟବାନ୍ । ସତୀକୁ ନିଦ ହୋଇଯାଇଛି । ନିଶ୍ଚିନ୍ତ ବିଶ୍ୱାସରେ ଏମିତି ସେ ଛୁଟ୍‍କରି ଶୋଇପଡ଼େ । ସେ ତା’ର । ସମୀର୍ ଭାବୁଥାଏ । ହଠାତ୍ ମୁଣ୍ଡ ଭିତର ତାତି ଉଠିଲା । ସେ ଗୋଟାଛାଏଁ ଆପଣା ଜିନିଷକୁ ଦଖଲ କରିବାକୁ ଚାହେଁ ସର୍ବତୋଭାବେ । କିନ୍ତୁ କି ଭାବରେ ? ଏତ ଜିନିଷ ନୁହେଁ, ଏ ମଣିଷ । ସେ ଏ ମଣିଷକୁ ଦଖଲ କରିବ, ପାଣିରେ ପାଣି ପରି, କଣାଏ କଣାଏ । ନା, ଶୋଷିନେବାକୁ ଚାହେଁ, ପାଣିକୁ ସ୍ପଞ୍ଜ୍‍ପରି । କି ଉପାୟରେ ? ତା’ର ହାତ ପାପୁଲିକି କଟ୍‍କଟ୍ କରି ପେଷିଧରି ସମୀର୍ ଭାବିଲା,–କି ଉପାୟରେ ? ରକ୍ତରେ ରକ୍ତ ମିଶାଇବାକୁ ଚାହେଁ ।

 

ମନରେ ମନ, ଅସ୍ତିତ୍ୱରେ ଅସ୍ତିତ୍ୱ । ଆପଣା ଦେହଟା ଥରୁଛି । ଭାବୁଛି, ଦେହରେ ଅଧିକାର ଜାରି, ସେ କ’ଣ ଯଥେଷ୍ଟ ? କି ଉପାୟରେ ଏକାବେଳେ ଏଇ ସବୁଯାକ ସୌନ୍ଦର୍ଯ୍ୟ ଉପଭୋଗ କରାଯାଇପାରେ ? ଏଇ କାନ୍ତି, ଏଇ ଠାଣି, ଏ ଗଢ଼ଣ, ଏଇ ଭାସ୍କର୍ଯ୍ୟ, ଏଇ କୋମଳତା, ଏଇ ମନ, ଏ ଜୀବନ । ଆପଣା ଭିତରେ କେଉଁ କଣରେ ଅନୁଭବ କଲା ଉଦାସର କାନ୍ଦୁରା ମେଘ, ବଢ଼ି ବଢ଼ି ଉଠୁଛି ।

 

ମନେପଡ଼ୁଛି,–ଖର୍ଚ୍ଚ ସରିଛି ବହୁତ, ଜୀବନ ଦୂରେଇ ଆସିଲାଣି । ନିଜଠିଁ ଅନୁଭବ କରୁଛି ଚରମ ଅପାରଗପଣ, ବିକଳ ବିଫଳତା । ଇଚ୍ଛା ଅଛି, ଗ୍ରହଣ କରିବାର ଶକ୍ତି କାହିଁ ? ଦେହରେ ନାହିଁ ସେ ସ୍ୱାଭାବିକ ତାତି, ମନରେ ନାହିଁ ସେ ତୀବ୍ର ଶୋଷଣ ଶକ୍ତି, ସ୍ନାୟୁରେ ସେ ସହଜ ଗତି ନାହିଁ, ତଥାପି ଇଚ୍ଛା ଅଛି, କଳ୍ପନା ଅଛି ।

 

ତଥାପି, ସାମ୍ନାରେ ଦେଖୁଛି ଯେଉଁ ରୂପ ସେ ଗୋଟାସୁଦ୍ଧା ତାରି, ଆଉ କାହାରି ନୁହେଁ । ଭାବିବାରେ ସୁଖ ଅଛି ।

 

ବିହ୍ୱଳ ହୋଇ ସମୀର୍ ସମୟକୁ ଗାଲିପାରିଦେଲା ।

 

ଏ ଘରେ ଶାନ୍ତି ଅଛି ।

 

ସମୀର୍ ବସିଛି, ସାମ୍ନାରେ ଚାହାପାତ୍ର, ସିଗାରେଟ୍ ଲଗାଉଛି । ମୁହଁରେ ଅତୃପ୍ତି ନାହିଁ ।

 

ସତୀ ତାହା ଉପରେ ଢଳି ରହି ଆଖି ବୁଜିଛି ।

 

ଜଣେ ପୁରୁଷ, ଜଣେ ସ୍ତ୍ରୀ, ଦୁନିଆଠୁଁ ନିବୁଜ, ପଦାର କନ୍ଦଳ ପଦାରେହିଁ ଅଛି । ପରସ୍ପର ସମ୍ବନ୍ଧରେ ବୋଝ ନାହିଁ ଭାର ନାହିଁ ଦାୟିତ୍ୱର କର୍କଶପଣ ନାହିଁ । ମୋହ ପାଇଁ ଢଳାଢଳି, ସୁଖ ପାଇଁ ଆଶ୍ରା, ଉଦ୍ଦେଶ୍ୟ ଏକ । ସନ୍ତାନ ପାଳିବାର ଅଭାବବୋଧ ନାହିଁ, କୈଫିୟତ୍ ଦେବାର ଗରଜ ନାହିଁ ।

 

ସତେକି ସିନେମାର ଦୃଶ୍ୟ ।

 

ଟୁଆଁ ଟୁଇଁ ଜୀବନଠୁ ଆହୁରି ପାହାଚେ, ଟୁଆଁ କରେ ନାହିଁ, ଟୁଇଁ ଖାଉଥାଏ, ଟୁଇଁ କରେ ନାହିଁ, ଟୁଆଁ ଖାଉଥାଏ, ଦୁହିଁଙ୍କୁ ଦୁହେଁ ପ୍ରଚୁର ।

 

ସତୀ ଆଉ ସମୀର୍,–ହାଲୁକା ଫାଙ୍କାପଣ ତଳେ ନାକ କାନ ବୁଜି ବୁଡ଼ି ବୁଡ଼ି ଯାଇ ଚେତନା ଯେଉଁଠି ଉପରକୁ ଉଠେ, ସେଠି ଭେଟେ ଏଇ ନିର୍ଜଞ୍ଜାଳ ସୁଖ-ଜୀବନର କଳ୍ପନା-ଅନୁଭୂତିକୁ, ପୁଣି ବୁଡ଼ିଯାଏ, ପୁଣି ସ୍ୱପ୍ନକୁ ଉଠି ନିଶ୍ୱାସ ମାରେ, ପୁଣି ବୁଡ଼ିଯାଏ ।

 

ସମୀର୍ ସିଗାରେଟ୍‍ର ଧୂଆଁ ଛାଡ଼ି ଛାଡ଼ି ଭାବୁଥାଏ,–ସତୀ ତା’ର କତିରେ । କୋଡ଼ରେ ସତୀର ହାତଟି–ସେଇତ ଜୀବନର ଉଷୁମ୍, ଏଇ ଜୀବନ, ସେ ଜୀବନରେ ଅଧିକାରୀ ।

 

ହଠାତ୍ ପଦାରେ ଦୁମ୍ ଦାମ୍ ଜୋତା ଶବ୍ଦ ଓ ସଙ୍ଗେ ସଙ୍ଗେ ଗୋଟାଏ ଉଲ୍ଲାସର ଚିତ୍କାର, ‘‘ଏଇତ ଆପଣ, ମୁଁ ଭିତରକୁ ଆସିପାରେଁ କି ?’’ ଚମକି ପଡ଼ି ସମୀର୍ ଉଠିପଡ଼ିଲା । ବିଜୁଳିପରି ସତୀ ତାଠୁ ଅଲଗା ହୋଇ ଠିଆହୋଇ ଯାଇଛି, ପଛକୁ ମୁହଁ ବୁଲେଇଛି । ଅତି ବିରକ୍ତ ହୋଇ ସମୀର୍ ଚାହିଁ ରହିଲା,–ଦୁଆର ମୁହଁ ଖୋଲାଅଛି, ଦୁଆର ବନ୍ଧରେ ଜଣେ ଅଚିହ୍ନା ଯୁବକ, ପ୍ରକାଣ୍ଡ ଆକାର ।

 

ସତୀ ମୁରୁକି ମୁରୁକି ହସୁଛି ।

 

କାହାରି ଉତ୍ତରକୁ ଅପେକ୍ଷା ନକରି ଆଗନ୍ତୁକ ଆପଣା ବେଗରେ ମନକୁ ମାଡ଼ିଯାଇ କହିଚାଲିଛି–‘‘ଏଇ ଦେଖନ୍ତୁ, ଆପଣଙ୍କୁ ଆବିଷ୍କାର କଲି । ନମସ୍କାର । ଏ କ’ଣ କମ୍ ବଡ଼ ଆବିଷ୍କାର-? କଲମ୍ବସ୍ ବି ଗର୍ବ କରନ୍ତେ । ନା କ’ଣ ? ମୁଁ କହିଥିଲି ଆପଣଙ୍କୁ, ଆପଣ ସେତେବେଳେ ଅବିଶ୍ୱାସ କରିଥିଲେ, ବର୍ତ୍ତମାନ୍ ? କହନ୍ତୁ, ବର୍ତ୍ତମାନ୍ ?’’

 

ସତୀ ହସି ହସି ଫାଟିପଡ଼ୁଛି ।

 

କରେକେ ଠିଆ ରହି ନୀରବରେ ରାଗି ରାଗି ସମୀର୍ ସତେକି ଶୁଖି ଶୁଖି ସାନ ହୋଇଯାଉଛି । ସେ କେତେ କ’ଣ କହିବାକୁ ଚାହେଁ, ଅସ୍ୱାଭାବିକ ଗଳାରେ କେବଳ ବାହାରିଲା–‘‘ଆପଣ–’’

 

ଆଗନ୍ତୁକ ଯେପରିକି ନୂଆକରି ତାକୁ ଦେଖିଲା, ହଠାତ୍ ଗମ୍ଭୀର ହୋଇ ଯାଇ କଟମଟ କରି ଅନେଇଁ ରହିଲା ।

 

ଉପରେପଡ଼ି ସତୀ କଥା କହି ସିଢ଼ି ଯୋଖିଦେଲା, କହିଲା, ‘‘ଆସନ୍ତୁ ନବେନ୍ଦୁବାବୁ, ୟେ ମୋର ବନ୍ଧୁ ସମୀର୍‍ବାବୁ, ଏଇଠି ଥାଆନ୍ତି ।’’

 

ଚଞ୍ଚଳ ଯନ୍ତ୍ର ଚଳେଇଲାପରି ହାତକୁ ନମସ୍କାର ମୁଦ୍ରାରେ ଯୋଖି ଚଞ୍ଚଳ ନୁଆଁଇ ନବେନ୍ଦୁ ତା’ର ଚାହାଣିରେ କାହାଣିର ଭଗ୍ନାଂଶ ପରି କେବଳ ପ୍ରକାଶ କଲା,–‘‘ୟେ–’’

 

‘‘ମୋର ବନ୍ଧୁ ସମୀର୍‍ବାବୁ, କହିବାକୁ ଗଲେ ମୋର ସଂସାରର ସେ ଅଂଶୀଦାର, ନୁହେଁ ସମୀର୍, ଆଉ କି ପରିଚୟ ଦେବି କହ ? ୟେ ନବେନ୍ଦୁବାବୁ ଆସିଲାବେଳେ ରେଲରେ ଚିହ୍ନା ସହଯାତ୍ରୀ କିନା–’’ ସତୀ ଖଳ ଖଳ ହୋଇ ହସିଲା, ହସ ଖେଳରେ ଚପଳା ପିଲା ସତେ, କହିଲା,–‘‘ଖୁବ୍ କମରେ ଗୋଟାଏ ସଞ୍ଜ ଆଉ ଗୋଟାଏ ରାତି ଏକାଠି ଏକା ଡବାରେ । ଅବଶ୍ୟ ବହୁତ ଲୋକ ଥିଲେ ସେଥିରେ । କିନ୍ତୁ ସଂସାରଯାକ ଲୋକ ଭର୍ତ୍ତି ଥାଉ ଥାଉ ପରିଚୟ ହୁଏ ଜଣ ଜଣଙ୍କ ସାଙ୍ଗରେ । ନବେନ୍ଦୁବାବୁ ମୋର ବହୁତ ଯତ୍ନ ନେଇଥିଲେ, ବୁଝିଲ ସମୀର୍,–ଜର ହେଉଚି ଭାବି ମେପାକ୍ରିନ୍ ଖୋଇବା ପର୍ଯ୍ୟନ୍ତ, ତୁମେ କ’ଣ ପାରିଥାନ୍ତ ସମୀର୍, ବାଟରେ ଯଦି କେବେ ତୁମ ସାଙ୍ଗରେ ମତେ ଜର ହୋଇଥାନ୍ତା ତୁମେ କ’ଣ ବାକ୍ସ ଭିତରୁ ମେପାକ୍ରିନ୍ ବାହାର କରି ପାରିଥାନ୍ତ-?’’ ସତୀ ପ୍ରଚୁର ହସିଲା । ନବେନ୍ଦୁ ମୂକ ପରି ଠିଆହୋଇ ରହିଲା । ସମୀର୍ ଆଗେଇଗଲା ତା’ ପାଖକୁ ।

 

‘‘ଭିତରକୁ ଆସନ୍ତୁ ନବେନ୍ଦୁବାବୁ,’’ ଥପ୍‍କରି ହସ ବନ୍ଦ କରି ସତୀ ଖୁବ୍ ମିଠାଗଳାରେ ଆମନ୍ତ୍ରଣ କଲା, ‘‘ଆସନ୍ତୁ, ଠିଆ ହୋଇ ରହିଲେ ଯେ ? ଆବିଷ୍କାରକ ଖାଲି କରରେ ଠିଆ ରହି ଆଁ କରି ଦେଖେନାହିଁ । ଆସନ୍ତୁ । ହେଇ ସମୀର୍, ୟୁ ମେନ୍ ଶୁଡ଼୍ ସେକ୍ ହ୍ୟାଣ୍ଡସ୍ । ନାଁ କ’ଣ ?’’

 

‘‘ଆପଣ ଏଇଠି ଥାନ୍ତି !’’ ଆଶ୍ଚର୍ଯ୍ୟ ହେଲାପରି ନବେନ୍ଦୁ ବିଳିବିଳେଇଲା, ଯେପରି ସେ ଜାଗୃତିରୁ ସୁଷୁପ୍ତିକୁ ଠେଲିହୋଇ ଯାଇଛି ।

 

ହସିଦେଇ ସତୀ କହିଲା–‘‘ଆସନ୍ତୁ ଆସନ୍ତୁ । ହଁ, ହେଇତ ଦେଖୁଛନ୍ତି ମୁଁ ଏଇଠି ଥାଏଁ । ଆପଣ କ’ଣ ଭାବିଥିଲେ ମୁଁ ଖାଲି ଗୋଟାଏ ଫ୍ରେମରେ ଫଟୋ ? ମୁଁ ବି ଖାଏ ପିଏଁ ବୁଲେ ଚରେଁ, ପ୍ରତ୍ୟେକ ଜୀଅନ୍ତା ମଣିଷର ଗୋଟାଏ ଘର ଥାଏ, ଆଉ ଏଇଟା ମୋ ଘର, ଆପଣ ଅଟକିଲେ କାହିଁକି ? ଆସନ୍ତୁ ।’’

 

ସମୀର୍ ବି ସ୍ୱର ସଂଯୋଗ କରି କହିଲା–‘‘ଆସନ୍ତୁ ।’’

 

ନବେନ୍ଦୁ ଭିତରକୁ ପଶି ବସିପଡ଼ିଲା । ତା’ ପାଖରେ ମୁହାଁମୁହିଁ ଗୋଟାଏ ଚୌକି ଓଟାରି ନେଇ ବସିପଡ଼ି ସତୀ କହିଲା,–‘‘ଏଥର ସମୀର୍, ଅତିଥି ଚର୍ଚ୍ଚା ପାଳିଟା ତମର, ଯାଇ ଦେଖିବକି ଟିକିଏ ?’’

 

ସମୀର୍ କହିଲା,–‘‘ଅବଶ୍ୟ, ଅବଶ୍ୟ,–’’ ରଘୁଆ ରଘୁଆ ଡାକି ଭିତରକୁ ଚାଲିଗଲା ।

 

ନବେନ୍ଦୁର ମୁହଁ ଉପରେ ସ୍ଥିର ଦୃଷ୍ଟି ଥାପି ଧୀରେ ଧୀରେ ସତୀ କହିଲା,–‘‘ସତେ ଆପଣ ଆସିଲେ ? ତା’ପରେ ?’’

 

ନବେନ୍ଦୁ ମୁହଁ ତଳକୁ ପୋତିଲା ।

 

ଆସିବାକୁ ମନ ହୁଏ, ତେଣୁ ନବେନ୍ଦୁ ଆସେ । ସତୀକୁ ଚାହିଁଲେ ସତୀ ପାଖେ ପାଖେ ଥିଲେ ତା’ର ମନରେ ଆସେ ଏକ ପ୍ରକାର ପବିତ୍ର ପବିତ୍ର ଭାବ, ସେହି ଭାବରେ ସତୀକୁ ଗ୍ରହଣ କରିବାକୁ ମନ ହୁଏ,–ସେ ଚନ୍ଦନ, ଯାହା ମୁଣ୍ଡରେ ଲଗାହୁଏ, କିମ୍ବା ଧୋବ ଫରଫର ସଫା ବିଛଣା ଚାଦର, ସ୍ପର୍ଶରେ ନୂଆ ଭାବ ଜନ୍ମାଏ, ବା ସଜ ଫୁଲ, ମନେପକାଏ ଓଦାଛୁଆଁ ସକାଳ, ଯେତେବେଳେ ଆକାଶ ଫିଟିଯାଏ, ଦିଗନ୍ତ ଖୋଲିଯାଏ କାହିଁ ଦୂରକୁ । ଦୂରର ରକ୍ତରେଖା ଉପରେ ଆଖି ଥାପିଦେଇ ସେ ମନେ ମନେ ମାଟି ଛାଡ଼ିଦେଇ ଶୂନ୍ୟେ ଶୂନ୍ୟେ ଟେକି ହୋଇଯାଏ, ଗାଧୋଇ ପାଧୋଇ ମନ୍ତ୍ର ଗୁଣୁଗୁଣୁ ହୋଇ ଓଦାଲୁଗାରେ ବାଟେ ବାଟେ ଘରକୁ ଫେରୁ ଫେରୁ ଯାହାକୁ ଦେଖେ ତାଠୁଁ ନିଜକୁ ଭାବେ ଉନ୍ନତ, ସତୀର ପାଖେ ପାଖେ ଥିଲେ, ମନରେ ବା ଦେହରେ,–ସେ ପବିତ୍ର ।

 

ଇରାକୁ ଚିଠି ଲେଖିଛି,–‘‘କାହିଁକି ଏପରି ହୁଏ କହିପାରିବ ଇକନମିକା ? କାହିଁକି ଜଣକୁ ଦେଖିଲେ ମୁଣ୍ଡ ନଇଁଯାଏ, ଇଚ୍ଛାହୁଏ ଆଶୀର୍ବାଦ ନେବାକୁ, ଆଉ ଜଣକୁ ଦେଖିଲେ ପାଖରେ ଯାହା କିଛି ମିଳୁ ବାଡ଼ି କି ଛାଞ୍ଚୁଣି ତାକୁ ଧରି ଆପେ ହାତ ଟେକି ହୋଇଯାଏ ? ଯେତେ ଭାବେ ସେତେ ବିସ୍ମିତ ହୁଏ, କାରଣ ଖୋଜିଲେ ଧନ୍ଦିହୁଏ । ଜଣକୁ ଦେଖିଲେ ମନର ପଶୁପଣ ଦେହରେ ପ୍ରକ୍ରିୟା ଆଣେ, ତାତି ଚହଟାଏ । ଆଉ ଜଣକୁ ଦେଖିଲେ ମହକି ଉଠେ ଆପଣାର ଭିତରୁ ଦେବତ୍ୱ, ଜଣକୁ ଦେଖିଲେ ଆମନ୍ତ୍ରଣ କରି ଅଧିକାର କରିବାକୁ ମନହୁଏ, କେବଳ ଅଧିକାର ନୁହେଁ, ଭୋଜନ କରିବାକୁ ମନ ହୁଏ, ଆଉ ଜଣକୁ ଦେଖିଲେ ଇଚ୍ଛାହୁଏ ସବୁ ଦେଇ ଦେଇ ଲେଙ୍ଗୁଟି ମାରି ଚାଲିଯିବାକୁ । ସାହାଯ୍ୟ କରିବ ଭାବିବାକୁ ? କହିପାରିବ, କାହିଁକି ଏପରି ହୁଏ ?’’

 

ଇରାଠୁଁ ଉତ୍ତର ପାଇଛି–‘‘ପଶୁ ଯେତେବେଳେ ଭାବିବାକୁ ଆରମ୍ଭ କରେ ବନ୍ଧୁ, ବାସ୍ତବିକ୍ ବଡ଼ ବିପଦର କଥା । ତୁମର ସ୍ୱାସ୍ଥ୍ୟପାଇଁ ମୋର ବଡ଼ ଆଶଙ୍କା ହେଉଛି, ତୁମେ କିଛି ଇନସ୍ୟୁରେନ୍‍ସ୍‍ ହାସଲ କରି ଶୀଘ୍ର ଫେରିଆସ । ତୁମର କ୍ଷେତ୍ର ଏଇ କ୍ଳବ୍ ଘର, ଟେନିସ୍ ପଡ଼ିଆ ଓ ଆମପରି କେତେକ ସ୍ୱଜାତୀୟା ଆନ୍ଥ୍ରପୟେଡ଼ମାନଙ୍କୁ ଜୀପରେ ଭର୍ତ୍ତିକରି ଜୋରରେ ଗାଡ଼ି ଛୁଟେଇ ବଙ୍କେଇ ବଙ୍କେଇ ଏଇ ଜନଗହଳି ରାସ୍ତା । ଦେଖିବ, ସ୍ୱାସ୍ଥ୍ୟ ଠିକ୍ ରହିବ, ହଜମ ହେବ ପ୍ରଚୁର, ମନଇଚ୍ଛା ନିଦ । ନିହାତି ବଳେଇଲେ ତୁମ ସମାଜର ସିଗାରେଟ୍ ବାତାବରଣ ତଳେ ସାମାଜିକ ବନ୍ଧୁମାନଙ୍କ ସାଥିରେ ମିଶି ସାମାଜିକ କ୍ୟାଣ୍ଟ୍ ଆଲୋଚନା କଲେ ଚଳିବ । ରାଜନୈତିକ ବନ୍ଧୁ ଜୁଟିଲେ ରାଷ୍ଟ୍ରର କଥା,–କିଏ ଜିତିବ କିଏ ହାରିବ, କିଏ କି ଉପାୟ କଲା କେଉଁ ‘ପ୍ରଶ୍ନ’ କେଉଁ ‘ସମସ୍ୟା’ର କିପରି ‘ପରିଣତି’ । ରାଜକର୍ମଚାରୀ ବନ୍ଧୁଙ୍କ ସହିତ ଚାକିରି ଆଲୋଚନା,–କିଏ କେଉଁଠିକି ଟ୍ରାନ୍‍ସଫର୍ ହେଲା, କାହିଁକି ହେଲା, କିଏ ଉଠିଲା କିଏ ପଡ଼ିଲା, କିଏ ପିଚ୍ଛା ନେଇଛି କିଏ ଉପରକୁ ଉଠୁଛି କିଏ ତଳକୁ ପଡ଼ୁଛି ଏହିପରି ବଡ଼ ବଡ଼ କଥା । ବ୍ୟବସାୟୀ ବନ୍ଧୁ ପହଞ୍ଚିଲେ ଏ ଉଭୟ କଥା, ତାହାଛଡ଼ା ଆମଦାନି ରପ୍ତାନି କଥା, ଅବସ୍ଥା ବ୍ୟବସ୍ଥା କଥା, କଳା କଥା ଧଳା କଥା, କାଳ କଥା ଅକାଳ କଥା । ଏଇ ତୁମର ଖାଦ୍ୟ, ବ୍ରିଜ୍ ଟେବୁଲରେ ଅଥବା ବାମ୍ଫୁଆ ପେଗ୍ ପାଖେ, ତୁମେ ସୁସ୍ଥ ରହି ପାରିବ । ତା’ ନ କରି ତୁମେ ପହଞ୍ଚି ଯାଇଛି ମନସ୍ତତ୍ତ୍ୱର ଅକାତ ସମୁଦ୍ରର ବାଲି ଅପନ୍ତରାରେ, ଖାଲି ଭୂତ ଦେଖିବ ବନ୍ଧୁ, ମୁଣ୍ଡ ବିଗିଡ଼ିଯିବ ।

 

ମୁଣ୍ଡ ବିଗିଡ଼ିବା ଆରମ୍ଭ ହେଲାଣି ଲାଗୁଛି ତୁମ ଚିଠିରୁ, ଭୂତ ଦେଖିଲଣି, ଆପଣା ଭିତରେ ଓ ବାହାରେ । ଭ୍ୟାମ୍ପାୟାର୍,–ସେ କିଏ ? ଭିନ୍ନ ଭିନ୍ନ ଲୋକ ଦେଖିଲେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସେ ଲେଖିଛ, ଲେଖିନା ତ ଗୋଟାଏ ପ୍ରକ୍ରିୟା, ଜଣକୁ ଦେଖିଲେ ବୃଥା ଭାବନା ଆସେ, ଭାବି ଭାବି ମୁଣ୍ଡ ବଥାଏ, ଆଉ ଜଣକୁ ଦେଖିଲେ ଭାବନା ପଶେ ନାହିଁ, ମୁଣ୍ଡ ପଥର କରି ଲାଞ୍ଜ ଉପରକୁ ଟେକି ମଣିଷ-ପଶୁ ସୁସ୍ଥ ସହଜ ହୋଇ ବାଟ ଚାଲେ । କେଉଁ ଜଣକୁ ଚାହିଁ, ନା, ଭୁଲ୍ କହିଲି, ଚାହିଁଲେ ବି ମୁଣ୍ଡ ଖରଚ ହୁଏ, ବରଂ ଯାହା ଆସୁ ।

 

ତେବେ ତୁମ ଚିଠିର ଉତ୍ତର ଦିଏଁ, ତୁମର ସରଳ ‘ପିଲାଙ୍କ କାହିଁକି ?’ର । ମୁଣ୍ଡ ଉପରେ ହାତପାଆନ୍ତି ବହାରେ ଝୁଲୁଥିବା ଅଙ୍ଗୁର୍‍ ପେନ୍ଥା ତଳେ ଉପରକୁ ଚାହିଁ ବସିଥିବା ବିଲୁଆର ଛବି ଦେଖିଛ ? ଅଙ୍ଗୁର୍‍ ଖଟା ବୋଲି ଏଡ଼ିଦେଇ ବିଲୁଆ ବିଚରା ସେ ଛବିରେ ଚାଲିଯାଇ ନଥିଲା । ମନେ ମନେ ହୁଏ ତ କହିହେଉଥିଲା,–ଅଙ୍ଗୁର୍ ଖଟା, ଅଙ୍ଗୁର୍ ଖଟା । ତା’ ବି ସନ୍ଦେହାତ୍ମକ । ତା’ ହୋଇଥିଲେ ଛବିକାର ତାକୁ ଉପରକୁ ଚାହିଁ ରହି ଅଙ୍ଗୁର୍ ପେନ୍ଥାତଳେ ବସେଇ ରଖିଥାନ୍ତେ କାହିଁକି ତୁମ ଆମ ପାଇଁ ? ସେ ନିଶ୍ଚୟ ଭାବୁଥିବ,–ଅଙ୍ଗୁର୍ ତା’ର ଖାଦ୍ୟ ନ ହେଉ ପଛେ, ଆଉ କିଛି । ଅଙ୍ଗୁର୍‍କୁ ଚାହିଁ ଅନ୍ତତଃ ତା’ ମନରେ ଏକ ପବିତ୍ରତା ଆସୁଥିବ, ଯେପରି ଆସୁଛି ତୁମ ମନରେ । ଚାହିଁ ରହିବାରେ ଏକ ଆଧ୍ୟାତ୍ମିକ ଆନନ୍ଦ, ଟ୍ରଲି ପ୍ଳାଟୋନିକ୍ । ନୁହେଁ ? ପବିତ୍ର ଅଙ୍ଗୁର୍‍, ଚାହିଁଲା ଭଳି ଅତି ଦୂରରେ ନୁହେଁ, ଖାଇଲା ଭଳି ଦୂରରେ । ତା’ର ଶୁଚିମନ୍ତ ଆଧ୍ୟାତ୍ମିକ ପୁଝାରି ବା ଜଗୁଆଳି, ନାଁଟି ଅତି ସୁନ୍ଦର,–ନବେନ୍ଦୁ ।

 

ରାଗିବ ଜାଣେ, ସତ କହିଲେ ସମସ୍ତେ ରାଗନ୍ତି ତ–କିନ୍ତୁ କହିବା ଦରକାର । ଏଇଟା ସତ୍ୟଯୁଗ, ତେଣୁ ବୁଢ଼ାମାନେ ଚିଡ଼ନ୍ତି । ବିଲୁଆର ଆଧ୍ୟାତ୍ମିକତାରେ ଅଛି ଗୋଟିଏ ସାଲିସ୍, ଗୋଟାଏ ସାଧାରଣ ପ୍ରାକୃତିକ ପ୍ରକ୍ରିୟା, ଏକ ପକ୍ଷରେ ନିଜର କ୍ଷୁଧା ଆରପକ୍ଷରେ ଅଙ୍ଗୁର୍‍ର ନ ମିଳିବାପଣ, ଦୁଇ ଧକ୍କାରେ ରେଲେଟିଭ୍ ଭେଲସିଟିରେ ମନ ଚାଲେ ଆଧ୍ୟାତ୍ମିକ ଧ୍ୟାନରେ, ମନରେ ଆସେ ଅନନୁଭୂତ ପବିତ୍ରତା, ଆହା !

 

ପ୍ଳେନ୍ ଡାଇନାମିକସ ।

 

ହାୟ ଆରାଧକ ନବେନ୍ଦୁ !

 

ପାରିବ ଯଦି ଆବିଷ୍କାର କର ପ୍ରତିବନ୍ଧକଟି କିଏ, ସବଳ ଶିଂଘର ଏକା ଭୂଷାରେ ସଫା କର ତାକୁ, ଦେଖିବ ଏ ପବିତ୍ର ଯୋଗ ଉଭେଇଯିବ । ନ ପାରିବ ଯଦି ଫେରିଆସୁ ବିଲୁଆ ତା’ର ଗେଣ୍ଡାକଙ୍କଡ଼ା ମେଳକୁ, କଙ୍କଡ଼ା ଗାତ ଭିତରେ ଲାଙ୍ଗୁଡ଼ ପୂରେଇ ଟିକିଏ ଅପେକ୍ଷା କଲେ ପେଟପୂରା କଙ୍କଡ଼ା ମିଳିବ ।

ଫେରି ଆସ ।’’

ତା’ପରେ କେତେଗୁଡ଼ିଏ ଛୋଟ ଛୋଟ ଫର୍ମାସି ।

ଇସ୍–ଈରା,

ନବେନ୍ଦୁ ଟିକି ଟିକି କରି ଚିଠିଟା ଚିରିପକେଇଲା, ସେତିକିରେ ନିରସ୍ତ ହେଲା ନାହିଁ, ଦିଆସିଲି ମାରିଲା । ବାରମ୍ୱାର ମନେପଡ଼ିଲା,–ବିଷପାତ୍ର ପରି ଈରା, ଅପବିତ୍ର ଈରା– ।

ତଥାପି ନିଜକୁ ଯେତେ ଠକିଲେ ଯେତେ ସାନ୍ତ୍ୱନା ଦେଲେ ବି ଭୁଲି ହେଉନାହିଁ ଗୋଟାଏ କଥା ଈରା ଚିଠିର । ଈରାର ଚିଠି ଯେପରିକି ତା’ର ମୁଣ୍ଡ ଭିତରେ ମଞ୍ଜି ବିଞ୍ଚିଦେଉଛି, ଆଉ ମଞ୍ଜିଗୁଡ଼ା ଏକାଠି ମେଞ୍ଚାହୋଇ ଗଛ ହେଉଛି, ଶୀତଳ ଶସ୍ୟ ନୁହେଁ, ଜଳନ୍ତା ନିଆଁ ଫୁଲିର ଗଛ, ଯେପରିକି ଭାବନାଟା ଈରାର ଚିଠିରୁ ଜନ୍ମିଛି, ଆଗେ ନ ଥିଲା,–ସତୀ ତା’ର ଦରକାର, ପବିତ୍ରଭାବେ ନୁହେଁ ଅପବିତ୍ରଭାବେ, ଯେପରି ଭାବେ ରେଲ୍‍ ଡବାରେ ଶୋଇଲା-ସତୀର ଦେହକୁ ଚାହୁଁ ଚାହୁଁ ସତୀର ଛାୟାରୂପ ତା’ର ମନରେ ପଶିଥିଲା ଠିକ୍ ସେହିପରି,–ସେମିତି ସତୀ ତା’ର ଦରକାର, ତା’ର ଶୋଷର ଅନ୍ତ ନାହିଁ ଆଉ ମଝିରେ ଅଛି ଗୋଟାଏ ପ୍ରତିବନ୍ଧକ, ସେକଥା ବି ଈରା ଲେଖିଛି ।

କିଏ ସେ ? ସମୀର୍ ନୁହେଁ କି ?

ଦର୍ପଣରେ ନିଜ ମୁହଁକୁ ଦୂରରୁ ଦେଖି ସେ ମୁହଁ ବୁଲେଇ ନେଲା । ବାହାକୁ ଟାଙ୍କି ଆପଣାର ମାଂସପେଶୀ ଟଣକେଇ ଶଇଥିଳେଇ ଘରଯାକ ବୁଲି ବୁଲି ସେ ଗୋଟାଏ ସମସ୍ୟା ସାଧିବାରେ ବ୍ୟସ୍ତ ରହିଲା, ଯେପରି ଏହି ସେ ଆଗରେ ଅଛି ତା’ର,ସମୟ ଅଳ୍ପ ।

 

ସମାଧାନ କରିବାକୁ ହେବ,-ଶୀଘ୍ର ।

 

ଭାବୁ ଭାବୁ ପ୍ରଶ୍ନର ସ୍ୱରୂପ ବି ଭୁଲିହୋଇଗଲା, କେବଳ ପୁରସ୍କାରରେ ମନଯାକ ଆଚ୍ଛନ୍ନ । ସତେ ଅବା ସେ ଗୋଟାଏ କ୍ରସ୍‍ଓ୍ୱଡ଼୍‍ ପଜ୍‍ଲ୍‍ର ଉତ୍ତର ଦେବାକୁ ଅଣ୍ଟାଭିଡ଼ିଛି, ସମସ୍ୟା ମନେ ପଡ଼ୁନାହିଁ, ଆଖି ଆଗରେ ଦିଶୁଛି ଖାଲି ପଜ୍‍ଲ୍‍ ଉପରେ ଛପା ହୋଇଥିବା ପୁରସ୍କାରର ବିଜ୍ଞାପନ, ହଜାର ହଜାର ଟଙ୍କା, ଦାମୀ ମଟର୍, ଦାମୀ ରେଡ଼ିଓ, ମାଗଣାରେ ବିଦେଶ ଭ୍ରମଣ ।

 

କେବଳ ସେହିଆକୁ କଳ୍ପନା କରି ଦେଖୁଛି ।

 

ଅନାଗତ ଅତି ବାସ୍ତବ–ସତୀ ।

 

ଗୋଟାଏ ଆକର୍ଷଣ ଅନୁଭବ କରୁଛି, ଗୋଟାଏ ଟାଣ ଘୋସରା । ପ୍ରତିବନ୍ଧକ ଅଛି କିଛି ବୋଲି ତା’ର ଖିଆଲ ହିଁ ହେଉନାହିଁ । ସମୀର୍ ! –ନା, ମନେନାହିଁ ।

 

ଯିବାକୁ ହେବ,–ନବେନ୍ଦୁ ଘଣ୍ଟା ଦେଖିଲା, ଆଉ ପନ୍ଦର ମିନିଟ୍‍ପରେ ସାଢ଼େ ଛଟା ବାଜିବ । ତା’ପରେ ସନ୍ଧ୍ୟା ନୁହେଁ, ରାତି ।

 

ତରତର ହେଲା । ବେଳ ପାଖେଇ ଆସୁଛି, ଗୋଟାଏ ଘୋଳିହେଲା କାମିକା ଦିନ ଶେଷ, ୟା ପରେ ସନ୍ଧ୍ୟା ଦର୍ଶନ, ସାନ୍ନିଧ୍ୟ,–ଦିନଯାକର ପୂର୍ଣ୍ଣତା,–ବଞ୍ଚିରହିବାର ମୂଲ ।

 

ଅନୁଭବ କଲା ଘର ଚଟାଣରେ ବିଞ୍ଚାବିଞ୍ଚି ପାତଳା ଅଙ୍ଗାରଗୁଡ଼ାଏ, ମୋଡ଼ି ମୋଡିକା, ଏଣେ ତେଣେ । ବିରକ୍ତ ହୋଇ ଅଟକ ରହିଲା । ଅଳିଆକୁ ତା’ର ଭାରି ଘୃଣା । ସେହି ଚିଠିର ଅଙ୍ଗାରରୁ ଯେପରି ଉଠିଆସୁଛି ଗୋଟାଏ ମୁହଁ,–ଫୁରୁଫୁରୁ ବାଳ, କାନରେ ଝଲମଲ ନେଳିପଥର, ଧଳା କାଗଜର ମୁହଁ, ଧଳା କାଗଜ ଚିତ୍ର ହୋଇ ହୋଇଛି ନିଷ୍ଠୁର ସ୍ପର୍ଦ୍ଧିତ ଆଖି ଦୁଇଟି, ଖୁବ୍ ଲାଲ ଓଠ, ସେହି ଆଖି ସେହି ଓଠ ତାକୁ ଯେପରିକି ଥଟ୍ଟା କରୁଛି, ଈରା ଥଟ୍ଟା କରୁଛି ।

 

ଅତି ‘‘ଗହୀରରେ ଆପଣାଛାଏଁ ଚୋଟ ବାଜିଲା, ନିସ୍ତେଜ ଆଲୁଅପରି ଶୀତଳ ରାଗ ଘୋଟିଛି ମନରେ, ଈରାର କିଛି କ୍ଷତି କରିବାକୁ ନୁହେଁ, ଈରାକୁ ଭୁଲିଯିବାକୁ । କିଏ ସେ ଈରା ? ସେ ଚିହ୍ନେ ନାହିଁ, ସେହି ଯଥେଷ୍ଟ ।

 

ତା’ର ଜୀବନର କୌଣସି ଥାକରେ ଖାପେନାହିଁ ସେହି କାଗଜପରି ନକଲି ମୁହଁ, ଯାହା ବାହାରକୁ ରଙ୍ଗ ଚିତ୍ରର ଛଦ୍ମବେଶ, ଭିତରେ ଅଥଳ, ପ୍ରକାଶ ଦେଲେ ସ୍ପର୍ଶ ମିଳେ ନିଷ୍ଠୁରତାରେ, ବିଷର ଜ୍ୱାଳାରେ ।

 

ବିଷପାତ୍ର । ଠିକ୍ ତ’ । ନୁହେଁ ସ୍ତ୍ରୀ, ନୁହେଁ ସଖୀ ।

 

ତଥାପି ଈରାର ମୁହଁ ଉପହାସ କରୁଛି, ବିଦ୍ରୂପ କରୁଛି, ଈରାର ମୁଖାତଳେ ଆପଣାର ଅତୀତର ଗୋଟାଏ ଅଭୁଲା ରୂପ, ନବେନ୍ଦୁ ବଦଳିଛି, ସେହି ବଦଳିବାର କ୍ରମକୁ ଯେପରିକି ଦେଖାଉଛି ଚାରିଦିଗ, ଚାରିଦିଗରେ ନିଜର ଅତୀତର ବ୍ୟକ୍ତିତ୍ଵର କଂକାଳ ଚାରିଟା ।

 

ମଲା ଜହ୍ନ ନିଭି ଆସୁଛି । ନବେନ୍ଦୁ ଚାଲିଛି ।

 

ତରତର, ତରତର ।

 

ଆତ୍ମବିଶ୍ୱାସ ଫେରି ଆସିଲାଣି, ନବେନ୍ଦୁ ଗୋଟିଏ ଗୀତର ଦୁଇଧାଡ଼ି ଗୁଣୁଗୁଣେଇଲାଣି-। ଭାଷା ନୁହେଁ,ସ୍ୱର ।

 

ପବିତ୍ର ଲାଗୁଛି, ଅପବିତ୍ର ଲାଗୁଛି, ସବୁ ଡୁବେଇ ଦେଇ ଅନୁଭବ କରୁଛି ଗୋଟାଏ ନୂଆ ଚମକ, ହେଉଛି କାହା ଆଗରେ ସେ ମନଖୋଲା ଗୁଡ଼ାଏ ବକିଯାଆନ୍ତା କ’ଣ ନାହିଁ କ’ଣ, ହସନ୍ତା ଖୁବ୍ ବଡ଼ପାଟିରେ, ବ୍ୟବହାରର ସାଧାରଣ ଢପରୁ ବାଁ ଡାହାଣେ ଉଭୟଆଡ଼େ ମନଇଚ୍ଛା ଝୁଙ୍କି ଫିଟିଯାଆନ୍ତା ଯେତେ ଦୂର ଇଚ୍ଛା,ଯେପରି ଇଚ୍ଛା ।

 

ଶୀତୁଆ ପବନରେ ବି ନିଶା ଧରିଛି ।

 

ଖାଲି ଖୁବ୍ ଜୋର୍ ।

 

Unknown

କାହିଁକି ସେ ଜାଣେ ନାହିଁ ।

 

ସମୀର୍‍ର ଆଖିରେ ଆତଙ୍କ,–ସତୀ ବୁଝିପାରେ । ହୁଏତ ଚୋର ମନ ତଳେ ତଳେ ଜଳୁଥାଏ ପ୍ରତିହିଂସା ପାଇଁ ସାନ ଶଳିତାଟିଏ, ଦୁର୍ବଳ ଚିହ୍ନାମନରେ ସେ ତାକୁ ହେଜିପାରେ ନାହିଁ । ଚୋରା ପ୍ରତିହିଂସା ବଳିପାଏ ଯେତେବେଳେ ଦେଖେ ସମୀର୍ ମୁହଁ ଶୁଖାଉଛି, ନବେନ୍ଦୁର ତେଜର ଧାସ ସେ ସହି ପାରୁନାହିଁ । ସମୀର୍ ସାନ ସାନ ଶତ୍ରୁତା ଭିଆଏ, ନବେନ୍ଦୁକୁ ଦେଖିଲେ ମୁହଁ ଘୁମୁରାଏ, ନବେନ୍ଦୁ ଆସି ପହଞ୍ଚିଗଲେ ଅନ୍ୟ ଆଡ଼େ ବୁଲିଯିବା ପାଇଁ ସତୀକୁ ସମୀର୍ କୋବଲାଏ,–‘‘ଆଜି ଭଲ ବାଇସ୍କୋପ୍ ଅଛି, ସୁନ୍ଦର ଛବି, ଚଞ୍ଚଳ ନ ଗଲେ ଟିକଟ ଆଶା ନାହିଁ । କ’ଣ ବାହାରୁଛ ନା ?’’

 

ନହେଲେ,–‘‘ଥିଏଟର୍ ଲୋକେ ଆଜି ବିଶେଷକରି ଅନୁରୋଧ କରିଛନ୍ତି, ଯିବା ଦରକାର, ଅନୁରୋଧ ନ ରଖିଲେ ଲୋକେ କେଡ଼େ ମନକଷ୍ଟ କରନ୍ତି, ନା କ’ଣ ନବେନ୍ଦୁବାବୁ ?’’

 

ନହେଲେ,–‘‘ହେଇତ ନବେନ୍ଦୁବାବୁ, ଆସନ୍ତୁ ଆସନ୍ତୁ, ଆମେ ଠିକ୍ ବାହାରିବାକୁ ବସିଥିଲୁ, ଘରେ ବସିରହିଲେ ଦେହଟା ନଷ୍ଟ ହୋଇଯାଏ, ନା କ’ଣ କହୁଛନ୍ତି ନବେନ୍ଦୁବାବୁ ?’’

 

ସତୀ ହସେ ଦେଖେ ପ୍ରତିକ୍ରିୟା ।

 

ବୁଲିଯିବା କଥା ପଡ଼ିଲେ ଓଲଟି ନବେନ୍ଦୁ ଆଗଭର ହୁଏ, ଯେପରିକି ସେ ଇଂଗିତ ବୁଝିପାରେ ନାହିଁ, ମୋଟାବୁଦ୍ଧିଆ । ସତୀ ଶୁଣେ, ଜାଣିସିଆଣିଆ ନବେନ୍ଦୁ ସୁନ୍ଦର ସତେଜ ହୋଇ ଉତ୍ତର ଦେଉଛି,–‘‘ବାଇସ୍କୋପ୍ ? ଚାଲନ୍ତୁ ମୁଁ ବି ଯିବି, ଗାଡ଼ି ଡାକିଆଣେ । ..... ଥିଏଟର୍‍ ? ବାଃ, ଖୁବ୍ ଭଲ କଥା, ଯିବା ଚାଲନ୍ତୁ । ….ବୁଲିଯିବା ? ସୁନ୍ଦର ପାଗ ଆସନ୍ତୁ, ଏମିତି ଅନ୍ଧାର ରାତି, ପବନରେ ଏଇ କାମୁଡ଼ା ଶୀତ, ଦଳ ହୋଇ ତରତର ଚାଲିଲେ ରକ୍ତ ଖୁବ୍ ତେଜ ହୁଏ ।”

 

ସବୁବେଳେ ତା’ର ପ୍ରସ୍ତାବ ତିନିଜଣିଆଁ, ଦିଜଣିଆଁ ନୁହେଁ, ସେ ଯେପରିକି ନିଷ୍ଠାପର ସ୍ୱେଚ୍ଛାସେବୀ ।

 

ନବେନ୍ଦୁର ଆଖିରେ ଆତଙ୍କ,–ସତୀ ତା’ ବୁଝେ । ବୁଝିଲେ ବେଶ୍ ଆମୋଦ ଲାଗେ ।

 

ଯେଉଁ କଥା ପଡ଼ୁ ନବେନ୍ଦୁ ଉତ୍ସାହରେ କହିପାରେ,–‘‘ମୁଁ ତ ଠିକ୍ ସେଇଆ ଚାହୁଁଥିଲି । ଦଳରେ ଥିଲେ ସବୁ ମୁଁ ଉପଭୋଗ କରିପାରେ, ଏକୁଟିଆ ମତେ ଭୂତ ପରି ଲାଗେ, ତେଣୁ ମୁଁ ଥିଏଟର୍ ଯାଏ ନାହିଁ, ବାଇସ୍କୋପ୍ ଯାଏ ନାହିଁ, କୁଆଡ଼େ ଯାଏ ନାହିଁ । ଯିବା ପରା ? ଆସନ୍ତୁ ।’’

 

ସମୀର୍‍ର ସବୁ ଉତ୍ସାହ ଉଭେଇ ଯାଏ, ଅତି ଶସ୍ତା ଫନ୍ଦିର ଫାଶ ହାତରୁ ଖସିପଡ଼େ । ନିଆଶ୍ରା ଲୋକପରି ସତୀ ମୁହଁକୁ ଅନାଇଁ ଦୀର୍ଘଶ୍ୱାସ ପକାଇ ଦୁର୍ବଳ ହୋଇ କହେ–‘‘ଯିବା ସତୀ ? ନା, ଆଜି ଡେରି ହୋଇଲାଣି ବୋଧହୁଏ–’’

 

ସତୀ ହସେ ।

 

ନବେନ୍ଦୁ ଆରାମ୍‍ କରି ଦେହ ବିଛେଇ ବସିପଡ଼ି ହାତଘଣ୍ଟାକୁ ଦେଖି କହେ,–‘‘ ମତେ ବି ଲାଗୁଛି ଡେରି ହେଇଗଲାଣି । ଏଥର ସତୀ ଦେବୀ ! ଆପଣଙ୍କ ହାତରୁ କପେ ଚା’ । ଚା’ଟା କେବଳ ଗରମ ପାଣି ନୁହେଁ ସମୀର୍‍ବାବୁ, ମୁଁ ତ ଭାବେ ଚାହାରେ ଯେପରି ରହିଥାଏ, ଗୋଟାଏ କିଛି, ମାନେ ମୁଁ ଠିକ୍ ବୁଝେଇ ପାରୁନାହିଁ,–ଯେପରିକି ରହିଯାଏ ସେଥିରେ–କ’ଣ ରହେ ସେଥିରେ କହନ୍ତୁ ତ ଆପଣ ?’’

 

ସମୀର୍ ମୁହଁ ବୁଲେଇ ନିଏ । ସତୀ ଅନୁଭବ କରେ ସମୀର୍‍ର ଆଖିରେ ଆତଙ୍କ ।

 

‘‘କଣ୍ ରହେ ଚାହାରେ ?’’ ନବେନ୍ଦୁ ପଚାରିଥିଲା ।

 

‘‘ଚିନି ।’’ ସତୀ କହିଥିଲା ।

 

‘‘ସେ ଚିନିଟା ମଣିଷର, ମାନେ, ଘରର ବ୍ୟକ୍ତିତ୍ୱର ସ୍ପର୍ଶ ।’’

 

‘‘ଅଦ୍ଭୁତ ବିଶ୍ଳେଷଣ,–’’ ଶୁଖିଲା ହସ ହସି ସମୀର୍ କହିଥିଲା ।

 

‘‘ବିଶ୍ଳେଷଣ ମାତ୍ରେହିଁ ବାସ୍ତବିକ ଅଦ୍ଭୁତ ।’’ ହସି ହସି ନବେନ୍ଦୁ କହିଥିଲା ।

 

ସତୀ ଦେଖେ, ନବେନ୍ଦୁର ପ୍ରକାଣ୍ଡ ଶରୀର ସମେତ ବ୍ୟକ୍ତିତ୍ୱ ବିନାକାରଣରେ ଯେପରିକି ସମୀର୍ ଉପରେ ଅଜାଡ଼ି ହେବାକୁ ଚାହେଁ, ସେହି ଚାପ ତଳେ ସମୀର୍ ଛଟପଟ କରେ, ଯଦିଚ ତା’ର ଦୁର୍ବଳ ଉପାୟରେ । ଦେଖେଣାହାରୀ ସତୀ ଆଖିରେ ବେଳେ ବେଳେ ସମୀର୍‍ର ଭଦ୍ରତା ପାଇଁ ଦିଶେ ଦୟା, ବେଳେ ବେଳେ ନବେନ୍ଦୁର ବଳ ପ୍ରତି ଆକର୍ଷଣ ଜନ୍ମେ । କିନ୍ତୁ ଦୁହିଁଙ୍କୁ ଏକାଠି ଦେଖିଲେ ସେ ହୃଦୟର ଅନୁଭୂତି ଉପରେ ପର୍ଦ୍ଦାପକାଇ ନିଜକୁ ଅଲଗା ରଖି ବିଚାର-ବୁଦ୍ଧିରେ ଅବସ୍ଥାରେ ମଉଜ୍ କଥାଭାବେ; କେବଳ ଦେଖେ ଦୁଇଟା ପୁରୁଷ, ଆଉ ମଝିରେ ସେ ।

 

ଗୋଟାଏ ତ୍ରିଭୁଜର ଅଗ, ଅତି ପୁରୁଣା, ଅତି ଶସ୍ତା,–ସତୀ ନିଜକୁ ସାନ ମଣିବାକୁ ଚେଷ୍ଟା କରେ, ହୁଏ ନାହିଁ, ବରଂ ଗର୍ବ ଆସେ, ପଢ଼ାପାଠ ଦୁଆଦିଏ,–ଯୁଗେ ଯୁଗେ ଏମିତି, ଦ୍ରୌପଦୀଠୁଁ ହେଲେନ୍ ଯାକେ, ସ୍ୱୟମ୍ବର ସଭାରୁ ସିଭାଲରି ଯୁଗରେ ମଲ୍ଲଯୁଦ୍ଧ ପର୍ଯ୍ୟନ୍ତ ସବୁକାଳେ ଏହିପରି, ଯୁଦ୍ଧ ନାରୀର ଇଙ୍ଗିତରେ ।

 

ନିଜକୁ ଆହୁରି ଦୂରକୁ ଓଟାରି ନେଇ ଦୁହିଙ୍କ ମୁହଁକୁ ନୀରବରେ ଅନାଇଁ ରହି ନିରପେକ୍ଷ ଚିନ୍ତାଧାରା ଖେଳାଇ ସତୀ ବହିକଥା ଗଢ଼େ,–ମଣିଷ ପରା ସଭ୍ୟ ହୋଇଛି ! ସଭ୍ୟତା କରିଛି କ’ଣ-? କାମନାର ରୂପାନ୍ତର କରିଛି କେବଳ, ଜୈବୀ ଆକାଂକ୍ଷାର ପ୍ରକାଶ ଓ ପ୍ରତିକ୍ରିୟାର କେତେଗୁଡ଼ାଏ ବିଷୟରେ ମାର୍ଗ ବଦଳାଇଛି, ଦବେଇ ପାରିନାହିଁ, ନିଭେଇ ପାରିନାହିଁ । ସରଳକୁ ଜଟିଳ କରିଛି, ନଗ୍ନକୁ ପୋଷାକ ପିନ୍ଧାଇଛି, ସ୍ୱରୂପ ତା’ର ତଳେ ତଳେ ।

 

ଦୁଇଟା ପୁରୁଷଙ୍କୁ ଚାହିଁ ସେ ତାଙ୍କର ନଗ୍ନ ଦେହକୁ ଦେଖେ, ଆପଣା ରୋମ ଟାଙ୍କୁରି ଉଠେ, ତା’ପରେ ଜାଣି ଜାଣି ଦୃଷ୍ଟି ବଳାଏ ତାଙ୍କର ନଗ୍ନ ଆତ୍ମାକୁ, ଅନୁମାନ କରେ ସ୍ଥୂଳଦେହ ଉହାଡ଼ରେ ଅଛି କାମନାର ଅଶରୀର ରୂପ, ଭାବେ ସେ ବିଶ୍ଳେଷଣ କରୁଛି ।

 

ଅନ୍ୟମନସ୍କପଣ କଟିଯାଏ ହଠାତ୍ । ଯେପରିକି ସେ ଦୁଲ୍‍କରି କଚାଡ଼ି ହୋଇପଡ଼ୁଛି । ପ୍ରାଣ କାନ୍ଦିଉଠେ । କ’ଣ କହୁଛି ସେ ? କାହିଁ କିଏ ? ଅଭିମାନ ଆସେ ସମୟର ସୁଅତୋଡ଼ରେ ସବୁ ଭୁଷୁଡ଼ି ଠେଲି ହୋଇଯାଉଛି ଅଜଣା ଅନ୍ଧାର ଭିତରକୁ, ମଣିଷମୟ ସଂସାର ଭିତରେ ମଣିଷ ନାହିଁ, କେହି ନାହିଁ ।

 

ସେମାନେ ଆସିଛନ୍ତି, ରହିବାକୁ ଚାହିଁଛନ୍ତି, ଚାଲି ଯାଇଛନ୍ତି–କାହା ଦୋଷରୁ ? ସଂସାରରେ ସବୁ କଥା ବୋଧହୁଏ ଖାଲି ଦୋଷ ଓ ଗୁଣ ନୁହେଁ, କାରଣ ଓ ଫଳ ନୁହେଁ, ଖାଲି ଏମିତିଆ ।

 

ଅକାରଣ, ଅହେତୁକ,–ଏମିତିଆ ।

 

ସେତେବେଳେ ଗୋଟାଏ ଖେଳେଣା ଧରି ଆଉ ଗୋଟାକୁ ଫୋପାଡ଼ି ଦେଲାବେଳେ ଦିଶୁଥିଲା ଖେଳେଣାର ଦୋଷ, ସବୁ ଖେଳେଣା ଭାଙ୍ଗିରୁଜି ଫୋପାଡ଼ି ଦେଇସାରି ଅବଶୋଷ କଲାବେଳେ ଲାଗୁଥିଲା ନିଜର ଅବା ଦୋଷ ସବୁଯାକ, ପିଲାଦିନ ବହକି ଯାଇଛି, ଆତ୍ମବିଶ୍ୱାସ ସହିତ ସେ ଫଳର କାରଣ ବାହାର କରି ପାରୁନାହିଁ, ଦୋଷଗୁଣ ବାଛି ପାରୁନାହିଁ, ଏଇ ପ୍ରମାଣ ଯେ ସେ ବଡ଼ ହୋଇଛି, ତା’ର ଜ୍ଞାନ ବଢ଼ିଛି ।

 

ଏହି ବଢ଼ିଲା ଜ୍ଞାନ ଧରି ସତୀ ଖାଲିହାତରେ ଗାଲ ରଖି ବସି ଭାବେ, ଲୁହଧାର ବି ଶୁଖିଯାଇଛି, ତା’ ବି ନାହିଁ । କେହି ଅଟକି ରହି ନାହାନ୍ତି । ସେହି ଚଳନ୍ତି ପଟୁଆରର ଶେଷରେ ଦେଖେ ନବେନ୍ଦୁ ବି ଚାଲିଯାଉଛି, ଦି’ଦଣ୍ଡର ବାଟର ବାଟୋଇ, ନବେନ୍ଦୁ ବା ବଡ଼ କେଉଁଗୁଣେ ?

 

ସଂସାର ମାନେ ଖାଲି ପାଦରଖା ମାଟି ନୁହେଁ, ସଂସାର ନୁହେଁ ଗୋଟାଏ ତଳ, ଗୋଟାଏ ପତ୍ତନ, ନୁହେଁ କେବଳ ସଫେସ୍ । ତେଣୁ ବୋଧହୁଏ ଗୋଟାଏ ସ୍ଥାନରେ ଏକ ସମୟରେ ଭାବିଲାବେଳକୁ ଅସଂଖ୍ୟ ସ୍ତରରେ ଅସଂଖ୍ୟ ଜନ୍ତୁଙ୍କର ଜୀଉଣା, ସ୍ତର ସ୍ତର କଟାକଟି ଭେଟାଭେଟି ନ ହେଲେ କିଏ କାହାର ? ସ୍ତର ସ୍ତର ଭେଟାଭେଟି ହୋଇ ପୁଣି ଅଲଗା ହୋଇଯାଏ, ଶୂନ୍ୟ ଭିତରେ ପହଁରି ପହଁରି ପୁଣି ଦୁଇଗ୍ରହ ଦେଖାଦେଖି ହେଲାବେଳକୁ କେତେ ଯୁଗ ? କେତେ ଜନ୍ମ ? ସେତେବେଳେ ଆଉ ଚିହ୍ନାଚିହ୍ନି ନଥିବ, ନୂଆ ହୋଇ ଚିହ୍ନା, ନୂଆ ହୋଇ ସଂପର୍କ, ସେ ପୁଣି ଅଲଗା ହେବାକୁ । ପୁରୁଣା ସମୟ ଫେରିଆସେ ସ୍ମୃତିପଟରେ ପୁରୁଣା ଦୃଶ୍ୟର ଛିଲିକାଏ ସତେକି, ତଥାପି ଠିକ୍ ସେଇଆ ନୁହେଁ । ସେ ଦୃଶ୍ୟରେ ନୂଆମୁହଁ କେତେ, କେତେ ପୁରୁଣା ମୁହଁର ସ୍ଥାନ ଖାଲି, ଯଦିବା ଉପାଦାନ ସବୁ ସେହିପରି ଥାଏ । ସେଥିରେ ସ୍ଥାନର ଅଦଳବଦଳ, ରଙ୍ଗର ତଫାତ୍, ତଫାତ୍ ମରମ ଭାବର । ମନରେ ସେହି ଏକାପ୍ରକାର ଜୁଆର ଉଠେ ନାହିଁ ।

 

ତେଣୁ ଦୁଇଟା ସୂର୍ଯ୍ୟାସ୍ତ ସମାନ ନୁହେଁ, ଆକାଶରେ ସେହି ରଙ୍ଗ, ତଳେ ସେହି ଉଦାସ, ପବନ ସେମିତି । ସେମିତି ନୁହେଁ, ଭୁଲ୍–ଭୁଲ୍–ଭୁଲ୍, ନବେନ୍ଦୁ ବି ଭୁଲ୍, କେବଳ ଉପହାସ, ରଣକୁହୁଡ଼ିରେ ନୂଆ ସକାଳର ରଙ୍ଗ, ସେ ବି ଉଭେଇଯିବ, ରହିବ ନାହିଁ ।

 

କାହିଁକି ?

 

କାହିଁକି ଏ ଜନ୍ମ ? କାହିଁକି ଏ ପ୍ରବାହର ପ୍ରଦାହ ? ଏ ମୋହ କାହିଁକି ? ବିଳାପର ଆର୍ତ୍ତଚିତ୍କାର ଅଟକି ଯାଇ ଟାଆଁସିଆ ଶୁଖିଲା ଆଖି ଫାଡ଼ି ହୋଇ ରହେ ଗୋଟାଏ ‘କାହିଁକି’ର ବିହ୍ୱଳତାରେ, ଦେହସାରା ନିଶ୍ୱାସ ବନ୍ଦ ହେଲାପରି ଅସ୍ୱସ୍ତି, ସ୍ନାୟୁ ଟଣକି ରହିଛି ଧନୁର ଗୁଣପରି, ମୁଣ୍ଡ ଭିତରେ ତତଲା ତୋଫାନ ।

 

ପ୍ରାଣ ମୁକ୍ତି ଚାହେଁ, ଶୋଷ–ଅଥୟ ଅନ୍ତର ଲୋଡ଼େ ଟୋପେ ପାଣି ।

 

ପୁରୁଣା ଭୟ ପୁଣି ଜୀବର ରକ୍ଷାକବଚ ପରି ତାକୁ ଫେରାଇ ଆଣେ,–ସେ କ’ଣ ପାଗଳ ହୋଇ ଯାଉଛି ? ଘଟନାଗଢ଼ାଳି ଦୟାଳୁ ଦୈବ ତାଠିଁ ଗୋଟାଏ କିଛି କ୍ଷତର ମୁହଁ ଖୋଲିଦିଏ, ବାପା କି ବୋଉଙ୍କ ମୃତ୍ୟୁର ସ୍ମରଣ,–ଦୟାଳୁ ଦୈବ ବର୍ଷା ଗାଳେ, ଥରିଲା ଓଠରେ ନିଃଶବ୍ଦରେ ‘ବୋଉଲୋ’ ବୋଲି ଗଡ଼ୁ ଗଡ଼ୁ ସତୀ ଝରଝର କାନ୍ଦି ସୁସ୍ଥ ହୁଏ, ଦେହସାରା ସହଜ ହୋଇ ହୁଗୁଳିଯାଏ ।

 

ଅନେଇଁ ଯାଏ ସମୀର୍, ଆଗପରି ପ୍ରଶ୍ନ ପଚାରି ସାନ୍ତ୍ୱନା ଦେବାକୁ ହେଣ୍ଟାଳି ଆସେ ନାହିଁ, ସ୍ତ୍ରୀଲୋକର ସ୍ୱାୟତ୍ତ ଲୁହ ତାକୁ ଭିତରୁ ଧରି ଝାଙ୍କିଦିଏ, କଥା କହିବାକୁ ସାହସ ପାଏ ନାହିଁ, କ’ଣ ଯେପରି ବଡ଼ ଅପରାଧ ସେ କରିବାକୁ ବସିଥିଲା ସେହିପରି । ଲାଗେ, ଚୁପ୍‍ଚାପ୍ ଖସି ପଳେଇବାକୁ ତର ସହେନାହିଁ ।

 

କିଛି ସମୟପରେ ଏଇ ଦୁହେଁ ପୁଣି ଏକାଠି ହୁଅନ୍ତି, ଜୀବନର ସାଲିସରୁ ଯେତେ ସମ୍ଭବ ସୁବିଧା ଉଠାଇବାକୁ ପରସ୍ପର ଉପରେ ଭାର ଦେଇ ହସିପାରନ୍ତି ।

 

ନବେନ୍ଦୁ ଆସେ, ତା’ର ଈର୍ଷା ହୁଏ । ଈର୍ଷାକୁ ହସରେ ଲୁଚେଇ ସେ ବି ହସେ । ସତୀର ଲୁହରେ କବିତାର ପାଖୁଡ଼ା ଖୋଲେ ନାହିଁ ।

 

କେବଳ ହେମନ୍ତ ନୁହେଁ, ହେମନ୍ତ ପରି ଆହୁରି ଥିଲେ ଅନେକ, ସେମାନେ ବି ସତୀ ପକ୍ଷରେ ସେହି ମୁହୂର୍ତ୍ତକ ଥିଲେ ଅତି ବାସ୍ତବ, ବାକି ସବୁ ଅବାସ୍ତବ ଥିଲା । ଅଣ୍ଡାଳି ବସିଲେ ସତୀ କାବା ହୁଏ, କେଉଁଟା ବାସ୍ତବ କେଉଁଟା ଅବାସ୍ତବ, କେଉଁଟା ସତ କେଉଁଟା ମିଛ । ଆଖି ପାଇବ ନାହିଁ ଆଖିରେ ଦେଖିବା ପରିସର, ଚିହ୍ନା ଦୁନିଆଁ, ତାହାରି କେଉଁ କଣରେ କେଉଁ ପ୍ରାଣୀର ଆତଯାତ କେଉଁ ସମୟରେ, ସେତିକି ତା’ ପକ୍ଷରେ ସେତିକି ବେଳେ ସତ, ବାକି ସବୁ ନୁହେଁ । ସେହିପରି ଥିଲେ ସେମାନେ କାହା ନାଁ ମନେ ଅଛି କାହା ନାଁ ନାହିଁ । ଏକା ଜୀବନରେ ପରଲୋକର କାହାଣୀ...ଭୁଲି ହୁଏନାହିଁ, ମୃତବତ୍ସା ମା ପରି ସତୀ ମନେପକାଏ ।

 

‘‘ଯାଉଛି ସତୀ, ଆଉ ବୋଧେ ଦେଖା ହେବା ନାହିଁ–’’ ନିରଞ୍ଜନ କହିଥିଲା । ତା’ର ସୁନ୍ଦର ଗଢ଼ଣ ସମେତ ନୁଆଁଣିଆଁ ଢଳଢଳ ଆଖିଦୋଟି ମନେପଡ଼େ । ନିରଞ୍ଜନ କହିବାକୁ ଆସିଥିଲା ସେ ଯୁଦ୍ଧରେ ଚାକିରି ପାଇଛି । ପଡ଼ିଶାଘର କୁମୁଦବାବୁଙ୍କ ପୁତୁରା, ବି.ଏସ୍‍ସି. ପରୀକ୍ଷା ଦେଇସାରି ଦିନାକେତେ କୁମୁଦବାବୁଙ୍କ ଘରେ ଥିଲା, ସେଇଠି ଚିହ୍ନାଚିହ୍ନି ।

 

‘‘ତୁମେ ଆଉ ଯୁଦ୍ଧ–ମୁଁ ତ ଦୁହିଁଙ୍କୁ କଳ୍ପନାହିଁ କରୁନାହିଁ’’ ଖଳ ଖଳ ହସି ସତୀ କହିଥିଲା, ‘‘ସତେ ତୁମେ ଯୁଦ୍ଧକୁ ଯାଉଛ ନିରଞ୍ଜନ, ତୁମେ ଲଢ଼ିବ ?’’

 

‘‘ନ ଲଢ଼ିଲେ ମରିପାରିବି ତ ?’’

 

‘‘ବେଶ୍‍ ଯୋଦ୍ଧା ଯା’ ହଉ, ମହତ୍ ଉଦ୍ଦେଶ୍ୟ ଘେନି ଯୁଦ୍ଧକୁ ଯାଉଛ ।’’

 

‘‘ମୋର ଉଦ୍ଦେଶ୍ୟ ମୋଟା ଦର୍‍ହମା ପାଇବା, ୟାଠୁ ଆଉ କ’ଣ ଅଧିକ ମହତ୍ ଉଦ୍ଦେଶ୍ୟ ଅଛି କହ ? ହଁ, ଲୋକଙ୍କ ଆଖିରେ ଟଙ୍କାଟା କ’ଣ ବଡ଼ ନୁହେଁ ?’’

 

‘‘କେଜାଣି, ତୁମେ କ’ଣ ଭାବୁଚ ?’’

 

ନିରଞ୍ଜନ ଲାଜ ଲାଜ କରିଥିଲା ।

 

ପଛରେ ଇତିହାସ ଥିଲା ସାମାନ୍ୟ ଟିକିଏ, କୁମୁଦବାବୁଙ୍କ ସ୍ତ୍ରୀ ଥରେ ନିରଞ୍ଜନ ବିଷୟରେ ସତୀକି କରିବାକୁ କଥା ପକାଇ ଥିଲେ–‘‘ବଡ଼ ଭଲ ହୁଅନ୍ତା ଅପା, ଅଇଛା କୋଉ ହଉଚି-। କଥା କରି ରଖିଲେ ଆଉ ବର୍ଷେ ଦି’ ବର୍ଷରେ ନିର ରୋଜଗାର କଲେ ବାହାଘର ହୁଅନ୍ତା-।’’ ସତୀବୋଉ କଥାଟା ହସରେ ଉଡ଼େଇ ଦେଇଥିଲେ । ସତ କଥା, ନିରଞ୍ଜନର ଘରଦ୍ୱାର ନାହିଁ । ଟଙ୍କା ନାହିଁ । ସେ ମନ୍ତବ୍ୟଟା ବି ସେଘରକୁ ବୁହାହେବାର ଉପାୟ କରା ହୋଇଥିଲା । ସତୀ ସେତେବେଳେ ହସିଥିଲା ।

 

ତେଣୁ ସତରେ ଯେତେବେଳେ ସେ ଶୁଣିଲା ନିରଞ୍ଜନ ଯୁଦ୍ଧକୁ ଯାଉଛି, ତାକୁ ମାଡ଼ି ପଡ଼ିଥିଲା । ନିରଞ୍ଜନର କଥାଗୁଡ଼ାକ ଲାଗିଲା ଆପଣା ଦେହକୁ ଖେଣ୍ଟାପରି ।

 

‘‘ମୁଁ ବିଶ୍ୱାସ କରୁଛି ତୁମେ ନିଶ୍ଚୟ ଦିନେ ଯୁଦ୍ଧରୁ ସମ୍ମାନ ଆଉ ଟଙ୍କା ଧରି ଫେରି ଆସିପାରିବ ।’’ ସତୀ କହିଥିଲା ।

 

‘‘ମୁଁ ବି ସେହି ବିଶ୍ୱାସରେ ଯାଉଛି; କିନ୍ତୁ ଏଠିକି ବୋଧେ ଫେରିବି ନାହିଁ, ତେଣୁ ବିଦାହେବାକୁ ଆସିଲି ।’’

 

‘‘ଯୁଦ୍ଧକୁ ଯିବା ଏତେ ଜରୁରି ଥିଲା ?’’

 

‘‘ଗୋଟାଏ ବୃତ୍ତି ଧରିବା ଜରୁରି ଥିଲା, ଯୁଦ୍ଧକୁ ଯିବା ବି ଗୋଟିଏ ବୃତ୍ତି ।’’

 

‘‘କିନ୍ତୁ ଏଥିରେ ବିପଦ ଅଛି–ଏକଥା ତ ମାନିବ ?’’

 

‘‘ଆଦୌ ନୁହେଁ । ଯେତେ ଲୋକ ଅନାହାରଯୋଗୁଁ ରୋଗରେ ମରନ୍ତି, ମହାମାରୀରେ ମରନ୍ତି, ଯୁଦ୍ଧରେ ମରନ୍ତି ତାଠୁଁ ଯଥେଷ୍ଟ କମ୍, ଏତ ଗଲା ଦେହର ମୃତ୍ୟୁ । ବଞ୍ଚିଥାଇ ବି ଅକାଳରେ କେତେ ଲୋକ ମନରେ ମରିଯାଆନ୍ତି, ଯୁଦ୍ଧ କ’ଣ ତାଠୁଁ ଭୀଷଣ ?’’

 

‘‘ମନରେ ମରିବାଟା କେମିତିକା ନିରଞ୍ଜନ ?’’

 

‘‘ନିଜେ ନ ମଲେ ବୁଝିପାରିବ ନାହିଁ । ହଉ ।’’ ତରତର ହୋଇ ନିରଞ୍ଜନ ଚାଲିଯାଇଥିଲା ।

 

ତା’ପରେ ସିଂଗାପୁରରେ ନିରଞ୍ଜନ ସମାଧି ପାଇଲା । ତା’ର ପ୍ରେତାତ୍ମାଟା ସତେକି ସତୀର ହୁଗୁଳା ମୁଣ୍ଡ ଭିତରେ ଚହଳ ପକାଏ,–‘‘କାହିଁକି ? କାହିଁକି ?’’ ଅନେଇଲେ ସତୀ ଦେଖେ ହେଇତ ନିରଞ୍ଜନ,–ସେ ମରିନାହିଁ । ବାକି ସବୁ ମନେପଡ଼େ ।

 

ସେ କ’ଣ ମିଛ ?

 

ଆଉ ମନେପଡ଼େ ଆଉ ଜଣେ, କଳା ସରୁଆ; ବଂକା ନାକ, ନାଲି ନାଲି ଆଖି, ମୁଣ୍ଡରେ ଲମ୍ୱା ବାଳ ଚାଲିଲେ ଉଠେ ପଡ଼େ । କଳା ପ୍ୟାଣ୍ଟ୍ ଉପରେ ନାଲି କାମିଜ୍ ପିନ୍ଧି ବାହାରେ । ବଜାରୀ ଶିବ, ସାହୀର ଜଣେ ବାରବୁଲା । ସଡ଼କରେ ଗଲେ ଝରକା ଆଡ଼େ ଚାହିଁ ସିଠି ମାରି ମାରି ଯାଏ । ବିନା କାରଣରେ ଘର ଆଗରେ ଠିଆହୋଇ ଅନ୍ୟମାନଙ୍କ ସଙ୍ଗେ ବାହାବଳ ପରଖ ଲଗାଏ, ମଝିରେ ମଝିରେ କଣେଇଁ କଣେଇଁ ଏପାଖ ଘରକୁ ଚାହିଁଦିଏ । ସତୀ ତାକୁ ଦେଖିଛି, କେବଳ ଟିକିଏ ସତୀର ଦର୍ଶନ ପାଇବ ବୋଲି ଯେପରିକି ସେ ସାମ୍ନା ରାସ୍ତାରେ ବିନା ପତିଆରାରେ ମାଣ୍ଟେଇଥାଏ, ଟହଲୁଥାଏ । ଗୋଟିଏ ଦେଖଣାହାରି ଶ୍ରେଣୀର ପ୍ରତୀକ । କ’ଣ ସେ ପାଏ ?

 

ସେ ବି ସତୀର ମନେପଡ଼େ ।

 

ଏମିତି ଚାହିଁଛନ୍ତି ଅନେକେ । ସେ ତ ସେହିଆ ଖୋଜିଥିଲା,–ଅତି ସାନ ଦିନରୁ ଯେତେବେଳେ ବାରି ହେବାପାଇଁ ବେଣୀରେ ପିନ୍ଧୁଥିଲା ନାଲି ନକଲି ଫୁଲ, ସେଦିନୁ ବଡ଼ ହେବାଯାକେ, ତା’ପରେ,–ସବୁଦିନେ ସେ ଚାହିଁଛି ବିଶିଷ୍ଟତା । ତା’ର ବିଶିଷ୍ଟତା ଯେପରି ଫୁଲଠିଁ ରଙ୍ଗ ଓ ସୁବାସ, ନା–ଆହୁରି କିଛି,–ଚିତାବାଘର ଛାଲ ଆଉ ଠାଣି, ସାପର ଆଖି ଓ ଦେହର ଗତି–ଶୈଳୀ, ମୁଗ୍ଧ କରେ ।

 

ମୁଗ୍ଧ ହୋଇ ଅନାଇଁ ରହିଛନ୍ତି ଅନେକେ ।

 

କାହାନ୍ତି ?

 

ମନେପଡ଼ନ୍ତି ସଙ୍ଗୀତମାଷ୍ଟର ମଦନ, ‘ବାବୁ’ ସେଠି ପ୍ରୟୋଗ କରିବାକୁ ହାତ ଯାଏ ନାହିଁ, ବୟସରେ ସେତେ ବଡ଼ ନୁହନ୍ତି । ସେ ହାତ-ପାଆନ୍ତି । ଛାତିପକେଟରୁ ସାନ ପାନିଆଁ କାଢ଼ି ମୁଣ୍ଡବାଳକୁ ପଛକୁ କୁଣ୍ଡେଇ ପକାନ୍ତି ଅତି ତରତର, କପୋଳର କଲି କାନତଳକୁ ବୋହିଯାଇଥାଏ, ଶ୍ୟାମଳ ମୁହଁଟି ସ୍ନୋ ବ୍ୟବହାରରେ ଦିଶେ ପାଉଁଶିଆ–ପାଉଁଶବିଞ୍ଚା ହୋଇଥିବା ଲାଉ ପତ୍ର ଉପରେ ସକାଳର କାକର ପଡ଼ି ଯେପରି ଦିଶୁଥାଏ, ସେହିପରି ।

 

ମଦନବାବୁ ମହ ମହ ବାସନ୍ତି, ପାଖେ ପାଖେ ଥାଇ ସଙ୍ଗୀତର ଆତ୍ମାକୁ ସତୀର ଛାତିଭିତରେ ପୁରେଇବାକୁ ଚେଷ୍ଟା କରନ୍ତି ପ୍ରାଣପଣେ ।

 

ତଉଲନ୍ତି, ତା’ର ଆଙ୍ଗୁଠିର ଅଗ ଆସ୍ତେ ଚିପି ଚିପି ମନ୍ତବ୍ୟ ଦିଅନ୍ତି–

 

‘‘ଏଇ ସୁନ୍ଦର ଆଙ୍ଗୁଠି–ସତେ ଯେପରି ତାରଯନ୍ତ୍ର ପାଇଁ ଢଳେଇ ହୋଇ ତିଆରି ହୋଇଛି । ହେଇ ଦେଖନ୍ତୁ ମୋ ଆଙ୍ଗୁଠି, ଆପଣଙ୍କ ଆଙ୍ଗୁଠିର ପ୍ରତିଭା ଏଥିରେ ନାହିଁ, ଯାହା କରିପାରିଛି କେବଳ ନିଜ ସାଧନାଦ୍ୱାରା ।’’

 

ସତୀ ତାଙ୍କ ଆଙ୍ଗୁଠିକୁ ବି ଦେଖେ, ହସ ଛାଡ଼େ ଆସ୍ତେ ଆସ୍ତେ ।

 

‘‘ଆଉ ଆପଣଙ୍କ ଗଳା,–ମଡୁଲେସନ୍ ଯେପରି ତା’ର ସ୍ୱାୟତ୍ତ । ମୋର ତ ମନେ ହୁଏ ଆପଣ ପିଲାଦିନେ କୁଆଁ କୁଆଁ ହୋଇ ଯେତେବେଳେ କାନ୍ଦୁଥିଲେ ଆପେ ଆପେ ରାଗିଣୀ ବାହାରୁଥିଲା । ସାମାନ୍ୟ ଟିକିଏ ପରିଶ୍ରମରେ ଆପଣ ସୁବ୍ବଲକ୍ଷ୍ମୀଙ୍କି ବି ବଳିଯିବେ, ଅଳ୍ପ ଟିକିଏ ଅଭ୍ୟାସ ଦରକାର ।’’

 

ଆଉ ମନେପଡ଼େ ଗୋଟାଏ ଶାନ୍ତ ସଞ୍ଜ, ଚୁପ୍‍ଚାପ୍ । ଘରେ କେହି ନଥିଲେ । ପଦାରେ ଜହ୍ନ । ସୁବ୍ବଲକ୍ଷ୍ମୀ ସୃଷ୍ଟି କରିବାର ଆବେଗରେ ମଦନବାବୁ ହାରମୋନିୟମ୍ ଉପରେ ଗଡ଼ି ଗଡ଼ି ଭାବ ଲମ୍ବେଇ ଗାଉଥିଲେ–

 

‘‘ଖେଳାଲୋଳା ଖଞ୍ଜନାକ୍ଷି ଖରାପ ତୁ ହେଲୁରେ–’’

 

ସତୀଠିଁ ମୂକ ହସ ଯେପରିକି ଭାଷା ପାଇଥିଲା, ଗଡ଼ି ଗଡ଼ି ହସି ହସି ନିଜକୁ ସମ୍ଭାଳି ନ ପାରି ସେ ପଦାକୁ ଦୌଡ଼ିପଳାଇଥିଲା ଜହ୍ନ ଝଲଝଲ ପଡ଼ିଆ କଣରେ ଆଶ୍ରା ଖୋଜିବାକୁ ।

 

ଆଉ ବୈକୁଣ୍ଠ ଆଉ ନିକୁଞ୍ଜ ଆଉ ପ୍ରତାପ, ଆଉ ଆହୁରି କେତେ, ଆଉ ସଂସ୍କୃତପଣ୍ଡିତ ଗାଣ୍ଡିବଧର ଶର୍ମା ।

 

ଆଖି ଖୋଲି ଚାହିଁଲେ କେହି ଦିଶୁନାହିଁ ।

 

‘‘ନମସ୍କାର– ।’’

 

ନବେନ୍ଦୁ ।

 

‘‘ଗୋଟାଏ କଥା ପଚାରିବାକୁ ଆସିଥିଲି ।’’

 

ସେହି ସଞ୍ଜ । ଛାତିଟା ଚାଉଁ କଲା । ସତୀ ଆଲୁଅ ନିଭେଇ ଦେଲା । ଅସ୍ୱାଭାବିକ କଣ୍ଠରେ ଫୁସ୍ ଫୁସ୍‍ କରି କହିଲା–‘‘ଆସନ୍ତୁ ଭିତରକୁ । କେହି ନାହାନ୍ତି ।’’

 

‘‘ଗୋଟାଏ କଥା ପଚାରିବାକୁ ଆସିଥିଲି ।’’

 

‘‘ପଚାରନ୍ତୁ ।’’

 

‘‘ସମୀର୍‍ବାବୁ ଆପଣଙ୍କର କିଏ ?’’

 

ଉତ୍ତର ନାହିଁ ।

 

‘‘ଏ କ’ଣ ? ଆପଣ ଆଲୁଅ ନିଭେଇ ଚାଲିଗଲେ କି ?’’ ଗୋଟାଏ କଣରେ ମୋଡ଼ିମାଡ଼ି ହୋଇ ପଡ଼ି ସତୀ କାନ୍ଦୁଛି ।

 

‘‘ଶୁଣିଲେ ମୋକଥା ? ସତୀ ଦେବୀ ! କୁଆଡ଼େ ଗଲେ ଆପଣ ?’’

 

ଦୁମ୍‍ଦାମ୍‍ ଜୋତାଶବ୍ଦ ଦୂରେଇ ଦୂରେଇ ଯାଉଛି । ହେଇ, ଆଉ ଶୁଭୁନାହିଁ ।

 

ଶୁଖିଲା କାନରେ ଆଖି ରଗଡ଼ି ସତୀ ସିଧାହେଲା । ସ୍ୱିଚ୍ ଟିପିବାକୁ ହାତ ଗଲାନାହିଁ ।

 

ବାହାରେ ଜହ୍ନରାତି । କେହି ନାହିଁ ।

 

କେହି ନାହିଁ ।

 

ଈରା ଧମକେଇ ଚିଠି ଲେଖିଥିଲା,–‘‘ତୁମେ ବହୁତ ଦିନୁଁ ଗଲଣି, ଲାଗୁଛି ତୁମର ହଜିବାକୁ ମତ୍‍ଲବ୍; କିନ୍ତୁ ତୁମେ ଚୀନାମାଟିର ପାତ୍ର, ପଡ଼ିଲେ ଭାଙ୍ଗିଯିବ, ତେଣୁ ମତେ ନିଦ ହେଉନାହିଁ । ସଂପତ୍ତି ଉଜୁଡ଼ି ଯିବା ସୂଚନା ଦେଖିଲେ ଯେପରି ଆଶଙ୍କା ଆସେ, ତୁମେ ନ ଆସିବାରୁ ମୋର କେତେକାଂଶରେ ଆଶଙ୍କାଟା ସେହିପରି । ତେଣୁ ତୁମକୁ ସତର୍କ କରିବାକୁ ଏ ଚିଠି ଲେଖିଲି, ଜଲ୍‍ଦି ଲେଉଟି ଆସ, ନହେଲେ ମତେ ତୁମପାଖକୁ ଯିବାକୁହିଁ ହେବ ଏଇ ସପ୍ତାହ ଭିତରେ । ଅବଶ୍ୟ ଭାବନାହିଁ ଯେ ତୁମପାଇଁ ଝୁରି ଝୁରି ମତେ ନିଦ ହେଉନାହିଁ ବୋଲି, ନିଦେଇବାକୁ ଅନେକ ଅଛନ୍ତି, ଅଜିତ୍‍ବାବୁ, ରବିବାବୁ ପୀତାମ୍ୱରବାବୁଙ୍କଠୁଁ ଆସଫ୍ ମିଆଁ ପର୍ଯ୍ୟନ୍ତ, ଆଉ ହଁ,–ମିଷ୍ଟର୍‍ କ୍ରୋସି, ସେ ନୂଆ ଆସିଛନ୍ତି; କିନ୍ତୁ ଖୁବ୍ ପୁରୁଣା ଖେଳୁଆଡ଼୍, ଦେଖନ୍ତ ଯଦି ଥରେ-। କିନ୍ତୁ ଯେତେ ଯେ ଥାଉନ୍ତୁ, ମୁଁ ବଞ୍ଚି ଥାଉ ଥାଉ ମୋର କୌଣସି ସଂପତ୍ତିକୁ ମୋରି ଆଖି ଆଗରେ କିଏ ଗ୍ରାସ କରିବ, ଏକଥା ମୋ ଦେହରେ ସହିବ ନାହିଁ । ଜାଣିଚତ, ହିଂସ୍ରଜନ୍ତୁ ଆମେ, ଫେମିନିନ୍ ଆଉ ଫେଲାଇନ୍ ଭିତରେ ବେଶୀ ତଫାତ୍ ମୋ ଆଖିରେ ପଡ଼େ ନାହିଁ । ମୁଁ ଯୁଦ୍ଧ କରିବାକୁ ଯିବି, ସେତେବେଳେ ମତେ ଆଉ ଦୋଷ ଦେବନାହିଁ ।’’

 

ନବେନ୍ଦୁ ଗାଡ଼ିରେ ବସି ସିଗାରେଟ୍ ଟାଣୁଥିଲା ।

ଗଛତଳେ ଟୋପା ଟୋପା ଜହ୍ନ ଆଲୁଅ ପଡ଼ିଛି, ଚିତାବାଘର ଛାଲପରି ତୋଟାତଳ ।

 

ପ୍ରକାଣ୍ଡ ମଣିଷର ମନଭିତରେ ଗୋଟାଏ, ଅଜଣା ଆଶଙ୍କା ଲୁଚୁକାଳି ଖେଳୁଛି ।

 

ନବେନ୍ଦୁର ମନରେ ଅନୁଶୋଚନା । ହଠାତ୍ ଭୁଷ୍ କରି ସମୀର୍‍ବାବୁଙ୍କ ସମ୍ବନ୍ଧରେ ପରିଚୟ ପଚାରବାଟା କ’ଣ ଠିକ୍ ହେଲା ? ସେଇଟା କ’ଣ ଭଦ୍ରତା ? ସମୀର୍‍ର ଶୁଖିଲା ମୁହଁ ମନେପଡ଼ୁଛି । ମନରେ ରାଗ ଜଳୁଛି ହାକୁ ହାକୁ ହୋଇ । ଭଦ୍ରତା ! ଭଦ୍ରତା ! ନବେନ୍ଦୁ ଭାବୁଛି, ଭଦ୍ରତାର ଦ୍ୱାହିଦେଇ ଅନେକ କଥା । ସଂସାରରେ ଚଳିଯାଏ ଯେଉଁଥିପାଇଁ ଇଚ୍ଛାହୁଏ ଭଦ୍ରତାର ମୁଖା ଆଉ ପୋଷାକ ଓଟାରି ଛିଣ୍ଡେଇ ଫୋପାଡ଼ିଦେବାକୁ ।

 

କ’ଣ ସେ କଲା ? ସେ ପଳୋଉଛି ।

 

ରାଗିଲେ ବି ଅଶାନ୍ତି ଛାଡ଼ୁ ନାହିଁ ।

 

ହୁଏତ ଈରା ଖୁସି ହେବ ।

 

ଆଉ ସତୀ !

 

ସମୀର୍ ଫେରିଆସି ଦେଖିଲା ଘର ଅନ୍ଧାର, ଶବ୍ଦ ନାହିଁ । ଚମକି ପଡ଼ିଲା । କେଉଁଠି କ’ଣ ଅସ୍ୱାଭାବିକ ଲାଗୁଛି । ସେହି ଅନ୍ଧାର ଘର ଯେପରିକି ଛାଟିମାରୁଛି କାକର ଆଶଙ୍କା, ବରଫ ଗୁଣ୍ଡା ପରି ସେଗୁଡ଼ାକ ତା’ର ଛାତିରେ ବାଜୁଛି, ଜମା ହେଉଛି, ହିମ କାଳର ପାଣି ବୋହିଯାଉଛି ଶିରାଏ ଶିରାଏ । ପାଦ ଚଳୁନାହିଁ ।

 

ଘର ଆଗରେ କାଠପରି ଠିଆରହି ସମୁଦାୟ ଚେତନା ସ୍ନାୟୁ ଏକ ଲକ୍ଷ୍ୟରେ ମୋହିଁ ରହି ଅନ୍ଧାରେ ଅନ୍ଧାରେ ଗ୍ରହଣ କରି ଲାଗିଲା ପରିସ୍ଥିତିର ଅର୍ଥ ଆଉ ହେତୁ । କାହିଁ, କିଛି ନାହିଁ ତ ! କାହିଁକି ତେବେ– ?

 

ହଁ, ଏ ଅସ୍ୱାଭାବିକ, ଏତିକିବେଳେ ଏ ଘର ହସୁଥାଏ, ଭିତରେ ଆଲୁଅ ଓ ଜଣକର ଅସ୍ତିତ୍ୱର ପରିଚୟ, ଯାହାର ସ୍ପର୍ଶର ଦିଗ ବାରି କଂପାସ୍ ଦେଖିଲା ପରି ବାହିନେଇ ଚାଲିଛି ସେ ନିଜର ଜୀବନ । ସତୀ । ଦୂରରେ ଥିଲା, ମାଷ୍ଟରାଣୀ ହୋଇଥିଲା, ତଥାପି ଥିଲା ମନେ ମନେ ତା’ର ଅତି ପାଖରେ । ଲେଉଟି ଆସିଛି । ଏ ଘରେ ସତୀ ଅଛି ।

 

ତଥାପି କେଉଁ ଦିନୁଁ ସମୀର୍ ମନେ ମନେ ଅନୁଭବ କଲାଣି ଅସ୍ୱସ୍ତି, ବିଶେଷତଃ ଯେଉଁଦିନୁଁ କଳା ଛାଇ ପରି ନବେନ୍ଦୁ ଟପିଲାଣି ଏ ଘରର ଏରୁଣ୍ଡି । ତା’ ବି ସେ ସହିଛି, ସବୁ ସେ ସହିବାକୁ ପ୍ରସ୍ତୁତ,–କେବଳ, ସତୀ ଥାଉ । ଏମିତି ତା’ର ପାଖେ ପାଖେ, ସେହି ସ୍ୱପ୍ନରେ ସେ ଜୀବନର ପାତ୍ର ପୂର୍ଣ୍ଣ କରିଛି । ଅସ୍ଵସ୍ତି ତା’ର ମନଗଢ଼ା ଆଶଙ୍କାରୁ । ସେ ଯାହା ଦେଖେ ସବୁ ସହିବାକୁ ରାଜି, ସବୁ କ୍ଷମା କରିପାରେ; କିନ୍ତୁ ଭୁଲିପାରେ ନାହିଁ । ମନ ଭିତରେ ଯାହା ପଶିଯାଏ ସେ ବେଳକାଳକେ ନୂଆ ଅର୍ଥରେ ନିଜକୁ ପ୍ରକାଶ କରେ, ସମୀର୍ ଆଶଙ୍କା ବଢ଼େ । ମନର ସୁସ୍ଥି-କାମୀ ସହଜ ଉଦାରତାରେ ସେ ଆଶଙ୍କାକୁ ହସି ଉଡ଼ାଇ ଦିଏ । ବାରମ୍ୱାର ପୁଣି ଉଡ଼ି ଆସି ଦେହର ଖୋଲା ସ୍ଥାନରେ ସାନ ମଶାଟିଏ ବାରମ୍ୱାର କାମୁଡ଼ିଲାପରି ସେ ଆଶଙ୍କା ମନରେ ଜଳା ଫୁଟାଏ, ସମୀର୍ ଥରିଉଠେ । ସତୀ ସହିତ ତା’ର ଛାଏଁ-ଗଢ଼ା ବନ୍ଧନରେ ସଂସ୍କାରର ଜୋର୍ ନାହିଁ, ସନ୍ତାନର ଗଣ୍ଠି ନାହିଁ, ଦୁହେଁ ସ୍ୱାଧୀନ । ସୁଅତୋଡ଼ରେ ଏକାଠି ଆଉଜି ପଡ଼ି ଭାସି ଚାଲିଛନ୍ତି ଦିଟା ଜୀବ, ସମ୍ବନ୍ଧର ଭୟ ଥମ୍ବିଲା ପାଣିକୁ । ସେ କେତେ ଦୂର ?

 

ଚୁପ୍ ହୋଇ ଆପଣା ବସାକୁ ଅନାଇଁ ଯେପରିକି ବିନା କାରଣରେ ସମୀର୍‍ ଭାବୁଥାଏ ସେହି କଥା, ଯାହା ତୁଣ୍ଡରେ ଧରିବାକୁ ତା’ର ଛାତି ଥରେ ।

 

ଏକ ମିନିଟ୍ ।

 

ତା’ପରେ ସମୀର୍ ଚଞ୍ଚଳ ହୋଇଉଠିଲା ।

 

କବାଟ ପାଖେ ମାଣ୍ଟେଇ ହେଲା, ତା’ପରେ ଜୋରରେ କବାଟରେ ବାଡ଼େଇ ବଡ଼ ପାଟିରେ ଡାକିଲା,–‘ରଘୁଆ, ରଘୁଆ–।’

 

ଅଳ୍ପ ସମୟ ଭିତରେ ରଘୁଆର ପାଦଶବ୍ଦ ଶୁଭିଲା, ସତୀର ନୁହେଁ । ରଘୁଆ କବାଟ ଖୋଲିଦେଲା ।

 

‘‘କିରେ ଘର ଅନ୍ଧାର ?’’ ସମୀର୍ ପଚାରିଲା ।

 

‘‘ମା’ କହିଲେ ?’’

 

‘‘କାହାନ୍ତି ମା ?’’

 

‘‘ଶୋଇଛନ୍ତି ଆଜ୍ଞା ।’’

 

ସମୀର୍‍ର ଦେହ ଭିତରେ ଯେପରିକି ସ୍ୱାଭାବିକ ଉଷ୍ଣତା ଫେରି ଆସିଲା । ଚଞ୍ଚଳ ଆଲୁଅ ଲଗେଇ ଶୋଇବା ଘରକୁ କୁଦିଯାଇ ସେ ଘରର ଆଲୁଅ ଲଗେଇବା ମାତ୍ରେ ଦେଖିଲା ଖଟ ଉପରେ ଚିତ୍‍ହୋଇ ପଡ଼ିରହି ଆଲୁଅରେ ସତୀ ଆଖି ମିଟ୍‍ମିଟ୍ କରୁଛି ଓ ଆଖି ଉପରେ ପାପୁଲି ବିଛାଉଛି । ପାଖକୁ ଯାଇ କଅଁଳେଇ ପଚାରିଲା,–‘‘ଆଜି ଶୋଇଛ ଯେ ?’’

 

‘‘ଦେହ ଭଲ ନାହିଁ ।’’

 

‘‘ଏଁ ! କ’ଣ ହେଲା ?’’ ସତୀର ହାତ ଓ କପାଳ ଚିପି ଦେଖିଲା,–ଥଣ୍ଡା ଲାଗୁଛି, ଯାହା ହେଉ, ଜର ନାହିଁ ।

 

‘‘କ’ଣ ହୋଇଛି ସତୀ ?’’

 

‘‘କେମିତି ଗୋଟାଏ ଲାଗୁଛି,’’ ଦୁର୍ବଳଭାବେ ସତୀ କହିଲା, ‘‘ଶୋଇ ରହିଲେ ଟିକିଏ ଭଲଲାଗିବ ବୋଧହୁଏ । ନା, କିଛି ସେମିତି ନୁହେଁ, ତୁମେ ବ୍ୟସ୍ତ ହୁଅନାହିଁ, ଯାଅ ଲୁଗା ବଦଳ, ରଘୁଆକୁ ଡାକ ।’’

 

ଲୁଗା ବଦଳୁ ବଦଳୁ ସମୀର୍ କହିଲା,–‘‘ଆଜି ନବେନ୍ଦୁବାବୁ ଆସି ନାହାନ୍ତି ?’’

 

କାଳପାତ୍ର ଭୁଲି ଉନ୍ମାଦ ଘୋଟିଲା ପରି ସତୀ ପାଟିକଲା, ‘‘କାହିଁକି ସେ ବାରମ୍ବାର ଆସିବେ ? କାହାର କ’ଣ ଚୁଲି ଗାତ ସେ ?’’

 

ସମୀର୍ ଚମକି ପଡ଼ିଲା, ଡାକିଲା–‘‘ସତୀ !’’

 

ସତୀ ମୁହଁମାଡ଼ି ଶୋଇଛି ।

 

‘‘ତୁମର କ’ଣ ହୋଇଛି ସତୀ ?’’

 

‘‘କାହିଁ କିଛି ନାହିଁତ ।’’

 

‘‘ତେବେ କାହିଁକି ଏମିତି କହୁଚ ?’’

 

‘‘କ’ଣ କହିଲି ?’’ ସତୀର ସ୍ୱର କ୍ଷୀଣ । ଟିକିଏ ରହି ସତୀ କହିଲା, ‘‘ଦେହଟା ଖରାପ ଲାଗୁଛି । ସବୁ ଚିଡ଼ି ଚିଡ଼ି ଲାଗୁଛି । ମନ ହେଉଛି ଜଣକୁ ମନଇଚ୍ଛା ଗାଳିଦିଅନ୍ତି ଯଦି !’’

 

ସମୀର୍ କହିଲା–‘‘ଭଲତ, ଗାଳି ଦବ ମତେ ଦିଅ, ନା କ’ଣ ସତୀ !’’

 

‘‘ବଳ ଥିଲେ ତ !’’ ସତୀ ହସିଲା,–କହିଲା, ‘‘ଛାଡ଼, ଏମିତି ବେଳେ ବେଳେ ଲାଗେ । ଯନ୍ତ୍ର ବି ବେଳେ ବେଳେ ବିଗିଡ଼ିଯାଏ, ଆଉ ଦେହ ରହିଥିବ ? ତୁମେ ଯାଅ, ତୁମ କାମକର, ଦେହ ଭଲ ଲାଗିଲେ ମୁଁ ଉଠିପଡ଼ିବି ।’’

 

ସମୀର୍ ଗଲା ନାହିଁ । ପାଖେ ପାଖେ ବସି ରହିଲା । ଏଥର ତା’ର ନୂଆ ପ୍ରକାରର ଆଶଙ୍କା ଓ ଉତ୍କଣ୍ଠା; କିନ୍ତୁ ମୁଣ୍ଡ ଭିତରୁ ଯେପରିକି ଗୋଟାଏ ବହୁଦିନର କଣ୍ଟା ଖଲାସ ହୋଇଯାଇଛି ନବେନ୍ଦୁ ପ୍ରତି ସତୀର କଥା ଶୁଣିସାରି । ଟିକିଏ ଭାବି ସମୀର୍ କହିଲା–‘‘ମତେ ଲାଗୁଛି କ’ଣ ଜାଣିଛ-? ତୁମର ସ୍ଥାନପରିବର୍ତ୍ତନ ଦରକାର । ଚାକିରି କରି ଦେହର ବଳ ଉଜାଡ଼ି ଦେଇ ଆସିଛ, ତା’ପରେ ଏ ଯକାଯକ ସହର । ତା’ଛଡ଼ା ଗୋଟାଏ ଜାଗାରେ ଗୋଟାଏ ଘରେ ପଡ଼ି ରହି ଭାବିହେଉଛ ବୋଧହୁଏ । କିଛିଦିନ ପଦାରେ ବୁଲିଲେ– ।’’

 

ସତୀ କହିଲା,–‘‘ମୁଁ ବି ସେଇଆ ଭାବୁଛି ।’’

 

‘‘ଭଲ, ତା’ହେଲେ ସମୁଦ୍ରକୂଳ ? ଖୁବ୍ ଭଲ ହେବ, ନୁହେଁ ?’’

 

‘‘ଯୁଆଡ଼େ ଚାଲ, ମୋର ରାଜି ।’’ ସତୀ ଉଠି ବସିଲା, କହିଲା, ‘‘କ’ଣ ଗୋଟାଏ କେମିତି ଲାଗିଲା ଦେହଟା । ବର୍ତ୍ତମାନ ଭଲ ଲାଗୁଛି,’’ ହସିଦେଇ କହିଲା, ‘‘ତୁମେ ଆସିଲଣି କିନା-!’’

 

ସମୀର୍ ସତୀର ହାତକୁ ଯାପି ଧରିଲା ।

 

ରାତି ଆଉ ଘରର ବିଜୁଳୀ ଆଲୁଅ ସବୁ ସତେକି ମିଳେଇ ଗଲା ତା’ର ଆଖି ଆଗରେ-। ଆଖିରେ ଦିଶିଲା,–ନିରୋଳା ସମୁଦ୍ରକୂଳ, ଢେଉ ଉପରେ ପାହାନ୍ତି ପରାଗ, ସତୀର ହାତ ଧରି ସେ, ଆଉ ଦୂରରେ ସୂର୍ଯ୍ୟ ଢେଉ ଉପରେ କୁଦାମାରି ଉଠିବ ଏଇ ବର୍ତ୍ତମାନ, ଉଠୁଛି... ।

 

ସତୀର ଦୀର୍ଘଶ୍ୱାସ ଶବ୍ଦରେ ମୁହଁ ବୁଲେଇଲା, ଦେଖିଲା, ଝାଉଁଳା ମୁହଁ ଝୁଲାଇଦେଇ ସତୀ ବସିଛି ।

 

ସତକୁ ସତ ସମୁଦ୍ରକୂଳ, କିନ୍ତୁ କୌଣସି ଚିହ୍ନା ସହର ନୁହେଁ, ସହରହିଁ ନୁହେଁ । ସମୀର୍ ଚାହେଁ ନିରୋଳାରେ ସତୀର ସଙ୍ଗ । ଏମିତି ସଂସାରଠୁଁ ହଜିଯାଇ ଦୁହେଁ ଏକାଠି, କେବଳ ସେ ଆଉ ସତୀ । ତେଣୁ ସେ ପସନ୍ଦ କରେ ବଣ ପର୍ବତ ଉହାଡ଼ରେ ନିଛାଟିଆ ଗାଁ, ନିଛାଟିଆ ଡାକବଙ୍ଗଳା । ଆଉ ସମୁଦ୍ରକୂଳ ଠିକ୍ ଏମିତି । ମଣିଷ ଗହଣରେ ତା’ର ସରାଗ ମହଳଣ ପଡ଼ିଥାଏ, ଯେପରିକି ଫୁଟିଉଠେ ଗୋଟାଏ ଅସାମଞ୍ଜସ୍ୟର ବିଭୀଷିକା, ପ୍ରତିଦ୍ୱନ୍ଦ୍ୱିତା କି ଉପହାସର ସୂଚନା ବାରୁ ବାରୁ କ୍ଳାନ୍ତ ହୋଇପଡ଼ି ସେ ଜୀବନଠୁ ଦୂରେଇଯାଏ । ସେମାନେ ନ ଥିଲେ ତା’ ଭିତରର ପୁରୁଷସିଂହ ଯେପରିକି ଉଲ୍ଲାସରେ ରଡ଼ି ଛାଡ଼େ,–ସୋଽହଂ ସୋଽହଂ । ଜୀବନ ମେଲେଇ ହୋଇଯାଏ ।

 

ସତୀର ମନ ଜଗିବାକୁ ସେ ପ୍ରସ୍ତାବ କରିଥିଲା ପୁରୀ ଯିବାକୁ । ସତୀ ମନାକଲା । ‘‘ପୁରୀ, ନା, ଟୁରିଷ୍ଟ୍ ଦଳ ଦଳ, ଯକ୍ଷ୍ମାରୋଗୀ, କଳରବ । ସତେକି ଗୋଟାଏ କଳତିଆରି ସମୁଦ୍ରଦେଖା ମଜା, ବୁଲାବିକାଳିଠୁ ଆଇସ୍‍କ୍ରୀମ୍ କିଣି ଖାଇଲାପରି । ନା, ପୁରୀ ନୁହେଁ, ଆଉ କହ-।’’

 

‘‘ତେବେ କୋଣାରକ ?’’

 

‘‘ବାପରେ, ଡରମାଡ଼େ । ପଥରଗୁଡ଼ାକ ସତେକି ଜୀଅନ୍ତା । ଅତୀତର ଜୀଅନ୍ତା ଦୁନିଆଁ କିନ୍ତୁ ସବୁ ସତେକି ପଥର ହୋଇ ଯାଇଛି । ପୁରୁଣା ଫସିଲ୍‍ସ୍‍ତ କେବଳ ଫସିଲ୍‍ସ୍‍ । ଏ ତା’ ନୁହେଁ, ସବୁ ସତ, ସବୁ ପଥର । ପଥରର ପ୍ରେମ, ପଥରର ଜୀବନ, ପଥରର ସଂସାର । ରକ୍ତମାଂସକୁ ଯେପରିକି ଅପମାନ କରେ ।’’

 

‘‘ବେଶ୍ ନିରୋଳା ହୁଅନ୍ତା କୋଣାରକ, ମଙ୍ଗୁନା କାହିଁକି ?’’

 

‘‘ତୁମେ ବୁଝିବ ନାହିଁ, ମାଡ଼ିପଡ଼େ । ବିଶେଷତଃ ରାତିରେ ଭାବି ଦେଖ, ଜୀବନରୁ କଳ୍ପନା । କୋଣାରକର ପଥର କହେ ଜୀବନ ଏପରି ଥିଲା, ଏପରି ହୋଇପାରନ୍ତା । ନିଜକୁ ଚାହିଁ, କାହିଁ ଜୀବନ ? କୋଣାରକର ସ୍ଥାପତ୍ୟକୁ ଯେତେଥର ମନେପକାଏଁ ସେତେଥର ଭାବେଁ ମୁଁ ଜୀବନକୁ ଫାଙ୍କି ଦେଇଛି, ନିଜକୁ ଠକିଛି, ଅପରାଧୀପରି ଲାଗେ । ବରଂ ବାଛ ଏପରି ଜାଗା, ଯେଉଁଠି ଦେଖିବାକୁ କି ଭାବିବାକୁ କିଛି ନଥିବ, ଯେଉଁଠି ଅପନ୍ତରାରେ ଠୁଙ୍ଗା ଗଛଟି ପରି ଫାଙ୍କା ପଟ୍ଟଭୂମିରେ ବଡ଼ ହୋଇ ଉଠିବ ନିଜର ବ୍ୟକ୍ତିତ୍ୱ ନିଜ ଆଗରେ, ଆଉ ମନଭୁଲା ଶାନ୍ତି ଥିବ । ଅଛି ଏପରି ଜାଗା ?

 

ସମୀର୍ ପୁଲକି ଉଠିଥିଲା, ସତୀ ଅନ୍ତତଃ ମତରେ ତା’ର ସହଧର୍ମିଣୀ ହୋଇଛି ।

 

ତା’ପରେ ବନ୍ଦୋବସ୍ତ କରି ସିଧା ଏଠିକି–

 

ଢେଉଢେଉକା ବାଲିବନ୍ତ ସେ କରେ ଦିଗହଜା ସମୁଦ୍ରର ନେଳି, ହଠାତ୍ ଯେପରି ବନ୍ଧନରୁ ମୁକ୍ତି, ତଳେ ଆକାଶ ଢେଉ ଭାଙ୍ଗୁଛି, ଉପର ତଳ,–ସମାନ ଯେପରି ସବୁ । ପଛରୁ ଧାଇଁ ଆସିଥିବା କ୍ଳାନ୍ତି ବିଫଳ ପ୍ରହରୀ ପରି ଏଠି ସେଠି ଗୋଟି ଗୋଟିକା ଝାଉଁଗଛ, କେଉଁଠି ସେମାନେ ପଲ ପଲ, ମେଞ୍ଚା ମେଞ୍ଚା, ସାଇଁ ସାଇଁ ପବନରେ ସେମାନଙ୍କର ନିଷ୍ଫଳ ଦୁର୍ବଳ ଆକ୍ରୋଶର ଧ୍ୱନି ।

 

ସତୀ ଚମକି ପଡ଼ି ଚାହେଁ, ପ୍ରକୃତିର ଦୃଶ୍ୟରେ ଆତ୍ମହରା ହୋଇ ଅଜଣାରେ ତରୀ ଭସାଇ ଭାସି ଚାଲିଯାଏ ଅନିର୍ଦ୍ଦେଶ ସ୍ୱପ୍ନରେ, ପରସ୍ତ ପରସ୍ତ ହୋଇ ଅତୀତର ଖୋଳପା ଛାଡ଼ିଯାଏ, ନୂଆ ଆଖିରେ ନୂଆ ଜୀବନର ଅନୁଭୂତିରେ ପାଗଳ ପରି ସେ ନୂଆ କଥା କରେ, ବାଲିବନ୍ତ ଉପରେ ଗଡ଼ି ଗଡ଼ି ତଳକୁ ଖସେ, ଉଠିପଡ଼ି ଏକୁଟିଆ ଏଣେତେଣେ ଦୌଡ଼ି ପଳାଇଯାଏ-। ମନ ଚାହେଁ ଯେ ଶେଷ ବନ୍ଧନ ଆପଣାର ପରିଚୟଠୁଁ ବି ମୁକ୍ତିପାଇ ହଜିଯିବାକୁ । ସମୀର୍ ପଛରେ ପଡ଼ିରହେ, ସତୀ ଖୁସି ଅଛି ଏତିକି ତା’ର ବଡ଼ ଆନନ୍ଦ । ଅପନ୍ତରାରେ ସଂସାର ପାତିବାର ସହସ୍ରେ ଜଞ୍ଜାଳ, ସେଥିପାଇଁ ବୁଦ୍ଧି ଦରକାର, ଅର୍ଥ ଦରକାର, ସେହି ପରିଶ୍ରମରେ ସମୀର୍ ଲୋଟିପଡ଼େ । ସେ ରୋଷେୟା ଠିକ୍ କରିଛି, କିନ୍ତୁ ବରାଦ ନ ଦେଲେ ଭଲ ରନ୍ଧା ହେବନାହିଁ । ଅଳ୍ପ ଦୂରରେ ସାନ କେଉଟପଲ୍ଲୀ, ସେଠିକି ଯାଇ ସବୁ ବନ୍ଦୋବସ୍ତ କରେ, ବାଛି ବାଛି ମନ ମାଫି ମାଛ ଆସିବ, ଲୋକ ବରଗି ଦି’କୋଶ ତିନିକୋଶ ଦୂରରୁ ପନିପରିବା ଦୁଧ ଘିଅ ସଂଗ୍ରହ କରିବାକୁ ପଡ଼ିବ । ଗୃହସ୍ଥପଣର ଆନନ୍ଦ ବା ଜଞ୍ଜାଳ ସମୀର୍‍ରହିଁ । ଅବସର ପାଇଲେ ବନ୍ଧୁକ ଧରି ମାଇଲିଏ ପଶ୍ଚିମକୁ ସମୀର୍ ଯାଏ, ଅରାଏ ଜଳାଭୂଇଁ, କିଛି ଜଙ୍ଗଲ, ସେଠି ଚଢ଼େଇ ପଡ଼ନ୍ତି ।

 

ସତୀ ଗୋଟି ଗୋଟିକରି ଚିହ୍ନା ସ୍ମୃତି ବାଲିରେ ଝାଡ଼ିଦେବାକୁ ଚେଷ୍ଟା କରେ, ବଞ୍ଚିବାପାଇଁ ମନୁଷ୍ୟର ସହଜ ଆଗ୍ରହରେ ସମୁଦ୍ର ପବନରୁ ନିଶ୍ୱାସରେ ଓଜୋନ୍ ବାଷ୍ପ ଗ୍ରହଣ କରୁ କରୁ ନୂଆ ପରିସ୍ଥିତିରୁ ଘେନେ ନୂଆ ଭାବ; କିନ୍ତୁ ଅତୀତ ବି ରୂପାନ୍ତରିତ ହୋଇ ଫେରିଆସେ, ସତେ ଅବା ସେ ଦେହର ଛାଇ, ଯେତେଦୂର ଦଉଡ଼ିଲେ ତଥାପି ସେ କତିରେ କତିରେ ଅଛି, ଅବସ୍ଥାନର ଦିଗ ବଦଳାଇଲେ ସେ ବିକୃତ ହୁଏ, ତଥାପି ସେ ଅଛି, ଯାଇନାହିଁ ।

 

ତଥାପି ସତୀ ଭାବେ,–ହଜିବା ହଜାଇବାର ସ୍ଥଳ ଏହି ସମୁଦ୍ରକୂଳ ।

 

ଏଇ ବାଲି, ତା’ର ପ୍ରତି ରେଣୁ ଯେପରିକି ପରିଚୟ-ବିସ୍ତୃତ ଇତିହାସ । ସାମ୍ନାରେ ସମୁଦ୍ର, ସେଠି ସବୁ ଅଛି, ଦିନରେ ରାତିରେ ଘଡ଼ିକେ ପ୍ରହରକେ ସେଠି ନୂଆ ଛବି, ତଥାପି ସବୁ ହଜେ । ପାଖକୁ ଗଲେ ନାଲି ଟହ ଟହ ନାଲି କଂକଡ଼ାର ଚାଦର ଘୁସୁରି ଘୁସୁରି ବାଲିରେ କେଉଁଠି ହଜିଯାଏ । ବାଲି-ହରିଣ ପଲ ପାଖରେ ଚରୁଥାନ୍ତି, କତିକୁ ଗଲେ ଧାଇଁ ପଳାନ୍ତି କତେ ଦୂରକୁ, ଦୂରର କୁଦ ଉପରେ ଅସ୍ପଷ୍ଟ ପ୍ରେତଚ୍ଛବି ପରି କ୍ଷଣେ ଠିଆ ହୋଇ ପୁଣି ଅଦୃଶ୍ୟ ହୋଇଯାଆନ୍ତି ।

 

ଝଲକ ଝଲକରେ ଅତୀତ ମନେପଡ଼େ । କ୍ଳାନ୍ତ ହୋଇ ପଡ଼ି ସମୁଦ୍ର ଆଡ଼କୁ ଚାହିଁ ରହି ସତୀ ଭାବେ,–ସେମାନେ ବି’ତ ଏହିପରି, ଏମିତି ଆସିଲେ, ଏମିତି ଗଲେ ।

 

ସମୁଦ୍ରର ବାଲି ସତେକି ବିସ୍ତୃତିର ସାନ୍ତ୍ୱନା ଦିଏ, ସବୁ ଏହିପରି । ଆସିବା ଆଉ ଯିବା,–ସବୁ ସହଜ, ପ୍ରକୃତିର ରୀତି ।

 

ମୁହଁପଟେ ଚାହେଁ, ପର୍ବିତପରି ଢେଉ ଗଡ଼ି ଗଡ଼ି ଆସି କଚାଡ଼ି ହୁଏ, ସତ୍ତା ହରାଏ, ତଥାପି ତା’ପଛରେ ଢେଉ ଆସନ୍ତି ଆହୁରି ଆହୁରି । ଆଲୁରା ମୁଣ୍ଡବାଳ ଆଲୁରା ଲୁଗାପଟାରେ ପବନ ଖେଳେ, ଆଲୁରା ଚିନ୍ତା ଭିତରେ ଢେଉ ପରେ ଢେଉ ଆସିବା, ଚୂନା ହେବା ରଚନା କରେ ଯିବା ଆସିବାର ସନାତନ ସହଜ ଛନ୍ଦ ।

 

ସମୀର୍ ଅନୁଭବ କରେ–ସତୀର ବ୍ୟବହାରରେ ନୂତନ କୋମଳତା ।

 

‘‘ରହୁଁ ଏଠି କିଛିଦିନ ସତୀ, କ୍ଷତି କ’ଣ ?’’

 

ସତୀ ହସେ,–‘‘ତମର ସେହି ସବୁଦିନର କଳ୍ପନା, ତୁମେ ହୁଅନ୍ତ ଏକ ଆଦିମ ପୁରୁଷ, ଗୁମ୍ପା ମରଦ, ହେଉ ଜଙ୍ଗଲେ କି ସମୁଦ୍ରକୂଳରେ କି କେଉଁ ଗଣ୍ଡ ମଫସଲରେ, ଯେଉଁଠି ଯୁଗସଭ୍ୟତା ପହଞ୍ଚିନାହିଁ, ଅସଭ୍ୟ କିନ୍ତୁ ଶକ୍ତିଶାଳୀ ଗୁମ୍ଫା ମରଦ୍ ହୋଇ ଜୀବନ କାଟନ୍ତ ତୁମେ–’’

 

‘‘ଆଉ ତୁମେ ?’’

 

ସତୀ ହସି ହସି ଫାଟିପଡ଼େ ।

 

ସମୀର୍ କଞ୍ଚାଡିମ୍ୱ ଗିଳେ, କସରତ୍ କରେ । ଅଧା ଲଙ୍ଗଳା ମଫସଲ କେଉଟ ତା’ର ସ୍ୱାସ୍ଥ୍ୟ-ଯନ୍ତ୍ରର ପ୍ରକାର ଦେଖି କାବା ହୁଅନ୍ତି, ହାତରେ ଚିପିବା ଡମ୍ୱେଲ, ଭିଡ଼ିଓଟାରିବା ଚେଷ୍ଟ୍-ଏକସ୍‍ପ୍ୟାଣ୍ଡର, ଆଉ ଗୋଟିଏ କ’ଣ ସ୍ପ୍ରିଂର ଯନ୍ତ୍ର ଯେଉଁଥିରେ ଗୋଡ଼ାହାତ ଭର୍ତ୍ତି କରି ସେ ଭିଡ଼ିଓଟାର ହୁଏ । ସମୀର୍ ବ୍ୟାୟାମର ବିଜୟ ପ୍ରଚାରକରେ । କିନ୍ତୁ ସମୁଦ୍ରରେ ଗାଧୋଇବାକୁ ସେ ମନାକରେ ।

 

‘‘ଏଇ କସ୍‍ରତ୍ ପରେ ସମୁଦ୍ରଗାଧୁଆ ଭାରି ଭଲ ହନ୍ତା ବାବୁ ! ଯିବେ ଆଜି ?’’

 

‘‘ନାହିଁ ।’’

 

ସମୁଦ୍ରରେ ଗାଧାଏ ସତୀ । କିନ୍ତୁ ତୁଠରେ ନୁହେଁ, ଅତୁଠରେ । ଆଉ ସେହିପରି ଦିନେ, ଯେତେବେଳେ ସେ ପାଣିରେ ଡେଇଁ ପଡ଼ି ଆପଣା ଦେହ ଉପରେ ଆଘାତ ଓ ଘର୍ଷଣରୁ ନିରୋଳାରେ ଆନନ୍ଦ ସାଉଁଟୁଥିଲା, ନିଛାଟିଆ ବେଳାଭୂଇଁରେ ହଠାତ୍ ଉଦୟ ହେଲା ଆଉ ଜଣେ ।

 

ସତୀ ପଛକୁ ଓଲଟିପଡ଼ି ତାକୁ ଦେଖିଲା,–ପାତଳା ନହକା, ଗୋରା, ଗୋଲ ମୁଣ୍ଡ, ଓସାର କପାଳ, କୁଞ୍ଚକୁଞ୍ଚିଆ ବାଳ କାନ ଉପରୁ ଦିଫାଳ, ବୟସ ବାଇଶି କି ତେଇଶି । ଏକା ଦୃଷ୍ଟିରେ ତାକୁହିଁ ଚାହିଁଛି ।

 

ଆପଣାକୁ ନ ଅନେଇଁ ସତୀ ଆଗନ୍ତୁକ ଉପରେ ଚେତନା ଥାପିଲା, ସେ କଅଁଳ, ସେ ସୁନ୍ଦର, ବାଲିବନ୍ତରେ ନୂଆ ଜନ୍ତୁ । କେଡ଼େ ଛନଛନିଆଁ ।

 

ଆଗନ୍ତୁକ ଚାହିଁ ରହିଲା, ତା’ର କ୍ଷୁଧିତ ଆଖିରେ ଏକ ନୂଆ ରୂପ ଭାସିଉଠିଲା, ନଗ୍ନଭୋଜ୍ୟ ହଠାତ୍ ପାଲଟିଛି ହିଂସ୍ର ଜଳଜନ୍ତୁ, ତଥାପି ତା’ର ସୁନ୍ଦରପଣ ବଢ଼ିଛି ।

 

କେହି କୁଆଡ଼େ ନାହାନ୍ତି, ହଜିଲା ସମୁଦ୍ରକୂଳ, ଚାପିବା ଜଗିବାର ସମାଜର ସଂସ୍କାର ଏଠି ମନେ ପଡ଼ୁନାହିଁ, ମନେ ନାହିଁ ତା’ର ମନହିଁ ସଂସ୍କାରଶୀଳ, ହସିଦେଇ ସେ ପ୍ରଥମେ କଥା ଆରମ୍ଭ କଲା, କହିଲା–‘‘ଆପଣ ଏ କ’ଣ କରୁଛନ୍ତି ! ଜାଣନ୍ତି, ଏ କେଡ଼େ ଭୟର ଜାଗା ? ଏକୁଟିଆ ଅତୁଠରେ ଗାଧୋଉଚନ୍ତି, ଏଠି ସମୁଦ୍ର ପାଣିରେ ମଗର ସାଂକୁଶ କେତେ, ଧାରଣା ଅଛି ?’’

 

‘‘ଓ, ଆପଣ ସେଇଥିପାଇଁ ମତେ ଜଗିଛନ୍ତି ପରା, କାଳେ ମତେ ମଗର ଗିଳିଦେବ । ତା’ପରେ ଆପଣ ଥାନାରେ ଯାଇ ଏତାଲା ହେବେ, ନୁହେଁ !’’

 

‘‘ନା, ଆପଣ ମୋ କଥାକୁ ପରିହାସ ମଣନ୍ତୁ ନାହିଁ, ଏଠି ଏପରି ହୁଏ । ମଗର ବହୁତ, ଆଉ ମଗର ମଣିଷଙ୍କୁ ଗିଳେ–’’

 

‘‘ଆଉ ଗିଳିବା ଆଗରୁ ମଗର ଖୁବ୍ ବଡ଼ ବଡ଼ ଆଖି କରି ମଣିଷକୁ ଅନାଏଁ ।’’

 

‘‘ଯାଃ !’’

 

‘‘ଆଚ୍ଛା ଆପଣ ମଗର ନୁହନ୍ତିତ !’’

 

ସତୀ ଇତ୍ୟବସରେ ନିଜକୁ ଯଥାସମ୍ଭବ ଢାଙ୍କି ସାରିଥିଲା, ତହିଁରେ ଦିଶୁଥିଲା ଆହୁରି ଉନ୍ମୁକ୍ତା, ଅବିନ୍ୟସ୍ତ ଅସଂଯତ ଆବରଣର ଜାଲ ତା’ର ଦେହକୁ ସତେକି ଅର୍ଥରେ ଆବୋରି ଥିଲା । ଉଠି ଠିଆହୋଇଛି । ଆଗନ୍ତୁକକୁ ହସର କୁହୁଡ଼ିରେ ଢାଙ୍କି ପକାଇ ମୁହାଁମୁହିଁ ପଚାରୁଛି, ‘‘ସତ କହିଲେ, ଆପଣ ମଗର ନୁହନ୍ତିତ ?’’

 

‘‘ମାନେ ?’’

 

‘‘ମାନେ ଅତି ସହଜ । ଚାରି ପାଖକୁ ଚାହାନ୍ତୁ, ଏଠି ମଣିଷ ନାହାନ୍ତି, ଏଠି ଲୋକାଳୟ ନାହିଁ । ଯାହା ଦିଶୁଛି ବାଲିକୁଦ, କି ଝାଉଁଗଛ, କି ସମୁଦ୍ର, କି ଦୂରର ଜଙ୍ଗଲ ସବୁ ସତ ହୋଇ ବି ସତେକି ସପନ । ଏସବୁ ଜାଗାରେ ମାୟା ଆବିର୍ଭାବପାଇଁ କୌଣସି ବାଧା ନାହିଁ, ଏମିତି କେଉଁଠି ତ, ଆକାଶର ସୂର୍ଯ୍ୟ ଦିନେ ତଳକୁ ଓହ୍ଲେଇ ଆସିଥିଲେ ମଣିଷ ହୋଇ,–’’

 

‘‘ଆଃ, କି ସୁନ୍ଦର, କି ଚମତ୍କାର,–’’

 

‘‘ଆଉ ଆପଣ ବି ଯଦି ସମୁଦ୍ରର ମଗର ମଣିଷ ହୋଇ କୂଳକୁ ଉଠିଥାନ୍ତି, ସେଥିରେ ଅସମ୍ଭବ କ’ଣ ? ଅତଏବ ହେ ମଗର ମହାଶୟ, ନମସ୍କାର ।’’

 

ଆରକର ପାଟିରୁ ଗଳି ପଡ଼ିଲା,–‘‘ନ-ମ-ସ୍କା-ର ।’’ ମନକୁ ମନ କହିଲାଗିଲା, ‘‘ଆଶ୍ଚର୍ଯ୍ୟ ।’’ ଅତି ନରମ ହୋଇ କହିଲା,–‘‘ଆପଣ କିଏ ?’’

 

‘‘ମୁଁ ମତ୍ସ୍ୟକୁମାରୀ । କେତେ ଦୂର ଯିବେ ମଗର ମହାଶୟ, ନା ଏଇଠି ପାଣିକି ଓହ୍ଲେଇବେ ?’’ ସତୀ ଚାଲିବାକୁ ଆରମ୍ଭ କଲା । ଆଗନ୍ତୁକ ତା’ର ପିଛା ଧରିଲା, କହିଲା,–‘‘ଶୁଣନ୍ତୁ, କାହାକୁ ଆପଣ ମଗର କହୁଛନ୍ତି ? ମୋ ନାଁ ବିଭୂତିଭୂଷଣ, କଲେଜରେ ପଢ଼େଁ,–ଫିଫ୍‍ଥ୍‍ ଇଅର୍‍ । ମାନେ–’’

 

ସତୀ ଆଉ ଶୁଣିବାକୁ ଅପେକ୍ଷା କଲା ନାହିଁ, ଲୁଗାପଟା ଟେକି ଊର୍ଦ୍ଧ୍ୱଶ୍ୱାସରେ ଦୌଡ଼ିଲା-

 

ବିଭୂତିଭୂଷଣ ବି ଭାବିବାକୁ ଅବସର ପାଇଲା ନାହିଁ, ଟଣକା ସ୍ନାୟୁ ଓ ଟକ୍‍ଟକ୍ ରକ୍ତର ଗୋଟାଏହିଁ ନିର୍ଦ୍ଦେଶ,–‘ଧାଅଁ’ ବିଭୂତିଭୂଷଣ ତା’ର ପଛେ ପଛେ ଖେଦିଗଲା ।

 

ବିଭୂତିଭୂଷଣ ବହିରେ ପଢ଼ିଛି, ଇଂରେଜିରେ ‘ଥ୍ରିଲ୍’ବୋଲି ଗୋଟିଏ ଶବ୍ଦ ଅଛି । ହଷ୍ଟେଲ୍ ଜଗତ୍‍ରୁ ବାହାର ଜଗତକୁ ଯେତେ ଥର ସେ ଗାଡ଼ିଭିତରେ ବସି ଗଡ଼ିଆସିଛି ତହିଁରୁ ଅଧିକାଂଶ ଯାଇଛି ସିନେମା ଦେଖି, ସେଠି ବି ଯାହା ଦେଖେ–ଅନ୍ଧାର ଭିତରେ ନିର୍ବାକ୍ ହୋଇ ବସି ଆଲୁଅ ଜକ ଜକ ପର୍ଦ୍ଦା ଆଡ଼କୁ ବଲ ବଲ କରି ଅନାଇଁ ରହି–ବେଳେ ବେଳେ ସେ ଭାବିଛି, ‘ଥ୍ରିଲ୍’ କ’ଣ ତା’ ବୁଝିପାରିଲା, କିନ୍ତୁ ରୁମାଲରେ ମୁହଁ ପୋଛି ସୁସ୍ଥ ହୋଇ ନିଜର ଅନୁଭୂତି ଆଉଣ୍ଡୁ ଆଉଣ୍ଡୁ ଆଲୁଅଗୁଡ଼ାକ ଦପ ଦପ ହୋଇ ଜଳି ଉଠୁଛି, ଆଉ ଗର୍ଜନ କରିଉଠିଛି ଲାଉଡ୍‍ ସ୍ପିକର ସିନେମାର ଗୀତ ଯାନ୍ତ୍ରିକ ନାଦରେ, ଶୁଭୁଛି ସମବେତ କଣ୍ଠର କଳରବ । ଆଉ ବୟସର ଜୁଆରରେ ଭାସି ସେ ପ୍ରତୀକ୍ଷା କରିଛି, ଆଶା କରିଛି ।

 

ଫିଫ୍‍ଥ୍ ଇଅର୍,–ଭଲ ବୟସ । ବି.ଏ. ପାଶ୍ ସରିଛି, ଏଣିକି ସେ ବିଶୁଦ୍ଧ ଜ୍ଞାନର ପଥିକ-। ନିଜକୁ ମନେ କରେ ପଣ୍ଡିତ ଓ ମାର୍ଜିତ, ଭାବୁକ ବି । ସେ ସାହିତ୍ୟର ଛାତ୍ର ଏବଂ କବି, ଲେଖକ, ବକ୍ତା ।

 

ତା’ର ବକ୍ତତାର ପରୀକ୍ଷା ସେ ଦେଲାଣି ପ୍ରତିଯୋଗିତାରେ ଜିତି, ଦୁଇଥର ଦ୍ୱିତୀୟ ସ୍ଥାନ, ଥରେ ତୃତୀୟ । ସେ ସାହିତ୍ୟିକ, ତା’ର ପ୍ରମାଣ କଲେଜ୍‍ର ତ୍ରୈମାସିକ ମାସିକ ପତ୍ର ।

 

ଏବଂ ତା’ର ଗୁପ୍ତ କବିତା ଖାତା । ବୟସ ଅନୁସାରେ ନାନା ଭାବ ଆସିଛି, ତାହାରି ସଂଘାତରେ ତା’ର ଗୁପ୍ତ ଖାତାର କଅଁଳ ପତ୍ରରେ ଗାର ପଡ଼ିଛି । ସେଠି କେତେ ଅସ୍ଫୁଟ ବେଦନାର ଆର୍ତ୍ତନାଦ, ଅନ୍ୟଠିଁ ଯାହାକୁ ପ୍ରକାଶିବାକୁ ସ୍ଥାନ ନାହିଁ । ‘ନିଷ୍ଠୁର ଦୁନିଆଁ’ ବୁଝିବ ନାହିଁ ସେ ମରମର ବାଣୀ, ତାକୁ ପ୍ରକାଶ କରି ବିଭୂତିଭୂଷଣ କବି । ନିଶା ଅନ୍ଧାରରେ ମନକୁ ମନ ପଡ଼ି ସେ ଗୁମରି ହୁଏ,

 

‘‘ଏପାରି ବିଲ ମଝି, ଯେଦିନ ଦେଲ ଦେଖା–

ଗୋଲାପି ଅୟନରେ କଜଳ ଗାର ଲେଖା–

ନକହୁଁ ପଦେ କଥା ସରମେ ଗଲ ଚାଲି

ସେଦିନୁଁ ମରୁପଥେ, ଦେଖେଁ ମୁଁ ଖାଲି ବାଲି–’’

 

ଏହି ପରମ୍ପରାରେ ସେ ପ୍ରେମିକ ବି । ହଷ୍ଟେଲ୍‍ର ଝରକା ବାଟେ ଦରଫୁଟା କଳା ଆକାଶକୁ ଚାହିଁ ସେ ପ୍ରେମ କରିଛି, ସେତେ ଦୂରରୁ ସ୍ମରଣର ବାଟେ ବାଟେ ଗାଁକୁ ଧାଇଁ ଗାଁର ମାଟି ଗୋଡ଼ି, ଗଛ ବୁରୁଛ, ହୁଙ୍କା, କୁଦ, ସବୁକୁ ମନେପକାଇ ଉପଲକ୍ଷ୍ୟ ଦେଇ ସେ ପ୍ରେମ କରିଛି, ଆଉ ପ୍ରେମ କରିଛି ଗୁପ୍ତ ଖାତାର ନାଁ’ଲୁଚା ନାୟିକାମାନଙ୍କୁ, ସେମାନେ ନ ଜାଣନ୍ତୁ ପଛେ, ସେ ଜାଣେ ।

 

ସେହିପରି,–ସେ ଦେଶପାଇଁ କାନ୍ଦେ, ଦରିଦ୍ରର ଦୁଃଖ ପାଇଁ ଲୁହ ଗଡ଼ାଏ, ଗୁପ୍ତ ଖାତାରେ ତା’ର ଶୋକ ଧ୍ୱାନ୍ତ ହୁଏ, ଯଦିଚ ଏସବୁ ସହିତ ମୁହାଁମୁହିଁ ହେବାକୁ ସେ ସୁଯୋଗ ପାଇନାହିଁ ।

 

କିନ୍ତୁ ସେ ବିଶ୍ୱାସ କରିଛି–ଆପଣା ପରିସର ଭିତରେ ସେ ତା’ର କର୍ତ୍ତବ୍ୟ କରିଛି ବୋଲି-। ନେତୃସ୍ଥାନୀୟ ଲୋକେ ମଲେ ସେ ଅନ୍ତତଃ ଓଳିଏ ଲେଖାଁ ମିଲ୍ ବନ୍ଦ କରି ଜଳଖିଆ ଖାଇ କଟାଇଛି, କେତେ କେତେ ଭିକାରିଙ୍କି ପଇସାଏଠୁ ଚାରିଅଣା ପର୍ଯ୍ୟନ୍ତ ଦେଇଛି, ଆଉ–ସହାନୁଭୂତି ଦେଇଛି, ଦୀର୍ଘଶ୍ୱାସ ପକାଇଛି, ଭାବିଛି ।

 

ଫିଫ୍‍ଥ୍‍ ଇଅର୍, ସୁନ୍ଦର ବୟସ । ଛୁଟିରେ କବିଭାବ ଘେନି ଭୁଆଁ ବୁଲି ଆସିଛି, ବସା କରିଛି ସମୁଦ୍ରକୂଳିଆ ଛୋଟ ଗାଁରେ, କେବଳ ବୁଲାବୁଲି, ଆଉ ଭାବନା ବୋଝେଇ ହୋଇ ଘରକୁ ଫେରିବା ।

 

ଦୁଶ୍ଚିନ୍ତା ନାହିଁ, ଘରେ ଭଲ ଚଳେ । ହୁଏତ ଏମ୍.ଏ.ଟା ପାଶ୍ କଲେ ଗୋଟାଏ ସରକାରି ଚାକିରି,–ସବ୍‍ ଡିପୋଟି ବା ଲେକ୍‍ଚ୍‍ରର । ଚାହୁଁ ଚାହୁଁ ଉପରକୁ ଉଠିଯିବ, ସେ ଆଶା ବି ଅଛି । ହୁଏତ ବିଦେଶ ଯିବାକୁ ପଡ଼ିବ, ଦରିଆ ପାରି,–ସେଥିପାଇଁ ବି ସେ ପ୍ରସ୍ତୁତ । ଆଶା, ଉଚ୍ଛ୍ୱାସ ଓ ସ୍ୱପ୍ନର ଉଞ୍ଚ କୁଦ ଉପରେ ଠିଆହୋଇ ପ୍ରସ୍ତୁତ ଅଛି ସେ ସବୁ କଥାପାଇଁ ।

 

କେବଳ ପ୍ରସ୍ତୁତ ନଥିଲା ଏଇଥିପାଇଁ–ନିଛାଟିଆ ବେଳା ଭୂଇଁରେ ଏପରି ଏକ ଅନୁଭୂତି ଘଟିପାରେ ।

 

ଧାଇଁ ଧାଇଁ ବହୁଦୂର, କାହିଁକି ଦୌଡ଼ିଛି ସେ ଜାଣେ ନାହିଁ, କେବଳ ଜୁଆର ପରି ଆପଣା ଭିତରକୁ ମାଡ଼ି ଆସୁଛି କେଉଁ ଏକ ପ୍ରବଳ ଆବେଗ, ଚେତନ ମନରେ ବିସ୍ମୟ ଚହଟାଇ ଯେପରିକି ଖୋଲିଯାଉଛି ନିଜ ପାଖେ ନିଜର ନୂଆ ଆବିଷ୍କୃତ ସ୍ୱରୂପ, ଜୀବନର ପ୍ରବାହରେ ଆଗସାର ହୋଇ ବିଭୂତିଭୂଷଣ ଧାଉଁଛି ଅତି ଜୋର୍, ତଥାପି ଆଗେ ଆଗେ ତା’ର ସତୀ ।

 

ସତୀର ବି ନୂଆ ରୂପ । ଅଜାଣତରେ ତା’ର ମନ ସ୍ୱାଗତ ଜଣାଇଥିଲା ନୂଆ ଅତିଥିକୁ, କେବଳ ନିମନ୍ତ୍ରଣ ନୁହେଁ, ଯେପରିକି ଗୋଟାଏ ଆଦେଶ । ବିଭୂତିଭୂଷଣକୁ ଥରେ ଚାହିଁ ଦେଇ ସେ କଳି ନେଇଥିଲା, ତା’ପରେ ଆଦେଶ ତ ନୁହେଁ ଖାଲି,–ଆପେ ଆପେ ଆକ୍ରମଣ, ତା’ର କ୍ଷୁଧିତ ଅନ୍ତରରେ ଏକମାତ୍ର କାମନା ଏହି ତାରୁଣ୍ୟକୁ ଆତ୍ମସାତ୍ କରିବା । କିନ୍ତୁ ସେ ଯେତେବେଳେ ପରିଚୟ ଦେଲା ଯେ, କଲେଜ୍‍ରେ ସେ ପଞ୍ଚମ ବର୍ଷର ଛାତ୍ର, କଥାଟା ଯେପରି ବେସୁରା ହୋଇ ଅଥାନରେ ବାଜି ତା’ର ଲଜ୍ଜା ଉପୁଜାଇଲା,–ଫିଫ୍‍ଥ୍‍ ଇଅର୍–କାହିଁ କେତେ ବର୍ଷ ତଳେ ! ନବେନ୍ଦୁ ନୁହେଁ, ନିକୁଞ୍ଜ ନୁହେଁ, କେହି ନୁହେଁ, ଫିଫ୍‍ଥ୍‍ ଇଅର୍‍ ! ନିଜକୁ କଣ୍ଟି ଆରକକୁ ଅନାଇଲେ କଅଁଳା ପିଲା, ଗାଲ ଚିପିଦେଲେ ଦୁଧ ବାହାରିବ ! ମନ ଭିତରେ ଦୁଇଟା ଧାରାର ସଂଘର୍ଷ, ଆଉ ମଝିମଝିକିଆ ପନ୍ଥା,–ପଳାୟନ । କିନ୍ତୁ ସେ ପଳାୟନରେ କଳା ଚାତୁରୀ ବି ଥିଲା ଟିକିଏ, କ୍ଷୁଧିତ ମନ ଯେପରିକି ପ୍ରତ୍ୟାଶା ଗୁଣୁଗୁଣେଇ ଥିଲା–ପଳେଇଲେ ଏ ବି ଧାଇଁବ । କିନ୍ତୁ ବିଭୂତିଭୂଷଣ ଯେତେବେଳେ ଗୋଡ଼େଇଲା, ଊର୍ଦ୍ଧ୍ୱଶ୍ୱାସରେ ଖେଦିଗଲା ତା’ର ପଛେ ପଛେ ସେତେବେଳେ ଜାଣତା ମନରେ ବିସ୍ମୟକୁ ବି ଟପିଗଲା ଭୟର ବେଗ । ଏ କ’ଣ ସେ ଦେଖୁଛି ! ସତକୁ ସତ କ’ଣ ଆକ୍ରମଣ ! ଏ ସମ୍ଭବ ! ସେତେବେଳେ ବିଭୂତିଭୂଷଣ କେବଳ ଦୁର୍ବଳ କିଶୋର ପରି ଆଖିକ ଦିଶିଲା ନାହିଁ । ସେ ସତେକି ଗୋଟାଏ ପୁରୁଷ, ଗୋଟାଏ ହିଂସ୍ରଜନ୍ତୁ, ଗୋରା ପାତଳା ହୋଇ କେବଳ ରକ୍ତ-ମାଂସରେ ସୁନ୍ଦର ସ୍ଥାପତ୍ୟ ନୁହେଁ, ଗୋଟାଏ ଜନ୍ତୁ । ମନରେ କୋକୁଆ ଭୟ,–ପଳା ପଳା ପଳା–ଚେତନ ମନରେ ସତୀ ଆପଣାର ବିଶ୍ୱାସ ଜନ୍ମାଇଛି ଯେ ସେ ଆତ୍ମରକ୍ଷାପାଇଁ ଧାଇଁପଳାଉଛି ।

 

ତା’ପରେ ସେହି ଗୋଡ଼ିଆଗୋଡ଼ି ଦଉଡ଼, ସମୁଦ୍ରଠୁଁ କିଛି ଦୂରରେ, ଢେଉ ଢେଉକା ବାଲିବନ୍ତର ଉଠାଣିରେ ଗଡ଼ାଣିରେ, ଆଗେ ଆଗେ ନାରୀ, ପଛେ ପଛେ ପୁରୁଷ । ଆଦିମ ଯୁଗର ଗୋଟାଏ ସାଧାରଣ ଦୃଶ୍ୟ ।

 

ଗୋଟାଏ ଉଞ୍ଚ ବାଲିକୁଦରୁ ଓହ୍ଲେଇ ତଳକୁ ଗଡ଼ିଗଲାବେଳକୁ ଲମ୍ୱ ନଟିର ଡଙ୍କରେ ଗୋଡ଼ ଗୁରେଇ ହୋଇଯାଇ ଗୋଟିକିଆ ଝାଉଁଗଛମୂଳେ ସତୀ ଭୁଷ୍‍କରି କଚାଡ଼ି ହୋଇପଡ଼ିଲା, ସଙ୍ଗେ ସଙ୍ଗେ ପହଞ୍ଚିଗଲା ବିଭୂତିଭୂଷଣ, ହାତ ବଢ଼େଇ ଟେକିବାକୁ ଚେଷ୍ଟା କଲା, ଆଉ ଆତଙ୍କରେ ସତୀ ଗର୍ଜ୍ଜନ କଲା,–‘‘ଉଃ, ଖବର୍‍ଦାର୍, ଦୂରେଇ ରହ, ଦୂରେଇ ରହ ।’’ ସତେକି ବେତମାଡ଼ ଖାଇ ବିଭୂତି ବଙ୍କା ହୋଇ ଦୂରେଇ ଠିଆହେଲା, ମୋହ କଟିଗଲା, ଏଣିକି ଯେପରିକି ଏଇ ଅପରାଧର ଭୟ ଓ ଲଜ୍ଜା । ହୋସ୍ ହେଲାରୁ ଭାବିଲା,–କେତେଦୂର ସେ ଧାଇଁ ଆସିଛି ? କ’ଣ ହେବ ଏଣିକି ପରିଣାମ ?

 

ଘୁଞ୍ଚିପାରିଲା ନାହିଁ, ଯେପରିକ ଦଣ୍ଡ ଶୁଣିବାକୁ ଚାହେଁ, ମୁକ୍ତି ନାହିଁ । ରାଗରେ କେତେଗୁଡ଼ାଏ ଶବ୍ଦ କରି ସତୀ ଯେତେବେଳେ ଶୁଦ୍ଧଭାଷାରେ ସଭ୍ୟ ବିଷ ଉଗାରିବାକୁ ତିଆରି ହୋଇ ବିଭୂତି ଆଡ଼କୁ କଟମଟ କରି ଚାହିଁଲା, ସେତେବେଳେ ତା’ର ଅବସ୍ଥା ଦେଖି ତା’ର ରାଗ ପାଣିଫାଟିଗଲା । ଏଇ ମୁହଁ, ଏଇ ଚେହେରା, ଏଇ ତା’ର ବ୍ୟାଧ ! ଏହାରିଠୁଁ ପୁଣି ଭୟ ! ମନେ ପଡ଼ିଲା, କ୍ଲାସରେ ଏ ରୂପ ଯେପରିକି ସେ ଅନେକ ଥର ଦେଖୁଛି, ବେଞ୍ଚ୍ ନାହିଁ, ନ ହେଲେ ଠିଆହେବାକୁ କହିଲେ ଠିଆହୋଇ ପଡ଼ନ୍ତା ୟେ ବିନା ଆପତ୍ତିରେ ।

 

ହେଇତ, ସେ ଆରମ୍ଭ କଲାଣି,–‘‘ମତେ କ୍ଷମା କରନ୍ତୁ ।’’

 

ଟାଣ କରି ପଦେ କଥା–ତା’ପରେ ବୋଧହୁଏ ଝାଉଁଳା ଫୁଲରୁ କାକର ବୋହିପଡ଼ିବ ।

 

‘‘କଣ କହିଲେ ?’’

 

ସେପାଖକୁ ମୁହଁ ବୁଲେଇ ରଖି ବିଭୂତି କହିଲା,–‘‘ମତେ କ୍ଷମା କରନ୍ତୁ ।’’

 

ଝାଉଁମୂଳକୁ ତେର୍ଚ୍ଛାହୋଇ ତଳେ ଢଳି ବସି ଗୋଡ଼ ଲମ୍ବେଇ ଦେଇ ପଛଆଡ଼େ ଗଛକୁ ଧରିବାକୁ ଚେଷ୍ଟା କରି ହାତ ବଢ଼େଇ ସତୀ କହିଲା,–‘‘ମୁହଁଟା ବୁଲାନ୍ତୁ ନା ଟିକିଏ ।’’

 

ବିଭୂତି ନିରୁତ୍ତର ।

 

ଲାଗିଲା, ପଦେ ଟାଣ କଥା କହିଲେହିଁ ଏ ପୃଥିବୀ ତା’ର ରାହା ବାଛିନେଇ ସବୁଦିନପାଇଁ ସତୀର ଆଖିଆଗରୁ ଚାଲିଯିବ ।

 

‘‘ମଗର ମହାଶୟ !’’ ସତୀ ଡାକିଲା ।

 

‘‘ମୋ ନାଁ ବିଭୂତିଭୂଷଣ ।’’ ବିଭୂତିର ସ୍ୱରରେ ଜୀବନଭିକ୍ଷା ।

 

‘‘ହଉ ବିଭୂତିଭୂଷଣ, ମୁହଁଟା ବୁଲାନ୍ତୁ ନା ଥରେ । ଆଃ–’’ତାର ଲମ୍ୱା ‘ଆଃ’ ଶୁଣି ବିଭୂତି ମୁହଁ ବୁଲେଇଲା ।

 

ସେହି ଦୃଶ୍ୟ ଉପରେ ବିହ୍ୱଳ ଆଖି ଭରା ହେବାର ଗୋପନ ଇଚ୍ଛାର ପତିଆରା ଚଞ୍ଚଳ ପ୍ରଶ୍ନ ସୃଷ୍ଟି କଲା,–‘‘ଚୋଟ ବାଜିଲା ବୋଧହୁଏ ଖୁବ୍ ଜୋର୍ ।’’

 

‘‘ଅଣ୍ଟାଟା ବୋଧହୁଏ ଗଲା । ଆଉ ଉଠିପାରିବି ବୋଲି ତ ଲାଗୁନାହିଁ । ମତେ ଏଠୁ ବସାକୁ ନେବ କିଏ ? ଉଠିବା ଯେ ଅସମ୍ଭବ !’’

 

‘‘ଆପଣଙ୍କର ଯଦି ଆପତ୍ତି ନ ଥାଏ, ତେବେ ମୁଁ–’’

 

‘‘ପିଠିରେ ଲାଉକରି ନେଇ ଯାଆନ୍ତି–ନା କ’ଣ !’’ ସତୀ ହୋ ହୋ ହୋଇ ହସି ହସି ଗଡ଼ିଲା, ତୁହାଇ ତୁହାଇ ଅସରା ଅସରା ହସ, ବିଭୂତି ଅପ୍ରସ୍ତୁତ ହୋଇ ଠିଆହେଲା ।

 

ସତୀ କହିଲା, ‘‘ଆପଣଙ୍କୁ କେଇଁଠି ଦେଖିଲାପରି ମନେ ହେଉଛି ।’’

 

ଆଗ୍ରହରେ ବିଭୂତି ପଚାରିଲା,–‘‘କେଉଁଠି କହିଲେ ?’’

 

‘‘ରହନ୍ତୁ ମନେ ପକାଏଁ....ହଁ ହଁ ହଁ, ଠିକ୍, କେଉଁ ସଭାରେ ବୋଧହୁଏ, ଗଲା ବର୍ଷତ ! ଆପଣ ଥିଲେ ଭଲଣ୍ଟିଅର୍, ଅତିଥିମାନଙ୍କୁ ଜାଗା ଦେଖାଇ ଦେଉଥିଲେ ଆଉ ହ୍ୟାଣ୍ଡ୍ ବିଲ୍ ବାଣ୍ଟୁଥିଲେ । ମୋର ପରିଷ୍କାର ମନେ ଅଛି ସତେ ଯେମିତି ଆପଣ ଜଣେ ଭଦ୍ରମହିଳାଙ୍କ ପିଲାଟିକି କାଖେଇ ବାପଠୁଁ ମା’ କୁ ବଢ଼େଇ ଦେଇଥିଲେ, ଆଉ ମତେ ଶୋଷ କଲା ଯେ ଆପଣ ପାଣି ଆଣି ଦେଇଥିଲେ । ଭଲଣ୍ଟିଅର୍ ଥିଲେ । କେଉଁଠି କହିଲେ ?’’

 

‘‘ଆପଣ କ’ଣ ଆମ କଲେଜ୍ ସଭାକୁ ଯାଇଥିଲେ ?’’

 

‘‘କେଉଁ କଲେଜ୍ କହିଲେ ?’’

 

‘‘କେଉଁ କଲେଜ୍ ଆଉ, ଖାରବେଳ କଲେଜ୍ ।’’

 

‘‘ଓ, ପ୍ରତିବର୍ଷ ଯାଏଁ–’’

 

‘‘ମୁଁ ତ ଭଲଣ୍ଟିଅର୍ ନଥିଲି । ମୋରି ପରି କାହାକୁ ଦେଖିଥିବେ, ଜ୍ଞାନେନ୍ଦ୍ରକୁ ଦେଖିଥିବେ, ମୋରି ପରି ସେ ।’’

 

‘‘ସମ୍ଭବତଃ ।’’

 

ସାନ୍ନିଧ୍ୟର ଡୋର ଲଗେଇ ବିଭୂତି କହିଲା,–‘‘ଜ୍ଞାନେନ୍ଦ୍ରର ମୋର ଭାରି ସାଙ୍ଗ । ଏକା କ୍ଲାସରେତ ପଢ଼ୁଁ, ତା’ଛଡ଼ା ଆମର ପ୍ରାୟ ଏକ ପ୍ରକାର ରୁଚି, ଏକା ମତ, ତେଣୁ ଘନିଷ୍ଠତା ଅଛି ।’’

 

‘‘ଏକା ମତ ?’’ ସତୀ କହିଲା, ‘‘ତା’ହେଲେ କ’ଣ ଆପଣ ଦୁହେଁଯାକ ବିଶ୍ୱାସ କରନ୍ତି ଯେ ପୃଥିବୀ ଗୋଲାକାର, ଆଉ ସୂର୍ଯ୍ୟର ଚାରିପଟେ ପୃଥିବୀ ବୁଲୁଥାଏ, ସତ କି ନାହିଁ ?’’

 

ତନ୍ମୟ ହୋଇ ବିଭୂତି କ’ଣ ଦେଖୁଥିଲା, ଆପେ ଆପେ କହି ହୋଇଗଲା, ‘‘ପୃଥିବୀ ଗୋଲାକାର–’’

 

ସତୀ ପୁଣି ଖଳ ଖଳ ହୋଇ ହସିଉଠିଲା ।

 

ଏଥର ବିଭୂତି ବି ହସରେ ଯୋଗଦେଲା ।

 

‘‘ଏଥର ପ୍ରଶ୍ନ ହେଉଛି କେତେବେଳ ମୁଁ ଏମିତି ପଡ଼ି ରହିବି,–’’ ଦୁଷ୍ଟାମିର ହସ ହସି ସତୀ କହିଲା,–‘‘ଏଇ ଦେଖନ୍ତୁ ମୋର ଲୁଗା ଜଡ଼ୁ ବୁଡ଼ୁ–’’

 

ବିଭୂତି ଦେଖିଲା । ସହାନୁଭୂତିରେ ମୁଣ୍ଡ ହଲେଇଲା ।

 

‘‘ଜାଣି ନଥିଲି ତ ମଗର ହାବୁଡ଼େ ପଡ଼ିବି ।’’ ଦୁହେଁ ହସିଲେ ।

 

‘‘ଆଚ୍ଛା, ଚେଷ୍ଟା କରନ୍ତୁ ତ, ଉଠେଇ ଠିଆ କରିପାରିବେ ମତେ ?’’

 

ସତୀ ହାତ ବଢ଼େଇ ଦେଲା, ବିଭୂତି ସଂକୋଚରେ ସଂକୋଚରେ ଉପରକୁ ଓଟାରିଲା, ସତୀ ପ୍ରାଣପଣେ ପ୍ରତିରୋଧ କଲା, ଆଉ ହସିଲା, ଫଳରେ ବିଭୂତି ପ୍ରୟାସ ଛାଡ଼ିଦେଇ ଠିଆ ହୋଇ ଧଇଁସଇଁ ହେଲା ।

‘‘ସେଥର ଯେତେବେଳେ ସୂର୍ଯ୍ୟ ଦେବତା ମଣିଷ ବେଶରେ ଏହି ବାଲିରେ ଧାଉଁଥିଲେ ସେ ଏପରି କ୍ଳାନ୍ତ ହୋଇନଥିଲେ ?’’ ସତୀ କହିଲା ।

‘‘କେବେ ? କେଉଁଥର ?’’

‘‘ଚନ୍ଦ୍ରଭାଗା ମନେ ନାଇଁ ?’’

ବିଭୂତି ଲାଜରା ହେଲା ।

‘‘ସବୁ ବ୍ୟାୟାମର ଅଭାବ । ଆସନ୍ତେ ମୋ ସାଙ୍ଗରେ, ବ୍ୟାୟାମର ଉପକରଣ ଦେଖାନ୍ତି-। ଆପଣଙ୍କ କଲେଜରେ ଦେହର ବଢ଼ତି ପାଇଁ ଯଦି ଅନ୍ତତଃ ଦୁଇଶହ ମାର୍କ୍ ଥାଆନ୍ତା, ସମସ୍ତିଙ୍କର ଉପକାର ହୁଅନ୍ତା ।’’

‘‘ଠିକ୍ କଥା ।’’

‘‘ଠିକ୍ କଥା ! ବାଃ, ଆପଣଙ୍କର ସ୍ୱାଧୀନ ମତ ହେଲାଣି ଦେଖୁଚି । ଏମ୍.ଏ.ରେ ସ୍ୱାଧୀନ ମତ ନିହାତି ଦରକାର, ଆପଣ ଭଲ ଛାତ୍ର ।’’ ଏଥର ବିଭୂତି ଛାଏଁ ଚମକିଲା, ସତେକି ସେ ନୂଆ କ’ଣ ଦେଖିପାରିଛି, କହିଲା–‘‘ଆପଣ କ’ଣ ଏମ୍.ଏ. ?’’

ସତୀ କହିଲା,–‘‘ଉହୁଁ, ଫିଫ୍‍ଥ୍‍ ଇଅର୍ ।’’

‘‘କେଉଁ କଲେଜ୍ ?’’

‘‘ମହିଳା ।’’

ବିଭୂତି ପଚାରିଲା,–‘‘ଛୁଟି ?’’

‘‘ନିଶ୍ଚୟ । ଆଚ୍ଛା ଆପଣଙ୍କର ବି କ’ଣ ସାହିତ୍ୟ ?’’

‘‘ହଁ । ଆପଣ କେମିତି ଜାଣିଲେ ?’’

‘‘ମୋର ବି ସାହିତ୍ୟ ଯେ ।’’

‘‘ବାଃ ।’’ ବିଭୂତି ଭାରି ଖୁସି ହେଲା ।

‘‘ଆରେ, ଆପଣ ସେତେବେଳୁ ଠିଆହୋଇ ରହିଛନ୍ତି ! ବସିପଡ଼ନ୍ତୁ ।’’ ବିଭୂତି ସେହି ପାଖରେ ବସିପଡ଼ିଲା । ସଂକୋଚ କଟିଯାଇ ଆସିଛି ସାମ୍ୟ,–ଏ ବି ତ ସେଇଆ, ଏକ ଧର୍ମ, ଏକ ଜାତି, ଫିଫ୍‍ଥ୍‍ ଇଅର୍, ସାହିତ୍ୟ । ଭିଡ଼ିମୋଡ଼ି ହୋଇ ସତୀ କହିଲା,–‘‘ଦେଖିଲେ କି ସୁନ୍ଦର ! ପ୍ରକୃତି ସୃଷ୍ଟି କରିଛି ସୌନ୍ଦର୍ଯ୍ୟ, ତାକୁ ବୁଝିବାକୁ ମଣିଷ ସୃଷ୍ଟି କରିଛି ସାହିତ୍ୟ । ଗୋଟିକିଆ ଝାଉଁଗଛ ତଳେ ଏଇ ବାଲିକୁଦ, ତଥାପି ଏଠି ସାହିତ୍ୟ ଜୀବନର ସନ୍ଧାନ ପାଇଛି ।’’

 

‘‘ଆପଣ କବି ।’’

 

‘‘ଆମେ ସମସ୍ତେ କବି । ଅନୁଭୂତିହିଁ କବିତାର ଉତ୍ସ, କିଏ ପ୍ରକାଶ କରେ, କିଏ ନକରେ-। ଆପଣ କବିତା ଲେଖନ୍ତି ?’’

 

‘‘ଟିକିଏ ଟିକିଏ ।’’

 

‘‘ଆପଣ ବଡ଼ ବିନୟୀ, ଲୁଚୋଉଛନ୍ତି, ଆପଣଙ୍କ ମୁହଁରେହିଁ ଲେଖାହୋଇଛି ଆପଣ ବଡ଼ କବି, ବଡ଼ ଭାବୁକ । କିନ୍ତୁ ଜାଣନ୍ତି, ଲାଜରା ହେଲେ କବିତା ପ୍ରକାଶ ପାଏ ନାହିଁ, ଜୀବନ ଉପଭୋଗ କରିହୁଏ ନାହିଁ, ଲାଜର ମୂଳ ସଂସ୍କାରଗତ ଭୟ, ବଡ଼ କବି ସଂସ୍କାରକୁ ଡରେ ନାହିଁ, ସେ ଚିରକାଳ ବିପ୍ଳବୀ ।’’

 

‘‘ସୁନ୍ଦର, ସୁନ୍ଦର,–’’ ବିଭୂତି କହିଲା, ବାଲିରେ ପଦ୍ମ କାଟିବା ଛାଡ଼ ଅପଲକ ଆଖିରେ ସତୀମୁହଁକୁ ଅନେଇଁ ରହିଲା ।

 

ସତୀର ଏ ନୂଆ ଅବତାର ।

 

ଏଇ ତ ବିଧାତାର ଶ୍ରେଷ୍ଠ ସୃଷ୍ଟି, ନାରୀ,–ବିଭୂତି ଦୀର୍ଘଶ୍ୱାସ ପକାଇଲା ।

 

ତା’ର ହାତ ପାପୁଲିକି ଆସ୍ତେ ଧରି ସତୀ କହିଲା,–

 

‘‘ଭୟ କାଟି ହେଉନାହିଁ କବି, ନୁହେଁ ? କବିତା ସ୍ଫୁରୁନାହିଁ ? ପାଖେ ଜଗତର ସବୁ କବିତା, ପାଖେ ଏ ଦୁର୍ମଦ ସମୁଦ୍ର । ସମୁଦ୍ରର ଲଜ୍ଜା ନାହିଁ ସଂକୋଚ ନାହିଁ...’’ ସତୀ ହସିଲା । ଦୁହେଁ ହସିଉଠିଲେ ।

 

ସତୀ ଦେଖିଲା, ବିଭୂତିର ଆଖିରେ ମୂଢ଼ତା, ଏମିତି ଏଠି ବସି ରହି ଯେଉଁ କଥା ପକାଇଲେ ବି ସେ ଶୁଣୁଥିବ, ମୁଣ୍ଡ ଟୁଙ୍ଗାରୁଥିବ, ଉଠିବ ନାହିଁ । କଳ୍ପନାରେ ଯୋଡ଼ି ଯାଇଥିଲା ଆପଣାର ମଉଳାଫୁଲର ଅତୀତର ସରସ ପାଖୁଡ଼ା, ତା’ର ସଜ ବାସ୍ନା ମନେପଡ଼ିଲା ।

 

ଏମିତି ତ, ଯୁଗେ ଯୁଗେ ।

 

ବିଭୂତିର ହାତ ଧରି କହିଲା–‘‘ଉଠାନ୍ତୁ ଏଥର ଉଠିବାକୁ ଚେଷ୍ଟା କରିବି ।’’

 

‘‘ପାରିବେ ଆପଣ ? ଉଠିବେ ସିନା, ଯାଇ ପାରିବେ ?’’

 

‘‘ଆପଣଙ୍କ ହାତ ଧରିଲେ ବୋଧହୁଏ ସବୁ ପାରିବି ।’’ ସତୀ ତା’ର ମୁହଁକୁ ଗୋଟାଏ ଆଶ୍ଚର୍ଯ୍ୟ ଚାହାଣି ଛାଟି ହସିଦେଲା, କହିଲା, ‘‘ଆପଣଙ୍କର କାନ୍ଧରେ ଭରା ଦେଇ ଧୀରେ ଧୀରେ ମୁଁ ଚାଲି ଯାଇପାରିବି, ଖସିପଡ଼ିବି ଯଦି–ଭୟ କ’ଣ ? ଆପଣ ତ ଅଛନ୍ତି, ସାହାଯ୍ୟ କରିବେ ନାହିଁ ?’’

 

‘‘ନିଶ୍ଚୟ, ନିଶ୍ଚୟ’’ ବିଭୂତି ଆଗ୍ରହରେ କହିଲା ।

 

ସତୀ ଉଠି ଠିଆହେଲା, ବିଭୂତି ଉପରେ ଅଧା ଭରା ଦେଇ ଧୀରେ ଧୀରେ ଚାଲିଲା ।

 

ତରଳି ପଡ଼ୁଥିବା ଅନୁଭୂତି ଭିତରେ ବିଭୂତିର ଆତ୍ମବିଶ୍ୱାସ ଆସିଲା, ତଥାପି ସେ ପୁରୁଷ-

 

ବାଟେ ବାଟେ ପରିଚୟ ଘେନାଘେନି, ନାଁ, ଗାଁ ବୃତ୍ତି ବେଉସା ଆଦି ଲୌକିକ ରଙ୍ଗର, ଦୁଇ ଦେହର, ଦୁଇ ମନର । ସହଜ ବିଶ୍ୱାସ ଓ ନିର୍ଭର ଜନ୍ମାଇ ସତୀ ବିଭୂତିର ସଂକୋଚ କଟାଇ ପାରିଥିଲା, ତା’ପରେ ସେ ମୁଖର, କେବଳ କ’ଣ ସେ କହେ ତହିଁରେ ସଂଶ୍ଳିଷ୍ଟତା ରହେ ନାହିଁ, ମଝିରେ ମଝିରେ ସ୍ୱର ଥରେ, ଫମ୍ପା ଶୁଭେ । ଦେହ ଥରିଉଠେ ।

 

ସତୀ ସବୁ ଉପଭୋଗ କରୁଥିଲା, ବିଭୂତି ଯେପରିକି ଧଳା ମେଣ୍ଢାଛୁଆ, ସରଳ, ନିଷ୍ପାପ, ସୁନ୍ଦର । ଧଳା ମେଣ୍ଢାଛୁଆ, କେବଳ ବେକରେ ଘଣ୍ଟି ନାହିଁ । ଯୌବନର ପ୍ରଥମ ସ୍ୱପ୍ନର ପ୍ରତିଚ୍ଛବି ପରି, ମୂର୍ଖପଣରେ ଦେବତାହିଁ । କେତେ କାଳ ଏହି ଖେଳ ? ଅନୁଶୋଚନା ଉଠି ଆସୁଥାଏ । ତରତର ହୋଇ ଇଚ୍ଛାଶକ୍ତି ପ୍ରୟୋଗ କରି ସତୀ ତାକୁ ଦାବି ରଖୁଥାଏ । ନା, ନା, ନା,–ସେ ନିଜେ ସ୍ୱାର୍ଥପର । ସେ ବି ଚାହେଁ ଜୀବନ ବଞ୍ଚିବାକୁ, ତା’ର ଏହି ସ୍ୱପ୍ନ ଦରକାର, ସେ ତା’ ଭାଙ୍ଗିବାକୁ ଛାଡ଼ିଦେବ ନାହିଁ ।

 

ଆଉ ଅଳ୍ପ ଦୂରରେ ତା’ର ବସା ।

 

ସେଇଠି ସତୀ ବିଦାହେଲା । ବିଭୂତିର ପଞ୍ଜାବିର ଡାହାଣ ପାଖ ଓଦା ହୋଇଯାଇଛି । ଆସ୍ତେ ପିଠି ଆଉଁସି ଦେଇ ସତୀ କହିଲା, ‘‘ହେଇ ଦେଖନ୍ତୁ ଆପଣଙ୍କୁ ଓଦା କରିଦେଲି ।’’

 

‘‘ସେ କିଛି ନୁହେଁ ।’’

 

‘‘ହଉ, ନମସ୍କାର୍ ।’’

 

‘‘ଆଉ ଦେଖା ହେବା ନାହିଁ ?’’ ବିଭୂତି ଲାଜରେ ଲାଜରେ ପଚାରିଲା ।

 

ସତୀ ହସିଉଠିଲା, ‘‘ଦେଖା ହେବା ନାହିଁ ! ଶହେ ଥର, ହଜାରେ ଥର । ମୋର ତ ସେଇଠି ଚାରଣ ସ୍ଥାନ, ଯେଉଁଠି ମତେ ଦେଖିଲେ ।’’

 

‘‘କିନ୍ତୁ ଖବର୍‍ଦାର୍ ଆପଣ ସେଠି ସମୁଦ୍ରରେ ଗାଧୋଇବେ ନାହିଁ, ବଡ଼ ମଗରଭୟ ।’’ ବିଭୂତିର ଏ ପ୍ରାର୍ଥନା, ହାତ ଯୋଡ଼ିଛି ।

 

‘‘ଆଚ୍ଛା ।’’

 

ସତୀ ଝାଉଁ ବାଙ୍କରେ ଅଦୃଶ୍ୟ ହେବାଯାକେ ବିଭୂତି ଚାହିଁ ରହିଥାଏ ।

 

ତା’ପରେ ସେ କୁଦା ମାରି ଡେଇଁ ଡେଇଁ ଗଲା ।

 

କିଛି ସମୟ ପରେ ତୀରବେଗରେ ଦୌଡ଼ିଲା ।

 

ତୁଣ୍ଡରେ ଗୋଟାଏ ଗୀତର ଗେଁ ଗେଁ, ତା’ର ଭାଷା ନାହିଁ ।

 

ବସାକୁ ଫେରି କବିତାଖାତା ଖୋଲି ବିଭୂତି ଲେଖିବସିଲା, କାଗଜରେ କଲମ ଛୁଆଇଁ ପାରିଲା ନାହିଁ । କାହିଁ କବିତା ? ମୁଣ୍ଡଯାକ ଖାଲି ଝାଇଁ ଝାଇଁ । ବସି ବସି ଦୂରକୁ ଚାହିଁ କେବଳ ଭାବେ, ଭାବନାର ରୂପ ନାହିଁ, କେବଳ ଗୋଟାଏ କ’ଣ ଅନୁଭୂତି । ଚାରିଆଡ଼େ ଯାହା ଦେଖେ ସବୁ ତରଳିଯାଇ କେବଳ ବ୍ୟୋମ ହୋଇଯାଏ, ସବୁ ଅସତ୍ୟ, ସ୍ପଷ୍ଟ ଆଉ ବାସ୍ତବ କେବଳ ଗୋଟାଏ ରୂପ,–ସତୀ । ବିଭୂତି ବୁଝିଲା, ଏହି ସ୍ୱପ୍ନହିଁ ପ୍ରେମ, ଏହି ତା’ର ଜୀବନର ଚରମ,–ଆନନ୍ଦ । ବରମ୍ୱାର ନିଜର ବିଶ୍ୱାସ ଜନ୍ମାଏ ଯେ ଏ ପ୍ରେମର ପ୍ରତିଦାନ ବି ସେ ପାଇଛି । ଏହି ସେ, ଯାହାକୁ କହନ୍ତି ପ୍ରଥମ ଦେଖାରେ ଭଲପାଇବା । ଅତୀତର ଅନ୍ୟ ଯେଉଁ କେତୋଟି ଛବି ତା’ର ମନ-ଦର୍ପଣରେ ପଡ଼ିଥିଲା,–କେତୋଟି ପଦ୍ୟର ଉତ୍ସ,–ନିଭିଗଲାଣି ସେଗୁଡ଼ିକ କେଡ଼େ ଚଞ୍ଚଳ ଏ ନୂଆ ଛବିର ଧାସରେ । ମନେ ନାହିଁ । ସତୀ ତାକୁ ଭଲପାଏ । ଭାବିଲେ ପୌରୁଷ ଗୌରବ ପାଏ । ବିଭୂତି ବସି ଭବିଷ୍ୟତ୍ ଗଢ଼େ, ସବୁଠି ସେ ଓ ସତୀ, ସାର୍ଥକ ପ୍ରେମର ଶକ୍ତିରେ ଅସମ୍ଭବ ବୋଲି କିଛି ଲାଗେ ନାହିଁ ।

 

ବିଭୂତି ଅନ୍ୟ କାହାରି ସାଙ୍ଗସୁଖ ଖୋଜେ ନାହିଁ । ଛାଇ ପଡ଼ିଲେ ସେ ଚମକେ । ଚୋରା ଭାବନାରେ ମଣିଷର ସ୍ପର୍ଶ ପଡ଼ିଲେହିଁ ସେ ଆତ୍ମାରକ୍ଷା କରି ଦୂରକୁ ପଳାଏ ।

 

ଭାବୁ ଭାବୁ ନାନା ପ୍ରଶ୍ନ, ତା’ର ନାନା ଉତ୍ତର ।

 

ମନେ ମନେ ସେ ନିଶ୍ଚୟ କରିସାରିଲାଣି ସତୀକୁ ବିଭା ହେବ । ସଞ୍ଜକୁ ସେ ମନେ ମନେ ଜାଣିଲାଣି ତା’ର ବାପ ମା’ ନିଶ୍ଚୟ ମତଦେବେ । ରାତି ଅଧକୁ ସେ ବିଭାହୋଇ ସାରିଲାଣି ।

 

ଏମିତି ଦିନ ଯାଇ ସଞ୍ଜ, ସଞ୍ଜ ଯାଇ ରାତି । ଭୋକ ନାହିଁ, ଶୋଷ ନାହିଁ, ନିଦ ନାହିଁ ।

 

ସମୁଦ୍ରର ଗର୍ଜନ ବି ଶୁଣି ପାରୁନାହିଁ, ସେଠି ସେ ନାହିଁ ।

 

ସକାଳେ ସୂର୍ଯ୍ୟ ଯେତେବେଳେ ସମୁଦ୍ର ପାଣିରୁ ଦିଗନ୍ତକୁ କୁଦାମାରି ଉଠିଲା, ହାଲୋଳମୟ ନୂଆ ଦିନକୁ ସ୍ୱାଗତ ଜଣାଇଲା, ଜଣେ ନୂଆ ମଣିଷ । ତା’ର ବି ମନରେ ସୂର୍ଯ୍ୟ ଉଇଁଥିଲା ।

 

ଦିନେ, ଦି’ଦିନ, ତିନିଦିନ, ସବୁଦିନେ ।

 

ସେମାନେ ଭେଟାଭେଟି ହୁଅନ୍ତି ।

 

ସତୀ ହାତ ଲମ୍ବେଇ ଦେଇଥିଲା, ବିଭୂତିଭୂଷଣ ଚଢ଼ି ଚଢ଼ି ଆସିଛି ପାଖରୁ ଆହୁରି ପାଖକୁ । ଅକୁହା ସଂପର୍କ । ଦୁହେଁ ଜାଣନ୍ତି ।

 

ଆପଣରୁ ତୁମେ ।

 

ଲୌକିକତାର ଓଜନ ମାନ୍ୟ ନାହିଁ । ଯେପରିକି ଯୁଗେ ଯୁଗେ ଚିହ୍ନା ।

 

ପୂର୍ଣ୍ଣମୀର ଜୁଆର । ମାୟାପୁରୀରେ ରୂପେଲି ଝାଉଁଗଛ ତଳେ ଛାଇ ଆଲୁଅରେ ଦୁହେଁ-। ସତୀ ଅନ୍ଧାରରେ ବସି ସମୁଦ୍ରକୁ ଚାହିଁଛି । ତା’ର ଆଣ୍ଠୁ ସନ୍ଧିରେ ମୁହଁ ଲୁଚେଇ ବାହା ଡଙ୍କେଇ ଦେଇ ଆଉଜି ପଡ଼ିଛି ବିଭୂତି, କେତେ କ’ଣ କହି ଲାଗିଛି । ବିଭୂତିର ମୁଣ୍ଡ ଉପରେ ଆଙ୍ଗୁଠି ଖେଳାଉ ଖେଳାଉ ସତୀ ମନେପକାଇଲା ସମୀର୍‍ ଆଜି ଚଢ଼େଇ ରାନ୍ଧୁଛି, ନିଜେ ଶୀକାର କରି ଆଣିଥିଲା । ବାରମ୍ୱାର କହିଛି–ଚଞ୍ଚଳ ଆସିବ ।

 

ଅସମ୍ଭବ ଲାଗିଲା ସମୀର୍ ଓ ତା’ର ସଂପର୍କ, ଦୁନିଆଁ କତେ ଅଳ୍ପ ଜାଣେ ! ଦୁନିଆଁ କହେ । କାୟାରେ କାୟା ମିଶେଇ ନୂଆ କାୟାର ଉତ୍ପତ୍ତି ହେବା ପର୍ଯ୍ୟନ୍ତ ଦୁନିଆଁର କଳ୍ପନାର ପରିସୀମା, ନାରୀର ଧର୍ମର ପରିସର କେବଳ ତା’ର ଦେହରେ !

 

ବିଭୂତି ପ୍ରତି ମନ ତା’ର ନରମି ଆସୁଛି । ଅସମ୍ଭବ କରୁଣାରେ, ତା’ର ମୁଣ୍ଡଉପରେ ମୁହଁ ଛୁଆଁଉଛି, କୁଞ୍ଚକୁଞ୍ଚିଆ ବାଳ ମୁଠା ମୁଠା କରି ଧରି ଆସ୍ତେ ଓଟାରୁଛି, ସଲ ସଲ କରୁଛି ।

 

ବିଭୂତିର ଗଦ୍‍ଗଦ ଭାଷା ଯେପରିକି ସତୀର ଭାବନାର ପଟ୍ଟଭୂମି । କେତେ ଥର ସ୍ୱପ୍ନରେ ସେ ଦେଖିଛି ଏ ସୁନ୍ଦର ମୁହଁଟିକୁ ! ଏମିତି ଆପଣା କୋଡ଼ରେ ଅତି ପାଖରେ ପାଇ ପୁଣି ହଜାଇ ଦେଇଛି ! କେବେ ଭାବିଥିଲା, ତା’ ତଳେ ଏମିତି ଗୋଟିଏ ଭାଇ ହୋଇଥାନ୍ତା କି ! ଖାଲି ଭାଇ ନୁହେଁ, କୁହାର ବୋଲର ଭାଇଟିଏ, ଶାନ୍ତ, ସୁବୋଧ, ଗୁଡ଼ୁରୁ ଗୁଡ଼ୁରୁ ହୋଇ ପଛେ ପଛେ ଧାଇଁବାପାଇଁ, ମନ ଖୋଲି ଉପଦେଶ ନେବାପାଇଁ, ସୁଖରେ ଦୁଃଖରେ ତାପାଇଁ ଭାବିବାପାଇଁ । କେବେ ସେ-ବୟସରେ କଳ୍ପନା କରିଛି ଏମିତି ଜଣେ ସାଥୀ, ଦେଖା ପରଖା । ସ୍ଥୂଳ ଦୁନିଆଁରେ ଗୋଟିଏ ସ୍ୱପ୍ନ–ପ୍ରେମିକ କାହାଣୀର ରାଜପୁତ୍ର । କେବେ ଭାବିଛି ଏମିତି ଜଣେ ହୋଇଥାନ୍ତା ତା’ର ଆପଣାର ସୃଷ୍ଟି, କୋଡ଼ରେ ମୁଣ୍ଡ ରଖିଥାନ୍ତା । ଜୀବନ ଖେଳାଇ ଦେଇ ଜୀବନ ସାଉଁଟିବାକୁ ଭାବିଛି, ବାରମ୍ୱାର ସ୍ୱପ୍ନ ତୁଟିଛି, ରସ ଉକୁଟିଛି । ପର୍ଦ୍ଦା ପରେ ପର୍ଦ୍ଦା ଖୋଲି ଖୋଲି ଯାଉଛି କେତେ ଦୂରକୁ । ପୁନେଇଁର ଜୁଆର ଆସୁଛି ଯାଉଛି ।

 

ସତୀର ଦେହମୂର୍ଚ୍ଛା ଚିନ୍ତାର ସରୁ ଜାଲ ଛିଣ୍ଡାଇ ଦେଇ ଉପରକୁ ଉପରକୁ ଘର୍ଷଣ ଜନ୍ମାଇ ଚହଲିଗଲା ବିଭୂତିର ଦୁଇ ହାତ, ସେ ଯେପରିକି କ’ଣ ଖୋଜୁଛି । ସତୀର ଦେହ ଥରିଉଠିଲା । ପର ମୁହୂର୍ତ୍ତରେ ଅନୁଭବ କଲା ଦୁଇଟା ଦୃଢ଼ ମୁଠାର ଚାପ, ମାଂସକୁ ଚିପି ସ୍ୱପ୍ନ ଚିପୁଡ଼ିବାକୁ ପ୍ରୟାସ କରୁଛି ଜନ୍ତୁ । ସତୀର ଦେହରେ ଅସ୍ୱାଭାବିକ ତାତି ।

 

ହଠାତ୍ ବିଭୂତିର ହାତ ଛିଞ୍ଚାଡ଼ି ଦେଇ ସେ ଠିଆହୋଇ ପଡ଼ିଲା । ବିଭୂତି ମିନତି କରୁଛି–‘‘ଆମେ ବିଭା ହେବା ସତୀ, କ’ଣ ତୁମର ଆପତ୍ତି ? ତୁମକୁ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ ।’’ ନୂଆ ସ୍ୱରରେ ଡାକୁଛି,–‘‘ସତୀ, ସତୀ–’’ ତୋଫାନ ପରି ଧାଇଁଆସି ବେଢ଼େଇ ଧରୁଛି ଉନ୍ମାଦ, ‘‘ସତୀ ସତୀ–,’’ ଆଉ ତା’ର ତତଲା ଓଠ ତତଲା ନିଶ୍ୱାସ, ସ୍ପର୍ଶରେ ପ୍ରଦାହ ଉପୁଯାଉଛି ।

 

ଛାଟିପିଟି ହୋଇ ସତୀ ନିଜକୁ ମୁକ୍ତ କଲା, ଛାଟିପିଟି ହୋଇ ଝାଡ଼ିଦେଲା ବିଭୂତିର ସବୁ ଫୁଲ, ସବୁ ସ୍ୱପ୍ନ ।

 

‘‘ଶୁଣ’’ ସତୀ କହୁଛି, ‘‘ତୁମେ କ’ଣ ପାଗଲ ହେଲ ? ତୁମର କ’ଣ କାଣ୍ଡ ଜ୍ଞାନ ନାହିଁ ? ଛି, ଏ ଅସମ୍ଭବ । ଶୁଣ, ତୁମେ ମୋଠୁଁ ଚଉଦ ବର୍ଷ ସାନ । ତୁମର କ’ଣ ଆଖି ଫୁଟିଛି ? ଜାଣିଛ ମୁଁ କିଏ ?’’

 

ସୁକୁମାର ପାଗଳ ପାଦତଳେ ପଡ଼ି ବିନତି କରୁଛି,–‘‘ସେ ସବୁ ମୁଁ ଶୁଣିବି ନାହିଁ । ମୁଁ ଖାଲି ଚାହେଁ–’’

 

‘‘କଳଙ୍କିନୀ ସତୀର ନାଁ ଶୁଣିଛ ? ସତୀ ଆଉ ସମୀର୍ ? ହାଟରେ ବାଟରେ, ଘରେ ଘରେ ? କେହି କହି ନାହାନ୍ତି ? ପାଖରେ ପୂରେଇବେ କିଏ ତମକୁ ?–’’

 

‘‘ମୁଁ ଖାତିର କରେ ନାହିଁ କାହା କଥାକୁ । ମୁଁ ଖାଲି ଚାହେଁ–’’

 

‘‘ମୁଁ ଚାହେଁ ନାହିଁ । ତୁମେ ଯାଅ । ଭାବିବାକୁ ଚେଷ୍ଟା କର,–କଳଙ୍କିନୀ ସତୀ–ଦୁନିଆଁ କହେ ସେ କଳଙ୍କିନୀ–ସେ ତୁମଠୁଁ ଚଉଦ ବର୍ଷ ବଡ଼–ତୁମର ତାରୁଣ୍ୟ ସରିକି ତା’ର ବାର୍ଦ୍ଧକ୍ୟ–’’

 

‘‘ମୁଁ ଶୁଣିବି ନାହିଁ ସେ ସବୁ । ସତୀ-ସତୀ–ତୁମେ ମତେ–ଏଡ଼େ ନିଷ୍ଠୁର ହେବ ?–ମୁଁ ଖାଲି ଚାହେଁ–’’

 

‘‘ପାଗଲ୍ । ତୁମେ ପାଗଲ ହୋଇଯିବ । ଭାବୁନା କାହିଁକି ତୁମେ ହୁଏତ ଏକୁଟିଆ ଆସିନାହଁ । ତୁମଠୁଁ ଚଉଦବର୍ଷ ବଡ଼ । ତୁମର ଜନ୍ମ ହେବାଠୁଁ ଏ ପର୍ଯ୍ୟନ୍ତ କେତେ ଆସିଥିବେ । ମୁଣ୍ଡରେ କଣ୍ଟା ପରି ପିଟ–କଳଙ୍କିନୀ ସତୀ–ଆଉ ତୁମେ ନିଷ୍ପାପ, ସରଳ କଅଁଳା ବାଛୁରି । ଯାଉନା କାହିଁକି ? ଓଃ । ଛି, କାନ୍ଦୁଛ । ରାଗ ଆସୁନାହିଁ ? ମାଡ଼ ମାରି ପାରୁନ ? ଯାଅ–ଯାଅ–ଯାଅ–’’

 

ନିଜକୁ ନିଜଠୁଁ ଛିଣ୍ଡେଇ ସମୁଦ୍ରପାଣିକି ଫୋପାଡ଼ି ମାରିବାକୁ ମନହେଉଛି । ତା’ ସଙ୍ଗେ ଆକାଶର ଜହ୍ନକୁ ଓଟାରି ଫୋପାଡ଼ି ଦେବାକୁ, ସବୁ ଧ୍ୱସ୍ତ କରିଦେବାକୁ । ଓଃ, ଜ୍ୱାଳା ! ଜ୍ୱାଳା ! ଜ୍ୱାଳା ! କେରା କେରା ଲୁହ ବୋହିଯାଉଛି । କାନି ଘୁସୁରୁଛି । ଖିଆଲ୍ ନାହିଁ । ଅନ୍ଧ ଆଖିରେ ଭିତରକୁ ଚାହିଁ ତରତର ହୋଇ ଚାଲିଯାଉଛି ଗୋଟାଏ ସ୍ତ୍ରୀଲୋକ । ଦୁଇ ହାତରେ ମୁଣ୍ଡ ବାଳ ଓଟାରୁଛି, ନଖରେ ଆପଣା ଗାଲକୁ ଚୁମୁଟୁଛି । ପାଖେ ପାଖେ ଚାଲିଛି ତା’ର ବିକୃତ କଳାଛାଇ । ଚାଲିଯାଉଛି ।

 

ବିଲୁଆ ଭୁକିଲେ । ଦୂରରୁ କେଉଁ ଅଚିହ୍ନା ଚଢ଼େଇର ବୋବାଳି । ସତୀର ହୋସ ଲେଉଟିଲା । ଗହଳି ହୋଇ ସମୁଦ୍ର ଗରଜୁଛି । ସମୁଦ୍ରର ଜୁଆର ବଢ଼ୁଛି । ସେ କରକୁ ଚାହିଁଲା, ଅସ୍ପଷ୍ଟ ହୋଇ ଗୋଟି ଗୋଟିକିଆ ଆଲୁଅ ଦିଶୁଛି, ଆଉ କିଛି ଅନ୍ଧାରୁଆ ଅନ୍ଧାରୁଆ । ସତୀ ଆପଣାର ଦିଗ ବାରିଲା । ଗାଁ ସେପାଖେ କେତେ ଦୂରରେ ସେ ଥିଲା, ଗାଁ ଏପାଖକୁ ଆସିଲାଣି । ଦେହଟା ଶୀତୋଉଛି । ଦୁର୍ବଳ ଲାଗୁଛି । ଏକୁଟିଆ ସେ, ଆଉ କେହି ନାହିଁ । ଧାଇଁ ଧାଇଁ, ଜନ୍ତୁ ପଲେ ପଳାଇଲେ । ଆଉ ତେଣିକି ଅରାଏ ଜଳାଭୂଇଁ ଜଙ୍ଗଲ । ସମୀର୍ ଆଜି ଚଢ଼େଇ ମାରି ଆଣିଛି, ନିଜ ହାତରେ ରାନ୍ଧିଥିବ । ସମୀର୍ ନିଶ୍ଚୟ ଖୋଜି ଖୋଜି ହଇରାଣ ହେବଣି । ଫେରିବା କେତେ ଉଛୁର ହେଲାଣି । ବିଭୂତିଭୂଷଣ ମନେ ପଡ଼ିଲା ।

 

ପ୍ରାଣରେ ଆଘାତ ପାଇ ସେ ଯାଇଥିବ ।

 

ଆଉ ସେ ଆସିବ ନାହିଁ ।

 

ନିଜକୁ ସମ୍ଭାଳି ସଜାଡ଼ି ସେହି ଆଲୁଅ ଆଡ଼କୁ ସତୀ ଚାଲିଲା । ଅତି ବାସ୍ତବ ଲାଗୁଛି ସବୁ । ଭାବୁଛି, କାହିଁକି ସେ କଷ୍ଟ କରି ଏ ଅପନ୍ତରାକୁ ଆସିଥିଲା ?

 

ତଣ୍ଟି ପାଖରୁ କୋହ ଉଠିଆସୁଛି । ଆପେ କ୍ଷୀଣ ହୋଇଯାଉଛି । ଲାଗୁଛି ସେ ବୁଢ଼ୀ ହୋଇଗଲାଣି, ଜହ୍ନରାତି ଆଉ ଧଳାବାଲି ମିଶି ଗୋଟାଏ ଉଦାସିନୀ ରିକ୍ତା ବୃଦ୍ଧାର ବେଶ । ଘନ ଗର୍ଜନ କରି ଧାଇଁ ଆସୁଛି ଯେଉଁ ସମୁଦ୍ର ତା’ର ଭାଷା ମରଣର ଆମନ୍ତ୍ରଣ ।

 

ଆଉ ବିସ୍ମୃତିର ।

 

ଏମିତି ସେ ଝଡ଼ିପଡ଼ିବ ନିଶ୍ଚିହ୍ନ ବାଲିପରି ।

 

ନାଁ ନାହିଁ, ଖାଲି କାକର ବାଲି ।

 

ନିଷ୍ପନ୍ଦ ।

 

‘‘ତୁମର ଫେର୍ କ’ଣ ହେଲାଣି ସତୀ’’ ସମୀର୍ କହିଲା ‘‘ସେଦିନ ରାତିରେ ଏତେ ଡେରିରେ ଫେରିଲ, ଆଉ ତା’ ପରଠୁଁ–’’

 

‘‘ତା’ ପରଠୁଁ କ’ଣ ହେଲା କହିଯା, କ’ଣ ଦେଖୁଛ ?’’

 

ସମୀର୍‍ ଡମ୍ବେଲ୍ ଦୁଇଟା ଥୋଇଦେଲା, ଖାଲି ଦେହରେ ସେ କସରତ୍ କରୁଥିଲା । କହିଲା, ‘‘ତା’ ପରଠୁଁ ଦେଖୁଛି ତୁମ ଦେହ କ’ଣ ହୋଇଛି । ବେଗି ବେଗି ଝଡ଼ିଯାଉଛ, ଖାଇ ପାରୁନା, ସତେକି ଅରୁଚି ଘୋଟିଛି । ଫୂର୍ତ୍ତି ନାହିଁ, ବେଶୀ ମାନ୍ଦା କାଉନ୍ଦା, ବେଶୀ ବେଳ ବିଛଣାରେ କଟୁଛି ।’’

 

ଶୁଖିଲା ହସି ହସି କହିଲା–‘‘ଏଥିରୁ କ’ଣ ଅନୁମାନ କରୁଛ ? କି ଚିହ୍ନ ଏସବୁ ତୁମେ ଭାବୁଛ ?’’

 

‘‘ଧ୍ୟାତେରି !’’

 

‘‘କୁହ, କହିପକାଅ । କିଛି ଗୌରବ ଆସୁଛି ?’’

 

‘‘କ’ଣ ଯେ ତମେ କୁହ ପାଗଳ ପରି–। କ’ଣ ହୋଇଛି ତମର ? ମୁହଁ ଖସି ପଡ଼ୁଛି, ସବୁଦିନେ ସକାଳୁ ଉଠି ଦେଖେଁ ତୁମେ ଆଉ ଟିକିଏ ଦୁର୍ବଳ ଦିଶୁଛ । ଅଥଚ ସମୁଦ୍ରକୂଳ–’’

 

‘‘ଆଉ ତୁମର ସାଙ୍ଗ, ନା କ’ଣ ?’’ ସ୍ୱର ବଦଳେଇ ସତୀ କହିଲା ‘‘ଏଠୁ ଯିବା ଚାଲ, ସମୁଦ୍ରକୂଳ ବହୁତ ହୋଇଗଲା ।’’

 

ତେଣୁ ଅକସ୍ମାତ୍ ସେହି ଦିନହିଁ ଡେରା ଉଠିଲା । ସଞ୍ଜ ବେଳ । ଭାରୁଆ ବାହାରିଗଲେ । ସମୀର୍ କହିଲା, ‘‘ଚାଲ ।’’ ‘‘ଟିକିଏ କାମ ଅଛି’’ ସତୀ କହିଲା, ‘‘ତୁମେ ଅପେକ୍ଷା କରନା, ଚାଲ, ଏଇ ଟିକିଏ ଛାଡ଼ି ମୁଁ ଯାଉଛି ।’’ ତା’ର ହାତରେ ଖଣ୍ଡେ ଚମଡ଼ାମୁଣି ।

 

କିଛି ସମୟ ପରେ ସମୀର୍ ଦେଖିଲା ତଥାପି ସତୀ ଫେରିଲା ନାହିଁ । ଲେଉଟି ଗଲା । ସେଇତ, ବାଲିକୁଦ ଉପରେ ସମୁଦ୍ର ଆଡ଼କୁ ମୁହଁ କରି ସତୀ ଠିଆହୋଇ ରହିଛି । କିଛି ଦୂରରେ ତୁନି ହୋଇ ସମୀର୍ ଅପେକ୍ଷା କଲା । ସତୀର ଖିଆଲ୍,–ସେ ଭାବିଲା । ଏପରି ଅବସ୍ଥାରେ ବାଧା ଦେଲେ ସେ ଚିହିଁକି ଉଠେ ।

 

ତିନି ମିନିଟ୍, ପାଞ୍ଚ ମିନିଟ୍, ଦଶ ମିନିଟ୍ ।

 

ସତୀ ହଲୁନାହିଁ ବି ଟିକିଏ ।

 

ପାଖକୁ ଗଲା । କୁଦ ଉପରୁ ସୁନ୍ଦର ଦିଶୁଛି ସମୁଦ୍ରର ରୂପ । ଅସ୍ତସୂର୍ଯ୍ୟର ଶେଷ ଆଲୁଅରେ କ’ଣ ସେଥିରେ ଗମ୍ଭୀର ଆଉ ପ୍ରଶାନ୍ତ । ସେହି ଆଡ଼କୁ ମୁହଁ କରି ସତୀ ଚୁପ୍‍ଚାପ୍‍ ଠିଆ ହୋଇଛି । ହାତରୁ ମୁଣିଟା ମେଲା ହୋଇ ଝୁଲୁଛି । ସାମ୍ନାରେ ବିଞ୍ଚା ହୋଇ ପଡ଼ିଛି ରଙ୍ଗ ରଙ୍ଗର ଶାମୁକା, ନାନା ଜାତି ।

 

ସମୀର୍ ମନେପକାଇଲା କେଡ଼େ ଆଗ୍ରହରେ ଏଗୁଡ଼ା ଆଣି ସତୀ ଦେଖାଉଥିଲା ଥରେ ତାକୁ । ଦିନ ଭିତରେ ନାନା ପ୍ରକାର ଏଗୁଡ଼ା ଏକାଠି ସଜାଇ ବସି ବସି ତାକୁ ଦେଖେ, କେବେ କେଉଁଟାକୁ ଗୋଟାଇ ନିଏ, ମୁହଁ ପାଖେ ଧରେ, ଗାଲରେ ଘସେ । ଅତି ଯତ୍ନରେ ହାତମୁଣି ଭିତରେ ସାଇତି ରଖିଥିଲା ।

 

‘‘କ’ଣ କଲ ! ଫୋପାଡ଼ି ଦେଲ ଏଗୁଡ଼ାକ !’’

 

ସମୀର୍ ପାଟି ଶୁଣି ସତୀ ମୁହଁ ବୁଲେଇଲା । ସମୀର୍ ଚମକି ପଡ଼ିଲା । ଏ ମୁହଁ ସେ ଚିହ୍ନେ ନାହିଁ,–ବୁଢ଼ୀର ମୁହଁ ।

 

‘‘ଚାହିଁ ଛ କ’ଣ ? କ’ଣ ଦେଖୁଛ ? ସବୁ ଅସ୍ତ–ଅସ୍ତ–ଅସ୍ତ–’’

 

‘‘ଏଗୁଡ଼ା ଫୋପାଡ଼ି ଦେଲ ?’’

 

‘‘କ’ଣ ଆଉ ହବ ? ଗୋଟେଇଛି ବହୁତ, ଫୋପାଡ଼ିଛି ବହୁତ, କିଛି ସାଇତି ରଖି ପାରିନାହିଁ ।’’

 

‘‘ରଇଥା–ଗୋଟେଇ ପକାଏଁ’’–ସମୀର୍ ନଇଁପଡ଼ି ଗୋଟେଇବାକୁ ଆରମ୍ଭ କଲା । ହାତରୁ ଝାମ୍ପିନେଇ ଦୂରକୁ ଛାଟିମାରି ସତୀ କହିଲା–‘‘ତୁମେ ପାଗଲ୍ । ବୁଢ଼ାଦିନେ ପିଲା ହେଉଛ । କ’ଣ କରିବ ? ତୁମକୁ ମାନିବ ନାହିଁ ଏ ରଙ୍ଗ । ବରଂ ବାଲି ନିଅ ଯଦି ଦରକାର, ସମୁଦ୍ରବାଲି, ଚାଲ-।’’

ସମୀର୍‍ ଜାଣେ ନାହିଁ, ଶାମୁକାଗୁଡ଼ାକ ବିଭୂତିଭୂଷଣର ଉପହାର । ତାକୁ ସେ କେବେ ଦେଖିନାହିଁ, ଚିହ୍ନିନାହିଁ ।

ଦୁହେଁ ଲେଉଟି ଚାଲିଲେ । ହଠାତ୍ ବାଟରେ ସତୀ ପଚାରିଲା, ‘‘ସମୀର୍, ତୁମେ କେବେ ଭଲ ପାଇଥିଲ ?’’

‘‘ମାନେ ?’’

‘‘ମନେପଡ଼ୁଛି ? ତୁମେ ବିଭା ହୋଇଥିଲ, ତୁମର ସ୍ତ୍ରୀ, ତୁମର ପିଲାମାନେ,–ସେମାନେ ମନେ ପଡ଼ୁଛନ୍ତି ତୁମର ?’’

‘‘ହଠାତ୍ କାହିଁକି ଏକଥା ଉଠାଉଛ ସତୀ ? ତୁମର ମତଲବ୍ କ’ଣ ?’’

‘‘ନାଃ, ଛାଡ଼, ତୁମେ ଅଦ୍ଭୁତ । ଟିକିଏ ଫୂର୍ତ୍ତି ଚାଲ ।’’

ସେହି ଘର, ସେହି ରଘୁଆ, ସେହି ସମୀର୍ ।

କିନ୍ତୁ ସମୁଦ୍ରକୂଳରୁ ଲେଉଟି ଆସିଲା ପରେ ସମୀର୍ ଦେଖୁଛି, ସତୀର ଘୋର ପରିବର୍ତ୍ତନ । ସରାଗ ନାହିଁ, ହସଖୁସି ନାହିଁ, ଚେହେରାରେ ଶିରୀ ନାହିଁ । ସତେକି ଜୀବନରୁ ଖରା ମରିଯାଇଛି । ପଦାଲୋକଙ୍କୁ ଏଡ଼େଇ ଘର ଭିତରେ ରହିଗଲା ପ୍ରାୟେ ମାସେ । ନିତ୍ୟକର୍ମ କରେ, କେବେ କେବେ ବହି ପଢ଼ି ବସି ବହି ମେଲା କରି ଅନ୍ୟମନସ୍କ ହୋଇ ସାମ୍ନାକୁ ଚାହିଁଥାଏ । ଅନେକ ସମୟ ଦର୍ପଣକୁ ଚାହିଁ ରହିଥାଏ । ଅଳ୍ପ କହେ, କିନ୍ତୁ କଥାରେ ପୂର୍ବର ଦାଢ଼ ନାହିଁ, ଉଗ୍ରତା ନାହିଁ । ଉଗ୍ର ହୁଏ କେବଳ ଡାକ୍ତର ଡାକିଲେ । ଯେତେ ତା’ର ବିରକ୍ତି ସହି ସମୀର୍ ଡାକ୍ତର ଡାକିଆଣେ, ଆହୁରି ସତୀ ଚିଡ଼େ । ଜିଦି ଧରିଛି, ତା’ର କିଛି ହୋଇନାହିଁ, ଔଷଧ ସେ ଖାଇବ ନାହିଁ-

 

‘‘ଜିଭଟା ଦେଖେଇବେ କି ଟିକିଏ ?–’’

 

‘‘ଟିକିଏ ଛାତିଟା–’’

 

କିଛି ଫଳ ନାହିଁ ।

 

‘‘ତୁମରି ଗୋଟାଏ ରୋଗ ହୋଇଛି ବୋଧେ ସମୀର୍, ଡାକ୍ତର ଡାକିବା ରୋଗ । କାହିଁକି ଭାବୁଛ ? ମତେ ମରଣ ନାହିଁ ।’’

 

ବୋଧହୁଏ ମଲା ବାପା ମା’ଙ୍କୁ ମନେ ପକାଉଛି, ସମୀର୍ ଏତିକି ଧରିନେଇ ଅନୁସନ୍ଧିତ୍ସା ମେଣ୍ଟାଇଲା ।

 

ତା ପରଠୁଁ ପୁଣି ଆଉ ଏକ ପର୍ଯ୍ୟାୟ–

 

ରାତିରେ ଶୋଇବା ଛାଡ଼ି, ନିତାନ୍ତ ଯେତିକି ଦରକାର ସେତିକି ସମୟ ଛାଡ଼ି, ବାକିବେଳ ସତୀ ପଦାରେ କୁଆଡ଼େ କଟାଏ । ପଚାରିଲେ କହେ ବୁଲି ଯାଇଥିଲି, ଲାଇବ୍ରେରୀକି ଯାଇଥିଲି, କ୍ଳବ୍‍କୁ ଯାଇଥିଲି, ପଚାରି ବୁଝିବା ବି ସେ ପସନ୍ଦ କରେ ନାହିଁ, କଥା ବୁଲେଇ ନିଏ ।

 

ଏତିକି ବେଳେ ସମୀର୍ ଲକ୍ଷ୍ୟକଲା, ସତୀର ଚେହେରାର ଉନ୍ନତି ଘଟିନାହିଁ କିନ୍ତୁ ଝୁଙ୍କ ପଡ଼ିଛି ପୋଷାକ ଉପରେ ଓ ପ୍ରସାଧନ ଉପରେ । ବହୁତ ବେଳ ନିଜକୁ ସଜେଇବାରେ ଖର୍ଚ୍ଚ କରେ, ନଖ, ଓଠ ଗାଲ ରଙ୍ଗାଏ, ମୁହଁରେ ସ୍ନୋ’ର ଫୁଟ ଦେଇ ସାଉଁଳି ସାଉଁଳି ଖାଲ ପୂର୍ଣ୍ଣ କରେ । ତଥାପି ମଉଳା ମୁହଁ ସେଇ ମଉଳାହିଁ ରହିଯାଏ । ଜଳେ ଆଖି ଦିଟା, ଯେପରି ଗୋଟାଏ ଅସ୍ୱାସ୍ଥ୍ୟକର ତେଜରେ । ସଜେଇ ହୋଇ ପଦାକୁ ଯିବାକୁ ବାହାରିପଡ଼ିଲେ ଅଟକେଇବାକୁ ସମୀର୍‍ର ଛାତି ପାଏ ନାହିଁ ।

 

ପାଗଲିଟା,–ସମୀର୍ ଭାବେ–ଅତି ବେଶୀ ଖିଆଲୀ–ଜିଦି ବହୁତ, ଯାହା ମନକୁ ପାଇଥିବ । ନିଜକୁ ଆଶ୍ୱାସ ଦିଏ ପୁଣି ସେ ବାଗେଇବ ।

 

କିନ୍ତୁ ଏଥର, ସତୀ ଚାଲିଗଲେ, ସମୀର୍ ମନେ ପକାଏ ତା’ର ସରି ଆସୁଥିବା ପୁଞ୍ଜିକଥା, ଗୋଟାଏ ଅନିଶ୍ଚିତତା ଛିଣ୍ଡା ମେଘପରି ଉଡ଼ିଆସି ଟିକିଏ ଭୟ ଦେଖାଏ । ବହୁଦିନୁ ସେ ରୋଜଗାର କରିବା ଛାଡ଼ିଦେଇଛି, ନିର୍ଭର ଖାଲି ସଞ୍ଚିତ ଅର୍ଥ ଉପରେ ।

 

ଆଉ ସମୀର୍ ମନେ ପକାଏ ଗୋଟାଏ ଭୁଲିଲା କଥା, ତା’ର ଘର, ତା’ର ସ୍ତ୍ରୀ, ତା’ର ପିଲାମାନଙ୍କୁ, ଯାହାଙ୍କ ଭଲ ମନ୍ଦ କଥା ସେ କେବେ ମନରେ ଧରିନାହିଁ । ଛାଇ ମାଡ଼ି ନାହିଁ । ଭାବିଲେ ଛାତି ଦବି ଦବି ଯାଏ, ଦୁର୍ବଳତା ଲୁଚାଇବାକୁ ସେ ଚିଡ଼୍ ଚିଡ଼୍ ମୁହଁକରେ । କାହାରିକି ନ ପାଇ ରଘୁଆର ଦୋଷ ବାଛେ–‘‘ରଘୁଆ, ଏ କାମ ଭଲ ହେଉନାହିଁ । ଦିନୁଁ ଦିନ ଖାଲି ଫାଙ୍କି ! ଧର୍ମ ଜଗି କାମ କର ରଘୁଆ, ନିମକ୍‍ସଚ୍ଚା ହ ।’’

 

ବିବାହଟା ବି ଏଡ଼େ ସହଜରେ ଘଟିପାରେ ! ସତୀ ଭାବୁଥିଲା,–ଘଟିବା ସହଜ କାରଣ ଘଟଣା ଆକସ୍ମିକ । ଜଣେ ବିଦେଶ-ଶିକ୍ଷିତ ସାହେବୀ ପଥର-ପଣ୍ଡିତ, ମିଷ୍ଟର୍ ଡେ । ବୟସ ପ୍ରାୟ ପଇଁଚାଳିଶ୍, ଛେଚା ପିଟା ସାଧାରଣ ଉଚ୍ଚତା ବିଶିଷ୍ଟ ମଣିଷ, ଶ୍ୟାମଳ ବର୍ଣ୍ଣ, ମୁଣ୍ଡ ମଝିରେ ବଡ଼ ଅରାଏ ଚନ୍ଦା, ଠିଆ ଠିଆ ନିଶ, ହାବଭାବରେ ଝାଙ୍କ ଦେଇ ଦେଇ କ୍ଷିପ୍ର, କହନ୍ତି ସେ ଯୁଦ୍ଧରେ ବହୁବର୍ଷ ଥିଲେ, ପଦ ଥିଲା କ୍ୟାପଟେନ୍ । ଯୁଦ୍ଧ କରି କରି ବିବାହ କଥା ସେ ପାଶୋରି ପକାଇଥିଲେ କହନ୍ତି, ତା’ଛଡ଼ା ପାତ୍ରବି ତ ପାଇପାରି ନ ଥିଲେ !

 

ପଥରରେ ତାଙ୍କର ବହୁତ ଝୁଙ୍କ, ‘‘ଆପଣଙ୍କର ବି ଶୀଘ୍ର ହୋଇଯିବ ଯଦି ଟିକିଏ ମନ ଦେବେ,’’–ସେ କହୁଥିଲେ, ‘‘ମୁଁ ଟିକିଏ ବାଟ ବତେଇ ଦେବି, ତା’ପରେ ଆପଣ ଆଉ ଛାଡ଼ି ପାରିବେ ନାହିଁ । ପଥର ଏ ସୃଷ୍ଟିର ନିଦାନ । ମାଟି ପଥର, ମୁଁ ପଥର, ଆପଣ ପଥର । ଆଉ ଜାଣନ୍ତେ ଯଦି ପଥର ଭିତରେ କେତେ ରସ, କେତେ ଇତିହାସ, କେତେ ଲୀଳା-ବୈଚିତ୍ର୍ୟ, ଆଃ ଆପଣ ତନ୍ମୟ ହୋଇଯାଆନ୍ତେ ।’’

 

ତେଣୁ ପଥର-ବନ୍ଧୁମାନଙ୍କୁ ସଂଖୋଳିବାକୁ ବହୁତ ଦୂର ଦୂର ବୁଲିଛନ୍ତି ଯଦିଚ ତାଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ଦିଲ୍ଲୀରେ ଅଛି । ସେହି ସୂତ୍ରରେ ତାଙ୍କର ଏ ଦେଶକୁ ଆଗମନ ଏବଂ ପ୍ରାୟ ତେର ଦିନର ଉଡ଼ାପରିଚୟ ପରେ ହଠାତ୍ ଆଜି–‘‘ୱିଲ୍‍ ୟୁ ମ୍ୟାରି ମି ? ଆପଣ ମୋତେ ବିଭା ହେବେ କି ?’’

 

ଓ ସଙ୍ଗେ ସଙ୍ଗେ ସତୀର ଉତ୍ତର–‘‘ହ୍ଵାଇ ନଟ୍ ? କାହିଁକି ନ ହେବି ? ମୁଁ ରାଜି ।’’

 

ମିଷ୍ଟର୍‍ ଡେ, ପଥର-ପଣ୍ଡିତ, ମୁହଁର ବିଶିଷ୍ଟତା ଠିଆ ଠିଆ ନିଶ, ଦମ୍ଭିଲା ନାକ ।

 

‘‘ତେବେ ତ ମୁଁ ପୃଥିବୀର ସବୁଠୁ ବେଶୀ ଭାଗ୍ୟମନ୍ତ ଲୋକ !’’ ପିଲାଙ୍କ ପରି ସେ ନାଚି ନାଚି ପାଟି କରିଥିଲେ ‘‘ଜାଣନ୍ତି ଆପଣ, ମିସ୍ ଡେଭି (ଦେବୀ), ମୁଁ ଏହା ଆଗରୁ କାହାରିକି କେବେ ପ୍ରେମ କରି ନାହିଁ, ଆପଣହିଁ ପ୍ରଥମ, ଆପଣ ପୃଥିବୀରେ ସର୍ବଶ୍ରେଷ୍ଠ ସୁନ୍ଦରୀ, ଆଉ ମୁଁ ଏକା ଆପଣଙ୍କୁହିଁ ଭଲପାଏଁ ।’’

 

‘‘ପଥରଠୁଁ ବି ମତେ ବେଶୀ ଭଲପାଆନ୍ତି ମିଷ୍ଟର୍‍ ଡେ ?’’

 

‘‘ହା ହା ହା ହାଉ ୱିଟି, କେଡ଼େ ଛଇଳା କଥା–ୟୁ ନଟି ଗ୍ୟାଲ୍, ତେବେ ଆଉ ମିଷ୍ଟର୍ ଡେ କାହିଁକି ? ମତେ ଡାକିବ ରବିନ୍ । ସୁନ୍ଦର ଚଢ଼େଇ ରବିନ୍,

 

ରବିନ୍ ରବିନ୍ ରେଡ୍ ବ୍ରେଷ୍ଟ୍

 

ଓ ରବିନ୍ ଡିଆ,

 

ଫ-ରବିନ୍ ସିଙ୍ଗ୍‍ସସୋ ସ୍ୱିଟ୍‍ଲି

 

ଆଏଟ୍ ଦା ଫଲିଂ ଅଫ୍‍ଦା ଇଆ

 

ରବିନ୍ ଚଢ଼େଇ ରବିନ୍ ଚଢ଼େଇ, ଛାତିରେ ତୋର ନାଲି ହେ ପ୍ରିୟ ରବିନ୍,

 

ରବିନ୍ କି ସୁନ୍ଦର ଗୀତ ଗାଏ–

 

ବର୍ଷ ଶେଷରେ ହେମନ୍ତରେ ଯେତେବେଳେ ଗଛରୁ ପତ୍ର ଝଡ଼ୁଥାଏ–

 

‘ଆଏଟଦା ପିଲିଂ ଅଫ୍‍ଦା ଇଆ’–ସେତିକି ଦେଖିବ ତୁମେ ତୁମ ରବିନ୍‍ର ବାହାଦୁରି, ଶୀତ କାଳରେ ବର୍ଷ ଶେଷରେ ଗଛରୁ ଯେତେବେଳେ ପତ୍ର ଝଡ଼େ, ଜୀର୍ଣ୍ଣ ବର୍ଷ ଯେତେବେଳେ ମାଟିରେ ମିଶୁଥାଏ, ସେତିକିବେଳେ ରବିନ୍ ତମକୁ ସଙ୍ଗୀତ ଶୁଣେଇବ । କବି ୟେଟ୍‍ସ୍‍ କହିଛନ୍ତି କ’ଣ ?

 

ସୋ ମେନି ଲଭ୍ଡ଼୍ ୟୋ ମୋମେଣ୍ଟସ୍ ଅଭ୍ ଗୁଡ଼୍ ଗ୍ରେସ୍

 

ବଟ୍ ଆଇ ଲଭ୍ଡ଼୍ ଦି ପିଲ୍‍ଗ୍ରିମ୍ ସୋଲ୍ ଇନ୍ ୟୁ !

 

କେତେ ଲୋକ ଭଲପାଇଥିଲେ ତୁମର ବୟସ ଦେହର ଛଇକୁ, କିନ୍ତୁ ମୁଁ ଭଲପାଇଲି ତୁମ ଭିତରର ତୀର୍ଥଯାତ୍ରୀ ଆତ୍ମାକୁ ।

 

ଚମଡ଼ା ମଉଳିବ, ଚମଡ଼ାତ ଆଉ ପଥର ନୁହେଁ ! ସେଥିରେ କି ଯାଏ ? ସୁଗଭୀର ମୋର ପ୍ରେମ । ଯେତେବେଳେ ତୁମର ତୀର୍ଥଯାତ୍ରୀ ରିକ୍ତ ଆତ୍ମା ଖୋଜୁଥିବ ସାଥୀ ସେ ସାଥୀ ହେବି ମୁଁ, ସେତିକିବେଳେ ରବିନ୍ ତମକୁ ସଙ୍ଗୀତ ଶୁଣେଇବ ।’’

 

ଆଉ ତା’ର କଥାକୁ ଅପେକ୍ଷା ନରଖି ମିଷ୍ଟର୍ ଡେ ତା’ର ହାତ ପାପୁଲିକୁ ଚାପି ଧରିଥିଲେ, ନିଜ ଆଙ୍ଗଠିରୁ ଗୋଟିଏ ମୁଦି ଖୋଲି ନେଇ ଆଙ୍ଗୁଠିରେ ପିନ୍ଧାଇ କହିଥିଲେ–

 

‘‘ଏଇ ଆମର ବିବାହ ହୋଇଗଲା, ୟା ପରେ ଖାତାରେ ଦସକତ୍, ରେଜିଷ୍ଟ୍ରି, ପାଦ୍‍ଡିଙ୍କ ଆଶୀର୍ବାଦ, କି ବ୍ରାହ୍ମ ସଙ୍ଗୀତ, କି ବେଦୀ ଉପରେ ମୁକୁଟ ନାଇ ନିଆଁପାଖେ ବସି ଦୁଇତରଫ ପୁରୋହିତଙ୍କର ପରସ୍ପର ବିବାହ କର୍ତ୍ତବ୍ୟର ଶପଥ ଶୁଣାଣୁଣି । ଯେପରି ଲୋକାଚାର ତମର ଇଚ୍ଛା, ମୋର ଆପତ୍ତି ନାହିଁ, ସବୁଥିରେ ମୋର ସମାନ ଉତ୍ସାହ; କିନ୍ତୁ ଏଇ ମୁଦି ଆମ ବିବାହର ସଙ୍କେତ, ପ୍ଲାଟିନମରେ ତିଆରି, ପ୍ଲାଟିନମ୍ ସବୁଠୁ ମୂଲ୍ୟବାନ୍‍ ଧାତୁ, ମଝିରେ ଖଣ୍ଡେ ଗ୍ରାନାଇଟ୍ ପଥର, ଗ୍ରାନାଇଟ୍ ସବୁଠୁ ଟାଣୁଆ ସବୁଠୁ ପୁରୁଣା ପଥର, ଅବଶ୍ୟ ତୁମର ଇଚ୍ଛା ହେଲେ ସୁନାରେ ସ୍ୟାଫାୟାର୍ ବି ପିନ୍ଧିପାର, ବା ଆଉ ଯାହା କିଛି । କାଲି ଦିଲ୍ଲୀ ଚାଲିଯିବା, ୟା ପରେ ହୁଏତ କ୍ୟାଲିଫର୍ଣ୍ଣିଆ, ଗୋଟାଏ ଡକରା ଆସିଛି ।’’

 

ତା’ପରେ ମିଷ୍ଟର୍ ଡେ’ଙ୍କ କଥା ଶୁଣୁ ଶୁଣୁ ତାଙ୍କର ପଥର–ବୁହା ବିଚକ୍ଷଣ ଜିପ୍ ଗାଡ଼ିରେ ବସି ସହର ପ୍ରଦକ୍ଷିଣ–

 

‘‘ଏଇ ଦେଖ ଆଜିକାର ଶୀକାର–ଡୋଲୋମାଇଟ୍ ହେପାଟାଇଟ୍,

 

ସବୁ ସମାନ ଜଣାପଡ଼ୁଚି ନା ? ୟା ଭିତରେ ଯାହା ବିଚିତ୍ରତା ଅଛି ଜାଣିଲେ ତୁମେ ଛାତିରେ କୁଣ୍ଢେଇ ଧରିବ ।’’

 

ବସାର ଦୁଆରମୁହଁ ଦେଖି ଯାଇଛନ୍ତି, ଆଜି ସେ ଆସିବେ ।

 

ବାଟମୁହଁକୁ ପଛ କରି ବଡ଼ ଦର୍ପଣ ସାମ୍ନାରେ ସତୀ ବସିଛି । ସାଢ଼େ ଚାରିଟା, ବାହାରେ ମହଳଣ ଆଲୁଅ ।

 

କେମିତି କ’ଣ ହେଲା ସେ ଭାବିବାକୁ ଚେଷ୍ଟା କରୁଛି । ଲୋକଟାକୁ ପ୍ରଥମେ ଦେଖିଥିଲା ନଈବନ୍ଧ ଉପରେ । ସାମ୍ନାରେ ଆଖି ଯେତେଦୂର ଯିବ ଖାଲି ଓସାର ବାଲି । ପଛଆଡ଼େ ପୁରୁଣା ଗଛତଳେ ଗାଡ଼ିଟା ଥୁଆହୋଇଛି । ସୂର୍ଯ୍ୟ ଅସ୍ତ ଯାଉଛି ।

‘‘ସୁନ୍ଦର ସୂର୍ଯ୍ୟାସ୍ତ,’’ ଅଚିହ୍ନା ଲୋକଟା ସମ୍ଭାଷଣ ଆରମ୍ଭ କରିଥିଲା, ‘‘ଏଇ ରଙ୍ଗ ! ଆଃ କି ସୁନ୍ଦର !’’ ‘‘ତୀକ୍ଷ୍‍ଣ ଦୃଷ୍ଟିରେ ସତୀର ଗୋଡ଼ଠୁ ମୁଣ୍ଡଯାକେ ନିରେଖି ରହି କହିଥିଲା, ଆପଣ ବି ଦେଖୁଛି ସୂର୍ଯ୍ୟାସ୍ତ ଭଲ ପାଆନ୍ତି । ଆଃ !’’

ତାପରେ– ।

ସମୀର୍‍ଠୁଁ ଲୁଟେଇଛି । କ’ଣ ସେ ଭାବିବ ? କ’ଣ ସେ କରିବ ?

ଅସ୍ପଷ୍ଟ ହୋଇ ଦିଶିଯାଉଚି ଯେଉଁଦିନ ସମୀର୍ ସଙ୍ଗରେ ତା’ର ପହିଲି ଚିହ୍ନା ହେଲା ।

ଅତୀତ ଲହଡ଼ି ଖେଳୁଛି ଭବିଷ୍ୟତକୁ, ଭବିଷ୍ୟତ୍ ଅତୀତକୁ । ଗୋଟି ଗୋଟି ହୋଇ ସବୁ ପତ୍ର ଝରିପଡ଼ିଛି । ନୂଆ ପତ୍ର କଅଁଳିଛି । ପୁଣି ମଉଳିଛି, ଝଡ଼ିଛି । ପୁଣି କୁଦ କୁଦ ହୋଇ ଉଠିଛନ୍ତି ନୂଆ ପତ୍ରର କଢ଼ି ।

ଆପଣା ମୁହଁକୁ ଚାହିଁଲା । ଏଇ କ’ଣ ସେ ନିଜେ ? ସେମାନେ ଚାଲିଯାଇଛନ୍ତି । ଆଖି ଚାରିପାଖେ କେତେ କାଳିଚା । ତାଙ୍କର ସ୍ପର୍ଶର ଛାଇ ଜମା ରହିଛି, ନିଭି ଆସୁଥିବା ପାଦଚିହ୍ନର ଧାର ସେଠି ।

କାନରେ ଶୁଭୁଛି ଦୂରେଇ ଯାଉଥିବା ତୋଫାନର ସାଇଁ ସାଇଁ ।

 

ମୁହାଁମୁହିଁ ତାକୁ ଚାହିଁ ରହିଛି ଦୁଃଖରେ ଭାରି ଭାରି ବିନୀତ ହୋଇ ଦୋ’ଟି ଆଖି ।

 

ନା, ତା’ର ବିଭାଘର ।

 

କେତେ ଝିଅ ବିଭା ହୋଇଛନ୍ତି । ମୃଣ୍ମୟୀ ବିଭା ହୋଇଛି ।

 

ବିଭାଘର । ଗୋଟାଏ ଧାରଣା ଚିତ୍ର ପରି ଦିଶୁଛି ଅଳ୍ପ ଅଳ୍ପ ।

 

ମଳିନ ଗାଲ ଉପରେ ସତେକି ସୂର୍ଯ୍ୟାସ୍ତର ରଙ୍ଗ ବିଞ୍ଚି ହୋଇପଡ଼ୁଛି ।

 

ଏମିତି ମୁହଁ ବୋଧହୁଏ ସଲଜ୍ଜା କିଶୋରୀ ବଧୂର ?

 

ବ୍ୟଥାତୁର ଆଖିରେ ନୀରବ ପ୍ରଶ୍ନର ଆଭାସ ।

 

ଆଖି ତଳେ କାଳିଚା ବିଛେଇ ହେଉଛି, ଆଖିପତା ଢୁଳେଇ ହେଉଛି ।

 

କାନରେ ସାଇଁ ସାଇଁ ।

 

ଦର୍ପଣରେ ଛାଇ ପଡ଼ୁଛି, ପଥର-ପଣ୍ଡିତ ମିଷ୍ଟର୍ ଡେ ମାଡ଼ି ଆସୁଛନ୍ତି ମିଲିଟେରି ଠାଣିରେ; ତାଙ୍କର ଠିଆ ଠିଆ ନିଶ, ପାଟିରେ ଗୋଟାଏ ଜଳନ୍ତା ଚୁରୁଟ୍ ।

 

ଆଉ ପଛେ ପଛେ ତେପନ ବର୍ଷର ସମୀର୍, ଆଗକୁ ଟିକିଏ ଢଳି ଢଳି ଚାଲୁଛି, ମୁହଁଟି ଶେଥା ଦିଶୁଛି ।

Image